ଅଦ୍ଭୁତ ଗାଁ: ବିଛାରେ ଖେଳନ୍ତି ହୋଲି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖୁସି ଓ ରଙ୍ଗର ପର୍ବ ହୋଲି। ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ଏହି ହୋଲି ପର୍ବକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ ହୋଇଥାଏ। କେଉଁଠି ଅବିରରେ ତ ଆଉ କୋଉଁଠି ହୋଲି ଟମାଟୋ, ଅଣ୍ଡା, ଫୁଲରେ ଖେଳା ହୋଇଥାଏ। ପୁଣି କେଉଁଠି ପାଣି, ପଙ୍କ ଭସ୍ମରେ ହୋଲି ଖେଳ ହୋଇଥାଏ। କିନ୍ତୁ, ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଯେ, ଏମିତି ଗୋଟେ ଗାଁ ଅଛି…ଯେଉଁଠି କଙ୍କଡ଼ା ବିଛାରେ ହୋଲି ଖେଳ ହୋଇଥାଏ । ଏଟାୱାଠାରେ ରହିଛି ଏହି ନିଆରା ଗାଁ ଯେଉଁଠାରେ ହୋଲି ରଙ୍ଗ ବଦଳରେ ବିଛାରେ ଖେଳା ଯାଇଥାଏ। ବିଛା କଥା ଶୁଣି ଆପଣ ଚକିତ ହୋଇ ଯାଉଥିବେ ନିଶ୍ଚୟ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏଠାରେ ଶହ ଶହ ବିଛା ଏକ କିଲାରୁ ବାହାର କରାଯାଇ ଗାଁର ବଡ଼ଠୁ ବୃଦ୍ଧା ସମସ୍ତେ ବିଛା ସହିତ ହୋଲି ଖେଳନ୍ତି। ବିଛାକୁ ହାତରେ ଧରି ପରସ୍ପର ଉପରକୁ ଫୋପାଡା, ଫୋପାଡି ହୁଅନ୍ତି।


ଆଜିର ବୈଜ୍ଞାନିକ ଯୁଗରେ ଏହି ଗ୍ରାମବାସୀଙ୍କ ଏହିଭଳି ଭାବରେ ହୋଲି ଖେଳିବା ରହସ୍ୟ ପରି ଲାଗୁଥିବ ନିଶ୍ଚୟ। ହୋଲି ଦିନ ଢୋଲ ସହ ଗୀତ ଗାଇବା ମାତ୍ରେ ଶହ ଶହ ବିଛା ମାଟିରୁ ବାହାରି ଆସନ୍ତି, ଏପରି ଲାଗେ ଯେପରି ସେମାନେ ହୋଲିର ଅଭିବାଦନ ଜଣେଇବାକୁ ବାହାରକୁ ଆସିଛନ୍ତି । ପିଲାମାନେ ଏହି ବିଛାଗୁଡ଼ିକୁ ଧରି ମନ ଭରି ଖେଳନ୍ତି ଏବଂ ପରସ୍ପର ଉପରେ ଫୋପାଡି ଦିଅନ୍ତି, କିନ୍ତୁ ଏହି ବିଷାକ୍ତ ବିଛା କାହାକୁ ମାରିନଥାନ୍ତି । ଏହା ଶୁଣିବା ଅଦ୍ଭୁତ ଲାଗୁଥିଲେ ମଧ୍ୟ ସୋଉଥାନ ଗାଁରେ ଏହି ପ୍ରଥା ଶହ ଶହ ବର୍ଷ ଧରି ଚାଲି ଆସୁଛି । ସେହି ଗାଁରେ ରହିଥିବା ଏକ ପରିପକ୍ଵ କିଲାରୁ ଦୋଳ ପୂର୍ଣ୍ଣିମା ଓ ହୋଲି ଦିନ ହଜାର ହଜାର ସଂଖ୍ୟକ ବିଛା ବାହାରିଥାନ୍ତି । ବୟସ୍କ ଏବଂ ପିଲାମାନେ ଏହି ବିଛାଗୁଡ଼ିକୁ ଉଠାଇ ନିଜ ପାପୁଲିରେ ରଖନ୍ତି ଏବଂ ତାଙ୍କ ଶରୀରର ରଙ୍ଗ କରିଥା’ନ୍ତି । ଏବଂ ପରସ୍ପର ଉପରକୁ ସେହି ବିଛାଗୁଡିକ ପକାଇ ଖେଳିଥାନ୍ତି, ହେଲେ ଏହା ଦ୍ବାରା ସେମାନଙ୍କର କୌଣସି କ୍ଷତି ହୋଇନଥାଏ ବୋଲି କୁହାଯାଏ। ହୋଲି ଖେଳିବା ପରେ ଗାଁର ପିଲାମାନେ ବୟସ୍କଙ୍କ ଆଶୀର୍ବାଦ ନେଇଥାନ୍ତି । ତାପରେ ଉକ୍ତ କିଲାରେ ବିଛାଗୁଡ଼ିକୁ ପୁଣି ଛାଡ଼ି ଦିଅନ୍ତି।
ଉକ୍ତ ଗ୍ରାମବାସୀ କୁହନ୍ତି ଯେ, ବହୁ ବର୍ଷ ଧରି ଏହି ପ୍ରଥା ଚାଲି ଆସୁଛି, ହେଲେ ବିଶେଷ କଥା ହେଉଛି ଏହି ବିଷାକ୍ତ ବିଛା ହୋଲି ଦିନ କାହାକୁ ଆଘାତ କରିନଥାନ୍ତି।

%d bloggers like this: