ରିଲିଜିୟସ୍ ପଲିଟିକ୍ସର କଣ୍ଟ୍ରୋଭର୍ସିଆଲ ଚାପ୍ଟର: ମହାମାରୀ ଭଳି ବ୍ୟାପୁଛି

ରିଲିଜିୟସ୍ ପଲିଟିକ୍ସର କଣ୍ଟ୍ରୋଭର୍ସିଆଲ ଚାପ୍ଟର: ମହାମାରୀ ଭଳି ବ୍ୟାପୁଛି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କିଏ ବୁଣିଲା ଧର୍ମର ମଞ୍ଜି ? କିଏ ପଢ଼ାଇଲା କଲେଜ ଭିତରେ ରିଲିଜିୟସ୍ ପଲିଟିକ୍ସର କଣ୍ଟ୍ରୋଭର୍ସିଆଲ ଚାପ୍ଟର ? କର୍ଣ୍ଣାଟକ ହିଜାବ୍ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି। ହିଜାବ୍ ବନାମ ଗେରୁଆ ଗାମୁଛା ବିବାଦ ଉଗ୍ର ରୂପ ଧାରଣ କରିଛି। ମାମଲା ଏମିତି ହୋଇଛି ଯେ, ଲଗାତାର ଭାବେ ଦୁଇଟି ସମୁଦାୟର ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରୁଛନ୍ତି। ଜୟ ଶ୍ରୀରାମ ବନାମ ଆଲ୍ଲା ହୁ ଆକବର୍ ନାରାରେ କଲେଜ ଆଖପାଖ ଅଞ୍ଚଳ କମ୍ପି ଉଠୁଛି। ସେଥିପାଇଁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିବାକୁ ପଛାଇ ନାହିଁ। ଏପରିକି ଘଟଣାସ୍ଥଳରେ ପଥର ମାଡ଼ ମଧ୍ୟ କରାଯାଇଛି। ଏହାସହ ସିମୋଗା ଏବଂ ଦାବାଙ୍ଗଗିରିରେ ୧୪୪ ଧାରା ଲାଗୁ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶାନ୍ତି ବଜାୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କରିଛନ୍ତି। ଏହାସହ ବିରୋଧ ବନ୍ଦ କରି ପାଠପଢ଼ାରେ ମନ ଦେବାକୁ ପରାମର୍ଶ ଦେଇଛନ୍ତି। ଶିବାମୋଗାରେ ସ୍ଥିତି ଜଟିଳ ହେବାରୁ ଆଗାମୀ ଦୁଇ ଦିନ ପାଇଁ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିରୋଧ ପ୍ରଦର୍ଶନକୁ ନିୟନ୍ତ୍ରଣରେ ରଖିବାକୁ କର୍ଣ୍ଣାଟକ ସରକାର ଖୁବଶୀଘ୍ର ପ୍ରଭାବିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ କରିବାକୁ ଘୋଷଣା କରିପାରନ୍ତି।

ଅନ୍ୟପଟେ ମାମଲାକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ, ଆମେ ତାହା କରିବୁ। ଆମ ପାଇଁ ସମ୍ବିଧାନ ହେଉଛି ଭଗବଦ୍ ଗୀତା। ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ୍ କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ, ୟୁନିଫର୍ମ ସ୍ଥିର କରିବା କଲେଜଗୁଡ଼ିକର କାମ। ଯେଉଁ ଛାତ୍ରଛାତ୍ରୀମାନେ ନିୟମ କୋହଳ କରିବାକୁ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ ବୋଲି ଆଡଭୋକେଟ୍ ଜେନେରାଲ କହିଛନ୍ତି। ସେହିପରି ୪ଟି ପିଟିସନର ଶୁଣାଣି ମଧ୍ୟ ହାଇକୋର୍ଟ କରିଛନ୍ତି। ଜଷ୍ଟିସ କ୍ରିଷ୍ଣା ଏସ୍ ଦିକ୍ଷୀତଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି। କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ମୁସଲିମ ଛାତ୍ରୀଙ୍କୁ ହିଜାବ୍ ପିନ୍ଧି ପ୍ରବେଶ ଅନୁମତି ନ ମିଳିବା ପରେ ପିଟିସନ ଦାଏର କରାଯାଇଛି। ଅନ୍ୟପଟେ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମାତ ଏହାକୁ ନେଇ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଯେ, କୁରାନରେ ଏ ବିଷୟରେ ଉଲ୍ଲେଖ ରହିଛି। ହେଡ୍ ସ୍କାର୍ଫ ବା ହିଜାବ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁରାନରେ ରହିଥିବା ସେ କହିଛନ୍ତି। ମୁସଲମାନ ସଂପ୍ରଦାୟରେ ମହିଳାମାନେ ନିଜର ସ୍ବାମୀଙ୍କ ବ୍ୟତୀତ ଅନ୍ୟ କାହାକୁ ବେକ ଦେଖାଇ ପାରିବେ ନାହିଁ ବୋଲି କୁରାନରେ ଉଲ୍ଲେଖ ଥିବା ସେ କହିଛନ୍ତି। ଏହାସହ କୌଣସି ଧର୍ମର ନିୟମକୁ ବିରୋଧ କରିବା କିମ୍ବା ସ୍ଥଗିତ ରଖିବା କୌଣସି ରାଜ୍ୟର କ୍ଷମତା ବାହାରେ ବୋଲି ସେ କହିଛନ୍ତି। ସମ୍ବିଧାନ ନିୟମ ଅନୁଯାୟୀ ଏ ସବୁ ସମ୍ବେଦନଶୀଳ ପ୍ରସଙ୍ଗରେ କେବଳ କୋର୍ଟ ରାୟ ଦେଇ ପାରିବେ ବୋଲି ସେ କହିଛନ୍ତି। ଝିଅ ସାବାଳିକା ହେବା ପରେ ନିଜର ହାତ ଓ ମୁହଁ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ ଅଜଣା ବ୍ୟକ୍ତିଙ୍କୁ ଦେଖାଇବା ଠିକ୍ ନୁହେଁ ବୋଲି କେରଳ ହାଇକୋର୍ଟଙ୍କ ଏକ ରାୟକୁ ପଢ଼ି ଶୁଣାଇଛନ୍ତି ବରିଷ୍ଠ ଆଇନଜୀବୀ କାମାତ।

କୋର୍ଟରେ ଘମାଘୋଟ ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ମାମଲା ପଲିଟିକାଲ ଟେବୁଲରେ ଥୁଆ ହୋଇ ସାରିଛି। କେତେକ ଲୋକ ସାଂପ୍ରଦାୟିକ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେପଟେ ଅଶାନ୍ତିକୁ ଦୃଷ୍ଟିରେ ରଖି ବିବାଦ ଦେଖା ଦେଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏକ ସପ୍ତାହ ପାଇଁ ବନ୍ଦ ରହିବା ଉଚିତ୍ ବୋଲି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡିକେ ଶିବକୁମାର କହିଛନ୍ତି। ସେହିପରି ପୋଲିସ ଫୋର୍ସ ବ୍ୟବହାର କରିବାର ସୁଯୋଗ ନ ଦିଆଯାଉ ବୋଲି ଚେତାବନୀ ଦେଇଛନ୍ତି କର୍ଣ୍ଣାଟକ ଗୃହ ମନ୍ତ୍ରୀ ଅରଗା ଜନେନ୍ଦ୍ର। ସେ କହିଛନ୍ତି ଯେ, ଉଡୁପୀ, ଶିବାମୋଗା, ବାଗଲକୋଟେ ଏବଂ ଅନ୍ୟ ସ୍ଥାନରେ ହୋଇଥିବା ଅଶାନ୍ତିକୁ ଦୃଷ୍ଟିରେ ରଖି ସେ ଏହା କହିଛନ୍ତି। ସେପଟେ ବିଜେପି ଉପରକୁ ପୂରା ଘଟଣାକୁ ନେଇ ଦୋଷ ଠେଲିଛନ୍ତି କଂଗ୍ରେସ ନେତା ସିଦ୍ଦରମୟା।

ମାମଲା ଏବେ କେବଳ କର୍ଣ୍ଣାଟକରେ ସୀମିତ ନାହିଁ। ଏହା ଧୀରେଧୀରେ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିବାରେ ଲାଗିଛି। ମଧ୍ୟ ପ୍ରଦେଶ ସରକାର ମଧ୍ୟ ଶିକ୍ଷାନୁଷ୍ଠାନରେ ହିଜାବ୍ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଶିକ୍ଷା ମନ୍ତ୍ରୀ ଇନ୍ଦ୍ର ସିଂହ ପରମାର କହିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ କେବଳ ଡ୍ରେସ୍ କୋଡ୍ ବ୍ୟତୀତ ଆଉ କିଛି ବ୍ୟବହାର କରି ହେବା ନାହିଁ। ହିଜାବ୍ ଡ୍ରେସ୍ କୋଡ୍ ଭିତରେ ଆସୁ ନାହିଁ ବୋଲି ସେ କହିଛନ୍ତି।

ରାଜରାସ୍ତାରେ ଛାତ୍ରଛାତ୍ରୀ। ଦୁଇଟି ସମୁଦାୟ ମଧ୍ୟରେ ଚାଲିଛି ବିବାଦର ସଂଘର୍ଷ। ସରକାର, କୋର୍ଟ ଏବଂ ସମ୍ବିଧାନ ଘେରରେ ଏବେ ବିବାଦ। କୋର୍ଟଙ୍କ ନିଷ୍ପତ୍ତି ହୁଏ ତ ବିବାଦକୁ ରୋକି ଦେଇ ପାରିବ, କିନ୍ତୁ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ବୁଣା ଯାଇଥିବା ଜୟ ଶ୍ରୀରାମ ଓ ଆଲ୍ଲା ହୁ ଆକବରର ଚାରା କେମିତି ମରିବ, ତାହା ଲକ୍ଷେ ଟଙ୍କିଆ ପ୍ରଶ୍ନ। ଏ ବିବାଦ ଏବେ କୋରୋନା ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏହାକୁ ଏବେଠାରୁ ରୋକା ନ ଗଲେ, କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ପରେ ଅନ୍ୟ ରାଜ୍ୟକୁ ମଧ୍ୟ ଏହି ବିବାଦ ଲମ୍ବାବାର ଆଶଙ୍କା ରହିଛି। ତେଣୁ, ଯଥାଶୀଘ୍ର ଏହା ଉପରେ ଏକ ସୁବିଚାରିତ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: