ଭିନ୍ନକ୍ଷମଙ୍କ ପାଇଁ ଘାତକ ହେଉଛି ଜଳବାୟୁ ପରିବର୍ତ୍ତନ

ଭିନ୍ନକ୍ଷମଙ୍କ ପାଇଁ ଘାତକ ହେଉଛି ଜଳବାୟୁ ପରିବର୍ତ୍ତନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଜଳବାୟୁ ପରିବର୍ତ୍ତନ ଉପରେ COP26 ଶିଖର ସମ୍ମିଳନୀରେ ଇସ୍ରାଏଲର ମନ୍ତ୍ରୀ କାରାଇନ ଏଲହରର୍ ଚର୍ଚ୍ଚାକୁ ଆସିଥିଲେ। ଏହାର କାରଣ ହେଉଛି, ହ୍ୱିଲ୍ ଚେୟାର ପାଇଁ ଉତ୍ତମ ବ୍ୟବସ୍ଥା ହୋଇନଥିବାରୁ ସେ ଏହି ସମ୍ମିଳନୀରେ ଯୋଗ ଦେଇ ପାରିନଥିଲେ। କାରାଇନ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ହ୍ୱିଲ୍ ଚେୟାରରେ ଯିବାଆସିବା କରନ୍ତି। ଏହି ସମ୍ମିଳନୀରେ କାରାଇନ ଯୋଗ ଦେଇ ନପାରିବାର ଘଟଣା ଅନ୍ୟ ଭିନ୍ନକ୍ଷମ ନିଜେ ଅନୁଭବ କରୁଥିବା ସମସ୍ୟା ପରି ହୋଇଥିଲା। ଅନେକ ଭିନ୍ନକ୍ଷମ ଅନୁଭବ କରନ୍ତି ଯେ ସେମାନଙ୍କର ଶାରୀରିକ ଭିନ୍ନ କ୍ଷମତା ହେତୁ ସେମାନେ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗ ଉପରେ ଆଲୋଚନାରୁ ଦୂରେଇ ଯାଆନ୍ତି କିମ୍ବା ଏହିପରି ଆଲୋଚନାରେ ସେମାନଙ୍କୁ ଛାଡି ଦିଆଯାଏ। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଅନୁଯାୟୀ, ଭିନ୍ନକ୍ଷମମାନେ ବିପର୍ଯ୍ୟୟ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି। ସେ ଜଙ୍ଗଲରେ ନିଆଁ ଲାଗିବା ହେଉ କିମ୍ବା ବନ୍ୟା ଅବା ଜଳବାୟୁ ସଙ୍କଟ ଯୋଗୁଁ ଏଭଳି ବିପର୍ଯ୍ୟୟର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭିନ୍ନକ୍ଷମମାନେ କାହିଁକି ଏତେ ପ୍ରଭାବିତ ହୁଅନ୍ତି ଏବଂ ଆମେ ଏନେଇ କ’ଣ କରିପାରିବା?

ହିଟ୍ ଷ୍ଟ୍ରୋକ ଏବଂ ଡିହାଇଡ୍ରେସନ୍ ସମସ୍ୟା:-ଜୁଲାଇ ୨୦୧୮ ରେ, କାନାଡାର ମୋଣ୍ଟ୍ରିୟାଲ୍ ଲୁ ପ୍ରବାହ ଦ୍ୱାରା ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଥିଲା। ଅନେକ ଦିନ ଧରି ସେଠାରେ ତାପମାତ୍ରା ୩୫.୫ ସେଲସିୟସ ଅର୍ଥାତ୍ ୯୫.୯ ଫାରେନାହ୍ଇଟ୍ ବୃଦ୍ଧି ପାଇଥିଲା। ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ ଜନିତ ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା। ଏବଂ ସେଥିରେ ୬୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥି ମଧ୍ୟରୁ ଏକ ଚତୁର୍ଥାଂଶ ସ୍କିଜୋଫ୍ରେନିଆ ରୋଗୀ ଥିଲେ।ମ୍ୟାକଗିଲ୍ ବିଶ୍ୱବିଦ୍ୟାଳୟର ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ପ୍ରଫେସର ସେବାଷ୍ଟିଆନ୍ ଜୋଡୋଇନଙ୍କୁ ମଲ୍ଟିପୁଲ ସ୍କେଲୋରସିସ୍ (ଏକ ପ୍ରକାର ମନୋରୋଗ)ସମସ୍ୟା ରହିଛି, ସେ ମାନବ ଅଧିକାର, ଅକ୍ଷମତା ଏବଂ ଜଳବାୟୁ ସଙ୍କଟ ମଧ୍ୟରେ ସମ୍ପର୍କ ବିଷୟରେ ଅଧ୍ୟୟନ କରୁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସ୍କିଜୋଫ୍ରେନିଆରେ ପୀଡିତ ଅନେକ ରୋଗୀ ସେମାନଙ୍କ ଚିକିତ୍ସା ପାଇଁ ଆଣ୍ଟି-ସାଇକୋଟିକ୍ ଔଷଧ ଗ୍ରହଣ କରନ୍ତି। ଏହି ଔଷଧ ଖାଉଥିବା ରୋଗୀଙ୍କ ଉତ୍ତାପ ସହନଶୀଳତା ଶକ୍ତି ହ୍ରାସ ପାଇଥାଏ। ଏହା ଶରୀରରୁ ଜଳିୟାଂଶ କମ କରିବାର ଆଶଙ୍କା ବଢ଼ାଇଥାଏ, ଯାହା ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ।ପ୍ରଫେସର ଜୋଡୋଇନ୍ କହିଛନ୍ତି ଯେ ଅଧିକାରୀକ ଏବଂ ଆଘାତପ୍ରାପ୍ତ ଗୋଷ୍ଠୀ ମଧ୍ୟରେ ଯୋଗାଯୋଗର ଅଭାବ ରହିଛି, ଯାହା ଏଭଳି ପରିସ୍ଥିତିକୁ ଗୁରୁତର କରିଥାଏ।ସେ କୁହନ୍ତି, “ଯେଉଁମାନେ ସ୍କିଜୋଫ୍ରେନିଆରେ ପୀଡିତ ସେମାନଙ୍କର ସାମାଜିକ ସମ୍ବନ୍ଧ କମ୍ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରୀବ ଅଟନ୍ତି। ତେଣୁ ଭିନ୍ନକ୍ଷମଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ଅଧିକ ଆଶଙ୍କା ସୃଷ୍ଟି କରିବ ।” ଜଳବାୟୁ ପରିବର୍ତ୍ତନ ଗରମ ଏବଂ ଶୁଖିଲା ପାଗର ବିପଦକୁ ବଢାଇ ଥାଏ। ଏହି କାରଣରୁ, ଲୁ ପ୍ରବାହିତ ହେବା ଏବଂ ଜଙ୍ଗଲରେ ନିଆଁ ଲାଗିବାର ବିପଦ ବହୁତ ଅଧିକ ବଢ଼ି ଯାଇଛି। ଏହାସହ ଯେତେବେଳେ ବାୟୁମଣ୍ଡଳ ଗରମ ହୁଏ, ପ୍ରବଳ ବର୍ଷା ଓ ବନ୍ୟା ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ। ପ୍ରଫେସର ଜୋଡୋଇନ୍ କହିଛନ୍ତି ଯେ ମୋଣ୍ଟ୍ରିଆଲ୍ ରେ ଯାହା ଘଟିଛି ତାହା ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର କେବଳ ଏକ ଉଦାହରଣ।

ଭିନ୍ନକ୍ଷମଙ୍କ ଉପରେ ବିଦ୍ୟୁତ୍ ଯୋଗାଣ ବ୍ୟାଘାତର ପ୍ରଭାବ:-୨୦୧୯ ରେ, କାଲିଫର୍ନିଆରେ ଅନେକ ଥର ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଏହାର କାରଣ ହେଉଛି ଜଙ୍ଗଲ ନିଆଁକୁ ରୋକିବା ପାଇଁ କମ୍ପାନୀଗୁଡିକ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଥିଲେ। ଉତ୍ତର କାଲିଫର୍ନିଆର ସାଣ୍ଟା ରୋସର ଜେରାଲ୍ଡ ନିମି ବର୍ଷ ବର୍ଷ ଧରି ଫୁସଫୁସ ରୋଗରେ ପୀଡିତ ଥିଲେ। ସେ ନିଶ୍ୱାସ ନେବା ପାଇଁ ଅମ୍ଳଜାନ ଭେଣ୍ଟିଲେଟର ଉପରେ ନିର୍ଭରଶୀଳ ଥିଲେ। କିନ୍ତୁ ଯେତେବେଳେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଗଲା ସେତେବେଳେ, ତାଙ୍କ ଭେଣ୍ଟିଲେଟର ମଧ୍ୟ ବନ୍ଦ ହୋଇଗଲା। ସେ ଏବଂ ତାଙ୍କ ପତ୍ନୀ କାର୍ଯ୍ୟକ୍ଷମ ଭେଣ୍ଟିଲେଟର ବହୁତ ଖୋଜିଥିଲେ, କିନ୍ତୁ ସେମାନେ ଏହାକୁ ପାଇବାରେ ବିଫଳ ହୋଇଥିଲେ। ଫଳାଫଳ ଏଇଆ ହେଲା ଯେ ଅମ୍ଳଜାନ ଅଭାବରୁ ଦୁଇ ଦିନ ପରେ ଜେରାଲ୍ଡ ନିମିଙ୍କର ମୃତ୍ୟୁ ହୋଇଥିଲା।ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ପେସିଫିକ ଗ୍ୟାସ୍ ଆଣ୍ଡ ଇଲେକ୍ଟ୍ରିକ୍ ପରେ ସ୍ବୀକାର କରିଥିଲା ଯେ ଯୋଗାଣ ବନ୍ଦ କରିବା ପୂର୍ବରୁ ସେମାନଙ୍କ କମ୍ପାନୀ ଶହ ଶହ ରୋଗୀଙ୍କ ସମେତ ହଜାର ହଜାର ଗ୍ରାହକଙ୍କୁ ଜଣାଇବାରେ ବିଫଳ ହୋଇଥିଲା। ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ କାଲିଫର୍ନିଆରେ ଅନେକ ଭିନ୍ନକ୍ଷମ ଘରୁ ପଳାଇଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେଉଁମାନେ ଖସିଯିବାକୁ ସକ୍ଷମ ହୋଇଥିଲେ ସେମାନେ ପାଣି, ବାଥରୁମ ଏବଂ ସୁରକ୍ଷିତ ସ୍ଥାନ ଯୋଗାଉଥିବା ଜରୁରୀକାଳୀନ କେନ୍ଦ୍ରରେ ପହଞ୍ଚିବାରେ ବିଫଳ ହୋଇଥିଲେ।

ବନ୍ୟାରେ ଭିନ୍ନକ୍ଷମଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା:-ଗତ ଗ୍ରୀଷ୍ମ ଋତୁରେ ଜର୍ମାନର ସିଞ୍ଜିଗ ସହରର ଏକ ଭିନ୍ନକ୍ଷମ କେୟାର ହାଉସରେ ରହୁଥିବା ୧୨ ଜଣ ଭିନ୍ନକ୍ଷମ ବନ୍ୟାରେ ପ୍ରାଣ ହରାଇଥିଲେ। ଯେତେବେଳେ ହଠାତ୍ ପାଣି ମାଡ଼ି ଆସିଲା, ସେତେବେଳେ ଏହି ଭିନ୍ନକ୍ଷମ ଲୋକମାନେ ଘରୁ ବାହାରକୁ ଆସିବାରେ ବିଫଳ ହୋଇଥିଲେ। ବୈଜ୍ଞାନିକ ଏବଂ ନେତାମାନେ ଏହି ବନ୍ୟା ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥିବା କହିଛନ୍ତି। ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ତଥା ଗବେଷକ ଡକ୍ଟର ଚାର୍ଲ୍ସ ୱିଲିୟମ୍ସଙ୍କର ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫି (SMA) ସମସ୍ୟା ରହିଛି। ସେ କୁହନ୍ତି, ହ୍ୱିଲ ଚେୟାର ଯୋଗୁଁ ବନ୍ୟା ଆସିବା ପରେ ମୁଁ ଏକ ରବର ଡିଙ୍ଗି (ଏକ ପ୍ରକାର ଡଙ୍ଗା) ଚଢ଼ି ପାରିବି ନାହିଁ।୨୦୦୫ ମସିହାରେ ନିଉ ଅର୍ଲିଅନ୍ସରେ ଆସିଥିବା କ୍ୟାଟ୍ରିନା ଝଡ଼ ସମୟରେ ସମାନ କାହାଣୀ ଶୁଣିବାକୁ ମିଳିଥିଲା। ସେହି ଝଡ ଯୋଗୁଁ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମେରିକାର ନ୍ୟାସନାଲ କାଉନସିଲ୍ ଅଫ୍ ଡିଜାବିଲ୍ଟର ଏକ ରିପୋର୍ଟରୁ ଜଣାପଡିଛି ଯେ ଭିନ୍ନକ୍ଷମମାନେ ସହାୟତା ପାଇବା ପାଇଁ ସଂଘର୍ଷ କରିଥିଲେ। ଲୋକଙ୍କୁ ଉଦ୍ଧାରକରିବା ପାଇଁ ସମ୍ପୃକ୍ତ ଅଧିକାଂଶ ବସ୍‌ରେ ହ୍ୱିଲ୍ ଚେୟାର ଲିଫ୍ଟ ନଥିଲା। ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ଅନେକ ଜରୁରୀକାଳୀନ ଭିତ୍ତିଭୂମି ଉପଲବ୍ଧ ନଥିଲା। ଏଥି ସହିତ, ଶ୍ରବଣ ଏବଂ ଦୃଷ୍ଟିଶକ୍ତି ନଥିବା ବ୍ୟକ୍ତିମାନେ ସ୍ଥାନୀୟ ସୁରକ୍ଷା ସୂଚନା ପାଇବାରେ ଅସହାୟ ହୋଇ ପଡ଼ିଥିଲେ।ଗତ ୫୦ ବର୍ଷ ମଧ୍ୟରେ କ୍ୟାଟ୍ରିନା ଝଡ଼ ପରି ମୌସୁମୀ ବିପର୍ଯ୍ୟୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି। ତେବେ ଭିନ୍ନକ୍ଷମମାନଙ୍କୁ ଉତ୍ତମ ଭାବରେ ସାହାଯ୍ୟ କରିବା ପାଇଁ କ’ଣ କରିବା ଆବଶ୍ୟକ?

ନୂତନ ନିୟମ ପ୍ରସ୍ତୁତ କରିବା ସମୟରେ ଭିନ୍ନକ୍ଷମମାନଙ୍କୁ ଅଣଦେଖା:-ଜଳବାୟୁ ପରିବର୍ତ୍ତନ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଭିନ୍ନକ୍ଷମଙ୍କ ଆବଶ୍ୟକତା ଅଧିକ ରହିଛି Disabled People Against Cuts (DPAC)ର ଆଣ୍ଡି ଗ୍ରୀନ୍ ବିଶ୍ବାସ କରନ୍ତି, ବିଶେଷକରି ଯେତେବେଳେ ନୂତନ ନିୟମ ତିଆରି ହୁଏ। ଗ୍ରୀନ କହିଛନ୍ତି ଯେ ଭିନ୍ନକ୍ଷମଙ୍କ ଉପରେ ଆଇନର ପ୍ରଭାବକୁ ସରକାର ପ୍ରାୟତଃ ଅଣଦେଖା କରନ୍ତି। ଉଦାହରଣ ସ୍ୱରୂପ ପ୍ଲାଷ୍ଟିକ ଷ୍ଟ୍ର ଉପରେ ଆଇନଗତ ନିଷେଧ। ସାର୍ ଡେଭିଡ୍ ଆଟେନୱାରୋଙ୍କ ଏକ ଡକ୍ୟୁମେଣ୍ଟାରୀରୁ ଜଣାପଡିଛି ଯେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ କିପରି ସମୁଦ୍ରରେ ବର୍ଜ୍ୟବସ୍ତୁ ବିସ୍ତାର କରୁଛନ୍ତି। ଏହାକୁ ନେଇ ସେଠାରେ ଅନେକ ଗଣ୍ଡଗୋଳ ହୋଇଥିଲା, ପରେ ୱାନ ଟାଇମ୍ ୟୁଜ ପ୍ଲାଷ୍ଟିକ୍ ଷ୍ଟ୍ର ଉପରେ ନିଷେଧାଦେଶ ଜାରି କରାଯାଇଥିଲା।ନୂତନ ନିୟମ ଦ୍ଵାରା ଯେଉଁମାନେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ପ୍ଲାଷ୍ଟିକ୍ ଷ୍ଟ୍ର ବ୍ୟବହାର କରୁଥିଲେ ସେମାନେ ଏଥିରୁ ଦୂରେଇଯିବାକୁ ବାଧ୍ୟ ହୋଇଛନ୍ତି। ତେବେ ଗ୍ରୀନ କହିଛନ୍ତି ଯେ ଅନେକ ଭିନ୍ନକ୍ଷମ ଏହି ଆଇନ ପାଇଁ ସମସ୍ୟା ଭୋଗୁଛନ୍ତି। ଏହାର କାରଣ ହେଉଛି ଯେ ସେମାନେ କିଛି ପିଇବା ପାଇଁ ପ୍ଲାଷ୍ଟିକ୍ ଷ୍ଟ୍ର ଉପରେ ନିର୍ଭର କରନ୍ତି। ପ୍ଲାଷ୍ଟିକ୍ ଷ୍ଟ୍ର ପାଇଁ ଅନ୍ୟ ବିକଳ୍ପ ଯେପରିକି ଧାତୁ କିମ୍ବା ପାସ୍ତା ଷ୍ଟ୍ର କଠିନ ହେବା ସହ ପିଉଥିବା ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ। ଅନ୍ୟ ପକ୍ଷରେ କାଗଜରେ ତିଆରି ଷ୍ଟ୍ର ନଷ୍ଟ ହୋଇଯାଏ। ତେଣୁ ଯେଉଁମାନେ କପ୍ ଉଠାଇ ପାରନ୍ତି ନାହିଁ ସେମାନଙ୍କ ପାଇଁ ଫୋଲଡେବଲ୍ ପ୍ଲାଷ୍ଟିକ୍ ଷ୍ଟ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କୁହନ୍ତି, “ଷ୍ଟ୍ର ବ୍ୟବହାର କରୁଥିବା ଭିନ୍ନକ୍ଷମଙ୍କ ସଂଖ୍ୟା ବହୁତ କମ୍। କିନ୍ତୁ ଏହି ନିଷେଧାଦେଶ ସେମାନଙ୍କ ଉପରେ ପ୍ରକୃତ ପ୍ରଭାବ ପକାଇଥାଏ। ସେ ବିଶ୍ବାସ କରନ୍ତି ଯେ ଭିନ୍ନକ୍ଷମଙ୍କୁ ଭୁଲିଯିବା ଏବଂ ଅଣଦେଖା କରାଯିବାର ଏହା ଅନ୍ୟ ଏକ ଉଦାହରଣ। ଏହିପରି ଭେଦଭାବକୁ ବର୍ଣ୍ଣନା କରିବା ପାଇଁ “ପରିବେଶ-କ୍ଷମତା” ଶବ୍ଦ ବର୍ତ୍ତମାନ ବ୍ୟବହୃତ ହେଉଛି। ଏହା ନିର୍ଣ୍ଣୟକାରୀଙ୍କ ବିଫଳତା ବିଷୟରେ କହିଥାଏ, ଯେତେବେଳେ ସେମାନେ ନିଷ୍ପତ୍ତି ନିଅନ୍ତି ଯାହା ଭିନ୍ନକ୍ଷମଙ୍କ ସମସ୍ୟା ବଢ଼ାଇଥାଏ। ଉଦାହରଣ ସ୍ୱରୂପ, ସାଇକେଲ ଲେନ୍ ତିଆରି କରିବା ପାଇଁ ଦିବ୍ୟାଙ୍ଗଙ୍କ ପାର୍କିଂ ସ୍ଥାନ ହଟାଇବାକୁ ନିଷ୍ପତ୍ତି ନିଆଯିବା। ଏବେ କ’ଣ ହେବ?COP26 ରେ ଏକକାଳୀନ ହେଉଥିବା କେତେକ ବିଶେଷ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଏବଂ ଜଳବାୟୁ ପରିବର୍ତ୍ତନକୁ ବିଚାର କରାଯାଏ। ଏକ ଇଭେଣ୍ଟରେ ଜଳବାୟୁ ଅନୁକୂଳ ସହରଗୁଡିକ ପାଇଁ ଅନ୍ତର୍ଭୂକ୍ତ ଡିଜାଇନ୍ ବିଷୟରେ ଆଲୋଚନା କରାଯିବ। ଦ୍ୱିତୀୟ କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଆଲୋଚନା କରାଯିବ। ପ୍ରଫେସର ଜୋଡୋନ୍ କହିଛନ୍ତି ଯେ ସରକାର ପ୍ରାୟତଃ “ଭିନ୍ନକ୍ଷମଙ୍କ ବିଶେଷ ଆବଶ୍ୟକତା ବିଷୟରେ ବିଚାର କରନ୍ତି ନାହିଁ”। କିନ୍ତୁ ସେ COP26 ସମ୍ମିଳନୀକୁ “ଭିନ୍ନକ୍ଷମଙ୍କ ଅଧିକାରକୁ ଆଗକୁ ବଢିବାର ଏକ ସୁଯୋଗ” ଭାବରେ ଦେଖନ୍ତି। ଡକ୍ଟର ୱିଲିୟମ୍ସ ଏନେଇ କୁହନ୍ତି ଯେ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବାକୁ ଆଶାବାଦୀ ହେବାର କାରଣ ରହିଛି। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିଗତ ତଥା ରାଜନୈତିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଏବଂ ଇଚ୍ଛାଶକ୍ତିର ସ୍ପଷ୍ଟ ଅଭାବ ରହିଛି। ସେ ଆହୁରି ମଧ୍ୟ କୁହନ୍ତି, “କେବଳ ସମୟ ହିଁ କହିବ ଯେ ଏହି ମନୋଭାବ ବଦଳିବ କି ନାହିଁ। ଯଦିଓ ଗତ ୧୦ ବର୍ଷ ମଧ୍ୟରେ ଏକ ନାଟକୀୟ ପରିବର୍ତ୍ତନ ଆସିଛି, ଯାହାକୁ ବଜାୟ ରଖିବା ଆବଶ୍ୟକ।”

0 Comments

Leave Your Comment

Your email address will not be published. Required fields are marked *

%d bloggers like this: