ବନ୍ୟଜୀବଜନ୍ତୁ ସମ୍ପଦ: ପ୍ରାକୃତିକ ପରିବେଶର ଶୋଭାରାଜିରେ ସୁସଜ୍ଜିତ ଆମ ଓଡିଶା

ବନ୍ୟଜୀବଜନ୍ତୁ ସମ୍ପଦ: ପ୍ରାକୃତିକ ପରିବେଶର ଶୋଭାରାଜିରେ ସୁସଜ୍ଜିତ ଆମ ଓଡିଶା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରାକୃତିକ ପରିବେଶର ଶୋଭାରାଜିରେ ସୁସଜ୍ଜିତ ଆମ ଓଡିଶା । ପରମ୍ପରା ଓ ସଂସ୍କୃତି ଯେତିକି ଐତିହ୍ୟ, ଏହାର ଅନୁକୂଳ ପରିବେଶ ବନ୍ୟ ଜୀବଜନ୍ତୁ ପାଇଁ ମଧ୍ୟ ସେତିକି ପ୍ରକୃଷ୍ଟ । ଘଂଚ ଜଙ୍ଗଲ, ପାହାଡ, ପର୍ବତ, ନଦୀରେ ପରିପୂର୍ଣ୍ଣ ବିସ୍ତିର୍ଣ୍ଣ କ୍ଷେତ୍ରରାଶି ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ପାଇଁ ପାଲଟିଛି ଉପଯୁକ୍ତ ବାସସ୍ଥାନ । ଏହାକୁ ପ୍ରମାଣିତ କରୁଛି ରାଜ୍ୟରେ ଅବସ୍ଥିତ ୧୮ଟି ଅଭୟାରଣ୍ୟ ଓ ୩ଟି ଜାତୀୟ ଉଦ୍ୟାନ । ରାଜ୍ୟର ସଂରକ୍ଷିତ ଜଙ୍ଗଲ, ବନ୍ୟ ଜୀବଜନ୍ତୁ ସହ ପ୍ରକୃତପ୍ରେମୀଙ୍କୁ କରୁଛି ଆନନ୍ଦିତ ।

odisha wilf life odisha


ପକ୍ଷୀ


ପକ୍ଷୀଙ୍କ ସ୍ୱର୍ଗୀୟ ବାସସ୍ଥାନ ଓଡିଶାରେ ୪୦୦ରୁ ଅଧିକ ପ୍ରଜାତିର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ ବାସ କରନ୍ତି । କେବଳ ଦେଶୀ ନୁହେଁ ଏହାର ଉତ୍କୃଷ୍ଟ ଜୈବବିବିଧତା ହଜାର ହଜାର ପ୍ରବାସୀ ପକ୍ଷୀଙ୍କୁ କରୁଛି ଆକର୍ଷିତ । ଏଥିପାଇଁ ତ ଶୀତଦିନେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନରେ ଚଳଚଂଚଳ ହୋଇଉଠେ ଚିଲିକା, ମଙ୍ଗଳାଯୋଡି ଓ ନଳବଣ ।


ଅଲିଭ ରିଡଲେ୍ କଇଁଛ


ବିରଳ ଅଲିଭ ରିଡଲେ୍ କଇଁଛଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି ଗହୀରମଥା । ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭ ରିଡଲେ୍ କଇଁଛ ପ୍ରଶାନ୍ତ ମହାସାଗରର ନୀଳ ଜଳରାଶିରେ ହଜାର ହଜାର ମାଇଲ ଅତିକ୍ରମ କରି ଗହୀରମଥାକୁ ଆସିଥାନ୍ତି । ନଭେମ୍ବରରୁ ଆରମ୍ଭ ହୁଏ ସେମାନଙ୍କ ମିଳନ ପ୍ରକ୍ରିୟା । ଲକ୍ଷାଧିକ ବିରଳ କଇଁଛର ସଙ୍ଗମକୁ ଆପଣ କେବଳ ଓଡିଶାରେ ହିଁ ପାଇବେ, ଯାହାର ଦୃଶ୍ୟ ଅତ୍ୟନ୍ତ ମନୋରମ ।


ବାଘ


ଜୈବବିବିଧତା ପୂର୍ଣ୍ଣ ପରିବେଶ ସାଜିଛି ଭାରତର ଜାତୀୟ ପଶୁ ତଥା ବାଘର ଉପଯୁକ୍ତ ବାସସ୍ଥଳୀ । ଏଥିପାଇଁ ମହାବଳ ବାଘ ଓ ଚିତାବାଘ ପାଇଁ ବିଶ୍ୱ ପରିଚିତ ହୋଇଛି ସାତକୋଶିଆ, ସୁନାବେଡା ଓ ଶିମିଳିପାଳ । ବିଲୁପ୍ତ ପ୍ରାୟ ଧଳା ବାଘ ଓ କଲରାପତ୍ରିଆ ବାଘକୁ ଦେଖିବା ପାଇଁ ନନ୍ଦନକାନନରେ ପ୍ରତିଦିନ ଲାଗୁଛି ଶହ ଶହ ପର୍ଯ୍ୟଟକଙ୍କ ଭିଡ ।


ହାତୀ


କହିବାକୁ ଗଲେ ହାତୀଙ୍କ ଅନ୍ତୁଡିଶାଳ ହେଉଛି ଓଡିଶା । ଇତିହାସ ବି ଏହାର ପ୍ରମାଣ ଦେଇଛି । ରାଜାରାଜୁତି ବେଳେ ଓଡିଶା ହାତୀଙ୍କ ଖାସ୍ ଭୂମିକା ଥିଲା । ଚନ୍ଦକା ଓ ଶିମିଳିପାଳର ସବୁଜ ବନାନି ଓ ପାଣିପାଗ ହାତୀକୁ ବେଶ ସୁହାଇଛି । ଶେଷ ଗଣନା ଅନୁଯାୟୀ ଏଠାରେ ବର୍ତମାନ ୧୯ଶହରୁ ଅଧିକ ହାତୀ ରହୁଛନ୍ତି ।


ସମ୍ବର


ରାଜ୍ୟ ଜୀବ ଭାବେ ଆଖ୍ୟା ପାଇଛି ସମ୍ବର । ଏହାର ବୃହତକାୟ ଶରୀର ଅନ୍ୟ ହରିଣଠୁ କରେ ଭିନ୍ନ । ପ୍ରକୃତିର ଏହି ବୈଚିତ୍ରିତାକୁ ଦେଖିବାକୁ ପାଇବେ ମୟୂରଭଞ୍ଜର କରଞ୍ଜିଆ, ପୁରୀର ବାଲୁଖଣ୍ଡ ଓ କେନ୍ଦୁଝରର ହଦଗଡ ଅଭୟାରଣ୍ୟରେ।


ହରିଣ


ସେହିପରି ପ୍ରସିଦ୍ଧ କୃଷ୍ଣସାର ମୃଗର କଉତୁକିଆ ଖେଳର ମଜା କେବଳ ଗଞ୍ଜାମରେ ହିଁ ପାଇବେ । କେବଳ ସେତିକି ନୁହେଁ ଶିମିଳିପାଳର ଶୋଭା ବଢାଉଛି ଚଉସିଙ୍ଗା ହରିଣ । ଏମିତି ବି ରାଜ୍ୟର ବହୁ ସ୍ଥାନରେ ହରିଣ ପାର୍କ ରହିଛି, ଯେଉଁଠିକୁ ଯାଇ ଆପଣ ମୃଗ ବିହାରର ଆନନ୍ଦ ନେଇପାରିବେ ।


କୁମ୍ଭୀର


ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶାରେ ଅଛନ୍ତି ୩ଟି ପ୍ରଜାତିର କୁମ୍ଭୀର । ଯଥା-ଘଡିଆଳ, ବଉଳା କୁମ୍ଭୀର, ଲୁଣା କୁମ୍ଭୀର । ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା ହେଉଛି ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଏବଂ ଆକାର ପାଇଁ କରିଛି ଗିନିଜ ରେକର୍ଡ ।


ଡଲଫିନ


ଧୀରେ ଧୀରେ ଡଲଫିନ ପାଇଁ ବେଶ ଖାପଖୁଆଉଛି ଓଡିଶାର ପାଣିପାଗ ଓ ପରିବେଶ । ସେଥିପାଇଁ ତ ଦିନକୁ ଦିନ ରାଜ୍ୟରେ ଡଲଫିନ ସଂଖ୍ୟା ବଢି ୭୦୦ରୁ ଉର୍ଦ୍ଧ୍ୱରେ ପହଚିଂଛି । ଆପଣ ଚିଲିକାର ସାତପଡା ବ୍ୟତୀତ ଗହୀରମଥା ଡଲଫିନ ଦେଖିବାର ସ୍ୱପ୍ନ ପୂରା କରିପାରିବେ ଏବଂ ଜଳକ୍ରୀଡା କରୁଥିବା ଚମତ୍କାର ଦୃଶ୍ୟର ମଜା ନେଇପାରିବେ ।


ମୟୂର


ମୌସୁମୀର ଆଗମନକୁ ଦର୍ଶାଉଥିବା ମୟୂର ଓଡିଶା ବନରାଜିର ଶୋଭାକୁ ଆହୁରି ଦ୍ୱିଗୁଣିତ କରିଥାଏ । ପୁଛ ମେଲାଇ ଦର୍ଶକଙ୍କୁ ବିମୋହିତ କରିବାକୁ ବାଧ୍ୟ କରିଥାଏ । ରାଜ୍ୟର ସମସ୍ତ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ମୟୂର ଦେଖିବାକୁ ମିଳୁଥିଲେ ମଧ୍ୟ କଟକର ନରାଜ ମୟୂରଙ୍କ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି । ମଣିଷ- ମୟୂରର ସମ୍ପର୍କକୁ ଖୁବ ସୁନ୍ଦର ଭାବେ ଉପସ୍ଥାପିତ କରେ ଏହାର ପରିବେଶ ।


ଦେଶୀ ଭାଲୁ


ରାଜ୍ୟର ଉଷ୍ମ ଜଳବାୟୁ ଦେଶୀ ଭାଲୁଙ୍କ ବିଚରଣ ପାଇଁ ଖୁବ୍ ପ୍ରଯୁଜ୍ୟ । ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ରାଜ୍ୟର ଅଧିକାଂଶ ଅଭୟାରଣ୍ୟ ଦେଶୀ ଭାଲୁର ବାସସ୍ଥାନ ପାଲଟିଛି । ହେଲେ ହିମାଳୟର କଳା ଭାଲୁକୁ ହିଁ ଦେଖିପାରିବେ ନନ୍ଦନକାନନର ପ୍ରାଣୀ ଉଦ୍ୟାନ । ୫୧ ହଜାର ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ସୁଦୀର୍ଘ ଜଙ୍ଗଲ, ଜୀବ ଏବଂ ପ୍ରକୃତିର ଅଦ୍ଭୁତ ମେଳକୁ ଦର୍ଶାଉଛି ।

(ତଥ୍ୟ ସଂଗ୍ରହ ଓ ଉପସ୍ଥାପନା: ରୁପାଲ ପ୍ରିୟଦର୍ଶିନୀ )

0 Comments

Leave Your Comment

Your email address will not be published. Required fields are marked *

%d bloggers like this: