ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଧୀନ କର୍ମଚାରୀଙ୍କୁ ମିଳିବ ଏଲଟିସି କ୍ୟାସ୍ ଭାଉଚର। ପାର୍ବଣ ଋତୁ ପୂର୍ବରୁ ଉପହାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହାସହ ସରକାରୀ କର୍ମଚାରୀଙ୍କୁ ଆଡଭାନ୍ସ ୧୦ ହଜାର ଟଙ୍କା ମିଳିବ। କୋରୋନା ସଂକଟ କାଳରେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ କାମ କରିଥିବା କର୍ମଚାରୀମାନେ ଉପହାର ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି। ବଜାରରୁ କୌଣସି ଦ୍ରବ୍ୟ କିଣିବା ପାଇଁ କର୍ମଚାରୀମାନେ ଏହି ଏଲଟିସି କ୍ୟାସ୍ ଭାଉଚର ବ୍ୟବହାର କରିପାରିବେ। କେବଳ ଜିଏସଟି ପଞ୍ଜିକୃତ ଭେଣ୍ଡରରେ ହିଁ କ୍ୟାସ୍ ଭାଉଚର ବ୍ୟବହାର ହୋଇପାରିବ। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କୁ ପ୍ରତି ୪ ବର୍ଷରେ ଥରେ ନିଜ ଘରକୁ ଯିବା ପାଇଁ ଏଲଟିସି ମିଳିଥାଏ।

ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମରେ ୫ ହଜାର ୬୭୫ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ଏହି ଯୋଜନା ଯଦି ସରକାରୀ କମ୍ପାନୀ ଓ ବ୍ୟାଙ୍କ୍ କର୍ମଚାରୀଙ୍କ ପାଇଁ ଲାଗୁ ହୁଏ, ତେବେ ସରକାରଙ୍କୁ ଅତିରିକ୍ତ ୧ ହଜାର ୯ ଶହ କୋଟି ଟଙ୍କା ରାଜକୋଷରୁ ବହନ କରିବାକୁ ପଡ଼ିବ। ଏହାସହ ବିନା ସୁଧରେ ବିଭିନ୍ନ ରାଜ୍ୟକୁ ୧୨ ହଜାର କୋଟି ଟଙ୍କା ଋଣ ଦେବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହି ଯୋଜନାରେ ନର୍ଥଇଷ୍ଟକୁ ୧ ହଜାର ୬ ଶହ କୋଟି, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶକୁ ୯ ଶହ କୋଟି ଟଙ୍କା ମିଳିବ। ସୁଧହୀନ ଏହି ଋଣକୁ ରାଜ୍ୟ ଗୁଡ଼ିକ ଆସନ୍ତା ୫୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ପରିଶୋଧ ପାଇଁ ସମୟ ଦେଇଛନ୍ତି ସରକାର। କୋରୋନା ସଂକଟ କାଳରେ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା ହୋଇଥିବାରୁ କର୍ମଚାରୀ ଖୁସି ପ୍ରକାଶ କରିଛନ୍ତି।

%d bloggers like this: