ଜିନ୍ସ ଓ ଟି-ସାର୍ଟ ପିନ୍ଧି ବାବୁଙ୍କୁ ଅଫିସ୍ ଆସିବା ମନା

ଜିନ୍ସ ଓ ଟି-ସାର୍ଟ ପିନ୍ଧି ବାବୁଙ୍କୁ ଅଫିସ୍ ଆସିବା ମନା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଜିନ୍ସ ଓ ଟି-ସାର୍ଟ ପିନ୍ଧି ଅଫିସ୍ ଆସିପାରିବେନି ସରକାରୀ କର୍ମଚାରୀ। କାର୍ଯ୍ୟାଳୟରେ ଜିନ୍ସ ଓ ଟି-ସାର୍ଟ ଉପରେ ଲାଗିଲା କଟକଣା। ଯଦି କୌଣସି କର୍ମଚାରୀ ଏହି ନିୟମର ଅବମାନନା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି କିଛି ବିସ୍ମୟକର ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାଧିକାରୀ।ବରେଲି ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଡ୍ରେସ କୋଡ ଲାଗୁ କରାଯାଇଛି। ଏଣିକି କୌଣସି କର୍ମଚାରୀ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଅଫିସ ଆସିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

କେବଳ ଫର୍ମାଲ ଡ୍ରେସ ପିନ୍ଧି ଅଫିସ୍ ଆସିବେ କର୍ମଚାରୀ। ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବ। ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଫର୍ମାଲ ପୋଷାକ ପିନ୍ଧନ୍ତୁ, ଫଳରେ ସେମାନ ଅଧିକାରୀ ଭଳି ଦେଖାଯିବେ। ଯଦି କେହି କାଜୁଆଲ ଡ୍ରେସ ପିନ୍ଧିବାକୁ ଚାହୁଁଛନ୍ତି, ସେମାନେ ଅଫିସ ବାହାରେ ପିନ୍ଧି ପାରିବେ ବୋଲି ବରେଲି ଜିଲ୍ଲାପାଳ ଶିବକାନ୍ତ ଦ୍ୱିବେଦି କହିଛନ୍ତି।ଆଡମିନିଷ୍ଟ୍ରେଟିଭ୍ ଅଫିସର ଶିଭେଶ କୁମାର ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଅଫିସରେ ସମସ୍ତ ସରକାରୀ କର୍ମଚାରୀ ଫର୍ମାଲ ପୋଷାକ ପିନ୍ଧିବା ଆବଶ୍ୟକ।

ଶିଭେଶ କୁମାରଙ୍କ କହିବା ଅନୁସାରେ, ସରକାରୀ ଅଫିସରେ ଡ୍ରେସ କୋଡ କୌଣସି ନୂଆ ଜନିଷ ନୁହେଁ। ଏହା ପୂର୍ବରୁ ବି ଅନେକ ଥର ଏଭଳି ନିୟମ ଲାଗୁ ହୋଇଛି। ସମସ୍ତ ବରିଷ୍ଠ ଅଧିକାରୀ ଫର୍ମାଲ ଡ୍ରେସ ପିନ୍ଧି ଆସନ୍ତି। କିନ୍ତୁ କିଛି ନୂଆ କର୍ମଚାରୀ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧୁଥିବା ଦେଖାଯାଉଛି। ତେବେ ସମସ୍ତଙ୍କ ପାଇଁ ଡ୍ରେସ କୋଡ ହେଲେ ସମସ୍ତ କର୍ମଚାରୀ ଖୁସି ହେବେ ବୋଲି ଆଡମିନିଷ୍ଟ୍ରେଟିଭ୍ ଅଫିସର ମତ ପ୍ରକାଶ କରିଛନ୍ତି। କିଛି କର୍ମଚାରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିବା ବେଳେ କିଛି ଏହି ନିଷ୍ପତିରେ ଖୁସି ନଥିବା ଜଣା ପଡିଛି । ତେବେ ସରକାରୀ କାର୍ଯ୍ୟାଳୟରେ ଡ୍ରେସକୋଡ୍ ବାଧ୍ୟତାମୂଳକ କରାଯିବ ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ଉତ୍ତରାଖଣ୍ଡ ସରକାର ସମାନ ନିୟମ ଲାଗୁକରିଛନ୍ତି। ରାଜ୍ୟ ସରକାର ସେଠାକାର ସରକାରୀ କାର୍ଯ୍ୟାଳୟରେ ଜିନ୍ସ ଓ ଟି-ସାର୍ଟକୁ ବ୍ୟାନ କରିଛନ୍ତି। ଗତ ବର୍ଷ ମହାରାଷ୍ଟ୍ର ସରକାର ସେକ୍ରେଟେରିଏଟ୍ ଏବଂ ସରକାରୀ କାର୍ଯ୍ୟାଳୟରେ କାଜୁଆଲ ଡ୍ରେସ ପିନ୍ଧି ଆସିବାକୁ ମନା କରିଥିଲେ ମଧ୍ୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: