୪ ୱିକେଟରେ ପରାସ୍ତ ହେଲା କେକେଆର୍

୪ ୱିକେଟରେ ପରାସ୍ତ ହେଲା କେକେଆର୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। ମ୍ୟାଚ୍‌ରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନର କୁଲଦୀପ ଯାଦବ। ସେ ୩ ଓଭରରେ ମାତ୍ର ୧୪ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଥିଲେ। ଏହା ତାଙ୍କ ଆଇପିଏଲ୍‌ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ। ଏଥିଯୋଗୁ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। କେକେଆର୍‌ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ୍‌ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୬ ଉଇକେଟରେ ୧୫୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଚତୁର୍ଥ ବିଜୟ ସହ ଦିଲ୍ଲୀ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।ଟସ୍‌ ଜିତି ବୋଲିଂ ବାଛିବା ଟ୍ରେଣ୍ଡ୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଜାରି ରଖିଥିଲେ। ତାଙ୍କ ନିଷ୍ପତ୍ତିକୁ ଉଚିତ ପ୍ରମାଣ କରି ଦେଖାଇଥିଲେ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚେତନ ସାକାରିଆ। ସେ ଦ୍ୱିତୀୟ ଓଭରରେ ଆରୋନ ଫିଞ୍ଚ (୩)ଙ୍କୁ ପ୍ୟାଭିଲିଅନ ପଠାଇଥିଲେ।

ଅନ୍ୟତମ ଓପନର ଭେଙ୍କଟଶ ଆୟାର (୬) ମଧ୍ୟ ଫେଲ୍‌ ମାରିଥିଲେ। ତା’ପରେ କୁଲଦୀପ ଯାଦବ ଲଗାତର ଦୁଇ ବଲରେ ପଦାର୍ପଣକାରୀ ବାବା ଇନ୍ଦ୍ରଜିତ (୬) ଓ ସୁନିଲ ନାରିନ(୦)ଙ୍କ ଉଇକେଟ ନେଇ କୋଲକାତାକୁ ବ୍ୟାକ୍‌ ଫୁଟ୍‌ ଠେଲି ଦେଇଥିଲେ। ଏଭଳି ସଙ୍କଟଜନକ ପରିସ୍ଥିତିରେ ଦଳୀୟ ସ୍ଥିତି ସମ୍ଭାଳିଥିଲେ ଅଧିନାୟକ ଶ୍ରେୟାସ ଆୟାର(୪୨) ଏବଂ ନୀତିଶ ରାଣା(୫୭ ରନ୍‌, ୩ ଚୌକା ଓ ୪ ଛକା)। ଦୁହେଁ ୪୮ ରନ୍‌ ଯୋଡ଼ିଥିଲେ।

ଥରେ ଗୋଟିଏ ଓଭରରେ ଦଳକୁ ଦୁଇଟି ଝଟ୍‌କା ଦେଇଥିଲେ କେକେଆରର ପୂର୍ବତନ ସଦସ୍ୟ। ତା’ପରେ ରିଙ୍କୁ ସିଂଙ୍କ ସହ ମିଶି ରାଣା କୋଲକାତା ସ୍କୋରକୁ ୧୪୬/୯ ପହଞ୍ଚାଇଥିଲେ।ଜବାବରେ ଦିଲ୍ଲୀକୁ ଆରମ୍ଭରୁ ପୃଥ୍ବୀ ଶ’ (୦) ଏବଂ ମିଚେଲ ମାର୍ଶ (୧୩)ଙ୍କ ଉଇକେଟ ହରାଇଥିଲା। ତା’ପରେ ଡେଭିଡ୍‌ ଓ୍ବାର୍ନର(୪୨) ଓ ଲଳିତ ଯାଦବ (୨୨) ତୃତୀୟ ଉଇକେଟ ପାଇଁ ୬୫ ରନ୍‌ ଯୋଡ଼ି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ। କିନ୍ତୁ ଲଗାତର ୩ ଉଇକେଟ ପଡ଼ିଯିବାରୁ କୋଲକାତା ମ୍ୟାଚ୍‌କୁ ଫେରିଥିଲା। ହେଲେ ଅକ୍ଷର ପଟେଲ (୨୪) ଓ ରୋଭମାନ ପାଓ୍ବେଲ (୩୩*)ଙ୍କ ଯୋଗୁ ଦିଲ୍ଲୀ ଗୋଟିଏ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କୋଲକାତା ପକ୍ଷରୁ ଉମେଶ ଯାଦବ ୩ ଉଇକେଟ ନେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: