ବିଭାଜିତ ହୋଇ ନୁହେଁ ବରଂ ସମସ୍ତେ ମିଶିକି ଗଢ଼ିବା ନୂଆ ଶକ୍ତିଶାଳୀ ଓଡ଼ିଶା : ଯୁବ ଓଡ଼ିଶା

ବିଭାଜିତ ହୋଇ ନୁହେଁ ବରଂ ସମସ୍ତେ ମିଶିକି ଗଢ଼ିବା ନୂଆ ଶକ୍ତିଶାଳୀ ଓଡ଼ିଶା : ଯୁବ ଓଡ଼ିଶା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ନିଜ ରାଜନୈତିକ ସ୍ୱାର୍ଥପାଇଁ ଓଡ଼ିଶାର ପଶ୍ଚିମ ଅଞ୍ଚଳକୁ ଅଲଗା ରାଜ୍ୟ କରିବା ପାଇଁ ଦାବି କରୁଥିବା କିଛି ଲୋକଙ୍କୁ କାହିଁକି ଦକ୍ଷିଣ ଓଡ଼ିଶାର ରାୟଗଡ଼ ଜିଲ୍ଲାର କାଶୀପୁର ବ୍ଲକରେ ହଇଜା ଓ ଝାଡ଼ାବାନ୍ତି ଜନିତ ମୃତ୍ୟୁ ଦେଖାଯାଉନାହିଁ ?

ମାଲକାନାଗିରି ଜିଲ୍ଲାର ମୋଟୁ ଅଞ୍ଚଳ ଆଜି ବନ୍ୟା ପାଣିରେ ଭାସୁଛି, ତାହା ଦେଖାଯାଉନାହିଁ ?କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳକୁ ଆନ୍ଧ୍ର ଲୋଲୁପ ଦୃଷ୍ଟିରେ ଦେଖୁଛି, ସେଠାକାର ଲୋକଙ୍କର ଦୁଃଖ ଦେଖାଯାଉନାହିଁ? ଗଜପତି ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ଦୁଃଖ କହିଲେ ନ ସରେ…. କନ୍ଧମାଳ ଜିଲ୍ଲାର ଅବସ୍ଥା ଏମିତି ଯେ ଅନେକ ଗାଁକୁ ସବୁଦିନିଆ ରାସ୍ତା ନାହିଁ ! ରାଜଧାନୀ ଭୁବନେଶ୍ୱର ଠାରୁ ଅଧିକ ଦୂରରେ ଓ ଅଧିକ ପାହାଡ଼ ପର୍ବତ ତଥା ଅଧିକ ଘଞ୍ଚ ଜଙ୍ଗଲରେ କେଉଁ ଅଞ୍ଚଳ ରହିଛି ପଶ୍ଚିମ ନା ଦକ୍ଷିଣ ନା ଉତ୍ତର ଓଡ଼ିଶା?

ଉତ୍ତରରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବହୁଳ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳର ଅବସ୍ଥା ସେମାନେ ଥରେ ନିଜ ଆଖିରେ ଯାଇ ଦେଖି ଆସିବେ କି ? ପୂର୍ବ ଓଡ଼ିଶାର ପ୍ରତି ବର୍ଷର ବାତ୍ୟା ଓ ମହାବାତ୍ୟା ଓ ମହାବନ୍ୟା ର ବିଭୀଷିକା କଥା ଥରୁଟିଏ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ପୁରୀ ଇତ୍ୟାଦି ଜିଲ୍ଲାର କୌଣସି ଗାଁ ଲୋକଙ୍କୁ ଥରୁଟିଏ ପଚାରି ଦେଖନ୍ତୁ !

ଏଠି ହୀରାକୁଦ କମାଣ୍ଡ ଏରିଆ ଭଳି ବର୍ଷକୁ ୨ ଥର ଧାନ ଚାଷ ହୁଏନି, ଚାଷ ଜମି ଅଧିକାଂଶ ସମୟରେ ଜଳସେଚନ ଅଭାବରୁ ଫାଟି ଆଁ…ଯେବେ ବର୍ଷା ହୁଏ.. ସମୁଦ୍ର ପାଖରେ ଥିବାରୁ ଜଳ ନିଷ୍କାସନ ହୋଇ ନପାରି ମସାଧିକ କାଳ ଧାନ ଫସଲ ପାଣିରେ ବୁଡ଼ି ରହି ପଚି ଯାଏ ! ଏଠି ପ୍ରତି ଗାଁରେ ଅଧିକାଂଶ ଘରୁ ଦାଦନ ଶ୍ରମିକ ଗୁଜୁରାଟ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ହରିଆଣା ଇତ୍ୟାଦି ରାଜ୍ୟରେ….

ସମସ୍ତେ ଯଦି ଦାବି କରିବେ କେବଳ ପଶ୍ଚିମ କାହିଁକି? ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା, ପୂର୍ବ ଓଡ଼ିଶା ସମସ୍ତେ ଦାବି କରିପାରନ୍ତି ଆମକୁ ବି ଅଲଗା ରାଜ୍ୟ କରାନ୍ତୁ ! ଏଥିରେ କିଛି ଜିଲ୍ଲା ଲୋକେ କହିବେ ଆମେ ମଝିରେ ଅଛୁ, ତେଣୁ ମଧ୍ୟ ଓଡ଼ିଶାକୁ ଅଲଗା ରାଜ୍ୟ କରାଯାଉ !

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା – ସବୁ ରାଜ୍ୟର ରାଜଧାନୀ କଣ ରାଜ୍ୟର ଠିକ ମଝି ସ୍ଥାନରେ ଅଛନ୍ତି ? ବଡ଼ ରାଜ୍ୟ ଯଥା ତାମିଲନାଡୁ ର ରାଜଧାନୀ ଚେନ୍ନାଇ, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ, କେରଳର ରାଜଧାନୀ ଥିରୁନନ୍ତପୁରମ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ରାଜସ୍ଥାନର ରାଜଧାନୀ ଜୟପୁର…. ଏଗୁଡିକ କଣ ସବୁ ରାଜ୍ୟର ମଧ୍ୟ ଭାଗରେ ନା ଗୋଟିଏ ପାର୍ଶ୍ୱ ବା ଗୋଟିଏ କୋଣରେ ?

ସ୍ଥାନୀୟ ଅଞ୍ଚଳରେ କୁହାଯାଉଥିବା ଭାଷା କଣ ଅଲଗା ଅଲଗା କେବଳ ଓଡ଼ିଶାରେ? ପ୍ରାୟ ସବୁ ରାଜ୍ୟରେ ଏମିତି ଦେଖିବାକୁ ମିଳେ! ବାଲେଶ୍ୱର ର ସ୍ଥାନୀୟ ଭାଷା କୋରାପୁଟ ସହ ସମାନ ନୁହେଁ! ଭଦ୍ରକ ଓ ପୁରୀ ରେ କିଛି କଥାରେ ଫରକ ରହେ, ସୁନ୍ଦରଗଡ଼ ଓ ବଲାଙ୍ଗିର ରେ ବି ସ୍ଥାନୀୟ ଭାଷାରେ ଟିକେ ପ୍ରଭେଦ ରହେ ….ଗୋଟିଏ ଜିଲ୍ଲା ଭିତରେ ବି ଏମିତି ଭିନ୍ନତା ଦେଖିବାକୁ ମିଳୁଛି….

ଆମ ସମସ୍ତଙ୍କର ଗର୍ବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଣ କେବଳ ଉତ୍ତର ଓଡ଼ିଶାର ? ସେ ସମଗ୍ର ଓଡ଼ିଶାର ଝିଅ ! ତାଙ୍କ ପାଇଁ ସାରା ଓଡ଼ିଶାରେ ଖୁସିର ଲହରୀ ! ଆସନ୍ତୁ ଆମେ ସମସ୍ତେ ଏକଜୁଟ ହୋଇ ରହିବା ଓ ଏକ ଆହୁରି ଶକ୍ତିଶାଳୀ ଅଖଣ୍ଡ ଓଡ଼ିଶା ଓ ଓଡ଼ିଆ ଜାତି ହୋଇ ବାହାରିବା

( ଏହି ଆଲେଖ୍ୟର ଲେଖକ ହେଉଛନ୍ତି ଜଣାଶୁଣା ଯୁବନେତା ତଥା ପୂର୍ବତନ ଖଦି ଓ ଗ୍ରାମୋଦ୍ୟଗ ବୋର୍ଡର ସଭାପତି ତେଜଶ୍ୱର ପରିଡ଼ା, ଏଥିରେ ପ୍ରିଜମ ନ୍ୟୁଜ୍ ପରିବାରର କୌଣସି ମତନାହିଁ)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: