କରତାରପୁର କରିଡର ପଛର ଇତିହାସ ଓ ରାଜନୈତିକ ଛକାପଞ୍ଝା

କରତାରପୁର କରିଡର ପଛର ଇତିହାସ ଓ ରାଜନୈତିକ ଛକାପଞ୍ଝା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୧୯ ତାରିଖରେ ଗୁରୁପର୍ବର ଦିନକ ପୂର୍ବରୁ କରିଡର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଜେପି ନେତା ହରଜିତ ସିଂହ ଗ୍ରେୱାଲ ସୂଚନା ଦେଇଛନ୍ତି। ମଥା ଟେକିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁ ବୁଧବାରଠାରୁ ଏହାର ପଞ୍ଜିକରଣ କରିପାରିବେ। ଏ ବିଷୟରେ ପଞ୍ଜାବ ବିଜେପି ନେତାମାନେ ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ଆଲୋଚନା ସମୟରେ କରତାରପୁର କରିଡର ଖୋଲିବା ପ୍ରସଙ୍ଗ ଉଠିଥିଲା। ଗୁରୁପର୍ବ ପୂର୍ବରୁ ଏହାକୁ ଖୋଲିବାକୁ ବିଜେପି ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିପରି ବିଜେପି ନେତା ହରଜିତ ସିଂହ ଗ୍ରେୱାଲଙ୍କ ନେତୃତ୍ବରେ ଦଳୀୟ ନେତାମାନେ ସୋମବାର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଗୁରୁପର୍ବ ପୂର୍ବରୁ ଖୋଲିବ କରିଡରଆସନ୍ତା ୧୯ ତାରିଖରେ ପ୍ରଥମ ଶିଖ ଗୁରୁ ନାନକଙ୍କ ଜନ୍ମଦିନ ଅର୍ଥାତ୍ ଗୁରୁପର୍ବ ରହିଛି। ଏଥିପାଇଁ ସରକାର ଅଟ୍ଟାରୀ-ୱାଘା ବର୍ଡର ଦେଇ ଶିଖ୍‌ ଶ୍ରଦ୍ଧାଳୁଙ୍କୁ କରତାରପୁର କରିଡର ଯିବାକୁ ଅନୁମତି ଦେଇଛନ୍ତି। ଗତ ସପ୍ତାହରେ ପାକିସ୍ତାନ ସରକାର ମଧ୍ୟ କରିଡର ଖୋଲିବାକୁ ଭାରତକୁ ଅନୁରୋଧ କରିଥିଲେ। ବୁଧବାରରୁ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ।

୨୦୧୯ରେ ତିଆରି ହୋଇଥିବା ଏହି କରିଡର ଗତବର୍ଷ ମାର୍ଚ୍ଚ ମାସ ଠାରୁ କରୋନା ପାଇଁ ବନ୍ଦ ରହିଛି। କରୋନା ସଂକ୍ରମଣ କମିଲେ ଏହାକୁ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବା ସହ ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ରହିଛି। ତେଣୁ ଭାରତ ସରକାର ସବୁ କିଛିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।ଗତବର୍ଷଠାରୁ ବନ୍ଦ ଥିଲା କରିଡରଗତବର୍ଷ କରିଡର ବନ୍ଦ ହେବା ପରେ ପାକିସ୍ତାନ ସହାୟତାରେ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କୁ ୱାଘା-ଅଟ୍ଟାରୀ ସୀମାରେ ଛଡ଼ା ଯାଉଥିଲା। ଏବେ କରିଡର ଖୋଲିବାରୁ ଶ୍ରଦ୍ଧାଳୁମାନେ ଦରବାର ସାହିବକୁ ଯାଇପାରିବେ। ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରାବି ନଦୀ କୂଳରେ ଥିବା କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସହଯୋଗ କରିଥିଲା। ଏହି କରିଡର୍‌ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିଛି। କରତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।

କରତାରପୁର ସାହେବ କେଉଁଠି ?

ପାକିସ୍ତାନର ରାବି ନଦୀ କୂଳରେ ଥିବା ଏହି କରତାରପୁର ଗୁରୁଦ୍ବାର ଭାରତ ସ୍ଥିତ ଡେରାବାବା ନାନକଠାରୁ ୪ କିଲୋମିଟର ଦୂର ଏବଂ ଲାହୋରଠାରୁ ୧୨୦ କିଲୋମିଟର ଦୂର। କୁହାଯାଏ ଯେ ଶିଖ୍ ମାନଙ୍କର ପ୍ରଥମ ଗୁରୁ, ଗୁରୁ ନାନକ ନିଜ ଜୀବନର ଅନ୍ତିମ ସମୟ ଏଠାରେ ବିତାଇଥିଲେ। ସେ ଏଠାରେ ଶିଖ୍ ସମୁଦାୟକୁ ଏକାଠି କରିଥିଲେ। ନିଜ ଜୀବନର ୧୮ ବର୍ଷ ଏଠାରେ କାଟିଥିଲେ। ୧୫୩୯ରେ ତାଙ୍କର ନିଧନ ଏହି କରତାରପୁରରେ ହିଁ ହୋଇଥିଲା। ତେବେ କରତାରପୁର ସାହେବଙ୍କ ଦର୍ଶନ ଭାରତ ପକ୍ଷରୁ ଲଗାତାର ହେବା ନେଇ ସୀମାରେ ଥିବା ଏଲିଫେଣ୍ଟ ଗ୍ରାସ୍‌କୁ ବାରମ୍ବାର ସଫା କରାଯାଇଥାଏ। ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାରେ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଆଯାଇଥାଏ। ଏହି ଗୁରୁଦ୍ବାରକୁ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ରର ସହାୟତା ନିଆଯାଇଥାଏ। ଶିଖ୍ ଯାତ୍ରୀ ବୈଶାଖୀ, ଗୁରୁ ନାନକ ଜୟନ୍ତୀ, ଗୁରୁ ଅର୍ଜୁନ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଏବଂ ମହାରାଜା ରଣଜିତ ସିଂହଙ୍କ ପୁଣ୍ୟ ତିଥିରେ ଏହି ସ୍ଥାନକୁ ଆସିଥାନ୍ତି।

କେବେ ଉଠିଥିଲା କରତାରପୁର କରିଡର ଦାବି ?

କେବେ ୧୯୯୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ କରତାରପୁର କରିଡର ନିର୍ମାଣ ପାଇଁ ପ୍ରଥମେ ଦାବି ଉଠିଥିଲା। ଏହି ସମୟରେ ବାଜପେୟୀ ବସ୍‌ ଯୋଗେ ଲାହୋର ଯାତ୍ରା କରିଥିଲେ। ଏହାପରେ ୨୦୦୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପଞ୍ଜାବ ଗସ୍ତ ସମୟରେ ଏକ ଭାଷଣ ଦେଇଥିଲେ। ସେଠାରେ କରତାରପୁର ଯାତାୟାତ ପାଇଁ ଅମୃତସର-ଲାହୋର-କରତାରପୁର ରୋଡ୍ ଲିଙ୍କ୍ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ସେହିବର୍ଷ ବୈଦେଶିକ ସଚିବ ଶ୍ୟାମ ସରନ୍ ନିଜର ପାକିସ୍ତାନୀ ପ୍ରତିପକ୍ଷଙ୍କୁ କହିଥିଲେ ଯେ, ୧୯୭୪ ଦ୍ବିପାକ୍ଷିକ ପ୍ରୋଟୋକଲ ଅନୁଯାୟୀ ଧାର୍ମିକ ସ୍ଥଳୀ ଯାତ୍ରା ପାଇଁ ଅନୁମତି ଦିଆଯିବ ଉଚିତ୍। କିନ୍ତୁ ସେତେବେଳେ ପାକିସ୍ତାନ ଏଥିରେ ରାଜି ହୋଇ ନ ଥିଲା। ୨୦୦୫ରେ ପ୍ରୋଟୋକଲରେ ପରିବର୍ତ୍ତନ ହେବା ପରେ କରତାରପୁର ସାହେବଙ୍କୁ ଏଥିରେ ସାମିଲ କରାଯାଇ ନ ଥିଲା। ଏହାପରେ ୨୦୦୮ରେ ଏହି ପ୍ରସଙ୍ଗ ପୁଣି ଥରେ ଉଠାଇଥିଲେ ତତ୍କାଳୀନ ବିଦେଶ ମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣା। କିନ୍ତୁ ସେହି ପ୍ରୟାସ ମଧ୍ୟ ସଫଳ ହୋଇ ନ ଥିଲା। ୨୦୧୮ ମସିହା ନଭେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ ବୈଠକରେ କରତାରପୁର କରିଡରକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାର ତିନି ଦିନ ପରେ ଅର୍ଥାତ୍ ନଭେମ୍ବର ୨୬ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଗୁରୁଦାସପୁରର ମାନ୍ ଗାଁସ୍ଥିତ ସୀମା ନିକଟରେ ଶିଳାନ୍ୟାସ କରିଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ମଧ୍ୟ ଏହି ପ୍ରକଳ୍ପ ଦିଗରେ କାର୍ଯ୍ୟ କରାଗଲା।

କରିଡର ନିର୍ମାଣ ପୂର୍ବରୁ କେମିତି ଶ୍ରଦ୍ଧାଳୁ ଯାଉଥିଲେ ?

କରିଡର ନିର୍ମାଣ ହେବା ପୂର୍ବରୁ ଭାରତରୁ ଶିଖ୍ ଯାତ୍ରୀ ଲାହୋର ପର୍ଯ୍ୟନ୍ତ ବସ୍‌ରେ ଯାଉଥିଲେ। ସେଠାରୁ କରତାରପୁର ଯିବାକୁ ହେଲେ ୧୨୫ କିଲୋମିଟର ବସ୍‌ ଯୋଗେ ଯିବାକୁ ପଡୁଥିଲା। ୧୯୪୭ରେ ଯେବେ ଭାରତ-ପାକିସ୍ତାନ ଦୁଇ ଭାଗ ହେଲା, ସେତେବେଳେ ଦୁଇ ଦେଶକୁ ରେଡ୍‌କ୍ଲିଫ୍ ଲାଇନ୍ ଭିନ୍ନ କରିଥିଲା। ଫଳରେ ଗୁରୁଦାସପୁର ତହସିଲ ଭାରତ ସୀମାରେ ରହିଲା ଏବଂ ଶାକରଗଡ଼ ତହସିଲ ପାକିସ୍ତାନ ସୀମାରେ ରହିଲା। ଏହାପରେ ବି ଶ୍ରଦ୍ଧାଳୁମାନେ ରାବି ନଦୀରେ ଥିବା ପୋଲ ପାର ହୋଇ କରତାରପୁର ସାହେବଙ୍କ ଦର୍ଶନ ପାଇଁ ଯାଉଥିଲେ। ଏହି ପୋଲ ଡେରାବାବା ନାନକ ଓ କରତାରପୁର ସାହେବଙ୍କୁ ଯୋଡୁଥିଲା। କିନ୍ତୁ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ପୋଲ ଭାଙ୍ଗି ଯାଇଥିଲା। ଏହାପରେ ୧୯୪୮ରେ ଅକାଳୀ ଦଳ ନନକାନା ସାହେବ ଓ କରତାରପୁର ଜମି ନିଜ ଅକ୍ତିଆରରେ ରଖିବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଥିଲା। ୧୯୫୯ ପର୍ଯ୍ୟନ୍ତ ଏହି ଦାବି ଜାରି ରହିଥିଲା। ୧୯୬୯ରେ ଗୁରୁ ନାନକଙ୍କ ୫ଶହ ତମ ଜୟନ୍ତୀ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକ ବଡ଼ ଘୋଷଣା କରିଥିଲେ। ଉଭୟ ଗୁରୁଦ୍ବାର ଭାରତ ନିଜ ଅଧୀନରେ ରହିବ ଏବଂ ପ୍ରତିବଦଳରେ ପାକିସ୍ତାନକୁ ଏହି ମୂଲ୍ୟର ଜମି ପ୍ରଦାନ କରାଯିବ। ମାତ୍ର, ୨୦୦୩ ପର୍ଯ୍ୟନ୍ତ କରତାରପୁର ସାହେବ ଗୁରୁଦ୍ବାର ନିର୍ଜନ ଥିଲା। ସେହି ବର୍ଷ ପାକିସ୍ତାନ ସରକାର ଏହାକୁ ସଜାଡ଼ିବା ଆରମ୍ଭ କରିଥିଲେ। କରତାରପୁର କରିଡର ରାଜନୀତି ବିଭିନ୍ନ ସମୟରେ ଚର୍ଚ୍ଚାରେ ଥିବା ଏହି କରିଡରକୁ ନେଇ ରାଜନୀତି ବା କେମିତି ନ ହେବ। ୨୦୧୮ ମସିହା ଶିଳାନ୍ୟାସ ସମୟରେ ବିଜେପି, କଂଗ୍ରେସ ଏବଂ ଅକାଳୀ ଦଳ ଶ୍ରେୟ ରାଜନୀତି କରିଥିଲେ। ଏହାପରେ ୨୦୧୮ ଅଗଷ୍ଟ ମାସରେ ବର୍ତ୍ତମାନର ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯାତ୍ରା କରିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଆର୍ମି ମୁଖ୍ୟ କମର ଜାଭେଦ ବାଜୱାଙ୍କୁ ଆଲିଙ୍ଗନ କରିବା ବେଶ୍ ଚର୍ଚ୍ଚା ହୋଇଥିଲା। ସେହି ଆଲୋଚନାରେ କରତାରପୁର କରିଡର ପ୍ରସଙ୍ଗ ଉଠିଥିବା ସିଦ୍ଧୁ କହିଥିଲେ। ଏହାପରେ ସେଠାରୁ ଫେରିବା ପରେ ସିଦ୍ଧୁ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭେଟିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: