ବିଜେଡିକୁ ବିପଦ ବତୀ ପେଲା !

ବିଜେଡିକୁ ବିପଦ ବତୀ ପେଲା !

ପ୍ରିଜମ୍ ନ୍ୟୁଜ(SUPER EXCLUSIVE): ଶୀର୍ଷକଟି ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ଛେଳି ଗୋଡ଼ରେ ବେଙ୍ଗେଳା ପକାଇବା ଯାହା, ଏନେତା ମାନଙ୍କୁ ଭରସା କରି ଦଳ ଆଗେଇବା ଏକା କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ବିଜେଡିର ବଳ, ସମ୍ପତ୍ତି ଓ ସବୁକିଛି। ତାଙ୍କ ଇସାରା ବିନା ଦଳରେ ପତ୍ରଟିଏ ବି ହଲେନି। କେତେକ ନିଷ୍ପତ୍ତି ଲାଗେ ନବୀନ ନେଉନାହାନ୍ତି। ହେଲେ ପରବର୍ତ୍ତୀ ସମୟରେ ସେହି ନିଷ୍ପତ୍ତିର ମୁଖ୍ୟ କାରପଟଦାର ସେ ନିଜେ ବୋଲି ପ୍ରମାଣିତ ହୋଇ ସାରିଛି। ରାଜନୈତିକ ଜୀବନ ପ୍ରାରମ୍ଭରେ ବିଜୟ ମହାପାତ୍ରଙ୍କୁ ଟିକେଟରୁ ବଞ୍ଚିତ କରିବା, ନଳୀନି ମହାନ୍ତିଙ୍କ ମନ୍ତ୍ରୀପଦ ନେଇଯିବା, କନ୍ଧମାଳ ଦଙ୍ଗା ପରେ ବିଜେପି ସହ ସମ୍ପର୍କ ତୁଟାଇବା, ଜାତୀୟ ରାଜନୀତିରେ ସମଦୂରତା ରକ୍ଷା କରିବା, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କୋବିନ୍ଦ, ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଦେବା, ନବୀନଙ୍କର ବହୁତ ଶାଣିତ ରଣନୀତି। ଏହାପରେ ସିଏଏକୁ ସମର୍ଥନ, ଏନଆରସିକୁ ବିରୋଧ, ରାଜ୍ୟରେ ଅପେକ୍ଷାକୃତ ଶକ୍ତିଶାଳୀ ହେବା ବିଜେପିକୁ ଚେକ୍ ଦେବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ସହ କଥା ହୋଇ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାରେ ସମର୍ଥନ ଦେବା ନବୀନଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ରାଜନୀତିରେ ବୟସ ଏକ ବାସ୍ତବତା। ତେଣୁ, ନବୀନ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ନିଜକୁ ନିୟୋଜିତ କରିଛନ୍ତି। ଦଳର ସାଙ୍ଗଠନିକ ଦାୟିତ୍ବକୁ ସକ୍ରିୟ ନେତାମାନଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ଏହି କ୍ରମରେ ପ୍ରଣବ ପ୍ରକାଶ ଦାସଙ୍କୁ ସାଙ୍ଗଠନିକ ସମ୍ପାଦକ, ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ସହ ଦଳୀୟ ମୁଖ୍ୟାଳୟ ବ୍ୟାପାର, ଅତନୁ ସବ୍ୟସାଚୀ, ବିକ୍ରମ ଆରୁଖ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମହେଶ୍ୱର ମହାନ୍ତିଙ୍କ ଭଳି ପ୍ରମୁଖ ନେତାଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି।

ହେଲେ ଅପେକ୍ଷାକୃତ ଅନଭିଜ୍ଞ ତଥା କୌଣସି ପ୍ରକାର ରାଜନୈତିକ ସଂଘର୍ଷ କରି ଆସି ନ ଥିବା ହାତ ଗଣତି ବିଧାୟକ, ଯୁବ ବିଜେଡିର କେତେକ କର୍ମକର୍ତ୍ତା ଏବଂ ମହିଳା ଜନତା ଦଳର କେତେକ ତଥାକଥିତ ନେତ୍ରୀ ନିଜ ଆଡୁ ଗୋଷ୍ଠୀଭୁକ୍ତ ହେବାରେ ଲାଗିଛନ୍ତି। କିଏ କହୁଛି ମୁଁ ବବି ଭାଇଙ୍କ ଲୋକ। କିଏ କହୁଛି ମୁଁ ସଞ୍ଜୟ ଭାଇଙ୍କ ଲୋକ। କିଏ କହୁଛି ଛାତ୍ର ଜନତାରୁ ଅରୁଣ ଭାଇଙ୍କ ସାଙ୍ଗରେ ଅଛି। କିଏ କହୁଛି ଭବିଷ୍ୟତ ପଟ୍ଟନାୟକ ଫ୍ୟାମିଲିର, ମୁଁ ସୌମ୍ୟ ବାବୁଙ୍କ ସହ ରହିବି। ଏହି ରଣନୀତିରେ ସର୍ବାଧିକ କ୍ଷତି ଯଦି କାହାର ହେଉଥାଏ, ସେ ହେଉଛି ବିଜେଡି। ବବି, ସଞ୍ଜୟ ଏକାଠି ବସି ଦଳୀୟ ରଣନୀତି କରୁଥିବାବେଳେ ଚା’ ଖଟିରେ ସେମାନଙ୍କୁ ଅହିନକୂଳ ସଜେଇ ଦେଇଛନ୍ତି କେତେ ଜଣ ବତୀ ପେଲା। ଏହି ତାଲିକାରେ ଅଛନ୍ତି ଯାଜପୁର ଜିଲ୍ଲାର ଦି’ ଥରିଆ ବିଧାୟକ, ଭଦ୍ରକ ଜିଲ୍ଲାର ଦି’ ଥରିଆ ବିଧାୟକ, ବୟସର ମଧ୍ୟାହ୍ନରେ ପହଞ୍ଚି ସାରିଥିବା ପୁରୁଣା ଯୁବ ଜନତା କର୍ମୀ, ହଠାତ୍ କଳା କ୍ଷେତ୍ରରୁ ଆସି ପଦବୀ ପାଇଥିବା ନେତ୍ରୀ। ଦଳୀୟ ସଙ୍ଗଠନ ବିସ୍ତାର ଅପେକ୍ଷା ଏମାନେ ନିମ୍ନଲିଖିତ କଥା ବେଶୀ ପ୍ରଚାର କରୁଛନ୍ତି-
୧) ଦଳରେ ବବି ଭାଇ ୨ ନମ୍ବର, ତାଙ୍କ କାଟତି ଅଲଗା ପ୍ରକାର। ତେଣୁ ଆମେ ସମସ୍ତେ ତାଙ୍କ ସହିତ ରହିବା। ଚେରେଇ ଯାଇଥିବା ସଞ୍ଜୟ, ଅତନୁ, ଅରୁଣ ଗୋଷ୍ଠୀକୁ ପାନେ ଦେବା।
୨) ସଞ୍ଜୟ ଭାଇ ଦୀର୍ଘ ରାଜନୈତିକ ଅଭିଜ୍ଞତା ରଖୁଛନ୍ତି। ସେ ବାଉନ୍ସ ବ୍ୟାକ୍ କରିବେ। କିଛି ବି ହୋଇପାରେ। ତେଣୁ, ଆମେ ତାଙ୍କ ସହିତ ରହିବା।
୩) ସଞ୍ଜୟ ଭାଇ ନୁହନ୍ତି କି, ବବି ଭାଇ ନୁହନ୍ତି। ନବୀନ ନିବାସରୁ ଯାହା ଆସିବ, ଆମେ ତାକୁ ମାନିବା।
୪) ବବି ଭାଇ ଯୁବ, ଛାତ୍ର, ମହିଳା ସଂଗଠନ ମିଶି ବିଗତ ଦିନର ‘ବ୍ଲୁ ଆଇଡ୍ ଥ୍ରୀ ବଏଜ: ଅତନୁ, ଅରୁଣ ଓ ସଞ୍ଜୟ’ଙ୍କୁ ସଫା କରିଦେବେ।
୫) ଦଳର ଅନେକ ବରିଷ୍ଠ ନେତା ସଞ୍ଜୟ ଭାଇଙ୍କ ସହିତ ଅଛନ୍ତି। ତେଣୁ, ଖେଳ ବୁଲିଯିବ।

ଉପରୋକ୍ତ କଥାର କୌଣସି ଆଧାର ନ ଥିଲେ ବି ବତୀ ପେଲାମାନେ ଏହି କଥା କହୁଛନ୍ତି। ଯାହା ଦଳକୁ ପରସେପସନରେ ଦୁର୍ବଳ କରୁଛି। ତେଣୁ, ଆଗାମୀ ଦିନରେ ବତୀ ପେଲାଙ୍କୁ ସାବାଡ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ନବୀନ ପଟ୍ଟନାୟକଙ୍କର ବବି-ସଞ୍ଜୟ-ଅତନୁ-ଅରୁଣ-ସୁଶାନ୍ତ ସିଂ ସମସ୍ତେ ପ୍ରିୟ। ସମସ୍ତଙ୍କୁ ନେଇ ଚାଲିବା କଳା ତାଙ୍କୁ ବେଶ୍ ଜଣା। ତେଣୁ, ବତୀ ପେଲାମାନେ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିବା ସହ ଚୁଗୁଲି ଚାପଟରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: