କମିଲା ରାଜ୍ୟର ମୁଣ୍ଡପିଛା ଆୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଜେଟ୍ ଉପସ୍ଥାପନ ପୂର୍ବରୁ ଆସିଛି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ରିପୋର୍ଟ ଅନୁସାରେ, ଗତ ବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡ ପିଛା ଆୟ କମିଛି। ଦେଶ ତୁଳନାରେ ଓଡ଼ିଶାର ମୁଣ୍ଡ ପିଛା ଆୟ ମଧ୍ୟ କମିଛି। କୋରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୧ଲକ୍ଷ ୪ ହଜାର ୫୬୬ ଟଙ୍କା। ୨୦୨୦-୨୧ରେ ଏହା ୧ଲକ୍ଷ ୨ ହଜାର ୧୫୬ ଟଙ୍କାକୁ ହ୍ରାସ ପାଇଛି। ୨୦୨୦-୨୧ରେ ଦେଶର ମୁଣ୍ଡପିଛା ଆୟ ୧,୨୬,୯୬୮ ଟଙ୍କା ରହିବ ବୋଲି ଆକଳନ କରାଯାଇଥିବା ବେଳେ ଦେଶ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଆୟ ୨୪,୮୧୨ ଟଙ୍କା କମ ରହିଛି। ସେହିପରି ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧ ପ୍ରତିଶତ କମ୍ ରହିବ।

୨୦୧୨-୧୩ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ଜାତୀୟ ହାର ଥିଲା ୬.୬ ପ୍ରତିଶତ। କୋରୋନା ପ୍ରଭାବରେ ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ହାର ବିଯୁକ୍ତ ୭.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ସେହିପରି ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ବିଯୁକ୍ତ ୪.୯୨ ରହିବ। ଆଶ୍ବସ୍ତିର ବିଷୟ ହେଲା, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ। କେବଳ ମୁଣ୍ଡ ପିଛା ଆୟ ନୁହେଁ, କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟକୁ ଜୋରଦାର ଝଟକା ଲାଗିଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର କମିଛି। ଗତ ବର୍ଷ ଅଭିବୃଦ୍ଧି ହାର ୧୧.୯୨ ପ୍ରତିଶତ ଥିଲା। କିନ୍ତୁ ଏ ବର୍ଷ କୋରୋନା ମହାମାରୀ କାରଣରୁ ଅଭିବୃଦ୍ଧି ହାର ବିଯୁକ୍ତ ୬.୫୪ ପ୍ରତିଶତ ରହିଛି।

%d bloggers like this: