ଚାଷ, ଚାଷୀଙ୍କୁ ନେଇ କାହାର ଦରଦ କେତେ?କଟା ଘା’ରେ ଏମଏସପି ବୃଦ୍ଧି ମଲମ ନା ଲଙ୍କା ଗୁଣ୍ଡ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୧୯୯୦ ମସିହାରେ ଏକ ହିନ୍ଦୀ ସିନେମା ରିଲିଜ ହୋଇଥିଲା, ଯାହାର ନା ଥିଲା ‘ଜିନେ ଦୋ’। ଚାଷ, ଚାଷୀଙ୍କ ଜୀବନ ଜୀବିକା ଓ ଜମିଦାରୀଙ୍କ ଶୋଷଣ ଉପରେ ଏହି ଫିଲ୍ମ ଆଧାରିତ। ନିଜ କ୍ଷେତରେ ମାଟି ସହ ମାଟି ହୋଇ ବଳଦଙ୍କ ସହ ବଳ କଷି ଚାଷୀ ନିଜ ବର୍ଷକର ଫସଲର ଅସଲ ଦାମ୍ ପାଉ ନ ଥିଲା। ଗାଁର ସାହୁକାର, ଜମିଦାର ଓ ପୁଞ୍ଜିପତିଙ୍କ ଶୋଷଣରେ ସେମାନେ ସର୍ବଶ୍ୱାନ୍ତ ହୋଇଯାଉଥିଲେ, ଯାହାକୁ ଅତି ନିଚ୍ଛକ ଭାବେ ଏହି ଫିଲ୍ମରେ ଦର୍ଶାଯାଇଥିଲା। ନବେ ଦଶକର ଏହି ପୀଡ଼ା ଆଜି ବି ଚାଷୀଙ୍କୁ ଭୋଗିବାକୁ ପଡ଼ୁଛି। ରିଲ୍ ଓ ରିଅଲ ଲାଇଫର ଏହି ପୀଡ଼ା ଓ କଷଣ କେବେ ଯେ ଲାଘବ ହେବ ତାହା କହିହେବନି। କାହିଁକିନା ଏବେ ବି ମିଡିଲମ୍ଯାନ ବା ଦଲାଲଙ୍କ ଜରିଆରେ ମିଲ୍ ମାଲିକ ଶୋଷଣ କରୁଛନ୍ତି। ଅନେକ କ୍ଷେତ୍ରରେ ସରକାରୀ ବଡ଼ ପଣ୍ଡାମାନେ ଦଲାଲଗିରି କରି ଚାଷୀଙ୍କୁ ଆଜି ବି ଶୋଷଣ କରୁଛନ୍ତି।

ସାହୁକାରଙ୍କ ସ୍ଥାନ ନେଇଥିବା ସରକାରୀ ଅଧିକାରୀ, ସରକାରୀ ସଂସ୍ଥା ଓ ମିଲ୍ ମାଲିକଙ୍କ ଶୋଷଣର କଷଣ ଏବେ ବି ସହୁଛନ୍ତି ଦେଶର ଚାଷୀ। ଆଶା, ନିରାଶା ଓ ଆତ୍ମହତ୍ଯା ହିଁ ଭାଜ୍ଯ-ଭାଜକ ହୋଇ ଭାଗଫଳରେ ପରିଣତ ହେଉଛି। ଏବେ କେନ୍ଦ୍ରର ମୋଦି ସରକାର ଚାଷୀଙ୍କ ଭାଗ୍ଯ ବଦଳାଇ ଦେବାକୁ ପ୍ରତିଶ୍ରୁତି ଦେଇ ସଂସଦରେ ପାରିତ କରାଇଛନ୍ତି ଦୁଇଟି କୃଷି ବିଲ୍। ଏହା ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁର ପାଇଁ ପଠାଯାଇଛି। ହୁଏତ ଏଇ ସପ୍ତାହରେ ଏହା ଆଇନରେ ପରିଣତ ହୋଇଯିବ। ବିରୋଧୀଙ୍କ ବିରୋଧ, ଅସନ୍ତୋଷ ଓ ଗୃହରେ ହୋ ହାଲ୍ଲା ମଧ୍ୟରେ ଏହି ବିଲ୍ ପାରିତ କରିବାରେ ସରକାର ସଫଳ ହୋଇଛନ୍ତି। ସରକାରଙ୍କ ଦାବି ଯେ…

୧.ଦେଶର କୃଷି ଓ କୃଷକ କଲ୍ଯାଣ କ୍ଷେତ୍ରରେ ଐତିହାସିକ ପଦକ୍ଷେପ
୨.ନିଜ ଫସଲ ନିଜ ଇଚ୍ଛା ଅନୁସାରେ ବିକିବା ଦ୍ୱାରା ଚାଷୀଙ୍କ ସଶକ୍ତିକରଣ ହୋଇପାରିବ
୩.MSP ବ୍ଯବସ୍ଥାକୁ ସରକାର ଉଚ୍ଛେଦ କରିବେ ନାହିଁ
୪.ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ତୁ କଂଗ୍ରେସ ସମେତ ଅନ୍ଯ କେତେକ ରାଜନୈତିକ ଦଳ ବିରୋଧ କରିଆସୁଛନ୍ତି। ବିଲ୍ ପାସ୍ ହୋଇଥିଲେ ମଧ୍ୟ ଏହାକୁ ପ୍ରତ୍ଯାହାର କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେଏହାକୁ ନେଇ ବିରୋଧ ପ୍ରଦର୍ଶନ, ନାରାବାଜି ଓ ବିକ୍ଷୋଭ ଜାରି ରହିଛି। ସେମାନଙ୍କ କହିବା କଥା ହେଲା…
୧.ଏହା କୃଷକଙ୍କ ପାଇଁ ମୃତ୍ଯୁର ଓ୍ୱାରେଣ୍ଟ
୨. କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କୁ କୌଣସି ସୁରକ୍ଷା ଦେଉନାହିଁ
୩. ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନ କରି ବିଲ୍ ପାସ୍ କରାଯାଇଥିବାରୁ ଏହା ଗଣତନ୍ତ୍ରର ହତ୍ଯା
୪. ଏହି ଦୁଇ ବିଲ୍ କୃଷକଙ୍କ ସ୍ବାର୍ଥ ବିରୋଧୀ
୫. କୃଷକଙ୍କ ମତ ଲୋଡ଼ା ଯାଇ ନ ଥିବାରୁ ଏହା ଉପରେ ଅଧିକ ବିତର୍କ ଆବଶ୍ଯକ

କୃଷି ବିଲ୍ କୁ ନେଇ କେଁ ଜାରି ରହିଥିବା ବେଳେ ସରକାର ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ଯ ବା ଏମଏସପି ବୃଦ୍ଧି କରିଛନ୍ତି। ବଡ଼ କଥା ହେଉଛି ଏହି ଘୋଷଣା କୃଷି ବିଲ୍ ସଂସଦରେ ପାରିତ ହେବା ପରେ ପରେ ହିଁ ଆସିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ଯ ସଦସ୍ଯମାନେ ଏମଏସପି ସହ ଏହି ବିଲ୍ ର କୌଣସି ସମ୍ପର୍କ ନାହିଁ କହିବାର ଦିନକ ପରେ ହିଁ ଘୋଷଣା କରାଯାଇଛି। କୃଷି ବିଲ୍ ରେ ପ୍ରକୃତରେ କ’ଣ ରହିଛି ତାହା ଦେଶର ଚାଷୀ ନା ବୁଝିଛନ୍ତି ନା ପଢ଼ିଛନ୍ତି ନା ଜନ ପ୍ରତିନିଧିମାନେ ଯେଉଁମାନେ ସଂସଦରେ ହୋହାଲ୍ଲା କରୁଛନ୍ତି ସେମାନେ ସଚେତନ କରାଉଛନ୍ତି। ବିରୋଧ ବାହାନାରେ ବିରୋଧ କରୁଛନ୍ତି, ଚାଷୀ କିନ୍ତୁ ସତ କ’ଣ ମିଛ କ’ଣ ବୁଝିବାକୁ ଜୁ ରଖୁନାହିଁ , ତାକୁ କେବଳ ତା ପ୍ରାପ୍ଯ ମିଳିଯାଉ। ଫସଲର ପ୍ରକୃତ ଦର ମିଳିଗଲେ ବର୍ଷକ ପାଇଁ କଷ୍ଟେ ମଷ୍ଟେ ସଂସାର ଚଳାଇ ନେବ ବୋଲି ଆଶା ରଖିଛି। ସୋମବାର ସନ୍ଧ୍ୟାରେ ଗହମ ଓ ବୁଟ ଭଳି ଛଅ ପ୍ରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ବୃଦ୍ଧି। ଅର୍ଥନୈତିକ ବ୍ଯାପାର କ୍ଯାବିନେଟ୍ କମିଟି ବୈଠକରେ ଏହିସବୁ କୃଷି ଜାତ ଦ୍ରବ୍ଯର ଏମସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଗହମର କୁଇଣ୍ଟାଲ ପ୍ରତି ୫୦ ଟଙ୍କା ଦର ବୃଦ୍ଧି ହେବା ପରେ ଏହା ସର୍ବନିମ୍ନ ସହାୟକ ମୂଲ୍ଯ ୧୯ ଶହ ୭୫ ଟଙ୍କାରେ ପହଞ୍ଚିଛି। ଗତକାଲି କେନ୍ଦ୍ର ସରକାର ରାଜ୍ଯସଭାରେ କୃଷି ବିଲ ପାସ୍ କରାଇବାର ଗୋଟିଏ ଦିନ ପରେ ଆଜି ଗହମ ସହ ଅନ୍ଯ ରବି ଫସଲର ଏମଏସପି ବୃଦ୍ଧି ଘୋଷଣା କରିଛନ୍ତି। ଦେଶରେ ଏମସପି ବ୍ଯବସ୍ଥାରେ ଶସ୍ଯ ସଂଗ୍ରହ ଜାରି ରହିବା ନେଇ କେନ୍ଦ୍ର ସରକାର ଚାଷୀଙ୍କୁ ସୂଚନା ଦେବାକୁ ଯାଇ ଏମସପିଏରେ ଏହି ବୃଦ୍ଧି ଘୋଷଣା କରିଥିବା ଚର୍ଚ୍ଚା ହେଉଛି। ଗହମ ସହ ବୁଟ, ମସୁର, ବାର୍ଲି, ସୋରିଷ ଓ କୁଶୁମର ଏମସପି ବୃଦ୍ଧି ହୋଇଥିବା କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଘୋଷଣା କରିଛନ୍ତି। ଏବେ ଦେଖାଯାଉ ପ୍ରକୃତରେ ଏହି ବିଲ୍ ଓ ଏମଏସପି ବୃଦ୍ଧି ମଲମ ନା ଲଙ୍କା ଗୁଣ୍ଡ, ତାହା ସମୟ କହିବ।

%d bloggers like this: