ଚାଷୀ ଆନ୍ଦୋଳନକୁ ‘ବିଶ୍ୱସ୍ତରୀୟ ସମର୍ଥନ’

ପ୍ରିଜମ ନ୍ଯୁଜ୍ ବ୍ଯୁରୋ: ଦିଲ୍ଲୀରେ ଘଟିଲା, ପଲ୍ଲୀରେ ପ୍ରଭାବ ପଡ଼ିଲା। ଆଉ ପାଶ୍ଚାତ୍ଯରେ ଏହାକୁ ନେଇ ପଲିଟିକସ, ଫଲିଟିକ୍ସ, ଫନିଟିକ୍ସ ଆରମ୍ଭ ହୋଇଗଲା। ଏବେ ଆଉ ଆପଣ ପଚାରିବେନି କ’ଣ ଏହି ଫଲିଟିକ୍ସ ଓ ଫିନିଟିକ୍ସ। ଡିଜିଟାଲ ଜମାନାରେ ଏବେ ଏସବୁର ବହୁଳ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଣରାଜନୈତିକ ସାକ୍ଷାତକାର ଯେତିକି ଚର୍ଚ୍ଚା ସାଉଁଟିଥିଲା ଏବେ ତାକୁ ଟପିଯିବାକୁ ବସିଲାଣି ଚାଷୀ ଆନ୍ଦୋଳନକୁ ଯେଉଁଭଳି ଭାବେ ବିଶ୍ୱସ୍ତରୀୟ ସମର୍ଥନ ମିଳୁଛି। ଦିଲ ଥିଲେ ପଲ୍ଲୀର କଥା ଦିଲ୍ଲୀ ଯାଉଥିଲା ପରେ ଗ୍ଲୋବାଲକୁ ବ୍ଯାପୁଥିଲା। ଏବେ କିନ୍ତୁ କ୍ଷେତର କଥା ଲାଲକିଲ୍ଲାରୁ ଯାଇ ବିଦେଶକୁ ବ୍ଯାପିଲାଣି। କଥା ହଲିଉଡରୁ ପୁଣି ବଲିଉଡକୁ ଫେରିଲାଣି। ମୋଟା ମୋଟି କହିବାକୁ ଗଲେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଉତ୍ତର-ପଶ୍ଚିମ ରାଜ୍ଯର ଚାଷୀଙ୍କ ଆନ୍ଦୋଳନକୁ ନେଇ ଏବେ ସୋସିଆଲ ମିଡିଆରେ ଆର୍-ପାର୍ ର ଲଢ଼େଇ ।
ଚର୍ଚ୍ଚା ସେତେବେଳେ ଅଧିକ ହେଲା ଯେତେବେଳେ ଦେଶର ୪୦ ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତୀୟସ୍ତରର କିଛି ସେଲିବ୍ରିଟି ଟୁଇଟ୍ କଲେ। ଆଉ ଏହା ପରେ ଆରମ୍ଭ ହୋଇଥିବା ବା ତେଜିଥିବା ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଆନ୍ଦୋଳନସ୍ଥଳରେ ବ୍ୟାରିକେଡ୍ ନିର୍ମାଣ ସହ ପାଣି, ବିଦ୍ଯୁତ୍ ଓ ଇଣ୍ଟରନେଟ୍ କାଟି ଦିଆଯିବାକୁ ନେଇ ଟୁଇଟ୍ କରିଥିଲେ ପପଷ୍ଟାର ରିହାନା। ବିଶ୍ୱ ଏ ବିଷୟରେ କାହିଁକି ଚର୍ଚ୍ଚା କରୁନି ବୋଲି ସେ ପ୍ରଶ୍ନ କରିଥିଲେ। ପରିବେଶ ସୁରକ୍ଷା ଲାଗି କାମ କରୁଥିବା ଗ୍ରେଟା ଥମ୍ସବର୍ଗ ବି ଟୁଇଟ୍ କରି ଚାଷୀ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଥିଲେ। ସେହିପରି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଝିଆରୀ ମୀନା ହାରିସ୍ ବି ଟୁଇଟ କରିବା ସହ ଚାଷୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଇଣ୍ଟରନେଟ୍ କାଟି ଦିଆଯିବାକୁ ବିରୋଧ କରିଥିଲେ।

ବିଶ୍ୱସ୍ତରୀୟ ଭର୍ତ୍ସନା ପରେ ଜାଗି ଉଠିଲା ବଲିଉଡ। ସେମାନଙ୍କୁ ଜବାବ ଦେଇଛନ୍ତି ଅକ୍ଷୟ କୁମାର, ଅଜୟ ଦେବଗନ୍ ଓ ସୁନୀଲ ସେଟ୍ଟୀଙ୍କ ପରି ବଲିଉଡ୍ ସେଲିବ୍ରିଟି। ବୃଥା ଚାଞ୍ଚଲ୍ଯ ସୃଷ୍ଟି ଉଦ୍ଯମ ବୋଲି ସରକାରଙ୍କ ପକ୍ଷରୁ କରାଯାଇଥିବା ଟୁଇଟକୁ ହ୍ଯାସଟ୍ଯାଗ କରି ବିଭେଦ ସୃଷ୍ଟିକାରୀ ମନ୍ତବ୍ଯ ପ୍ରତି ଧ୍ୟାନ ନଦେବାକୁ ଅକ୍ଷୟ ପରାମର୍ଶ ଦେଇଥିବା ବେଳେ ଭାରତ ବିରୋଧୀ କୌଣସି ଅପପ୍ରଚାରରେ ବିଶ୍ୱାସ ନକରିବାକୁ ସତର୍କ କରାଇ ଦେଇଛନ୍ତି ଅଜୟ ଦେବଗନ।

ଅନ୍ଯପଟେ ଯଦି କୌଣସି ପ୍ରସଙ୍ଗରେ ସଂପୂର୍ଣ୍ଣ ଜ୍ଞାନ ନଥାଏ ମନ୍ତବ୍ଯ ଦେବା ଠିକ୍ ନୁହେଁ ବୋଲି ବୈଦେଶିକ ବ୍ଯାପାର ମନ୍ତ୍ରାଳୟ କହିବା ସହ ଦାୟିତ୍ୱବୋଧର ସହ ଟୁଇଟ କରିବାକୁ ପରାମର୍ଶ ଦେଇଛି। ତେଣେ ମିଛ ଟୁଇଟକୁ ବ୍ଲକ୍ କରିବା ନେଇ ସରକାରଙ୍କ ନିର୍ଦ୍ଦେଶ ନ ମାନିଲେ ପରିଣତି ଭୋଗିବା ଲାଗି ପ୍ରସ୍ତୁତ ରହିବାକୁ କେନ୍ଦ୍ର ଟୁଇଟରକୁ ବି ଚେତାଇ ଦେଇଛି।

ସୂଚନା ଥାଉ କି ସରକାରଙ୍କୁ ଚ୍ଯାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ। ୬ ତାରିଖରେ ଦେଶବ୍ଯାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ନିଜକୁ ପ୍ରସ୍ତୁତ କରୁଛି ଦିଲ୍ଲୀ ପୋଲିସ। ଗତ ୨୯ରେ ୟୁପିର ମୁଜାଫରନଗର ପରେ ଆଜି ହରିୟାଣାର ଜିନ୍ଦ୍ରେ ଅନୁଷ୍ଠିତ ହୋଇଥିଲା ଚାଷୀ ମହାପଞ୍ଚାୟତ। ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ସିଂହ ଟିକାୟତ ଏଥିରେ ସାମିଲ ହୋଇଥିଲେ। ସରକାର ୩ଟି ଯାକ ଆଇନକୁ ପ୍ରତ୍ଯାହାର ନକରିବା ଯାଏଁ ଚାଷୀ ଆନ୍ଦୋଳନରୁ ହଟିବାର ପ୍ରଶ୍ନ ଉଠୁନି ବୋଲି ସେ ପୁଣି ଦୋହରାଇଛନ୍ତି।

ସେପଟେ ରାଜନୀତି ବି ଜୋର ଧରିଛି । ନୂଆ କୃଷି ଆଇନକୁ ସରକାର ପ୍ରତ୍ଯାହାର କରିବେ ନା ନାହିଁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧି। ଚାଷୀ ଆନ୍ଦୋଳନରୁ ହଟିବେ ନାହିଁ, ତେଣୁ ଆଇନ ପ୍ରତ୍ଯାହାର କରିନେବା ସରକାରଙ୍କ ପକ୍ଷେ ଶ୍ରେୟସ୍କର ବୋଲି କହିଛନ୍ତି ରାହୁଲ। ତେବେ ରାହୁଲଙ୍କ ମନ୍ତବ୍ଯକୁ ନେଇ ପାଲଟା ବର୍ଷିଛି ବିଜେପି। ଚାଷୀ ଆନ୍ଦୋଳନରୁ କଂଗ୍ରେସ ରାଜନୈତିକ ଫାଇଦା ନେବା ଚକ୍କରରେ ଥିବା କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର।

ବିକ୍ଷୋଭ ପ୍ରଦର୍ଶନ ବୃଦ୍ଧି ପାଇବା ପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କୃଷକଙ୍କ ଆେନ୍ଦୋଳନକୁ ନେଇ କିଛି ବ୍ଯକ୍ତିଙ୍କ ବିପରୀତଧର୍ମୀ ମନ୍ତବ୍ଯକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଭଳି ମନ୍ତବ୍ଯ ଦେଇ ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ଯକ୍ତି ବିଶେଷଙ୍କୁ କଡ଼ା ଜବାବ ଦେଇଛନ୍ତି ଶାହ।

କୌଣସି ଅଭିସନ୍ଧି ଭାରତର ଏକତାକୁ କ୍ଷୁର୍ଣ୍ଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଅଭିସନ୍ଧି ନୁହେଁ, କେବଳ ବିକାଶ ହିଁ ଭାରତର ଭାଗ୍ଯ ନିର୍ଣ୍ଣୟ କରିବ। ଭାରତ ଏକ ହୋଇ ରହିବ, ଏକାଠି ହୋଇ ବିକାଶ ହାସଲ କରିବୁ ବୋଲି ସେ କହିଛନ୍ତି।

%d bloggers like this: