ଦୁଇଟି ଖରଭୁଜର ଦାମ ୧୮ ଲକ୍ଷ ଟଙ୍କା, କ’ଣ ରହିଛି ବିଶେଷତା ଜାଣନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖରଭୁଜ ଏପରି ଏକ ଫଳ, ଯାହାର ନାମ ଶୁଣିବା ପରେ ପାଟିରୁ ପାଣି ବାହାରି ପଡ଼େ। ଏହି ଫଳ ଗ୍ରୀଷ୍ମ ଋତୁରେ ବହୁ ମାତ୍ରାରେ ଫଳିବା ସହ ଡି-ହାଇଡ୍ରେସନରୁ ଶରୀରକୁ ରକ୍ଷା କରିଥାଏ। କାରଣ ଏଥିରେ ୯୫ ପ୍ରତିଶତ ଜଳ ରହିଥାଏ। ଆହୁରି ମଧ୍ୟ, ଏହି ଫଳରେ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ, ଯେଉଁଥିପାଇଁ ଏହାର ଭଲ ଚାହିଦା ଖରାଦିନେ ରହିଥାଏ। ତେବେ ଆପଣ ଖରଭୁଜ କିଲୋ ପ୍ରତି ଅତି ବେଶିରେ ୫୦ ଟଙ୍କାରେ କିଣିଥିବେ। କିନ୍ତୁ ସମ୍ପ୍ରତି ଜାପାନରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଦୁଇଟି ଖରଭୁଜକୁ ଯେତିକି ଟଙ୍କାରେ ବିକ୍ରୀ କରାଯାଇଛି ଆପଣ ଜାଣିଲେ ଚକିତ ହେବେ। ଦୁଇଟି ଖରଭୁଜକୁ ପ୍ରାୟ ୧୮ ଲକ୍ଷ ଟଙ୍କାରେ ବିକ୍ରୀ କରାଯାଇଛି। ଏହି ଖରଭୁଜ ୟୁବାରୀ ପ୍ରଜାତିର ହୋଇଥାଏ।
ଜାପାନରେ ୟୁବାରୀ ଖରଭୁଜର ବହୁତ କ୍ରେଜ୍ ରହିଛି। ଏହି ଖରଭୁଜଗୁଡିକ ପ୍ରତିବର୍ଷ ଜାପାନରେ ବହୁ ମୂଲ୍ୟରେ ନିଲାମ କରାଯାଏ। ଏହି ବର୍ଷ ମଧ୍ୟ ଜାପାନର ଉତ୍ତର ହକ୍କାଇଡୋରେ ୨୭ ଲକ୍ଷ ୟେନ୍ ଅର୍ଥାତ ୧୮ ଲକ୍ଷ ୧୯ ହଜାର ୭୧୨ ଟଙ୍କାରେ କେବଳ ଦୁଇଟି ୟୁବାରୀ ଖରଭୁଜ କ୍ରୟ କରାଯାଇଥିଲା। ଏଠାରେ ସୂଚନା ଥାଉକି ଗତ ବର୍ଷ ଏହି ଖରଭୁଜଗୁଡିକ ଏହାଠୁ ଅଧିକ ମୂଲ୍ୟରେ ନିଲାମ କରାଯାଇଥିଲା। ଏହି ନିଲାମର ଆୟୋଜକମାନେ କହିଛନ୍ତି ଯେ ଏହି ସମାନ ଆକୃତିର ୟୁବାରୀ ଖରଭୁଜ ତାଙ୍କର ସ୍ୱାଦ ଏବଂ ଉଚ୍ଚ ଗୁଣବତା ରସ ପାଇଁ ବେଶ୍ ପ୍ରସିଦ୍ଧ। ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରୁ ୟୁବାରୀ ଖରଭୁଜ ଅନ୍ୟତମ। ଏହା ଜାପାନର ୟୁବାରୀ ଅଞ୍ଚଳରେ ଚାଷ କରାଯାଏ। ଏଠାକାର କୃଷିକ ମାନେ ଫଳର ଆକାର ଓ ସୌନ୍ଦର୍ଯ୍ୟ ପ୍ରତି ବହୁତ ସଚେତନ ରହିଥାନ୍ତି। ଭଲ ମୂଲ୍ୟରେ ନିଲାମ ପାଇଁ ଏହି ଫଳଗୁଡିକ ଅତି ଗୋଲାକାର ଏବଂ ସୁନ୍ଦର ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଫଳକୁ ଜାପାନରେ ସମ୍ମାନ ସହିତ ଯୋଡାଯାଇ ଦେଖାଯାଇ ଥାଏ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥର ଏକ ଶିଶୁ ଖାଦ୍ୟ ଉତ୍ପାଦକ ନିଲାମ ସମୟରେ ଏହି ଖରଭୁଜ ପାଇଁ ସର୍ବାଧିକ ମୂଲ୍ୟ ଦେଇଛନ୍ତି। ନିଲାମ ହୋଇଥିବା ଖରଭୁଜ ଛୋଟ ପିଲାମାନଙ୍କ ପରିବାରକୁ ଦାନ କରାଯିବ, ଯେଉଁମାନେ ପୂର୍ବରୁ ଅନଲାଇନ୍ ଡ୍ରରେ ମନୋନୀତ ହୋଇଥିଲେ।
ଗ୍ରୀଷ୍ମ ଫଳ ଖରଭୁଜ ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏହି ଋତୁରେ, ଯେପରି ଆମକୁ ଶରୀରକୁ ହାଇଡ୍ରେଟ୍ ରଖିବା ଆବଶ୍ୟକ, ସେହିଭଳି ମଧ୍ୟ ମନକୁ ଶାନ୍ତ ରଖିବା ଦରକାର। ଏପରି ପରିସ୍ଥିତିରେ ଖରଭୁଜ ବ୍ୟବହାର ଉଭୟକୁ ସନ୍ତୁଳିତ କରିପାରେ। ତେବେ ସୋସିଆଲ ମିଡିଆରେ ଏହି ଦାମୀ ଖରଭୁଜର ଫଟୋ ଓ ଦାମ ବେଶ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *