ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ଡ୍ରୋନରେ ବିସ୍ଫୋରକ ରଖି ବାସଭବନ ଉପରେ ଆକ୍ରମଣ

ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ଡ୍ରୋନରେ ବିସ୍ଫୋରକ ରଖି ବାସଭବନ ଉପରେ ଆକ୍ରମଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କଦିମିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ । ତେବେ ଏହି ଆକ୍ରମଣରେ ତାଙ୍କର କୌଣସି କ୍ଷତି ହୋଇନାହିଁ ସେ ସୁରକ୍ଷିତ ରହିଥିବାର ଜଣା ପଡିଛି। ଇରାକ ସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ଆଜି ସକାଳେ ଏକ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍‌ ଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ବାହାରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରାଯାଇଛି ଯେ ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହିଁ। ଆମେରିକା ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ଏହା ନିଶ୍ଚିତ ଭାବେ ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି କୁହାଯାଇଛି। ଡ୍ରୋନ୍ ଆକ୍ରମଣ ପରେ ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଗ୍ରୀନ୍ ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏହି ଗ୍ରୀନ୍‌ ଜୋନ୍‌ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ସରକାରୀ ଅଫିସ୍‌ ଗୁଡ଼ିକ ରହିଛି। ଏଥିରେ ଅନ୍ୟାନ୍ୟ ଦେଶର ଦୂତାବାସ ମଧ୍ୟ ରହିଛି।ଗତ ମାସରେ ଇରାକ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ହିଂସାକାଣ୍ଡ ଘଟିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ ହୋଇଛି। ଭୋଟ୍‌ ଗଣତିରେ ହେରାଫେରି ଅଭିଯୋଗ କରି ନିର୍ବାଚନ ଫଳାଫଳକୁ ବିରୋଧ କରି ଆସୁଥିବା ଦଳ ଓ ସମର୍ଥକମାନେ ଏହାକୁ ନେଇ ଆନ୍ଦୋଳନ କରୁଛନ୍ତି। ଗତ ଶୁକ୍ରବାର ଆନ୍ଦୋଳନକାରୀମାନେ ଗ୍ରୀନ୍‌ ଜୋନ୍‌ ନିକଟରେ ପଥରମାଡ଼ ମଧ୍ୟ କରିଥିଲେ। ସେମାନେ ପୁଲିସ୍ ଉପରକୁ ଲକ୍ଷ କରି ପଥରମାଡ଼ କରିଥିଲେ। ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ୍ ଓ ଫାଙ୍କା ଗୁଳିମାଡ଼ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହନିମଧ୍ୟ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: