ଧାମନଗରରେ ହେବ କି ସ୍ବାଭିମାନର ଲଢ଼େଇ?

ଧାମନଗରରେ ହେବ କି ସ୍ବାଭିମାନର ଲଢ଼େଇ?

ମନୋଜ ଦାସ, ସାମ୍ବାଦିକ :ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନରେ ଭୋଟ୍ ଗ୍ରହଣ। ଆଉ ଏଥି ପାଇଁ କ୍ଟୋବର ୧୪ ଅର୍ଥାତ୍ ଆଜି ହେଉଛି ନାମାଙ୍କନ ଦାଖଲର ଶେଷଦିନ। ଏହି ଭିତରେ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେପି ବିଧାୟକ ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେଉଛି। ଏଣୁ ବିଜେପି ପକ୍ଷରୁ ବିଷ୍ଣୁଙ୍କ ପୁଅ ତଥା ଇଞ୍ଜିନିଅର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ବିରୋଧରେ କଂଗ୍ରେସରୁ ଆଇନଜୀବୀ ବାବା ହରେକୃଷ୍ଣ ସେଠୀ ଛିଡ଼ା ହୋଇଛନ୍ତି। ତେବେ ଶାସକ ବିଜେଡି ପକ୍ଷରୁ ବହୁ ବିଳମ୍ବରେ ଅକ୍ଟୋବର ୧୨ରେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି।

ବିଜେପି ଓ କଂଗ୍ରେସରେ ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ବନ୍ଦ ନାହିଁ। ସଂରକ୍ଷିତ ଆସନ ହୋଇଥିବାରୁ ବିଜେପି ସୂରଜଙ୍କ ପ୍ରାର୍ଥିତ୍ବକୁ ନେଇ ସମ୍ପୂର୍ଣ୍ଣ ଏକମତ ଓ ଖୁସି। ବିଷ୍ଣୁଙ୍କ ସମୟରେ ଯଦିଓ ଧାମନଗରର କିଛି ବିଜେପି ନେତା ତାଙ୍କର ବିରୋଧୀ ଥିଲେ, ଏବେ ସୂରଜଙ୍କ ସମୟରେ ସେ ସମସ୍ୟା ନାହିଁ। ବିଷ୍ଣୁଙ୍କୁ ଭାଇ ଡାକୁଥିବାରୁ ଧାମନଗରର ବିଜେପି ନେତା ଓ କର୍ମୀ ସୂରଜଙ୍କୁ ସଂପୂର୍ଣ୍ଣ ଭାବେ ପୁଅ ବୋଲି ଗ୍ରହଣ କରି ଏକ ହୋଇଛନ୍ତି। ସ୍ଥାନୀୟ ରାଜନୀତିରେ ପ୍ରଭାବ ରଖିଥିବା କୈଳାସ ମହାପାତ୍ର, ବିଜୟ ରାମ, କୈଳାସ ଗୁପ୍ତା, ମନୋରଞ୍ଜନ ମଲ୍ଲିକ ମନପ୍ରାଣ ଦେଇ ସୂରଜଙ୍କ ପାଇଁ ବାହାରି ଆସିଛନ୍ତି। ସେହିପରି ବିଷ୍ଣୁଙ୍କ ଅନୁଗତ ଥିବା ଅରବିନ୍ଦ ପତି, ବୈକୁଣ୍ଠ ସାହୁ, ଅଶୋକ ପୁହାଣ, ନାରାୟଣ ସାହାଣି, ରଣଜିତ ମହାନ୍ତି, ସୂରଜ ସାହୁ, ଚତୁର୍ଭୁଜ ନାୟକ, ରମେଶ ଚନ୍ଦ୍ର ପତି, ପ୍ରମୋଦ ଆନ୍ଦିଆ ଜୀ ଜାନ୍ ଲଗାଇ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଧାମନଗରରେ ବିଜେପିର ପ୍ରତିଷ୍ଠାତା ମନମୋହନ ସାମଲ ନିଜେ ଏ ନିର୍ବାଚନ ପରିଚାଳନା କରୁଥିବାରୁ ତାଙ୍କ ସହଯୋଗୀମାନେ ଅଣ୍ଟା ଭିଡ଼ିଛନ୍ତି। ପ୍ରାୟ ସବୁ ପଞ୍ଚାୟତରେ ଯୁବକମାନଙ୍କୁ ଏକ କରି ରଖିଥିବା ବିଷ୍ଣୁଙ୍କ ଯୁବ ବାହିନୀରେ କର୍ଣ୍ଣଧାର ସରୋଜ ପରିଡ଼ା ମଧ୍ୟ ସୂରଜଙ୍କ ରଥରେ ସାରଥି ସାଜିଛନ୍ତି। ଖାଲି ଏତିକି ନୁହେଁ, ଓଡ଼ିଶା ବାହାରେ ରହୁଥିବା ଯୁବକମାନେ ମଧ୍ୟ ସୋସିଆଲ ମିଡିଆରେ ସୂରଜଙ୍କୁ ନେଇ ଗୋଟିଏ ହାୱା ସୃଷ୍ଟି କରିସ ସାରିଲେଣି।

୨୦୧୯ ନିର୍ବାଚନ ଜିତିବା ପରଠାରୁ ବିଷ୍ଣୁ ରାଜ୍ୟ ସରକାରଙ୍କୁ ବିଧାନସଭାରେ ସବୁ କ୍ଷେତ୍ରରେ ଠୋକର ଦେଇଥିବାରୁ, ତାହାର ପରିଣାମ ଧାମନଗର ଭୋଗିଲା। ବିଷ୍ଣୁଙ୍କ ଦ୍ବାରା ଆରମ୍ଭ ହୋଇଥିବା କୌଣସି ଗୋଟିଏ କାମକୁ ପ୍ରାଶାସନିକ ତନ୍ତ୍ର କରାଇଦେଲା ନାହିଁ। ବିଷ୍ଣୁଙ୍କ କର୍ମୀଙ୍କୁ ବିଭିନ୍ନ ସମୟରେ ଥାନା, କୋର୍ଟ କଚେରୀ ମାମଲାରେ ଛନ୍ଦି ଦିଆଗଲା। ଏଣୁ ବିଷ୍ଣୁଙ୍କ ବିରୋଧରେ ଏକ ନକରାତ୍ମକ ହାୱା ସୃଷ୍ଟି ହୋଇଗଲା। ତା ଛଡ଼ା ବିଷ୍ଣୁ ଏଠି ଜିତିଥିଲେ। ତା ପୂର୍ବରୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ୪ଟି ଯାକ ଜିଲ୍ଲା ପରିଷଦ ଆସନ ବି ନେଇଥିଲେ। ଏଣୁ ଶାସକ ବିଜେଡି ଏହାକୁ ଗ୍ରହଣ କରିପାରିଲା ନାହିଁ। ବିଷ୍ଣୁଙ୍କୁ ରୋକିବା ଲାଗି ବିଷ୍ଣୁଙ୍କ ସହାୟତାରେ ୨୦୧୭ରେ ବ୍ଲକ ଅଧ୍ୟକ୍ଷ ହୋଇଥିବା ଅଶୋକ ନାୟକଙ୍କୁ ବଳଶାଳୀ କରାଗଲା। ପ୍ରାଶାସନିକ ସ୍ତରରେ ଅଶୋକଙ୍କୁ ଖୁବ୍ ଗୁରୁତ୍ବ ଦିଆଗଲା। ଅଶୋକ ଯାହା କହିଲେ, ପ୍ରଶାସନ ସେଇଆ କଲା। ବିଷ୍ଣୁଙ୍କ ରାସ୍ତା ଓଗାଳିଲେ ଅଶୋକ। ବିଷ୍ଣୁଙ୍କୁ ବାଧା ଦେଉଥିବାରୁ ଅଶୋକ ମଧ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ସୁନା ପୁଅ ହେଲେ। ପ୍ରଣବ ପ୍ରକାଶଙ୍କ ନିର୍ବାଚନମଣ୍ଡଳୀକୁ ଧାମନଗର ଲାଗିଥିବାରୁ, ନିଜ ସମ୍ମାନ ବଞ୍ଚାଇବା ଲାଗି ଧାମନଗରକୁ ନିଜ ଅକ୍ତିଆରକୁ ନେବାକୁ ସର୍ବଦା ଚେଷ୍ଟା କଲେ ପ୍ରଣବ। ଏଣୁ ପ୍ରଣବ ପ୍ରକାଶ ନିଜର ଖାସ୍ ଲୋକଙ୍କୁ ଧାମନଗର ଦାୟିତ୍ବ ଦେଇଦେଲେ। ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କୁ ଧାମନଗରର ପ୍ରଭାରୀ କରାଇଲେ। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ। ଏ ଦୁହେଁ, ଭଦ୍ରକ ବିଜୁ ଜନତା ଦଳର ସମସ୍ତ ନେତାଙ୍କୁ ନିଜ ବଶତା ସ୍ବୀକାର କରାଇଲେ।

ବିଷ୍ଣୁଙ୍କୁ ବିରୋଧ ଆଳରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରି ଅଶୋକ ହୋଇଗଲେ ବବିଙ୍କ ପ୍ରିୟପାତ୍ର। ସେପଟେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଖାସ୍ ସହଯୋଗୀ ରହିଥିବା ଅଶୋକଙ୍କ ପାଖରେ ବିଜେଡି କର୍ମୀଙ୍କ ସମର୍ଥନ ରହିଲା। କାରଣ, ରାଜେନ୍ଦ୍ର ଦାସଙ୍କ ସହଯୋଗୀ ଥିବା ଓ ୨୦୧୪ରେ ରାଜେନ୍ଦ୍ରଙ୍କୁ ଟିକେଟ ନମିଳିବାରୁ ଅଶୋକ ହଙ୍ଗାମା କରିଥିଲେ। ଏଣୁ ରାଜୁଙ୍କ କର୍ମୀମାନେ ଅଶୋକଙ୍କୁ ନିଜର ନେତା ବୋଲି ଭାବୁଥିଲେ। ୨୦୧୪ ବିଧାନସଭା ନିର୍ବାଚନ ପରେ ରାଜୁଙ୍କ ବଦଳରେ ମୁକ୍ତିଙ୍କୁ ଟିକେଟ ମିଳିବା ଓ ସେ ଜିତିଯିବା ପରେ ରାଜୁଙ୍କ କର୍ମୀମାନେ ଅଶୋକଙ୍କ ପାଖରେ ରହିଗଲେ। ସେତେବେଳେ ଅଶୋକ ଧାମନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ। ପୁଣି ୨୦୧୭ରେ ମୁକ୍ତି ବିରୋଧୀ ହୋଇ ବିଷ୍ଣୁଙ୍କ ସହଯୋଗରେ ବ୍ଲକ ଅଧ୍ୟକ୍ଷ ବି ହୋଇଗଲେ। ସବୁ କର୍ମୀ ତାଙ୍କ ପାଖରେ ରହିଥିଲେ। ଏହାର ସୁଯୋଗ ନେଇ ଅଶୋକ ନିଜକୁ ଧାମନଗରରେ ବିଜେଡିର ଅଦ୍ବିତୀୟ ନେତା ବୋଲି ଭାବିନେଲେ। ତା ଭିତରେ ୨୦୧୮ରେ ଧାମନଗର ବ୍ଲକ ବିଜେଡି ସଭାପତି ପଦ ପାଇଁ ଅଶୋକ ଆଖେଇଥିଲେ। ହେଲେ ରାଜେନ୍ଦ୍ର ଦାସ ଜଣକୁ ଗୋଟିଏ ପଦରେ ବିଶ୍ବାସ କରି ଯୁବନେତା ଉମେଶ ମାହନ୍ତିଙ୍କୁ ବ୍ଲକ ସଭାପତି କରିବାକୁ ସୁପାରିଶ କରିଥିଲେ। ଫଳରେ ଅଶୋକ ଓ ରାଜୁଙ୍କ ମଧ୍ୟରେ ଥିବା ସଂପର୍କ ଛିନ୍ନ ହେଲା। ଅଶୋକ ହୋଇଗଲେ ରାଜୁଙ୍କ ବିରୋଧୀ।

ଏହି ଅବସ୍ଥାରେ ୨୦୧୯ ବିଧାନସଭା ନିର୍ବାଚନ ଆସିଲା। ରାଜୁଙ୍କୁ ଦଳ ଟିକେଟ ଦେଲା। ହେଲେ ୨୦୧୭ରେ ବିଷ୍ଣୁଙ୍କ ସହଯୋଗରେ ଚେୟାରମ୍ୟାନ ହୋଇଥିବା ଅଶୋକ କଣ କରିବେ ସ୍ଥିର କରିବା ସ୍ଥିତିରେ ନଥିଲେ। ଏଣୁ ବିଷ୍ଣୁଙ୍କ ଭୟ ଓ ରାଜୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅଶୋକ ନିର୍ବାଚନରୁ ଦୂରେଇ ରହିଲେ। ପରିଣାମ ସ୍ବରୂପ ରାଜେନ୍ଦ୍ର ଦାସ ୨୦୧୯ରେ ନିର୍ବାଚନ ହାରିଗଲେ। ଏହାପରେ ଅଶୋକ ଆହୁରି କ୍ଷମତାଶାଳୀ ହୋଇଗଲେ। କେବଳ ବିଷ୍ଣୁଙ୍କୁ ବିରୋଧ କରି କରି। ଏବେ ନିଜ ଛାଇର ଭୟରେ ଅଶୋକ। ଉପନିର୍ବାଚନରେ ଯଦି ରାଜୁ ଟିକେଟ ପାଇଥାନ୍ତେ ଓ ଉପନିର୍ବାଚନର ଫଳାଫଳରେ ବିଜେଡିର ଟ୍ରାକ ରେକର୍ଡ ଅନୁସାରେ, ଯଦି ରାଜୁ ଜିତିଯିବେ, ତା ହେଲେ ତାଙ୍କ ରାଜନୀତି ଶେଷ ହୋଇଯିବ ବୋଲି ଅଶୋକ ଧରିନେଲେ। କାରଣ, ପ୍ରାଶାସନିକ ସ୍ତରରେ ସବୁ ଅଧିକାରୀ ଶାସକ ଦଳର ବିଧାୟକଙ୍କ କଥା ଶୁଣିବେ। କର୍ମୀମାନେ ମଧ୍ୟ ବିଧାୟକଙ୍କ ପାଖକୁ ଚାଲିଯିବେ। ଅଶୋକଙ୍କ ଭୂମିକା ଗୌଣ ହୋଇଯିବ। ତା ଛଡ଼ା ସିଏ ନିଜେ ବ୍ଲକ ଅଧ୍ୟକ୍ଷ ନୁହଁନ୍ତି। ତାଙ୍କ ସ୍ତ୍ରୀ ବ୍ଲକ ଅଧ୍ୟକ୍ଷା। ଆଉ ଏକ କଥା ହେଲା, ବିଭିନ୍ନ ସମୟରେ ରାଜୁ ମଧ୍ୟ ତାଙ୍କୁ ବିରୋଧ କରିପାରନ୍ତି ବୋଲି ଆଶଙ୍କାରେ ରହିଲେ। ବିଶେଷ କରି କୌଣସି ସରକାରୀ ସଭାସମିତିକୁ ଅଶୋକଙ୍କୁ ଆଉ ଡକାନଯାଇପାରେ। ଏ ଭୟ ସବୁବେଳେ ତାଙ୍କୁ ଘାରିଲା।

ଏହି ଭୟ ନେଇ ଅଶୋକ ଚଳିତ ଉପନିର୍ବାଚନରେ ରାଜେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ବିରୋଧ କଲେ। ପୂର୍ବରୁ ରାଜେନ୍ଦ୍ରଙ୍କ ବିରୋଧୀ ଥିବା ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଅଶୋକଙ୍କ ସ୍ବରରେ ସ୍ବର ମିଳାଇଲେ। ସେପଟେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ଅଶୋକଙ୍କୁ ସମର୍ଥନ ଦେଲେ। ଅଶୋକ ଧାମନଗର ବିଜେଡି ପ୍ରଭାରୀ ସରୋଜ ମହାପାତ୍ରଙ୍କ ଜରିଆରେ ବବିଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ଏଣୁ ଧାମନଗରରେ ଦଳର ପ୍ରାର୍ଥୀଙ୍କୁ ନେଇ ଗୋଳିଆ ପରିବେଶ ହେଲା। କନ୍ଦଳ ବଢ଼ିଲା। ରାଜ୍ୟ ନେତୃତ୍ବଙ୍କ ଚିନ୍ତା ବଢ଼ିଲା। ଏଣୁ ଅନ୍ୟ ଜଣେ ଲୋକକୁ ପ୍ରାର୍ଥୀ କରିବାକୁ ମନସ୍ଥ କଲେ। ଏତିକିବେଳେ ବ୍ୟୋମକେଶଙ୍କ ଡାକ୍ତର ବନ୍ଧୁ ସଞ୍ଜୟ ଦାସଙ୍କ ନାଁ ଆସିଲା। ହେଲେ ଧାମନଗରରେ ଏହାକୁ ନେଇ ପ୍ରବଳ ବିରୋଧର ସ୍ବର ଉଠିଲା। ଶେଷରେ ରାଜ୍ୟ ନେତୃତ୍ବ ରାଜୁଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଇବାକୁ ଚେଷ୍ଟା କଲେ। ତାଙ୍କ ସମର୍ଥିତ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଗଲା। ସାଂଗଠନିକ ସଂପାଦକଙ୍କ ହଁରେ ସିନା ରାଜୁ ହଁ ଭରିଲେ, ହେଲେ ଏଠାରେ ଧାମନଗରରେ ତାଙ୍କୁ ପ୍ରବଳ ବିରୋଧର ସାମନା କରିବାକୁ ପଡ଼ିଲା। କର୍ମୀମାନେ ସିଧାସଳଖ ସୋସିଆଲ ମିଡିଆରେ ରାଜୁ ଓ ବିଜେଡି ବିରୋଧରେ ସ୍ବର ଉଠାଇଲେ। ଅଧିକାଂଶ କର୍ମୀ ଧାମନଗରର ସ୍ବାଭିମାନ ପାଇଁ ବିଜେଡିର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ମନଇଛା ଯାହାକୁ ନାହିଁ ତାକୁ ପ୍ରାର୍ଥୀ କରାଯିବା, ଧାମନଗରର ସ୍ବାଭିମାନ ପ୍ରତି କୁଠାରଘାତ ବୋଲି ବିବେଚନା କରାଯାଉଛି। ଏବେ ଧାମନଗର ରାଜନୀତି ଗୋଳିଆ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: