ନବୀନଙ୍କ କଡ଼ା ବାର୍ତ୍ତା: ବିକାଶରେ ବାଧକ ରାଜନୀତିକରଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିର୍ବାଚିତ ସରକାରକୁ ଦିଆଯାଉ କାମ କରିବାର ସୁଯୋଗ। ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ଏଭଳି କଡ଼ା ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି। ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ଼ ବାଧକ। ତେଣୁ, ବିକାଶକୁ ନେଇ କୌଣସି ପ୍ରକାର ରାଜନୀତିକରଣ କରା ନ ଯାଉ ବୋଲି ନବୀନ କଡ଼ା ବାର୍ତ୍ତା ଦେଇଛନ୍ତି। ସେହିପରି ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି। ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର। ତେଣୁ ଦେଶରେ ନିର୍ବାଚନୀ ବାତାବରଣରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି ବୋଲି ନବୀନ କହିଛନ୍ତି। ସେହିପରି ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି, ଯାହାକି ଦେଶର ଶାନ୍ତି ପାଇଁ ବଡ଼ ବିପଦ। ଜାତୀୟ ଦଳଗୁଡିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ଜାତୀୟ ଦଳଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଅବହେଳା କଲେ ଇତିହାସ କ୍ଷମା କରିବ ନାହିଁ ବୋଲି ଅତି କଠୋରତାର ସହ କହିଛନ୍ତି ନବୀନ। ଅବହେଳିତ କ୍ଷେତ୍ର ଓ ସମ୍ବେଦନଶୀଳ ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେହିପରି ସର୍ବଭାରତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି।

%d bloggers like this: