ସୁପ୍ରିମକୋର୍ଟରୁ ଉଦ୍ଧବ ସରକାରଙ୍କୁ ଲାଗିଲା ଜୋରଦାର ଝଟକା! ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ସୁପ୍ରିମକୋର୍ଟରୁ ଉଦ୍ଧବ ସରକାରଙ୍କୁ ଲାଗିଲା ଜୋରଦାର ଝଟକା! ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: Maharashtra Floor Test: ସୁପ୍ରିମକୋର୍ଟଙ୍କ ତରଫରୁ ଫ୍ଲୋର ଟେଷ୍ଟ ପାଇଁ ରାସ୍ତା ସଫା ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକ୍ ଲାଇଭ୍ କରି ନିଜ ପଦ ଛାଡିବାକୁ ଘୋଷଣା କରିଛନ୍ତି । ଏହି ଫେସବୁକ୍ ଲାଇଭରେ ତାଙ୍କର ସଫଳତା ସହିତ ସେ ବିଦ୍ରୋହକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧବ ଠାକରେ କହିଛନ୍ତି ଯେ, ଭଲ ଲୋକମାନଙ୍କୁ ଶୀଘ୍ର ନଜର ଲାଗିଯାଇଥାଏ । ଉଦ୍ଧବ ଠାକରେ ସୋନିଆ ଗାନ୍ଧୀ ଓ ଶରଦ ପାୱାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନଙ୍କୁ ସେ ବହୁତ କିଛି ଦେଇଛନ୍ତି ସେମାନେ ଅସନ୍ତୁଷ୍ଟ ଅଛନ୍ତି ଓ ଯେଉଁମାନଙ୍କୁ ସେ କିଛି ଦେଇ ନାହାଁନ୍ତି ତଥାପି ସେମାନେ ତାଙ୍କ ସହିତ ଅଛନ୍ତି ।

ଉଦ୍ଧବ ଠାକରେ ଆଗକୁ କହିଛନ୍ତି ଯେ, “ଯଦି ଆପଣ ମୋ ସହ କଥା ହେବାକୁ ଚେଷ୍ଟା କରିଥାନ୍ତେ, ମୁଁ ନିଶ୍ଚିତ ଭାବେ କଥା ହୋଇଥା’ନ୍ତି । ମୁଁ ଆଜି ମଧ୍ୟ କଥା ହେବାକୁ ପ୍ରସ୍ତୁତ ଅଛି । ମୁଁ ଆପଣମାନଙ୍କୁ ନିଜର ବୋଲି ଭାବି ଥିଲି । ଆପଣମାନଙ୍କ ଠାରୁ ଧୋକାର ଆଶା କରି ନଥିଲି । ମୁଁ ଜାଣିବାକୁ ପାଇଛି ଯେ ମୁମ୍ବାଇରେ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅଲଗା ଫୋର୍ସ ପଠାଇଛନ୍ତି । ଏଠାରେ ଆପଣମାନେ ଆସିଲେ CRPF ଏଣ୍ଟ୍ରି କରିବାକୁ ଯାଉଛି । ମୋତେ ଲଜ୍ଜା ଲାଗୁଛି । କ’ଣ ଆପଣ ଶିବ ସୈନିକଙ୍କ ରକ୍ତରେ ମୁମ୍ବାଇର ରାସ୍ତାକୁ ଲାଲ କରିବାକୁ ଯାଉଛନ୍ତି କି?”

ସେ କହିଛନ୍ତି ଯେ, “କ୍ୟାବିନେଟ ଛାଡିବା ନେଇ କଂଗ୍ରେସ ମଧ୍ୟ ଆଲୋଚନା କରିଛି । ଆଜି ଶିବ ସୈନିକଙ୍କୁ ନୋଟିସ୍ ପଠାଯାଉଛି । ସେମାନଙ୍କୁ ଘରୁ ବାହାରିବାକୁ ରୋକା ଯାଉଛି । ଆସନ୍ତାକାଲିର ଫ୍ଲୋର ଟେଷ୍ଟରୁ ମୋର କୌଣସି ମତଲବ ନାହିଁ । ଆପଣଙ୍କ ପାଖରେ କେତେ ସଂଖ୍ୟା ବଳ ଅଛି ମୁଁ ଜାଣିବାକୁ ଚାହୁଁନାହିଁ । ଆସନ୍ତାକାଲି ବୋଧହୁଏ ଆପଣ ବିରୋଧୀଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଦେବେ । ଯାହାକୁ ଶିବ ସୈନିକ ବଡ଼ କରିଥିଲା । ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ଆପଣ ସେହି ବାଲାସାହେବଙ୍କ ପୁଅକୁ ଗାଦିରୁ ହଟାଇବାର ପୁଣ୍ୟ କରିଛନ୍ତି । ଆପଣଙ୍କୁ ବଡ଼ କରିଛି, ଏହା ହେଉଛି ମୋର ପାପ । ମୁଁ ତାହାକୁ ଭୋଗୁଛି ।”

ଏହା ପୂର୍ବରୁ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ । ସର୍ବୋଚ୍ଚ କୋର୍ଟ ଶିବସେନା ହ୍ୱିପ୍ ଚିଫ୍ ସୁନୀଲ ପ୍ରଭୁଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିଷ୍ପତ୍ତି ଠିକ୍ ଓ ଜୁନ୍ ୩୦ରେ ଆସ୍ଥା ଭୋଟ ପାଇଁ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ଫ୍ଲୋର ଟେଷ୍ଟ ଉପରେ ଶୁଣାଣି ବେଳେ ଅଦାଲତ କହିଛନ୍ତି ଯେ, ବିଧାୟକଙ୍କ ଅଯୋଗ୍ୟତା ମାମଲା ବିଚାରଧୀନ ଥିବା ଯୋଗୁଁ ଫ୍ଲୋର ଟେଷ୍ଟ ବନ୍ଦ ହୋଇପାରିବ ନାହିଁ । ଏହା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି । ତେବେ ଏହା ପୂର୍ବରୁ ସେ କ୍ୟାବିନେଟ ବୈଠକରେ ଅଢ଼େଇ ବର୍ଷ ଧରି ସହଯୋଗ ପାଇଁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମର ରାୟ ଏହା ହେଉଛି ଏହି ସମସ୍ୟାର ସଠିକ୍ ସମାଧାନ ବିଧାନସଭାରେ ହିଁ ହୋଇପାରିବ । କୋର୍ଟ ବୋମ୍ମାଇ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ, ଫ୍ଲୋର ଟେଷ୍ଟର ନିଷ୍ପତ୍ତି କେବଳ ଗୃହରେ ହିଁ ହୋଇପାରେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: