ବିଶ୍ଵ ତାପନ ଆଣିବ ଭୟଙ୍କର ବିପଦ, ଯେତେ ବଢ଼ିବ ପୃଥିବୀର ତାପମାତ୍ରା, ସେତିକି କମିବ ମଣିଷର ଶରୀର

ବିଶ୍ଵ ତାପନ ଆଣିବ ଭୟଙ୍କର ବିପଦ, ଯେତେ ବଢ଼ିବ ପୃଥିବୀର ତାପମାତ୍ରା, ସେତିକି କମିବ ମଣିଷର ଶରୀର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆ ପାଇଁ ମହା ବିପଦ ହୋଇ ଉଭା ହୋଇଛି ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ। ଏହାରି ପ୍ରଭାବରେ ବିଶ୍ଵରେ ବରଫ ତରଳି ସମୁଦ୍ର ଜଳସ୍ତର ବୃଦ୍ଧିଠୁ ଆରମ୍ଭ କରି କରୋନା ପରି ମହା ବିପତ୍ତି ଗ୍ରାସ କରୁଛି। ତେବେ ଏବେ ଏହାକୁ ନେଇ ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି ଯେ, ମଣିଷ ପ୍ରକୃତିକୁ ଯେତେ ଅଧିକ ନଷ୍ଟ କରିବ ଏହାର କୁପ୍ରଭାବ ସେତେ ଅଧିକ ତା’ର ଶରୀର ଉପରେ ପଡ଼ିବ। ଏହି କାରଣରୁ ଭବିଷ୍ୟତରେ ମାନବ ଶରୀର ସଂକୁଚିତ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସମୟ କ୍ରମେ ମଣିଷ ଆକାର ଛୋଟ କରିପାରେ ବୋଲି କୁହାଯାଇଛି। ବୈଜ୍ଞାନିକମାନେ ଏକ ଅନୁସନ୍ଧାନରେ ଦାବି କରିଛନ୍ତି ଯେ ଯଦି ଜଳବାୟୁ ପରିବର୍ତ୍ତନ ହେତୁ ଉତ୍ତାପ ବୃଦ୍ଧି ହୁଏ, ତେବେ ମାନବ ଶରୀର ମଧ୍ୟ ଛୋଟ ହେବା ଆରମ୍ଭ କରିବ।
କେମ୍ବ୍ରିଜ୍ ଏବଂ ଟ୍ୟୁବିଙ୍ଗେନ୍ ୟୁନିଭରସିଟି ଦ୍ୱାରା ମିଳିତ ଭାବେ ହୋଇଥିବା ଏହି ଅଧ୍ୟୟନରେ ୩୦୦ ଜୀବାଶ୍ମ ଉପରେ ଅଧ୍ୟୟନ କରାଯାଇଥିଲା । ସମଗ୍ର ବିଶ୍ଵରୁ ସଂଗୃହିତ ଏହି ଜୀବାଶ୍ମଗୁଡ଼ିକ ଅନୁସନ୍ଧାନ କରାଯିବା ପରେ ବୈଜ୍ଞାନିକମାନେ ବିଶ୍ବାସ କରିଛନ୍ତି ଯେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମାନବ ଅପେକ୍ଷା ଏବେର ମାନବ ଶରୀର ଛୋଟ ହୋଇଯାଇଛି, ସେହିଭଳି ଯଦି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ଉତ୍ତାପ ବୃଦ୍ଧି ହୁଏ, ତେବେ ପରବର୍ତ୍ତୀ ପିଢିର ଉଚ୍ଚତା ଆହୁରି ଅଧିକ କମିବାକୁ ଲାଗିବ।
ପ୍ରାୟ ୩ ଲକ୍ଷ ବର୍ଷ ପୂର୍ବେ ମାନବ ଶରୀର ଏବଂ ମସ୍ତିସ୍କ ବିକଶିତ ହୋଇଥିଲା। ଏହି ପ୍ରଜାତିକୁ ହୋମୋ ସାପିଏନ୍ସ କୁହାଯାଏ। ସେମାନଙ୍କର ମସ୍ତିଷ୍କ ଆଜିର ମଣିଷମାନଙ୍କ ତୁଳନାରେ ତିନି ଗୁଣ ବଡ଼ ଥିଲା। ପ୍ରଥମେ ମଣିଷ ବଢ଼ିବାକୁ ଲାଗିଥିଲା କିନ୍ତୁ ଯେତେବେଳେ ମଣିଷ ଜଳବାୟୁ ପରିବର୍ତ୍ତନ କଲା, ତାହା ମାନବ ଶରୀର ଏବଂ ମସ୍ତିସ୍କ ଉପରେ କୁପ୍ରଭାବ ପକାଇଥିଲା। କେମ୍ବ୍ରିଜ୍ ଏବଂ ଟ୍ୟୁବିଙ୍ଗେନ୍ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଧ୍ୟୟନରେ ଜଳବାୟୁ ମଡେଲ ତିଆରି କରି ମାନବ ବିକାଶର ଏକ ତୁଳନାତ୍ମକ ବିଶ୍ଳେଷଣ କରିଛନ୍ତି। ବିଗତ ଏକ ଲକ୍ଷ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବକୁ ଅଧ୍ୟୟନ କରିବା ସମୟରେ ବୈଜ୍ଞାନିକମାନେ ତାପମାତ୍ରା, ବନ୍ୟା, ବର୍ଷା ଏବଂ ତୁଷାରପାତ ସହିତ ସମସ୍ତ ପ୍ରାକୃତିକ ପରିସ୍ଥିତିକୁ ଅନ୍ତର୍ଭୁକ୍ତ କରି ବିଶ୍ଳେଷଣ କରିଥିଲେ।
ବିଜ୍ଞାନ ପତ୍ରିକା Nature Communication ରେ ପ୍ରକାଶିତ ଏହି ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମାନବ ଶରୀର ଏବଂ ତାପମାତ୍ରା ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି। ଯଦି ଜଳବାୟୁ ପରିବର୍ତ୍ତନ ଏହିଭଳି ଜାରି ରହେ, ତେବେ ଏହା ନିଶ୍ଚିତ ଭାବରେ ମାନବ ଶରୀର ଏବଂ ଏହାର ଅଙ୍ଗ ଉପରେ ପ୍ରଭାବ ପକାଇବ। ଜଳବାୟୁ ପରିବର୍ତ୍ତନ ମାନବ ଶରୀରକୁ ଛୋଟ କରିପାରେ। ଟ୍ୟୁବିଙ୍ଗେନ୍ ୟୁନିଭରସିଟିର ଅନୁସନ୍ଧାନକାରୀ ଡକ୍ଟର ମାନୁଏଲ୍ ୱିଲ୍ କହିଛନ୍ତି ଯେ ପରିବେଶର ତାପମାତ୍ରା ଯେତେ କମ୍ ହେବ, ମାନବ ଶରୀରର ଆକାର ମଧ୍ୟ ସେତିକି ବଡ ହେବ। ବର୍ଗମ୍ୟାନଙ୍କ ନିୟମ ଅନୁଯାୟୀ ଥଣ୍ଡା ଅଞ୍ଚଳରେ ଅଧିକ ଓଜନ ବିଶିଷ୍ଟ ଲୋକ ଥିବାବେଳେ ଗରମ ଜଳବାୟୁ ଅଞ୍ଚଳରେ କମ୍ ଓଜନ ଲୋକ ଦେଖା ଯାଆନ୍ତି। ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନର ମାନବ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ। ଯଦିଓ ଏହା ଶରୀର ତୁଳନାରେ କମ୍ ଅଟେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: