Connect with us

ସାହିତ୍ୟ ସ୍ତମ୍ଭ

ବିଶ୍ୱରଞ୍ଜନ ଦାଶଙ୍କ କବିତା- ପ୍ରଣୟ ସଳିତା

Published

on

(ବିଶ୍ୱରଞ୍ଜନ ଦାଶ)

ମୋହନମୁରାରୀ ମୋହିନିଏ ମନ
ଆତୁର ତା ବିନା ରାଧା,
ବଂଶୀଧାରୀ ପ୍ରେମେ ହୃଦ ତା ଅଧୀର
ସଶରୀର ଲାଗେ ଅଧା ।
ଚୁମ୍ବକ କି ଆକର୍ଷଣ,
ଶିହରଣ ଅଙ୍ଗ ଖେଳେ କି ତରଙ୍ଗ
ତଟିନୀ -ସିନ୍ଧୁ ମିଳନ।।

ସ୍ୱର୍ଣ୍ଣକମଳରେ ସ୍ୱର୍ଣ୍ଣ।ଭ କୁମାରୀ
ହୋଇଛନ୍ତି ପ୍ରତିଭାତ,
ଦେଖି ମାତା କୃତି ଲଭନ୍ତି ଆସ୍ୱସ୍ତି
ପ୍ରସାଦ ଦେବ ଅର୍ପିତ ।
ମନରେ ଶରଧା ଅତି,
ଆଶ୍ଚର୍ଯ୍ୟ ର ଢେଉ ହୃଦ ସରୋବରେ
କରନ୍ତି ଲକ୍ଷ୍ମୀଙ୍କୁ ସ୍ତୁତି ।।

ବିଷାଦିତ ମନ ଦୁଃଖୀ ନେତ୍ରହୀନ
ରାଧା ଭାବେ ଅଭିଶପ୍ତ,
ଶୁଣି ବଂଶୀସ୍ଵନ ଶ୍ରୀକୃଷ୍ଣ ଦର୍ଶନେ
ନୟନରେ ଦୃଷ୍ଟି ପ୍ରାପ୍ତ ।
ଈଶ୍ୱର ଙ୍କ ଅନୁକମ୍ପା,
ଭକ୍ତ-ଭଗବାନ ମିଳନେ ମିଳଇ
ପଳାସ ବି ବାସେ ଚମ୍ପା ।

ପ୍ରଣୟ ସଳିତା ମିଳନ ପ୍ରଦୀପେ
ଗୁଞ୍ଜରିତ କୁଞ୍ଜବନ,
ଚାରୁ ତରୁଲତା ପାହାଡ଼ ଝରଣା
ହରଷ ସବୁରି ମନ ।
କୋଇଲି ର କୁହୁ ତାନ
କାହ୍ନ। କଳାମେଘ ରାଧା ଟି ମୟୂରୀ
ଭିଜୁଛି ତୃଷିତ ପ୍ରାଣ ।।

ଛାଡି ବୃନ୍ଦାବନ ମଥୁରା କି ଗଲ
ରାସଲୀଳା ଭୁଲିଗଲ କି !
ଚିତ୍ତଚୋର ତମ ଲୀଳା କି ବିଚିତ୍ର
ପ୍ରେମ ମନେ ପଡୁ ନାହିଁକି ।
ରାଧାର ଭାଙ୍ଗି ହୃଦୟ,
କି ବିଧି ରଚିଲ ଅଧୁରା ପ୍ରେମକୁ
ପୂର୍ଣ୍ଣ କର ଦୟାମୟ ।

ରାସମଣ୍ଡଳରେ ଅଥୟ ଅଧିରେ
ବିରହ ର ବହେ ଝାଞ୍ଜି ପବନ,
ଶୁଖୁନି ଆଖିର ସ୍ରୋତଶ୍ୱିନୀ ଅଶ୍ରୁ
ରାଧାର କୋହରେ ଫାଟେ ଗଗନ ।
ଶୁଣିବାକୁ ନାହିଁ କେହି,
ଲିଭିଲେ ଶଳିତା ତୈଳର କି ଯାଏ
ଦୀପ କି ପାରିବ ସହି ।।

ଯମୁନା ତଟରେ ବଂଶୀସ୍ଵନ ସୁରେ
ପ୍ରେମ ପଡୁଥିଲା ଝରି,
ପ୍ରୀତି ର ଅସରା ବହେ ତନୁ ସାରା
ପ୍ଲାବିତ ପ୍ରଣୟ ବାରି ।
ପ୍ରେମ ମୂର୍ଚ୍ଛନାର ରଙ୍ଗେ,
ବିନା ବର୍ଷାରେ ଇନ୍ଦ୍ରଧନୁ ଯେ
ଛାଇ ଯାଏ ଅଙ୍ଗେ ଅଙ୍ଗେ।।

ପ୍ରଣୟ ସଳିତା ଅମର ପ୍ରଦୀପ
ଜଳେ ରାଧାକୃଷ୍ଣ ନାମେ ,
ରାଧାର ନିଷ୍ଠାରେ କୃଷ୍ଣ ସମର୍ପିତ
ଗୁଞ୍ଜରଣ ବ୍ରଜ ଧାମେ ।
ଜୀବ ମନେ ଇତି ଆସ୍ଥା,
ଗାଉଛି ଜଗତ ବଂଶୀସ୍ଵନ ସୁରେ
ଶାଶ୍ୱତ ଅମୃତ ଗାଥା ।

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ- 9778115904

Click to comment

Leave a Reply

Your email address will not be published. Required fields are marked *

Advertisement

Trending