ଲୋକ ଦେଖାଣିଆ ପ୍ରତିବାଦ : କେନ୍ଦ୍ର ଉପରେ ଚାପ ପଡ଼ିବ କେମିତି ?

ପ୍ରିଜମ୍ ନ୍ୟୁଜ (କମଳାକାନ୍ତ ପତି): ବର୍ତ୍ତମାନ ସମୟରେ ଦୁଇଟି ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି, ତିନ ବିବାଦୀୟ କୃଷି ଆଇନ ବିରୋଧୀ ଆନ୍ଦୋଳନ ଏବଂ କ୍ରମବର୍ଦ୍ଧିଷ୍ଣୁ ତୈଳ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କେନ୍ଦ୍ର ସରକାର ତୈଳ ଏବଂ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ବଢ଼ାଇ ଚାଲି ଥିବାରୁ ସାଧାରଣ ଜନତାର ମେରୁଦଣ୍ଡ ଭାଙ୍ଗୁଛି। ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲେ ମଧ୍ଯ ବିରୋଧୀ କେବଳ ଲୋକଦେଖାଣିଆ ଆନ୍ଦୋଳନ କରି ଚୁପ ରହିଯାଉଛନ୍ତି। ଫଳରେ କେନ୍ଦ୍ର ଉପରେ ଚାପ ସୃଷ୍ଟି ହୋଇ ପାରୁନାହିଁ। ତୈଳ ଦର ବୃଦ୍ଧି ବିରୋଧରେ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରୁଛି। ପ୍ରତିବାଦ ଶୋଭାଯାତ୍ରା ମଧ୍ଯ ବାହାର କରାଯାଉଛି। ମାତ୍ର ଏହା ଯୋରଦାର ଢଙ୍ଗରେ କରାଯାଇପାରୁନାହିଁ। ତୈଳର ଦୈନିକ ଦର ବୃଦ୍ଧିରେ ଗତ ତିନିଦିନ ଧରି ବିରାମ ଲାଗିଥିଲେ ମଧ୍ଯ ଚଳିତ ମାସ ସରକାର ତୃତୀୟ ଥର ପାଇଁ ଗ୍ୟାସ ଦର ବଢ଼ାଇଛନ୍ତି। ଏହି ମାସରେ ଗ୍ୟାସ ଦର ଶହେ ଟଙ୍କା ବଢ଼ିଲାଣି। ଏହି ପର୍ଯ୍ୟାୟକ୍ରମିକ ଦର ବୃଦ୍ଧି ବିରୋଧୀଙ୍କ ପାଇଁ ମୋଦି ସରକାର ବିରୋଧରେ ଏକ ବଡ଼ ଅସ୍ତ୍ର ହୋଇଥିଲେ ମଧ୍ଯ ତାହାକୁ କଂଗ୍ରେସ ଭଳି ଅନ୍ୟ ଦଳ ଗୁଡିକ ହାତଛଡା କରୁଛନ୍ତି। କଂଗ୍ରେସ ଭିତର ମହଲରେ ଏହା ଆଲୋଚନା ହେଉଛି, ମାତ୍ର ତାହାକୁ ଠିକଣା ଭାବେ କାର୍ଯ୍ୟରେ ଲଗାଯାଇପାରୁନାହିଁ। କେବଳ କଂଗ୍ରେସ କାହିଁକି ସମଗ୍ର ବିରୋଧୀ ଶିବିର ପାଇଁ ଏହା ଏକ ସୁଯୋଗ ହୋଇଥିଲେ ମଧ୍ଯ ସେମାନେ ଲୋକଙ୍କ କ୍ଷୋଭକୁ ଉସକେଇ ଦେବା କ୍ଷେତ୍ରରେ ବିଫଳ ହେଉଛନ୍ତି। ରାସ୍ତକୁ ଆସି ବିକ୍ଷୋଭର ଯେଉଁ ଦୃଶ୍ୟ ପୂର୍ବରୁ ଦେଖିବାକୁ ମିଳୁଥିଲା ଏଵେ ତାହା ଏକପ୍ରକାର ନିରୁଦ୍ଦିଷ୍ଟ। ଅବଶ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ରାସ୍ତାକୁ ଆସି ପ୍ରତିବାଦ କରୁନାହାନ୍ତି ତାହା ନୁହେଁ, କିନ୍ତୁ ଏହା କିପରି ଦେଖାଣିଆ ହୋଇଯାଇଛି। ନିକଟରେ କଂଗ୍ରେସ ଜମ୍ମୁରେ ବିକ୍ଷୋଭ କରିଥିଲା। ମଧ୍ୟପ୍ରଦେଶ, ଓଡ଼ିଶା ଆଦି ରାଜ୍ୟରେ କଂଗ୍ରେସ ନେତାମାନେ ରାସ୍ତାକୁ ଆସି ବିକ୍ଷୋଭ କରିଥିଲେ। କିନ୍ତୁ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନର କୌଣସି ପ୍ରଭାବ ସରକାର ଉପରେ ପଡିଥିବାର ମନେ ହେଉନାହିଁ।

କଂଗ୍ରେସର ତୈଳଦର ବୃଦ୍ଧି ଆନ୍ଦୋଳନ କିପରି ଲୋକଦେଖାଣିଆ ତାହା ଗତ ୨୨ ତାରିଖରେ ନୂଆ ଦିଲ୍ଲୀ ଠାରେ କଂଗ୍ରେସ ଜ୍ୱାଇଁ ବାବୁଙ୍କ ସାଇକେଲ ଶୋଭାଯାତ୍ରାକୁ ଦେଖିଲେ ଜଣାପଡ଼େ। ଦିଲ୍ଲୀର ଖାନ୍ ମାର୍କେଟ ନିକଟ ସୁଜନ ସିଂହ ପାର୍କର ନୂଆ ବାସଭବନରୁ ସାଇକେଲ ନେଇ ବାହାରି ପଡ଼ିଲେ ଜ୍ୱାଇଁ ପୁଅ ରବର୍ଟ ଭଦ୍ରା ଗାନ୍ଧୀ ପରିବାରର ଏହି ଜ୍ୱାଇଁଙ୍କ ପଛରେ ସାଇକେଲରେ ଥିଲେ ତାଙ୍କର ଅଙ୍ଗରକ୍ଷୀ। ସୁଖଦେବ ବିହାରର ଅଫିସ ରାସ୍ତାରେ ଦାମୀ ସାଇକେଲରେ ସବାର ହୋଇଥିବା ଭଦ୍ରାଙ୍କ ପଛରେ ଅବଶ୍ୟ ତାଙ୍କର ଦାମୀ ଗାଡ଼ି ମଧ୍ଯ ଆସୁଥିଲା। ଏହିପରି ଢଙ୍ଗରେ ପେଟ୍ରୋଲ ଡିଜେଲ ଦରବୃଦ୍ଧିର ପ୍ରତିବାଦ ଜଣାଇଥିଲେ ରବର୍ଟ ଭଦ୍ରା। ବିଜେପି ଏହି ପ୍ରତିବାଦକୁ କଂଗ୍ରେସର ‘ଗିମିକ’ ବୋଲି ଅଭିହିତ କରୁଛି। ରାହୁଲ ଗାନ୍ଧୀ ନିଜେ ଗତ ସୋମବାର ତାଙ୍କର ଲୋକସଭା କ୍ଷେତ୍ର ୱାୟନାଡ଼ ଯାଇଥିଲେ। ସେଠାରେ ସେ କୃଷି ଆଇନ ବିରୋଧରେ ଆୟୋଜିତ ଟ୍ରାକ୍ଟର ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଟ୍ୱିଟ୍ କରି ଇନ୍ଧନ ଦରବୃଦ୍ଧି ନେଇ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

କେବଳ ଏହି ଥରେ ନୁହେଁ ରାହୁଲ ଏକାଧିଥର ଏଭଳି ଟ୍ୱିଟ କରି ତୈଳ ଦରବୃଦ୍ଧି, କୃଷକ ଆନ୍ଦୋଳନ ନେଇ କେନ୍ଦ୍ର ସରକାରକୁ ସମାଲୋଚନା କଲେଣି। ଏହାର ମାନେ କ’ଣ ଅଛି ? ମୋଦି କ’ଣ ଟ୍ୱିଟରରେ ଦୋହଲିବା ଲୋକ ? ରାହୁଲ ଏହା ଜାଣି ମଧ୍ଯ କାହିଁକି ଦେଖାଣିଆ ପ୍ରତିବାଦ କରୁଛନ୍ତି ବୁଝିବା କଷ୍ଟକର। ତୈଳ ଦର ବୃଦ୍ଧିକୁ ଶିବସେନା ମଧ୍ଯ ସମାଲୋଚନା କରୁଛି। ନିକଟରେ ଏହି ଦଳ ତାର ମୁଖପତ୍ର ‘ସାମନା’ରେ ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ସମାଲୋଚନା କରିଥିଲା। ଏଥିରେ ଲେଖାଯାଇଥିଲା ଯେ, ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ସରକାର ଚାନ୍ଦା ଆଦାୟ କରିବା ପରିବର୍ତ୍ତେ ପେଟ୍ରୋଲ ଡିଜେଲର ଦାମ କମାଇବା ଉଚିତ୍। ଏହା ହେଲେ ରାମ ଭକ୍ତମାନଙ୍କୁ ଅନ୍ନ ଜୁଟିବ। ଉଲ୍ଲେଖଯୋଗ୍ୟ ଯେ, ତୈଳ ଦରବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଠାରୁ ଆରମ୍ଭ କରି ଅନେକ ମହଲ ଉଦବେଗ ପ୍ରକାଶ କଲେଣି। ନିଜେ ମୁଖ୍ୟମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ଯ ତୈଳ ଦରବୃଦ୍ଧିରେ ଲଗାମ ଲାଗିବା ଉଚିତ୍ ବୋଲି ମତ ଦେଇଛନ୍ତି। ମାତ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କୁ ପରିସଂଖ୍ୟାନ ଦେଖାଇ ବିଭ୍ରାନ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଏହା ପୂର୍ବ ସରକାର ଅଦୂରଦର୍ଶିତାର ଫଳ। ଇତିମଧ୍ୟରେ ଭୋଟମୁଖୀ ପଶ୍ଚିମବଙ୍ଗ, ଆସାମ ସମେତ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡ ସରକାର ଭାଟରୁ କିଛିଟା ରିହାତି ଦେଇ ଲୋକଙ୍କୁ ତୈଳଦରରୁ ସାମାନ୍ୟ ଅଶ୍ଵସ୍ତି ଦେଲେଣି। କେନ୍ଦ୍ର ସରକାର ଲିଟର ପିଛା ତୈଳ ଉପରେ ପ୍ରାୟ ୩୩ ଟଙ୍କା ଟିକସ ନେଉଛନ୍ତି। ମୋଦି ଚାହିଁଲେ ଲୋକଙ୍କୁ ସେଥିରୁ କିଛିଟା ମୁକ୍ତି ଦେଇ ପାରନ୍ତେ। ସେପରି ହେଲେ ସବୁ ରାଜ୍ୟ ସରକାର ଭାଟରୁ କିଛି କମାଇବାକୁ ବାଧ୍ୟ ହୁଅନ୍ତେ। ମାତ୍ର ନା ବିରୋଧୀ, ନା ସରକାର କେହି ଲୋକଙ୍କ କଥା ଚିନ୍ତା କରୁଥିବା ଭଳି ମନେ ହେଉନାହିଁ। ତେଣୁ ତୈଳ କମ୍ପାନୀ ଗୁଡ଼ିକ ସେମାନଙ୍କ ମନ ଇଚ୍ଛା ଦର ବଢ଼ାଇ ଲୋକଙ୍କ ପକେଟ କଣା କରିଚାଲିଛନ୍ତି।

%d bloggers like this: