ଫେବୃଆରୀ ଶେଷସୁଦ୍ଧା ୪୦ ଛୁଇଁବ ପାରଦ

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜ୍ୟରେ ଉପରମୁହାଁ ପାରଦ।ସ୍ବାଭାବିକଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିଲା ତାପମାତ୍ରା।ରାଜଧାନୀ ଭୁବନେଶ୍ବରରେ ସ୍ଥିତି ଅସମ୍ଭାଳ। ଫଗୁଣ ଆରମ୍ଭରୁ ଝାଞ୍ଜି ପବନ ସହ ଗୁଳୁଗୁଳି ଅନୁଭବ ହେଲାଣି। ବର୍ତ୍ତମାନ ରାତିର ତାପମାତ୍ରା ୩୭.୪ ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱର ଉତ୍ତପ୍ତ ସହର ପାଲଟିଛି। ଆଗକୁ ଆହୁରି ତାତି ବଢିବା ନେଇ ପାଣିପାଗ କେନ୍ଦ୍ରର ଆକଳନ କରିଛି।ଚଳିତ ମାସ ଶେଷ ସପ୍ତାହବେଳକୁ ଭୁବନେଶ୍ବର ସମେତ କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୨ ତାରିଖ ସୁଦ୍ଧା ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ଦିନର ତାପମାତ୍ରା ୩୯ଡିଗ୍ରୀ ଟପିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। କିଛି ଦିନ ହେବ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଦକ୍ଷିଣ ବିହାର,ଛତିଶଗଡ଼, ବିଦର୍ଭ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକରୁ ୩ ରୁ ୭ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ଭୁବନେଶ୍ବରରେ ସ୍ବାଭାବିକଠାରୁ ୫.୨ଡିଗ୍ରୀ ଅଧିକ ରହିଥିଲା। ରବିବାର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବିଶେଷ ବଢ଼ିବ ନାହିଁ।

ତେବେ ୧୮ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି। କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୬ଡିଗ୍ରୀ ଅଧିକ ରହିବ। ସମ୍ଭବତଃ ୨୨ ତାରିଖ ସୁଦ୍ଧା ଭୁବନେଶ୍ବର ସମେତ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉତ୍ତର ଭାରତରେ ଆସନ୍ତାକାଲିଠାରୁ ତାପମାତ୍ରା ବଢ଼ିବ। ତେଣୁ ଉତ୍ତର-ପଶ୍ଚିମ ଭାରତରୁ ଆସୁଥିବା ଗରମ ପବନ ହେତୁ ରାଜ୍ୟରେ ଗରମ ସହିତ ଝାଞ୍ଜି ବହିବାର ସମ୍ଭାବନା ରହିଛି। ନଭେମ୍ବରଠାରୁ ବର୍ଷା ନ ହୋଇ ମାଟି ଶୁଖିଲା ରହିଛି। ଆକାଶ ନିର୍ମଳ ଏବଂ ପବନର ଗତି କମ ରହିବାରୁ ତାପମାତ୍ରା ଅଧିକ ରହୁଛି।ଅନ୍ୟପକ୍ଷରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ। ରବିବାର ସର୍ବାଧିକ ତାପମାତ୍ରା ଭୁବନେଶ୍ବରରେ ପ୍ରାୟ ୧ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ବେଳେ ମାଲକାନଗିରିରେ ବୃଦ୍ଧି ପାଇଛି। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି।

Leave a Reply

Your email address will not be published. Required fields are marked *