ଆସିକା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ‘ପୋଲସରାର ଝିଅ’!

ଆସିକା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ‘ପୋଲସରାର ଝିଅ’!

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜନୈତିକ ଚର୍ଚ୍ଚା, ଆଲୋଚନା ଓ ଅଙ୍କକଷା । କେବେ କବିସୂର୍ଯ୍ୟନଗରରେ ପ୍ରାର୍ଥୀ ବଦଳିବା ଚର୍ଚ୍ଚା ତ କେବେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୋ ରିପିଟ୍ ଫର୍ମୂଲାକୁ ନେଇ ଅଙ୍କକଷା ।

ଅଧିକ ପଢ଼ନ୍ତୁ : ‘ସେବା ହିଁ ପରମ ଧର୍ମ’ର ବାର୍ତ୍ତା ଦେଉଛନ୍ତି ପ୍ରମୋଦ ପଣ୍ଡା: ଯୁବ ଚେହେରାଙ୍କୁ ମିଳୁଛି ଆର୍ଶୀବାଦ

ପୁଣି କେବେ ଗୋପାଳପୁରରୁ ବିଜେଡିର ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ସୂର୍ଯ୍ୟ ପାତ୍ରଙ୍କ ପୁଅ ଏବଂ ସାନଖେମୁଣ୍ଡିରେ ଦଳ ନନ୍ଦିନୀ ଦେବୀଙ୍କୁ ବାଛୁଥିବା କଥା ସାମ୍ନାକୁ ଆସୁଛି । ହେଲେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଆସିକା ସଂସଦୀୟ କ୍ଷେତ୍ର ।

ପୋଲସରାରୁ କିଏ ବିଧାୟକ ପ୍ରାର୍ଥୀ ଭାବେ ବିଜେଡିରୁ ଟିକଟ ପାଇବ ଏବଂ କିଏ ପ୍ରମିଳା ବିଷୋୟୀଙ୍କ ସ୍ଥାନରେ ବିଜେଡିର ଗଡ଼ ରକ୍ଷା କରିବ ତାକୁ ନେଇ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । ଏସବୁ ଏଇଥି ପାଇଁ କାହିଁକିନା ଆସ୍କା ସାସଂଦ ପ୍ରମିଳା ବିଷୋୟୀଙ୍କ ସ୍ଥାନରେ ଦଳ ନୂଆ ଚେହେରା ଖୋଜୁଛି ।

ସେହିଭଳି ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଦଳ ତାଙ୍କୁ ଏଥର ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣା ପଡ଼ିଛି । ଏଭଳି ସମୟରେ ଏହି ଦୁଇ ଆସନକୁ ନେଇ ଗୋଟିଏ କୌତୁହଳପୂର୍ଣ୍ଣ ଚର୍ଚ୍ଚା ବିଜେଡି ଶିବିରରେ ଆରମ୍ଭ ହୋଇଛି । ତାହା ହେଉଛି ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କୁ ଏହି ଦୁଇ ଆସନ ମଧ୍ୟରୁ ଗୋଟିଏ ପାଇଁ ପ୍ରାର୍ଥୀ ଭାବେ ଚୟନ କରିବା ।

ନିଜେ ଆରତୀ ଦେବୀ ଆସ୍କାରୁ ସଂସଦକୁ ନିର୍ବାଚିତ ହୋଇ ସାଂସଦ ହେବାକୁ ଆଶା ରଖିଛନ୍ତି । ନିକଟରେ ଏକ ଦୈନିକ ଖବର କାଗଜରେ ମଧ୍ୟ ଏନେଇ ସେ ଆଗ୍ରହ ପ୍ରକାଶ କରିଥିବା କଥା ଉଲ୍ଲେଖ ରହିଛି । ସେହିଭଳି ଶ୍ରୀକାନ୍ତ ସାହୁ ବିବାଦରେ ଫଶିବା ପରେ ଦଳର ଛବି ପୋଲସରାରେ ସୁଧାରିବା ପାଇଁ ଆରତୀ ଦେବୀଙ୍କୁ ସେ ସ୍ଥାନ ମିଳିପାରେ ।

ଆରତୀ ମଧ୍ୟ ଟପ୍ ବିଜେଡି ଲିଡରଙ୍କ ଗୁଡ୍ ବୁକରେ ରହିଛନ୍ତି । ଏପରିକି ନିଜ ଅଞ୍ଚଳରେ ସେ ଜନହତିକର କାର୍ଯ୍ୟ ସମେତ ଶ୍ରୀକାନ୍ତଙ୍କ ଭଳି ସମାନ୍ତରାଳ ସଂଗଠନ ଜାରି ରଖିଛନ୍ତି । ଏନେଇ ସଂଗଠନକୁ ଅଧିକ ସକ୍ରୀୟ କରିବା ପାଇଁ ଶଙ୍ଖ ଭବନରୁ ଆରତୀ ଦେବୀଙ୍କୁ କୁଆଡ଼େ ପରାମର୍ଶ ଓ ଗ୍ରୀନ୍ ସିଗନାଲ ମିଳିଥିବା ସୂତ୍ରରୁ ଜଣାପଡ଼ିଛି । ତେବେ ଦେଖିବାର କଥା ଆରତୀ ଦଳର କଥା ମାନି ଯଦି ଟିକେଟ ମିଳେ ପୋଲସରାରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ନା ନିଜ ପସନ୍ଦର ଆସିକା ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚନ ଲଢ଼ିବା ପାଇଁ ଦଳ ଆଗରେ ନିବେଦନ କରିବେ ।

ଏବେ ଆସନ୍ତୁ ଆରତୀ ଦେବୀଙ୍କ ସମ୍ପର୍କରେ ସାମାନ୍ୟ ନଜର ପକାଇବା । ୨୦୧୨ରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଆରତୀ । ଗଞ୍ଜାମ ଜିଲ୍ଲା ଢୁଙ୍କାପଡ଼ାରୁ ସେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଜିଣି ଲୋକଙ୍କ ସରପଞ୍ଚ ଭାବେ ଜନାଦୃତ ହୋଇପାରିଥିଲେ । ଏକ ପ୍ରମୁଖ ବ୍ୟାଙ୍କରେ ଲୋନ୍ ଅଫିସର ଚାକିରି ଛାଡି ଗାଁ ରାଜନୀତିକୁ ଆସିଥିଲେ । ତାଙ୍କ ସମୟରେ ପଂଚାୟତର ଉନ୍ନତି ଶୀର୍ଷରେ ପହଂଚିଥିଲା । ପକ୍କା ରୋଡ୍, ବିଦ୍ୟୁତ୍ ସଂଯୋଗ, ପିଡିଏସରେ ସରଳୀକରଣ ବ୍ୟବସ୍ଥା, ନିଜ ପଂଚାୟତରେ ଦେଢ ଲକ୍ଷ ଗଛ ଲଗାଇଥିଲେ ।

ଟିପ ନୁହେଁ ଦସ୍ତଖତ ଅଭିଯାନରେ ୭ ଶହ ନିରକ୍ଷର ମହିଳାଙ୍କୁ ସ୍ୱାକ୍ଷର କରାଇଥିଲେ ଆରତୀ ଦେବୀ । ନିଜ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରକୃତି ମିତ୍ର ଓ ବେଷ୍ଟ ଗ୍ରାମପଞ୍ଚାୟତର ଆଓ୍ବାର୍ଡ ମଧ୍ୟ ପାଇଥିଲେ। ଭାରତ ହେଉଛି ଗାଁର ଦେଶ । ଗାଁରେ ନାରୀ ଶିକ୍ଷା ପ୍ରଥମେ ଆରମ୍ଭ କରିଥିଲେ ଏହି ସରପଞ୍ଚ । ଯେଉଁଥି ପାଇଁ ସେ ଏମଆଇଟି ପୁନେରେ ଆଦର୍ଶ ସରପଞ୍ଚ ଭାବେ ସମ୍ନାନିତ ହୋଇଥିଲେ। । ଯେଉଁଠାରେ ୩୫ ହଜାର ଛାତ୍ର ନେତା ଥିଲେ। ସେଠାରେ ସେ ନାରୀ ଶିକ୍ଷା ଉପରେ ଭାଷଣ ଦେଇଥିଲେ । ବେଟି ବଚାଓ ଉପରେ ଭାଷଣ ଦେଇଥିଲେ।

କେବଳ ସେତିକି ନୁହେଁ, ସେ ନିଜର କାର୍ଯ୍ୟ ପାଇଁ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ବାରା ସମ୍ମାନୀତ ହୋଇଥିଲେ । ସେ ଯେତେବେଳେ ସରପଞ୍ଚ ହୋଇଥିଲେ ପ୍ରଥମ ସେ ରାଜ୍ୟରେ ନିଜ ପଞ୍ଚାୟତରେ ମହିଳା ଗ୍ରାମସଭା ଆୟୋଜନ କରିଥିଲେ।

ନିକଟରେ ଆରତୀ ଦେବୀଙ୍କୁ ନେଇ ନିର୍ମାଣ ହୋଇଥିବା ଏକ ବଲିଉଡ ଚଳଚିତ୍ର ରିଲିଜ୍ ହୋଇସାରିଛି । ଚଳଚ୍ଚିତ୍ରର ନାମ `ସାର ମ୍ୟାଡାମ ସରପଞ୍ଚ’ । ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆରତୀ ଦେବୀଙ୍କ ରୋଲରେ ହଲିଉଡ୍ ଷ୍ଟାର ଆରର୍ୟାନା ସଜନାନୀ ଓ ସୀମା ବିଶ୍ୱାସଙ୍କ ଭଳି ଅଭିନେତ୍ରୀ ଅଭିନୟ କରିଛନ୍ତି। ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଜୁରୀ ଆୱାର୍ଡ ପାଇବା ସହ ବହୁ ପ୍ରଶଂସା ସାଉଁଟିଛି ଏହି ଓଡ଼ିଆ ମହିଳା ସରପଞ୍ଚ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: