ଜାଣନ୍ତୁ ବାସନରୁ ପୋଡ଼ା ଓ ତେଲିଆ ଦାଗ ଛଡ଼େଇବାର କେତେକ ସହଜ ଉପାୟ

ଜାଣନ୍ତୁ ବାସନରୁ ପୋଡ଼ା ଓ ତେଲିଆ ଦାଗ ଛଡ଼େଇବାର କେତେକ ସହଜ ଉପାୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତିଦିନ ପରିବାରର ସମସ୍ତଙ୍କ ମାନପସନ୍ଦର ଖାଦ୍ୟ ତିଆରି କରି ପେଟ ଶାନ୍ତି କରୁଥିବା ଗୃହିଣୀମାନେ ରୋଷେଇ ଘରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଯେପରିକି ଚଟାଣର ବିଭିନ୍ନ ସ୍ଥାନରେ ତେଲ ଦାଗ ଲାଗିବା, ବେସିନି ଜାମ୍ ହେବା, ବାସନ ପୋଡ଼ା ଦାଗ ନଛାଡ଼ିବା ପ୍ରଭୃତି । ତେବେ ଘରଣୀମାନଙ୍କ ପାଇଁ ବଡ ସମସ୍ୟା ହୋଇଥାଏ ପୋଡ଼ା ବା କଳା ବାସନରୁ ଦାଗ ଛଡେଇ। ଯଦି କୌଣସି ଖାଦ୍ୟ ବସେଇ ଟିକିଏ ଅନ୍ୟ ମନସ୍କ ହୋଇ ଗଲେ କି ଆଉ କିଛି କାମ କରିଲେ, ତାହାଲେ ସେ ଖାଦ୍ୟତ ପୋଡ଼ି ନଷ୍ଟ ହୋଇଥାଏ ତା ଛଡ଼ା ପୋଡ଼ା ବାସନକୁ ଠିକ କରିବା ପାଇଁ ସେମାନଙ୍କର ଦିନ ସରିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରଣୀମାନେ ବିଭିନ୍ନ ଉପାୟ ଆପଣେଇବା ସହ ନିଜ ହାତ ଖରପା କରନ୍ତି ସିନା କିଛି ଲାଭ ପାଆନ୍ତି ନାହିଁ। ବେଳେ ବେଳେ ବିରକ୍ତ ହୋଇ ପୋଡ଼ା ବାସନରେ କିଏ ଏତେ ପରିଶ୍ରମ କରିବ କହି ତାକୁ କବାଡିଆକୁ ଦେଇ ଦିଅନ୍ତି ନଚେତ୍ ଅଦରକାରୀ କରି ପକାନ୍ତି। ହେଲେ ଆମେ ଆପଣଙ୍କୁ କିଛିଟା ସହଜ ଉପାୟ ବତାଉଛୁ ଯାହାଦ୍ଵାରା ଆପଣ ଚୁଟକିରେ ଅତୀରୁ ଅତି ଭୟଙ୍କର ପୋଡ଼ା ଓ କଳା ବାସନ ସଫା କରି ପାରିବେ।
ପୋଡ଼ା ବାସନକୁ ଚମକେଇବା ପାଇଁ ଆମ ପାଖରେ ଅନେକଗୁଡ଼ିଏ ଉପାୟ ରହିଛି। ଯେଉଁଟି ଆପଣଙ୍କୁ ସହଜ ଲାଗିବ ଆପଣ ସେଇଟା ପ୍ରୟୋଗ କରି ପାରିବେ। ଯଦି କୌଣସି ବାସନ ରୋଷେଇ ସମୟରେ ପୋଡ଼ିଯାଇଛି, ଦାଗ ଛାଡ଼ୁନି ତେବେ ଗୋଟେ ଲେମ୍ବୁକୁ ଖଣ୍ଡ ଖଣ୍ଡ କରି ସେହି ପୋଡ଼ା ପାତ୍ରରେ ପାଣି ଦେଇ ଉଚ୍ଚ ଫ୍ଲେମରେ ଗରମ କରିଦିଅନ୍ତୁ। କିଛି ସମୟ ସେହି ଲେମ୍ବୁ ଖଣ୍ଡ ଓ ପାଣି ଫୁଟିବା ପରେ ତାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ, ଥଣ୍ଡା ହେବା ପରେ ତାକୁ ବାସନ ମଜା ସାହାଯ୍ୟରେ ମାଜି ଦିଅନ୍ତୁ, ଦେଖିବେ ବାସନରେ ପୋଡ଼ା ଦାଗର ଚିହ୍ନ ବର୍ଣ୍ଣ ରହିବ ନାହିଁ।ପୋଡ଼ା ଦାଗ ଚୁଟକିରେ ଛାଡ଼ି ଯିବ ।


ଦ୍ଵିତୀୟ ଉପୟାଟି ହେଉଛି ପୋଡ଼ା ପାତ୍ରରେ କିଛି ପାଣି ଓ ଲୁଗା ସଫା ସର୍ଫ ମିଶାଇ ୧୦ ରୁ ୧୫ ମିନିଟ୍ ଫୁଟାନ୍ତୁ। ଏହାପରେ ଗ୍ୟାସ୍ ବନ୍ଦ କରି ତାକୁ ସେହିଭଳି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ସେହି ପାଣିକୁ ଢ଼ାଳି ବାସନଟିକୁ ସଫା କରି ଦିଅନ୍ତୁ ପ୍ରଭାବ ନିଜେ ଦେଖି ପାରିବେ।
ତୃତୀୟ ଉପୟଟି କିଛି ଏଭଳି, ଆପଣ ପୋଡ଼ା ବାସନକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସେହି ପାତ୍ରରେ ଗୋଟେ ଛୋଟ କପ ଭିନେଗାର ଦିଅନ୍ତୁ, ଏହାପରେ ଅଳ୍ପ ଖାଇବା ସୋଢ଼ା, ଲୁଗା ସଫା ସର୍ଫ ଓ ପାଣି ଦେଇ ୧୦ରୁ ୧୫ ମିନିଟ୍ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଏହାପରେ ସେହି ମଇଳା ପାଣିକୁ ତଳେ ଢ଼ାଳି ପାତ୍ର ଟିକୁ ସଫା କରନ୍ତୁ। ସମସ୍ତ ପୋଡ଼ା ବସ୍ତୁ ସେଥିରେ ବାହାରି ଯିବା ସହ ବାସନ ଚକ୍ ଚକ୍ କରିବ। ଏହାସହ ପୋଡ଼ା ବାସନ କୁ ସଫା କରିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସେଥିରେ କିଛି ପାଣି ଦେଇ ଲେମ୍ବୁ ରସ, ଲୁଣ ଓ ବାସନ ମଜା ଲିକ୍ୟୁଡ଼ି ମିଶାଇ ଫୁଟାଇ ଦିଅନ୍ତୁ ସବୁ ଦାଗ ଏକାଥରକେ ସଫା ହୋଇଯିବ। ଆପଣ ଏହି ଉପାୟ ଗୁଡ଼ିକ ଦ୍ଵାରା ପାତ୍ରର ଉଭୟ ବାହାର ଓ ଭିତର ପୋଡ଼ା ଦାଗ ଛଡେଇ ପାରିବେ।


ଏହାସହ ଯଦି ବାସନ ମାଜିବା ପରେବି ସେଥିରୁ ତେଲିଆ ଅଂଶ ଛାଡୁନି ତେବେ ଲେମ୍ବୁ ଫାଳରେ ଅଳ୍ପ କିଛି ଲୁଣ ମିଶାଇ ବାସନାସାରା ରଗଡ଼ନ୍ତୁ, କିଛି ସମୟ ତାକୁ ସେଭଳି ରଖିବା ପରେ ଭଲଭାବରେ ଧୋଇଦିଅନ୍ତୁ ଦେଖିବେ କିଛି ସମୟ ଭିତରେ ତେଲିଆ ଅଂଶ ଦୂର ହୋଇଯିବ । ଆପଣ ଲୁଣ ବଦଳରେ ଖାଇବା ସୋଢା ମଧ୍ୟ ବ୍ୟବହାର କରି ପାରିବେ। ଏହାସହ ବାସନରୁ ତେଲ ନଛାଡିଲେ ଗରମ ପାଣିରେ ଅଳ୍ପ ଲେମ୍ବୁ ରସ ଓ ବାସନ ମଜା ଲିକ୍ୟୁଡ ପକାଇ ସେଥିରେ ବାସନ ଗୁଡ଼ିକୁ କିଛି ସମୟ ବୁଡାଇ ରଖନ୍ତୁ ଏହାପରେ ତାକୁ ସେଥିରୁ ବାହାର କରି ମାଜି ଦିଅନ୍ତୁ।
ଯଦି ବାସନ ଅଧିକ ତେଲିଆ ଲାଗୁଛି ତେବେ ଦାନ୍ତ ଘଷା ପେଷ୍ଟ ଅଳ୍ପ ନେଇ ସେଥିରେ ବାସନ ମାଜନ୍ତୁ ଦେଖିବେ ସମ୍ପୂର୍ଣ୍ଣ ଚିକିଟା ଦାଗ ଛାଡ଼ି ଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: