ବର୍ଷକ ପରେ ଘରକୁ ଫେରୁଛନ୍ତି ଚାଷୀ, ସାରା ଦେଶରେ ପଳୁଛନ୍ତି ବିଜୟ ଉତ୍ସବ

ବର୍ଷକ ପରେ ଘରକୁ ଫେରୁଛନ୍ତି ଚାଷୀ, ସାରା ଦେଶରେ ପଳୁଛନ୍ତି ବିଜୟ ଉତ୍ସବ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ ଛାଡ଼ି ଘରକୁ ଫେରୁଛନ୍ତି ଆନ୍ଦୋଳନରତ ଚାଷୀ। ବିବାଦୀୟ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟ ଦେଢ଼ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିଲା । କେନ୍ଦ୍ର ସରକାର କୃଷି ଆଇନ୍ କୁ ପ୍ରତ୍ୟାହାର କରିବା ସହିତ ଏମଏସପି ଗ୍ୟାରେଣ୍ଟି ନିମନ୍ତେ ଲିଖିତ ପ୍ରତିଶୃତି ପାଇବା ପରେ ସାରା ଦେଶରେ ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାର କୃଷି ଆଇନ୍ ପ୍ରତ୍ୟାହାର କରିବା ପରେ ଆନନ୍ଦ ଉଲ୍ଲାସରେ ଦିଲ୍ଲୀ ସୀମା ଛାଡୁଛନ୍ତି ଚାଷୀମାନେ । ପ୍ରାୟ ଦେଢ଼ ବର୍ଷ ହେବ ଧାରଣାରେ ବସିବା ପରେ ସରକାର ମୁଣ୍ଡ ନୁଆଁଇବା ସହ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଗିତ ରହିଛି। କୃଷକଙ୍କ ଏହି ବିଜୟକୁ ନେଇ ଆଜି ସାରା ଦେଶରେ ବିଜୟ ଉତ୍ସବ ପାଳନ କରୁଛନ୍ତି ଚାଷୀ ସଂଗଠନ। ଦିଲ୍ଲୀ ସୀମା ଛାଡ଼ି ହରିୟାଣା, ପଞ୍ଜାବ ଓ ଅନ୍ୟାନ୍ୟ ରାଜ୍ୟକୁ ଫେରୁଛନ୍ତି ଚାଷୀମାନେ । ଦିଲ୍ଲୀ ସୀମାର ସଡ଼କରେ ଲାଗିଥିବା ଅସ୍ଥାୟୀ ଟେଣ୍ଟ ଭଙ୍ଗା ଯିବା ସହ ଟ୍ରାକ୍ଟରରେ ରାତି ବିତାଉଥିବା କୃଷକ ଏବେ ଘରମୁହାଁ ହୋଇଛନ୍ତି । କୃଷକ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା ସହ ୧୧ ଓ ୧୨ ତାରିଖରେ ଚାଷୀମାନେ ଘରକୁ ଫେରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀରୁ ଫେରୁଥିବା କୃଷକଙ୍କୁ ସ୍ୱାଗତ କରିବା ପାଇଁ ପଞ୍ଜାବ ସରକାର ନିଷ୍ପତ୍ତି ନେଇ ଥିବା ଜଣାପଡିଛି। ନଭେମ୍ବର ୧୯ ତାରିଖରେ କେନ୍ଦ୍ର ସରକାର କୃଷି ଆଇନ୍ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ । ଏହା ପରେ ଏମଏସପିକୁ ଆଇନରେ ପରିଣତ କରିବା, ମୃତ ଚାଷୀଙ୍କ ପରିବାରକୁ ସହାୟତା, ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ ପାଇବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଚାଷୀ ସଙ୍ଗଠନ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: