ପୁଣି ଫେରିଲା ପିଏମ କିଷାନ ପ୍ରସଙ୍ଗ: ନବୀନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡ଼ିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିଭାଗୀୟ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୪୦.୫ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି। କିନ୍ତୁ ସପ୍ତମ କିସ୍ତିରେ ଓଡ଼ିଶାର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ। ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ, ବରଂ ପୂର୍ବ ତଥା ଷଷ୍ଠ କିସ୍ତିରେ ମଧ୍ୟ ଅନୁରୂପ ଭାବରେ କମ୍‌ଚାଷୀ ଏହି ଯୋଜନାର ଲାଭ ପାଉଥିବା ଓ କିଛି ଚାଷୀ ବଂଚିତ ହେଉଥିବାର ଦେଖାଯାଉଛି। ପଞ୍ଜିକୃତ ୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡ଼ିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ। ସେହିପରି ଅନୁରୂପ ଭାବରେ ଦ୍ୱିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜିକୃତଙ୍କ ୭୪ ପ୍ରତିଶତ, ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ପ୍ରତିଶତ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ପଂଜିକରଣର ୬୩ ପ୍ରତିଶତ ଚାଷୀ କେବଳ ପିଏମଯୋଜନାରେ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇଛନ୍ତି। ଅନୁରୂପ ଭାବରେ ପଞ୍ଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ ଅର୍ଥାତ୍ ୫୩ ପ୍ରତିଶତ, ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର୬୧ ପ୍ରତିଶତ ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଚାଷୀ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ରାଜ୍ୟର ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ ଜିଡିପିର ଏକ ପଂଚମାଂସ ଯୋଗଦାନ ରଖୁଛନ୍ତି। ତେବେ ଚାଷୀ ବିଶେଷ ଭାବରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ଦିଗରେଅନେକ ବଡ଼ ପ୍ରଭାବ ପକାଉଥିବା ପଦକ୍ଷେପ ଏବଂ ସଂସ୍କାର ଅଣାଯାଇଛି ଏବଂ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଏହା ମଧ୍ୟରୁ ଅନ୍ୟତମ।

୨୦୧୮ ମସିହାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିଲା । କେନ୍ଦ୍ର ସରକାର ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ତିନିଟି କିସ୍ତିରେ ୬ ହଜାର ଟଙ୍କାର ଚାଷୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାର ନିୟମାବଳୀ ଅନୁସାରେ ରାଜ୍ୟ ସରକାରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ ଏବଂ ଯୋଜନାର ୱେବପୋର୍ଟାଲରେ ଦାଖଲ କରିବେ। ହିତାଧିକାରୀଙ୍କ ତଥ୍ୟକୁ ସଠିକ୍ ଭାବରେ ଦେବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି ଏବଂ ଏହାଦ୍ୱାରା ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ। ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ଓଡ଼ିଶାର ଚାଷୀଙ୍କ ମଧ୍ୟରୁ ବହୁତ୍ କମ୍ ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି । ତେଣୁ ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି। ତେବେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସଠିକ୍ ଲାଭ ନ ମିଳିବା ଏବଂ ବିଶେଷ ଭାବରେ କୋଭିଡ୍ -୧୯ ଯୋଗୁ ପ୍ରଭାବିତ ସମୟରେ ଯେତେବେଳେ ସରକାରୀ ସହୟତା ଚାଷୀଙ୍କୁ ଦରକାର ଥିଲା ସେହି ସମୟରେ ଚାଷୀଙ୍କୁ ପିଏମ କିଷାନ ଟଙ୍କାରୁ ବଞ୍ଚିତ କରିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

%d bloggers like this: