ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ବଜେଟ୍ ଚଳିତ ମାସ ପହିଲାରେ ପାର୍ଲିଆମେଣ୍ଟରେ ଉପସ୍ଥାପନ କରିଥିଲେ। ଶନିବାର ଶେଷ ହୋଇଥିବା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଏହି ବଜେଟ୍ ଉପରେ ସଘନ ଆଲୋଚନା ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପର୍ଯ୍ୟନ୍ତ ଶାସକ ଦଳର ସଦସ୍ୟମାନେ ଏଥରର ବଜେଟକୁ ଯୁଗାନ୍ତକାରୀ ଓ ଆର୍ଥିକ ଅଭିବୃଦ୍ଧିକାରୀ ବୋଲି ବର୍ଣ୍ଣନା କରିଥିବା ବେଳେ ବିରୋଧୀ ପକ୍ଷ ଏହାକୁ ଅନ୍ତଃସାରଶୂନ୍ୟ ବଜେଟ୍ ବୋଲି ଚିତ୍ରଣ କରିଛନ୍ତି। ଅର୍ଥନୀତିର ଅଯୋଗ୍ୟ ପରିଚାଳନା ଏହି ବଜେଟ ତଥା ସରକାରଙ୍କ ଆର୍ଥିକ କାର୍ଯ୍ୟକଳାପରୁ ସ୍ପଷ୍ଟ ବୋଲି ସେମାନେ ଅଭିହିତ କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦମ୍ବରମ ଅଭିଯୋଗ କରିଛନ୍ତି ଯେ, ଅର୍ଥନୀତିର ଅଯୋଗ୍ୟ ପରିଚାଳନା କାରଣରୁ ଅତିମାରୀ କୋରୋନା ସଂକ୍ରମଣର ଦୁଇ ବର୍ଷ ପୂର୍ବରୁ ଦେଶର ଆର୍ଥିକ ବ୍ୟବସ୍ଥାରେ ମାନ୍ଦା ପରିସ୍ଥିତି ଆସିଯାଇଥିଲା। କୋରୋନା ଏହାକୁ ଗଭୀର ମାନ୍ଦା ମଧ୍ୟକୁ ଠେଲିଦେଇଛି। ଅଯୋଗ୍ୟ ପରିଚାଳନା କାରଣରୁ ଅର୍ଥନୀତିକୁ ସଶକ୍ତ କରାଯାଇ ପାରୁନାହିଁ। ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଅଯୋଗ୍ୟ ବୋଲି କହିବା ବ୍ୟତୀତ ପାର୍ଲିଆମେଣ୍ଟ ସଦନରେ ଅଧିକ କଡ଼ା ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା।
![](https://i1.wp.com/prismnews.in/wp-content/uploads/2021/02/budget-session-pti-1611933573.jpg?resize=715%2C387)
ବିରୋଧୀ ରାଜନୈତିକ ଦଳର ନେତାମାନଙ୍କ ମତରେ ସରକାରରେ ପାଞ୍ଚ ଜଣ ଅଯୋଗ୍ୟ ବ୍ୟକ୍ତିଙ୍କ କାରଣରୁ ଅର୍ଥନୀତି ଏଭଳି ଅବସ୍ଥାରେ ପହଞ୍ଚିଲାଣି। ସେଥିମଧ୍ୟରୁ ଜଣେ ହେଲେ ଅର୍ଥମନ୍ତ୍ରୀ, ଦ୍ଵିତୀୟ ଜଣକ ସରକାରଙ୍କ ମୁଖ୍ୟ ଆର୍ଥିକ ଉପଦେଷ୍ଟା, ତୃତୀୟ ହେଲେ ନୀତି ଆୟୋଗର ଉପାଧ୍ୟକ୍ଷ, ଚତୁର୍ଥ ବ୍ୟକ୍ତି ହେଲେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଲେଖୁଥିବା ଅଧିକାରୀ। ପଞ୍ଚମ ଜଣକ କିଏ, ତାଙ୍କର କୁଆଡ଼େ ସନ୍ଧାନ ମିଳିନି। ଅର୍ଥନୀତିର ଚକରେ ବେଗ ଫେରାଇ ଆଣିବା ପାଇଁ ପ୍ରଥମେ ଚାହିଦା ବୃଦ୍ଧି କରିବା ସକାଶେ ଅଗଧାଡ଼ିର ସବୁ ଅର୍ଥନୀତିବିଦ କହିଆସୁଛନ୍ତି। କିନ୍ତୁ ସେଥିପ୍ରତି କର୍ଣ୍ଣପାତ କରାଯାଉନାହିଁ। ସାରା ଦୁନିଆ ଗୋଟିଏ ବାଟରେ ଯାଉଥିବା ବେଳେ ଏହି ପାଞ୍ଚଜଣ କେବଳ ଓଲଟା ବାଟରେ ଯାଉଛନ୍ତି। ସେହି ଅଯୋଗ୍ୟ ପରିଚାଳନା କାରଣରୁ ଆଜି ଦେଶ ଅର୍ଥନୀତିର କରୁଣ ଦଶା।
![](https://i0.wp.com/prismnews.in/wp-content/uploads/2021/02/FM_Nirmala-_PTI.jpg?w=1170)
ଅର୍ଥନୀତିରେ ନୋବେଲ ବିଜେତା ଅମର୍ତ୍ୟ ସେନ, ଅଭଜିତ ବିନାୟକ ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଦୀର୍ଘ ଦିନ ଧରି ଚାହିଦା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଉଛନ୍ତି। ଏହାଦ୍ୱାରା ଅର୍ଥନୀତିର ମାନ୍ଦା ଅବସ୍ଥା ଓ କୋଭିଡ ଧକ୍କା କଟିବ ବୋଲି ସେମାନେ ମତ ଦେଇଛନ୍ତି। ଏଥିପାଇଁ ମଧ୍ୟବିତ୍ତ ଓ ଗରିବଙ୍କ ହାତକୁ ଟଙ୍କା ଦେବା ଆବଶ୍ୟକ। ଫଳରେ ବଜାରରେ କିଣାବିକା ବଢ଼ିବ। ସରକାର ସେହିବାଟରେ ଯାଉନଥିବା କାରଣରୁ ଲୋକଙ୍କ ଆୟ ହ୍ରାସ ପାଇଛି। ଅନେକେ ରୋଜଗାର ହରାଇଛନ୍ତି। ବଜାରରେ ଚାହିଦା ବୃଦ୍ଧି ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ଯୋଗାଣ ବୃଦ୍ଧିର କିଛି ସୁଫଳ ମିଳୁନାହିଁ। ଲୋକଙ୍କ ହାତରେ ଅର୍ଥ ନଥିବାରୁ ବଜାର ଚଳଚଞ୍ଚଳ ହୋଇ ପାରୁନାହିଁ। ଚଳିତ ବଜେଟ୍ ପୂର୍ବରୁ ମନମୋହନ ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସର ଆର୍ଥିକ ବିଷୟକ କମିଟି ଦାବି କରିଥିଲା ଯେ, ସାଧାରଣ ଲୋକଙ୍କ ହାତକୁ ନଗଦ ଟଙ୍କା ଯୋଗାଇ ଦିଆ ଯାଉ। ଗରିବଙ୍କ ପାଇଁ ମାଗଣାରେ ରାସନ ଚାଲୁ ରହୁ। କିନ୍ତୁ ନିର୍ମଳା ଏଥର ବଜେଟରେ ସେହି ଦାବି ଉପରେ ନଜର ଦେଇନାହାନ୍ତି। ବଜେଟରେ ଗରିବଙ୍କ କଥା ଚିନ୍ତା କରାଯାଇନାହିଁ। ବରଂ ଧନୀଙ୍କ କଥା ମୁଣ୍ଡରେ ରଖି ବଜେଟ କରାଯାଇଛି। ସୁତରାଂ ଏହି ବଜେଟ ଧନୀକ ଶ୍ରେଣୀର ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି।
ଅଯୋଗ୍ୟତାର ଉଦାହରଣ ବିରୋଧୀଙ୍କ ହିସାବ ଖାତାରେ ଜଳଜଳ ଦେଖାଯାଉଛି। ଅର୍ଥମନ୍ତ୍ରୀ ବଜେଟରେ ଅଧିକ ୧୦ ଲକ୍ଷ କୋଟି ଟଙ୍କା ଋଣ ସଂଗ୍ରହର ପ୍ରସ୍ତାବ ରଖିଛନ୍ତି। ତନ୍ମଧ୍ଯରୁ ୫୧ ହଜାର କୋଟି ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରାଯିବ। ଅବଶିଷ୍ଟ ଟଙ୍କା ବର୍ଦ୍ଧିତ ଖର୍ଚ୍ଚ ପାଇଁ ରାଜସ୍ବ ଖାତାକୁ ଯାଉଛି। ରାଜସ୍ବ ଆଦାୟ ଅଭାବ ମେଣ୍ଟାଇବା ସକାଶେ ଏହା କରାଯାଇଛି। ଏହାଛଡ଼ା ପୁଞ୍ଜି ପ୍ରତ୍ୟାହାର କରି ଆୟ ଅଭାବ ପୂରଣ କରାଯିବ। ଅର୍ଥାତ୍ ଋଣ କରି ଘିଅ ଖାଇବା ଭଳି କଥା। ରାଜସ୍ବ ଆଦାୟ ଓ ପୁଞ୍ଜି ପ୍ରତ୍ୟାହାରରୁ ଆୟ ଅଧିକ ଧରା ଯାଇଥିବାରୁ ଚଳିତ ବର୍ଷ ଭଳି ଆଗାମୀ ବର୍ଷରେ ମଧ୍ଯ ବଜେଟରୁ କୌଣସି ସ୍ପଷ୍ଟ ହିସାବ ମିଳିବ ନାହିଁ ବୋଲି ଅର୍ଥନୀତିବିତ ମତ ଦେଉଛନ୍ତି। ସେହିଭଳି ଅର୍ଥମନ୍ତ୍ରୀଙ୍କ ଅନୁମାନ ଆସନ୍ତା ବର୍ଷରେ ମୂଲ୍ୟବୃଦ୍ଧି ସହ ଆର୍ଥିକ ଅଭିବୃଦ୍ଧି ହାର ୧୪.୪ % ହେବ। ଏମିତିରେ ଆସନ୍ତା ବର୍ଷ ମୂଲ୍ୟବୃଦ୍ଧି ହାର ୫%-୬% ହେବ। ପାଟିଗଣିତ ହିସାବ ଅନୁଯାୟୀ ସେ କ୍ଷେତ୍ରରେ ପ୍ରକୃତ ଅଭିବୃଦ୍ଧି ହାର ୮.୪% ବା ୯.୪% ହେବ। ନିର୍ମଳା ଆସନ୍ତା ବର୍ଷ ବୃଦ୍ଧି ହାର ଭଲ ଦେଖାଇବା କାରଣ ସମ୍ପର୍କରେ କୁହାଯାଇଛି ଯେ, ଚଳିତ ବର୍ଷ ସଂକୁଚିତ ଜିଡିପି ଭିତ୍ତିରେ ଏହି ହିସାବ କରା ଯାଇଛି। ସରକାର ଚଳିତ ବର୍ଷର ଜିଡିପିକୁ ୨୦୧୭-୧୮ ମସିହା ସ୍ଥାନକୁ ଫେରାଇ ନେଇଛନ୍ତି। ସେଥିରୁ ଉପରକୁ ଉଠାଇବା ଏତେ ସହଜ ହେବନାହିଁ। ଅର୍ଥନୀତିର ଅଯୋଗ୍ୟ ପରିଚାଳନା ପାଇଁ ଏହା ଏତେ ତଳକୁ ଖସି ଆସିଛି ଯେ, ଏହାକୁ ଉପରକୁ ଉଠାଇବା ସକାଶେ ଅତିକମରେ ତିନିବର୍ଷ ଲାଗିବ ବୋଲି ଅର୍ଥବିଶାରଦମାନେ ଆକଳନ କରୁଛନ୍ତି।