ପାଇଲଟ୍ ଦେଲେ ଯାତ୍ରୀଙ୍କୁ ପିଜା ଗିଫ୍ଟ, ଜାଣନ୍ତୁ କାହିଁକି ?

ପାଇଲଟ୍ ଦେଲେ ଯାତ୍ରୀଙ୍କୁ ପିଜା ଗିଫ୍ଟ, ଜାଣନ୍ତୁ କାହିଁକି ?

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜଳ, ସ୍ଥଳ, ଆକାଶ । ଯେ କୌଣସି ମାଧ୍ୟମରେ ହେଉନା କାହିଁକି ଆପଣ ଯଦି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଛନ୍ତି ଅନେକ ସମୟରେ ବିଳମ୍ବ ହୋଇଥାଏ । ଟ୍ରେନ ହେଉ କି ବସ୍ ଅବା ଉଡ଼ା ଜାହାଜ, ଯଦି ଏଗୁଡ଼ିକରେ ଯାତ୍ରା କରିବା ସମୟରେ ଟିକିଏ ବି ବିଳମ୍ୱ ହୋଇଥାଏ, ତେବେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ବିରକ୍ତି ପ୍ରକାଶ କରନ୍ତି। ବିଶେଷକରି ଯଦି ବିମାନ ଡାଇଭର୍ଜନ ହେତୁ ବିଳମ୍ବ ହୁଏ ତେବେ ଅନେକ ଯାତ୍ରୀ ବିରକ୍ତ ହୁଅନ୍ତି । କାରଣ ବିମାନରେ ଶୀଘ୍ର ପହଞ୍ଚିବା ଆଶାରେ ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରି ଟିକେଟ୍ କରିଥାନ୍ତି। ଏମିତି ସ୍ଥିତିରେ ପ୍ରାୟ ଅଧିକାଂଶ ବିମାନର ପାଇଲଟ୍ ନିଜ ଦୋଷ ଛଡେଇ ଯାନ୍ତ୍ରିକ ବା ଅନ୍ୟ କିଛି କାରଣ ଦେଖାଇଥାନ୍ତି। କିନ୍ତୁ ଜଣେ ଆମେରିକୀୟ ବିମାନ ପାଇଲଟ୍ ଯାହା କରିଛନ୍ତି ଆପଣ ଜାଣିଲେ ପ୍ରଶଂସା ନକରି ରହି ପାରିବେନି। ଏହି ପାଇଲଟ୍ ଜଣକ ବିମାନ ପହଞ୍ଚିବା ପାଇଁ ବିଳମ୍ବ ହେବାରୁ ତାଙ୍କ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ କ୍ଷମା ମାଗିବା ସହ ମାଗଣାରେ ପିଜା ଖାଇବାକୁ ଦେଇଥିଲେ । ବାସ୍ତବରେ ଖରାପ ପାଗ ହେତୁ ତାଙ୍କ ବିମାନକୁ ଡାଇଭର୍ଟ କରାଯାଇଥିଲା। ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଏକାଧିକ ଘଣ୍ଟା ବିଳମ୍ବ ହୋଇଥିଲା । ଏଭଳି ପରିସ୍ଥିତିରେ ବିରକ୍ତ ହୋଇଥିବା ଯାତ୍ରୀମାନଙ୍କ ପାଇଁ ଏହା ପାଇଲଟଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା ଗିଫିଟ୍ ଥିଲା ବୋଲି କୁହାଯାଇଛି।

   ମିଳିଥିବା ସୂଚନା ଅନୁଯାୟୀ, ଆମେରିକୀୟ ଏୟାରଲାଇନ୍ସର ଏହି ମାମଲା ସାମ୍ନାକୁ ଆସିଛି। ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଆମ କର୍ମଚାରୀମାନେ ସେମାନଙ୍କ ବ୍ୟବସାୟରେ ସର୍ବୋତ୍ତମ । ମେ ମାସ ଆରମ୍ଭରେ ଯେତେବେଳେ ତାଙ୍କର ଗୋଟିଏ ବିମାନ ବିଳମ୍ବ ହୋଇଥିଲା, ପାଇଲଟ୍ ଯାତ୍ରୀମାନଙ୍କୁ ପିଜା ଖାଇବାକୁ ଦେଇ ଖୁସି କରିବାକୁ ଚେଷ୍ଟା କରିଥିଲେ। ଖରାପ ପାଗ ହେତୁ ବିମାନ ୪୦ ମିନିଟ୍ ବିଳମ୍ବରେ ଉଡାଣ ଭରିଥିଲା। ଏହା ପରେ ମଧ୍ୟ ପାଗ ଖରାପ ହେତୁ ଜରୁରୀକାଳୀନ ଅବତରଣ କରାଯାଇଥିଲା, ଯେଉଁଥିପାଇଁ ଯାତ୍ରୀମାନଙ୍କୁ ରନୱେରେ ୧ ଘଣ୍ଟା ୨୨ ମିନିଟ୍ ବିତାଇବାକୁ ପଡିଥିଲା।

ତେବେ ବିଳମ୍ବିତ ଉଡ଼ାଣ ହେତୁ ଭିତରେ ବସିଥିବା ଯାତ୍ରୀମାନେ ବହୁତ ରାଗି ଯାଇଥିଲେ। ସେ ଯଥାଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଚାହିଁଥିଲେ। ଏହା ପରେ ଘୋଷଣା କରାଯାଇଥିଲା ଯେ ବିମାନଟି ଅନ୍ୟ ରୁଟରେ ଅଧିକ ୬ ଘଣ୍ଟା ସମୟ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ।  ଯାତ୍ରୀମାନେ ଏହା ଶୁଣି କ୍ରୋଧିତ ହୋଇଥିଲେ। ଅନେକ ଯାତ୍ରୀ ବିମାନରୁ ଓହ୍ଲାଇବାକୁ କହିଥିଲେ। ଏହି ସମୟରେ ପାଇଲଟ୍ ସେମାନଙ୍କ ପାଖରେ ହାଜର ହୋଇଥିଲେ । ବିଳମ୍ବ ପାଇଁ ସେ ସମସ୍ତଙ୍କୁ କ୍ଷମା ମାଗିଥିଲେ । ଏହାସହ ପ୍ରତ୍ୟେକ ଯାତ୍ରୀଙ୍କୁ ତାଙ୍କ ତରଫରୁ ମାଗଣା ପିଜା ଖାଇବାକୁ ଦିଆଯାଇଥିଲା। ଯାତ୍ରୀମାନେ ପାଇଲଟଙ୍କ ସେହି ଅନ୍ଦାଜକୁ ବେଶ ପସନ୍ଦ କରିଥିଲେ। ଏହା ପରେ କ୍ରୁ ସଦସ୍ୟମାନେ ସମସ୍ତ ଯାତ୍ରୀଙ୍କୁ ସାହାଯ୍ୟ କରିଥିଲେ ଏବଂ ବିଳମ୍ବ ହେବା ସତ୍ତ୍ୱେ କୌଣସି ଯାତ୍ରୀ ବିମାନରୁ ଅବତରଣ ବିଷୟରେ କହିନଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: