Connect with us

ସାହିତ୍ୟ ସ୍ତମ୍ଭ

କିମାଶ୍ଚର୍ଯ୍ୟମ୍(୩)- ତା’ ସହ ବଢ଼ିଛି ମୁଁ ଏମିତି

ମୁଁ ବଡ଼ ହେଇଛି, ତା’ର ବି ନବକଳେବର ହେଇଛି। ୧୯୯୮ରୁ ୨୦୨୧ ଭିତରେ ଏମିତି ଅନ୍ୟୁନ ପଚାଶ ଥର ହେଇଥିବ, ମୁଁ ପୁରୀ ଯାଇଥିବି, ହୋଟେଲରେ ଦି ଦିନ ରହିଥିବି, ହେଲେ ମନ୍ଦିର ଯାଇ ନଥିବି। ଆଉ ସମାନ ଥର କିଛି କାମ ନ ଥାଇ ସକାଳୁ ବାଇଆଙ୍କ ଭଳି ପହଞ୍ଚିବି ପୁରୀ, ମନ ପୂରେଇ ଦେଖିଥିବି ତାକୁ, ବୋଧ ହେଲା ଯାଏ କାନ୍ଦିଥିବି। ମହାପ୍ରସାଦ ମନ ଭରି ଖାଇଥିବି। ତା ମନ୍ଦିରକୁ ମୋର ଯିବା ନ ଯିବା ଉପରେ କେବେ ଆମ ସମ୍ପର୍କ ନିର୍ଭର କରିନି, ଗଲେ ବି ନିଜର ନ ଗଲେ ବି ସେତିକି ଆପଣାର। ଇଜିମରେ ବାନ୍ଧି ଦେଇ ସମ୍ପର୍କକୁ ପଙ୍ଗୁ ନ କରିବାର ଶିକ୍ଷା ଟା ସେ ହିଁ ଶିଖେଇଛି।

Published

on

(ପରଂବ୍ରହ୍ମ ତ୍ରିପାଠୀ)- ବୋଉ କହେ ନନା କୁଆଡ଼େ ନାଁ ବାଛି ସାରିଥିଲେ ଦେବାଶିଷ ନୀଳାଦ୍ରୀବିହାରୀ। ସେ ଜନ୍ମ ହେଲା ଦିନ ଆସିଲା ଅଶୀ ମସିହା ବଢ଼ି, ବୋଉକୁ ନେଇ ହେଲାନି ଡାକ୍ତରଖାନା, ଭାଗ୍ୟ ଭଲ ବୋଉ ବଞ୍ଚିଗଲା। ହେଲେ ମା'(ଜେଜେ ମା’) କେଜାଣି କେଉଁ ଅଜଣା ଦୁଃଖରେ ରହିଲା ବୟାଅଶୀ ଅଗଷ୍ଟ ଏଗାର ଯାଏ। ଜନ୍ମ ହେଲି ମୁଁ। ବାପା (ଜେଜେବାପା)ଙ୍କଠାରୁ ଆରମ୍ଭ କରି ବାବୁଲି କକେଇଙ୍କ ଯାଏଁ ଘରେ ସାହିତ୍ୟ ପ୍ରତି ରୁଚି ରଖୁଥିବା ବା ଅଳ୍ପବହୁତ ଲେଖୁଥିବା ଲୋକଙ୍କ ସଂଖ୍ୟା ତ କମ୍ ନୁହେଁ। କିଏ ଦିଟା ନାଁ କହିଲାଣି ତ କିଏ ଚାରିଟା, ନନା ଆଉ ମା’ ଦୁହେଁ ସବୁ ଶୁଣନ୍ତି, କହନ୍ତି ଭଲ ହେଇଛି ନାଁ ଟାକୁ ଫାଇନାଲ ମୋହର ଦିଅନ୍ତିନି। ମୋ ଏକୋଇଶା ପୂଜା। ମାମୁ କୁଆଡ଼େ ମତେ ଧରିକି ବସିଥାନ୍ତି ଅସ୍ଥାନ ପାଖରେ, ବୀର ପୁରୋହିତେ ଡାକିଲେ, କୈଳାଶ ପୁଅ ନାଁ କ’ଣ କହ। ବୋଉ କହେ, ନନା କୁଆଡ଼େ ମା’କୁ ଚାହିଁଲେ ଟିକେ, ସେତିକି ବେଳକୁ ବାବୁଲି କକେଇ ବଢ଼େଇ ଦେଲେ ସିଏ ବାଛିଥିବ ନାଁର ଚିଠା ନନାଙ୍କ ହାତକୁ ଆଉ ଥରେ। ନନା ମା’ ପାଖକୁ ଗଲେ, ମା’ କହିଲା ଏଇଟା ତୋ ମୋ କାଳିଆ।ବାବୁଲା ଯୋଉ ନାଁ ଗୁଡ଼ାକ କହିଲା କାଇଁ ମତେ ରୁଚୁନି, ସ୍କୁଲ ଲେଖା ନାଁଟା ସେଇ କାଳିଆ ନାଁ ରେ ଦେଇ ଦେ, ଯାହା ତତେ ଭଲ ଲାଗିବ। ନନା ଗଲେ ଅସ୍ଥାନ ପାଖକୁ, ପାଖରେ ଥାନ୍ତି ଗିରିଧାରୀ ସାର, ମାମୁଙ୍କ କୋଳରୁ ଏକୋଇଶ ଦିନର ‘ମୁଁ’କୁ ହାତରେ ନେଲେ, କୁଆଡ଼େ କାନରେ କହିଲେ, ପରଂବ୍ରହ୍ମ, ପରଂବ୍ରହ୍ମ ପରଂବ୍ରହ୍ମ, ତତେ ହିଁ ତୁହି ରକ୍ଷା କର ମୁଁ ଛାର ମଣିଷ ମାତର। ବୋଉ କହେ ଏକୋଇଶା ପୂଜାରେ ମୋ ନାଁ ପରଂବ୍ରହ୍ମ ଦେଲାବେଳକୁ ନନାଙ୍କ ଭଳିଆ ପଥର ଲୋକଟାର ଆଖି କୁଆଡ଼େ ଜକେଇ ଆସିଥିଲା ଆଉ ନାଁ ଶୁଣି ସାରିଲା ପରେ ମା’ର। ଅଜାଣତରେ ତା’ସହିତ ବୋଧହୁଏ ଏଇଟା ମୋର ପ୍ରଥମ ଭେଟ।

ଆରମ୍ଭ ଦିନରୁ ତା’ ସହ ସମ୍ପର୍କଟା କେମିତି କେଜାଣି ଗୋଟେ ଅଜବ। ସେଠି ଭୟ ବି, ଭକ୍ତି ବି, ଆଉ ସବୁଠୁ ଅଧିକା ଗୋଟେ ନିଜରପଣ, ଯୋଉଟା କେବଳ ଆଜିଯାଏ ଜଣେ ଦିଜଣ ଭଲ ସାଙ୍ଗ ଆଉ ବୋଉ ପାଖରେ ମଁ ପାଇ ପାରିଛି। ଦ୍ୱିତୀୟ, ତୃତୀୟ ପଢ଼ିଲା ବେଳେ, ବରକୋଳି ଆଚାର ଲୁଚେଇ ଖାଇ ବୋଉ ମାଡ଼ରୁ ବଞ୍ଚିବା ପାଇଁ ଅନେକ ଥର କହିଛି, ଜଗନ୍ନାଥ ରାଣ ବୋଉ ଆଚାର ହାଣ୍ଡି ପାଖକୁ ମୋଟେ ଯାଇନି। ଆଉ ରାତି ସାରା ଛୋଟ ମୁଣ୍ଡରେ ତାକୁ ଭୁଲେଇବାକୁ କେତେ ନେହୁରା କରିଛି ସେକଥାର ବି ହିସାବ ନାହିଁ। ବିଶ୍ୱାଳ ମଉସାଙ୍କ ଘରେ ବଢ଼ିଆ ସୁଗନ୍ଧରାଜ ଫୁଲ ଫୁଟିଛି, ମୋର ଏଇ ମିଛଟାକୁ କ୍ଷମା କରିଦେ, ଦଶଟା ସୁଗନ୍ଧରାଜ ଫୁଲ କାଲି ତୋ ପାଇଁ ତୋଳି ଆଣିବି। ହଁ, ଆମ ସମ୍ପର୍କର ସବୁଠୁ ବଡ଼ କଥା ହେଲା, ଛୋଟ ମୁଣ୍ଡରେ ବି ତାକୁ କେବେ କିଛି ମାଗିନି। ସବୁବେଳେ ଲାଗିଛି, ସେ ତ ଜାଣିଛି ମତେ କଣ ଦରକାର, ମାଗିବି କାହିଁକି ଯେ ! ବୋଧହୁଏ ସ୍ୱାଭିମାନୀ ହେଇ ବଞ୍ଚିବାର ମୂଳଦୁଆଟା ପଡ଼ିଥିଲା, ଅବୋଧ ବୟସରୁ ଏଇ ଅଜବ ସମ୍ପର୍କରୁ।

ପ୍ରଥମ ଥର ତା ପାଖକୁ ଏକା ଗଲି ଦଶମ ପରୀକ୍ଷା ପରେ ଯେବେ ଯୁକ୍ତ ଦୁଇ ପଢ଼ିବାକୁ ବିଜେବି କଲେଜ ଆସିଲି ୧୯୯୬ରେ। ପାଖରେ ଥାଏ ଗାଏମୋଟ ଶହେ ଟଙ୍କା। ଦର୍ଶନ ସାରି ଅଭଡ଼ା ଖାଇବାକୁ ଗଲା ବେଳକୁ ପାଖରେ ଆଉ ପଚାଶ ହିଁ ଅଛି। ବସ୍ ଭଡ଼ା ୨୦ ଟଙ୍କା କାଢ଼ି ବାକି ତିରିଶ ତାଙ୍କର ଅଭଡ଼ା କିଣି ଖାଇବାକୁ ବସିଛି ତ ବୁଢ଼ା ଲୋକ ଜଣେ ଆସିଲେ ପାଖକୁ। ମୁଣ୍ଡକୁ ବେତରେ ବାଡ଼େଇ ଦେଲେ, କହିଲେ ବୁଢ଼ା ବ୍ରାହ୍ମଣକୁ ଟିକେ ମହାପ୍ରସାଦ ଖୁଆ। ମୁଁ କହିଲି ନଉନାହାନ୍ତି ଏଇ କୁଡ଼ୁଆରୁ। ବୁଢ଼ା ଜଣକ କହିଲେ ନାଇଁ, ମତେ ନିଜ ହାତରେ ଖୁଆଇବେ। ସେତବେଳକୁ ମତେ ଯେ ପ୍ରବଳ ଭୋକ। ମୁଁ ତାଙ୍କୁ ଟିକେ ଖୁଆଇ ନିଜେ ଖାଇବା ଆରମ୍ଭ କଲି। ଦୁଇ ଚାରି ଥର ଖାଇଲା ପରେ ବୃଦ୍ଧଙ୍କୁ ପଚାରିଲି, ଆଉ ନେବେ। ବୁଢ଼ା ଜଣକ ମନା କଲେ। ମୁଁ ଖାଇ ଚାଲିଲି। ମୋ ଖାଇବା ସରିବା ପର୍ଯ୍ୟନ୍ତ ବୁଢ଼ା ସେଇଠି ସେମିତି ବସିଥାନ୍ତି। ମୁଁ ଭାବୁଥାଏ ଥକି ଯାଇଛନ୍ତି କି କଣ। ଉଠିଲା ବେଳକୁ ବୁଢ଼ା କହିଲେ, ଦେ ଦକ୍ଷିଣା। ମୁଁ ବୁଝି ପାରିଲିନି, ପଚାରିଲି କି ଦକ୍ଷିଣା ? ବୁଢ଼ା କହିଲେ, ବ୍ରାହ୍ମଣକୁ ଖାଇବାକୁ ଦେଲୁ ଦକ୍ଷିଣା ଦେବୁନି ? ମୁଁ ବୁଝି ପାରୁ ନ ଥାଏ କିଛି, ମୁଁ କେତେବଳେ ଦେଲି, ତମେ ତ ଆସି ମାଗିଲ, ଭଦ୍ରାମି ଦୃଷ୍ଟିରୁ ମୁଁ ମୋ ଭାଗରୁ କାଟି କି ଦେଲି। ପୁଣି ଦକ୍ଷିଣା କଣ ? ବୁଢ଼ା ନଛୋଡ଼ବନ୍ଧା, ଦକ୍ଷିଣା ଦେଲେ ଯିବୁ। ସେତେବେଳକୁ ମୁଁ କାନ୍ଦ କାନ୍ଦ, ଆଉ ମଝିରେ ମଝିରେ ବୁଢ଼ାଙ୍କର ପୁରୀବୋଲି। ପର୍ସ ବାହାର କରି ଦେଖେଇ କହିଲି ମୋଟ କୋଡ଼ିଏ ଟଙ୍କା ଅଛି, ମୁଁ ଭୁବନେଶ୍ୱର ଯିବି, ତମକୁ କେମିତି ଦକ୍ଷିଣା ଦେବି ? ଝାମ୍ପି ନେଲେ ବୁଢ଼ା କୋଡ଼ିଏ ଟଙ୍କାଟି, ଆଉ ଫୋଫାଡ଼ିଲା ଭଳିଆ କହିଲେ ତତେ କାଳିଆ ନେଇକି ଯିବ। ମୁଁ ବୁଝି ପାରୁ ନ ଥାଏ କାଳିଆ ମତେ କଣ ନେବ ମ? ଭାରତୀୟ ରେଳବାଇରେ ଜୀବନର ପ୍ରଥମ ବିନା ଟିକେଟ୍ ଯାତ୍ରା ସେହିଦିନ। ହଷ୍ଟେଲରେ ପହଞ୍ଚିଲା ପରେ ରାତିସାରା ନିଜକୁ ଅନେକ ଗାଳି ଦେଇଛି, ଶପଥ ବି ନେଇଛି ଆଉ ଜୀବନରେ କେବେ ପୁରୀ ଯିବିନି। ହେଲେ ତାପର ରବିବାର ପୁଣି ପୁରୀ ଯାଇଛି। ନିଜ ଲୋକ ପାଖରେ ରାଗ ଅଭିମାନଟା କଣ ଯେ, ପାଣି ଫୋଟକା। କାଳିଆ ଆଉ ମୋ ସମ୍ପର୍କ ନ ଥିଲେ ବୋଧହୁଏ ଏଇଟା ମୁଁ ଏତେ ସହଜରେ ଶିଖି ପାରି ନ ଥାନ୍ତି।

ମୁଁ ବଡ଼ ହେଇଛି, ତା’ର ବି ନବକଳେବର ହେଇଛି। ୧୯୯୮ରୁ ୨୦୨୧ ଭିତରେ ଏମିତି ଅନ୍ୟୁନ ପଚାଶ ଥର ହେଇଥିବ, ମୁଁ ପୁରୀ ଯାଇଥିବି, ହୋଟେଲରେ ଦି ଦିନ ରହିଥିବି, ହେଲେ ମନ୍ଦିର ଯାଇ ନଥିବି। ଆଉ ସମାନ ଥର କିଛି କାମ ନ ଥାଇ ସକାଳୁ ବାଇଆଙ୍କ ଭଳି ପହଞ୍ଚିବି ପୁରୀ, ମନ ପୂରେଇ ଦେଖିଥିବି ତାକୁ, ବୋଧ ହେଲା ଯାଏ କାନ୍ଦିଥିବି। ମହାପ୍ରସାଦ ମନ ଭରି ଖାଇଥିବି। ତା ମନ୍ଦିରକୁ ମୋର ଯିବା ନ ଯିବା ଉପରେ କେବେ ଆମ ସମ୍ପର୍କ ନିର୍ଭର କରିନି, ଗଲେ ବି ନିଜର ନ ଗଲେ ବି ସେତିକି ଆପଣାର। ଇଜିମରେ ବାନ୍ଧି ଦେଇ ସମ୍ପର୍କକୁ ପଙ୍ଗୁ ନ କରିବାର ଶିକ୍ଷା ଟା ସେ ହିଁ ଶିଖେଇଛି।

ଓଡ଼ିଶା ବାହାରେ ସେ ମୋର ପରିଚୟ ସାଜିଛି। ହେଲେ, ମୋ ପାଇଁ ସବୁବେଳେ ସେ ମୋ ଘର ଲୋକଟା। ଯାହାର ଆଗରେ ଅଭିମାନ କରିହେବ, ନିଜର ସବୁ ଭୁଲ ଥିଲେ ବି ତାକୁ ଦିପଦ ଶୁଣେଇ ହେବ। ବୋଧହୁଏ ଏଇ ଆପଣପଣ ହିଁ ଆମ ଦୁହିଁଙ୍କ ସମ୍ପର୍କକୁ ଏତେ ନିବିଡ଼ କରିଛି ଯେ ମୋ ଭିତରର ଧାର୍ମିକ ଭାବନାଟା କୋଉ ବଡ଼ପଣ୍ଡାର ଧାରୁଆ ହେଇନି କେବେ। ଯେହେତୁ ଧାରୁଆ ହେଇନି, ଇଜିମରେ ବନ୍ଧା ହେଇନି, ପ୍ରତ୍ୟାଶାର ହିତାଧିକାରୀ ସାଜିନି, ସେଇଥିପାଇଁ ତ ଏ ଧାର୍ମିକ ଭାବନାଟା ଏତେ ସହଜରେ କେବେ ଆଘାତ ବି ପାଇନି।

(ପରଂବ୍ରହ୍ମ ତ୍ରିପାଠୀ, ସାମ୍ୱାଦିକତା ଓ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଜଣାଶୁଣା ନାଁ)

ନାଉଗାଁହାଟ, ଜଗତସିଂହପୁର
9717302205

Advertisement

Trending