ଶପଥ ନେଲେ ବିଏମସି ମେୟର ସୁଲୋଚନା ଦାସ

ଶପଥ ନେଲେ ବିଏମସି ମେୟର ସୁଲୋଚନା ଦାସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମସ୍ତ ଜନପ୍ରତିନିଧିଙ୍କ ଶପଥଗ୍ରହଣ ଉତ୍ସବ ବିଏମସି କନଫରେନ୍ସ ହଲରେ ଆୟୋଜିତ ହୋଇଛି ।ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶପଥ ପାଠ କରାଇଛନ୍ତି । ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି ।ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଛନ୍ତି । ସୁଲୋଚନାଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ସେପଟେ, ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେବେ ଡେପୁଟି ମେୟର । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟି ମେୟର ହେବା ସୁନିଶ୍ଚିତ । ହେଲେ, କିଏ ହେବ ଡେପୁଟି ମେୟର ଏଯାଏଁ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନି । ବହୁ ପୁରୁଣା ମୁହଁ ଏହି ପଦ ପାଇଁ ଆଶାୟୀ ରହିଛନ୍ତି । ଜୋରଦାର ଲବି ବି କରିଛନ୍ତି । ହେଲେ ଦଳ ମୁଖିଆ କାହାକୁ ଭରସା କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: