ପଞ୍ଚାୟତ ନିର୍ବାଚନରେ ବି ମହିଳା ଭୋଟର୍ ହେବେ ମୁଖ୍ୟ ଅସ୍ତ୍ର !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ମିଶନ ଶକ୍ତି ଓ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ଓଡ଼ିଶାର ମିଶନ ଶକ୍ତିକୁ ସାରା ଦେଶରେ ଲାଗୁ କରିବାକୁ ଦଳ କେନ୍ଦ୍ର ନିକଟରେ ଦାବି କରିଛି। ଏହାସହ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କରିବାକୁ ଦଳ କହିଛି। ନୂଆବର୍ଷ ଆରମ୍ଭରୁ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳ ଏହି ରଣନୀତି ଆପଣାଇ ଥିଲା। ଅବଶ୍ୟ ଶାସକ ଦଳ ବିଜେଡି ପାଇଁ ଏହା ନୂଆ ନୁହେଁ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ମହିଳା ଭୋଟ୍ ବ୍ୟାଙ୍କ୍ ଜରିଆରେ ପୁଣି ଥରେ ବିଜେଡି ରାଜ୍ୟରେ ମହାଦ୍ରୁମ ଭାବେ ଉଭା ହୋଇଥିଲା। ମିଶନ ଶକ୍ତି, ଏସଏଚଜି ଆଦି ଭୋଟ୍ ସବୁ ବିଜେଡି ଖାତାକୁ ଯାଇଥିଲା। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଅଛି। ତେଣୁ, ପୁଣି ଥରେ ମହିଳା ଶକ୍ତିଙ୍କୁ ଏକାଠି କରି ଦଳ ନିର୍ବାଚନ ବୈତରଣୀ ପାର କରିବାକୁ ଯୋଜନା କରିଛି। ସେଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାର ମହିଳାଙ୍କ ହିତ ପାଇଁ କିଛି ବଡ଼ ଘୋଷଣା କରି ପାରନ୍ତି।

ଗ୍ରାମାଞ୍ଚଳର ଭୋଟରମାନଙ୍କ ମଧ୍ୟରୁ ସିଂହଭାଗ ମହିଳା ଭୋଟ୍ ବିଜେଡି ଖାତାକୁ ଯାଇଥିଲା। ତେଣୁ, ପୁଣି ଥରେ ଦଳ ସେହି ପୁରୁଣା ଷ୍ଟ୍ରାଟେଜିରେ କିଛି ନୂଆ ଛୁଙ୍କ ମିଶାଇ ବିରୋଧୀଙ୍କ ମୁହଁ ଚୁପ୍ କରିବାକୁ ଯୋଜନା କରୁଛି। ସେହିପରି ପଶ୍ଚିମ ଓଡ଼ିଶା ଦଖଲ ଲକ୍ଷ୍ୟରେ ଥିବା ଶାସକ ଦଳ ବିଜେଡି ମହିଳା ଦଳର ସଭାପତି ଭାବେ ଅତାବିରା ବିଧାୟିକାଙ୍କୁ ନିଯୁକ୍ତି ଦେଇଛି। ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରୀ ଥିଲେ। ଅନ୍ୟପଟେ ବରଗଡ଼ ଜିଲ୍ଲାରୁ ତାଙ୍କୁ ଦାୟିତ୍ୱ ଦେଇ ଦଳ ଏକ ପ୍ରକାର ପଶ୍ଚିମ ଓଡ଼ିଶା ଭାବପଣିଆକୁ ପ୍ରତିପାଦିତ କରିଛି। ତେଣୁ, ପଶ୍ଚିମ ଓଡ଼ିଶାର ଅଧିକାଂଶ ମହିଳା ଭୋଟ୍ ପୁଣି ଥରେ ବିଜେଡି ଖାତାକୁ ଯିବାର ସମ୍ଭାବନା ରହିଛି। ସେହିପରି ଆସ୍କା ସଂସଦୀୟ କ୍ଷେତ୍ରରୁ ପ୍ରମିଳା ବିଶୋୟୀଙ୍କୁ ବିଜେଡି ଟିକେଟ୍ ଦେଇ ୨୦୧୯ ନିର୍ବାଚନରେ ଯଥେଷ୍ଟ ସଫଳ ହୋଇଥିଲା। ପ୍ରମିଳା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅନିତା ଶୁଭଦର୍ଶିନୀଙ୍କୁ ୨ ଲକ୍ଷ ୪ ହଜାର ୭୦୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ସେ ଗଞ୍ଜାମ ଜିଲ୍ଲାର ନଳବଣ୍ଟାରେ ଥିବା ସାତ ଶଙ୍ଖ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ। ତେଣୁ, ତାଙ୍କର ଏକ ବିଶାଳ ମହିଳା ଭୋଟ୍ ବ୍ୟାଙ୍କ୍ ରହିଛି। ଏହାର ଫାଇଦା ମଧ୍ୟ ଦଳକୁ ଆଗାମୀ ନିର୍ବାଚନରେ ମିଳିପାରେ। ସେହିପରି ପୂର୍ବ ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ୍ ବିରୋଧୀଙ୍କ ଅପେକ୍ଷା ଢେର୍ ଅଧିକ। ତେଣୁ, ଦଳ ଏହି ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିହାତି ଚେଷ୍ଟା କରିବ। ଯଦି କେନ୍ଦ୍ର ସରକାର ବିଜେଡିର ଏହି ଦାବିକୁ ସ୍ୱୀକାର କରନ୍ତି, ତେବେ ସାରା ରାଜ୍ୟରେ ବିଜେଡି ପ୍ରତି ନାରୀଶକ୍ତିର ଏକ ସକରାତ୍ମକ ମନୋଭାବ ରହିବ। ସେଥିପାଇଁ ଦଳ ଏହି ଶକ୍ତିକୁ ହାତରେ ରଖି ନୂଆ ବିଜୟର ସ୍ୱାଦ ଚାଖିବାକୁ ଅହରହ ଉଦ୍ୟମ କରୁଛି।

%d bloggers like this: