ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ

ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି । ଫେବୃଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ । ଏହା ସହିତ କୋର୍ଟ ମଧ୍ୟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ ଡାକିନା କନ୍ନଡର ଜିଲ୍ଲା କଲେକ୍ଟର ଆଜି ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ, ଧାରା ୧୪୪ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । କର୍ଣ୍ଣାଟକ ହିଜାବ ବିବାଦ ଜାନୁଆରୀ ୧ ତାରିଖରେ ଆରମ୍ଭ ହୋଇଥିଲା । ଉଡୁପି ସହରରେ ଥିବା ଏକ ସରକାରୀ କଲେଜ ପକ୍ଷରୁ ହିଜାବ ପିନ୍ଧି ଆସିଥିବା ୬ ଜଣ ମୁସଲିମ୍‌ ଛାତ୍ରୀଙ୍କୁ ବାରଣ କରାଯାଇଥିଲା । ଏହା କଲେଜ ପକ୍ଷରୁ ଧାର୍ଯ୍ୟ ଡ୍ରେସ୍‌କୋଡ୍‌ର ଉଲ୍ଲଂଘନ ବୋଲି ସେମାନଙ୍କୁ କୁହାଯାଇଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିବାରୁ ତାକୁ ବିରୋଧ କରି ହିନ୍ଦୁ ଛାତ୍ରମାନେ ବେକରେ ଗୈରିକ କପଡା ଓ ହାତରେ ଗୈରିକ ପତାକା ଧରି କଲେଜକୁ ଆସିଥିଲେ । ଏହି ଘଟଣା ଚାହୁଚାହୁଁ ସମଗ୍ର ରାଜ୍ୟରେ ବ୍ୟାପି ଯାଇଥିଲା ଏବଂ ପଡୋଶୀ ରାଜ୍ୟକୁ ମଧ୍ୟ ବ୍ୟାପିବା ଆରମ୍ଭ କରିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: