ଗୋଟିଏ ଗୁଳିରେ ଦୁଇଟି ଶିକାର !

ପ୍ରିଜମ୍ ନ୍ୟୁଜ୍(ସଂପାଦକୀୟ): ଅଗଷ୍ଟ ୫। ଏହି ଦିନଟି ଗତବର୍ଷ ଏବଂ ଏବର୍ଷ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ଏହି ଦିନରେ ଗତବର୍ଷ ବି ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ରାଜନୈତିକ ପରିବର୍ତ୍ତନ ଏଥିପାଇଁ କୁହାଯାଉଛି ଯେ, ୨୦୧୯ ମସିହା ଅଗଷ୍ଟ ମାସ ୫ ତାରିଖରେ ଜମ୍ମୁ କାଶ୍ମୀରକୁ ମିଳିଥିଲା ଏକ ନୂଆ ପରିଚୟ। ସବୁ ବନ୍ଧନରୁ ମୁକ୍ତ ହୋଇଥିଲା ଭାରତର ଭୂ-ସ୍ୱର୍ଗ। ଧାରା ୩୭୦ ଉଚ୍ଛେଦ କରି ଇତିହାସ ରଚିଥିଲେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସରକାର। ଆଉ ଏ ବର୍ଷ ଠିକ୍ ଧାରା ୩୭୦ ଉଚ୍ଛେଦର ଏକ ବର୍ଷ ପୂର୍ତ୍ତି ଅବସରରେ ଦେଖିବାକୁ ମିଳିଛି ଆଉ ଏକ ରାଜନୈତିକ ପରିବର୍ତ୍ତନ। ବୁଧବାର ସନ୍ଧ୍ୟାରେ ଉପ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ। ଦେଶର ପରବର୍ତ୍ତୀ ସିଏଜି ମଧ୍ୟ ସିଏ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଗୁରୁବାର ସକାଳେ ଖବର ଆସିଲା ଯେ, ପୂର୍ବତନ ରେଳମନ୍ତ୍ରୀ ମନୋଜ ସିହ୍ନା ମୁର୍ମୁଙ୍କ ସ୍ଥାନରେ ଜମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ହେବେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଓଡ଼ିଆ ପୁଅ ଜିସି ମୁର୍ମୁଙ୍କ ଇସ୍ତଫା ଏବଂ ସିଏଜି ହେବା ମଧ୍ୟରେ କ’ଣ ସମ୍ପର୍କ ଅଛି ? ମୋଦିଙ୍କ ସହ ପୂର୍ବରୁ କାମ କରିଥିବା ଏହି ଗୁଜୁରାଟ କ୍ୟାଡର୍ ଆଇଏଏସ୍ ଅଫିସରଙ୍କୁ ଦେଶର ପରବର୍ତ୍ତୀ ସିଏଜି କରିବା ପଛରେ କେବଳ ପଦୋନ୍ନତି ଅଛି ନା ଏହା ପଛରେ କିଛି ଗହନ ରହସ୍ୟ ଅଛି ?

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପଛରେ ଅମିତ ଶାହ ଓ ମୋଦିଙ୍କ ଯେତିକି ଅବଦାନ ରହିଛି, ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ମଧ୍ୟ କିଛି କମ୍ ଅବଦାନ ନାହିଁ। ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ସତ୍ୟପାଲ ଯେଉଁଭଳି ଭାବେ କେନ୍ଦ୍ର ସରକାରଙ୍କୁ ପ୍ରତିଟି ଅପଡେଟ୍ ଦେଉଥିଲେ, ତାହା କାହାକୁ ଅଛପା ନାହିଁ। ଜଣେ ରାଜ୍ୟପାଳ ପଦରେ ଅଭିସିକ୍ତ ହୋଇ ବି ସତ୍ୟପାଲ ମଲ୍ଲିକ ରାଜନୈତିକ ଦାୟିତ୍ୱ ଯେତିକି ନିଭାଇବା କଥା, ତାକୁ ସୁଚାରୁ ରୂପେ ସମ୍ଭାଳିଥିଲେ। ଧାରା ୩୭୦ ଉଚ୍ଛେଦ ହେବା ପରେ ତାଙ୍କୁ ଗୋଆ ପଠାଇ ଦିଆଗଲା ଏବଂ ନୂଆ କରି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା ହୋଇଥିବା ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡ଼ିଆ ପୁଅ ଜିସି ମୁର୍ମୁଙ୍କୁ ଦାୟିତ୍ୱ ଦିଆଗଲା। କିନ୍ତୁ, ଏଇ ଗୋଟିଏ ବର୍ଷ ଭିତରେ କ’ଣ ମୁର୍ମୁ ଉଭୟ ମୋଦି ଓ ଅମିତ ଶାହଙ୍କୁ ସନ୍ତୁଷ୍ଟ କରିବାରେ ଅସଫଳ ହେଲେ କି ? ସୂତ୍ର ଅନୁସାରେ, ସିଏ କୁଆଡ଼େ ସନ୍ତୋଷଜନକ ଖବର ଦେଇ ପାରୁ ନ ଥିଲେ। ସେହିପରି କେତେକ ପ୍ରସଙ୍ଗରେ ଭ୍ୟାଲିର ଟପ୍ ବ୍ୟୁରୋକ୍ରାଟ୍ ଏବଂ ପୂର୍ବତନ ଉପ ରାଜ୍ୟପାଳ ଜିସି ମୁର୍ମୁଙ୍କ ମଧ୍ୟରେ ତାଳମେଳ ଖାଉ ନ ଥିଲା। ଧାରା ୩୭୦ ଉଚ୍ଛେଦ ହେବାର ଏକ ବର୍ଷ ପରେ ଯେମିତି ରିପୋର୍ଟ ଦେବା କଥା, ମୁର୍ମୁ କୁଆଡ଼େ ଦେଇ ପାରୁ ନ ଥିଲେ। ସେହିପରି ଜମ୍ମୁ କାଶ୍ମୀରର ପୁନର୍ଜନ୍ମ ହେବା ପରେ ସେଠାରେ ଏବେ ରାଜନୈତିକ ବାତାବରଣ ଅଧିକ ମାତ୍ରାରେ ଆବଶ୍ୟକ। ସୀମା ସେପଟୁ ଜମ୍ମୁ କାଶ୍ମୀରକୁ ନେଇ ଯେଉଁଭଳି ଭାବେ ବୟାନବାଜି ଆସୁଛି, କାଶ୍ମୀର ମାଟିରୁ ସେହିପରି ଭାବେ ଜବାବ ମଧ୍ୟ ଦିଆଯିବା ଆବଶ୍ୟକ। କିନ୍ତୁ, ମୁର୍ମୁ ଏସବୁ ଦେବାରେ ବିଫଳ ଥିଲେ ବୋଲି ଚର୍ଚ୍ଚା ହେଉଛି। ମନୋଜ ସିହ୍ନା ଜଣେ ବିଚକ୍ଷଣ ରାଜନେତା ଭାବେ ପରିଚିତ। ତେଣୁ, ତାଙ୍କୁ ଦଳ ଏଠାରେ ଅଭିସିକ୍ତ କରି ସୀମା ସେପଟର ରାଜନୈତିକ ବୟାନବାଜିକୁ ଉପଯୁକ୍ତ ଚେକ୍ ଦେବାକୁ ଚେଷ୍ଟା କରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଖାସ୍ ସେଥିପାଇଁ ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳ ଭାବେ ପଠାଯାଇଛି।

ସେହିପରି 4-ଜି ଏବଂ ନିର୍ବାଚନୀ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଯୋଗୁ ମୁର୍ମୁଙ୍କୁ ଏହି ପଦ ହରାଇବାକୁ ପଡ଼ିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ସବୁ କାର୍ଯ୍ୟକ୍ରମ ବାତିଲ କରି ମୁର୍ମୁ ଜମ୍ମୁ ପଳାଇଥିଲେ। ଅନ୍ୟପଟେ ମାତ୍ର ୯ ମାସର କାର୍ୟ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ ମୁର୍ମୁ। ଜମ୍ମୁ କାଶ୍ମୀରରେ ବିଭିନ୍ନ ରାଜନୈତିକ ନେତାଙ୍କୁ ଗୃହବନ୍ଦୀ, ରାଜ୍ୟରେ 4-ଜି ଇଣ୍ଟରନେଟ ସେବା ପାଇଁ ସ୍ପେଶାଲ ଷ୍ଟାଟସକୁ ଉଠାଇ ଦେବା ନେଇ ରାଜ୍ୟପାଳଙ୍କ ଉପରେ ରାଜ୍ୟବାସୀ ଅସନ୍ତୁଷ୍ଟ ଥିଲେ। ଏପରିକି ଏହି ଘଟଣାକୁ ନେଇ ମଧ୍ୟ ଆପେକ୍ସ କୋର୍ଟରେ ମାମଲା ହୋଇଥିଲା। କିଛି ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ପ୍ରଭାବିତ ହେବା ଆଶଙ୍କାରେ କେନ୍ଦ୍ର ସରକାର ତାଙ୍କୁ ପଦରୁ ହଟାଇଦେଇଥିବା ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଜିସି ମୁର୍ମୁ ତାଙ୍କର ମୁଖ୍ୟ ସଚିବ ଥିଲେ। ତେଣୁ, ମୋଦିଙ୍କ ପସନ୍ଦିଆ ଅମଲା ଭାବେ ମୁର୍ମୁ ବେଶ୍ ପରିଚିତ। ମୋଦି ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କୁ ଦିଲ୍ଲୀ ଦରବାରକୁ ଅଣା ଯାଇଥିଲା। ଦିଲ୍ଲୀରେ ମୁର୍ମୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ସେଥିପାଇଁ କାର୍ଯ୍ୟକାଳ ସରିବା ପୂର୍ବରୁ ସତ୍ୟପାଲଙ୍କୁ ଗୋଆ ପଠାଇ ମୁର୍ମୁଙ୍କୁ ଜମ୍ମୁ କାଶ୍ମୀର ଲଲିପପ୍ ଦେଇଥିଲେ ସରକାର। ଯେହେତୁ ମୋଦିଙ୍କ ପ୍ରିୟ ଅମଲା ଭାବେ ମୁର୍ମୁ ପରିଚିତ, ତେଣୁ ତାଙ୍କୁ ପଦବୀରୁ ହଟାଇ ଦେବା ସମ୍ଭବ ନ ଥିଲା। ଅନ୍ୟପଟେ ଦେଶର ସିଏଜି ଭାବେ ଅବସର ନେବାକୁ ଯାଉଛନ୍ତି ରାଜୀବ ମହର୍ଷି। ତେଣୁ, ତାଙ୍କ ପରେ ମୁର୍ମୁଙ୍କୁ ସିଏଜି ଦାୟିତ୍ୱ ଦେଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ମୋଦି ସରକାର। ଟାସ୍କ ମାଷ୍ଟର ଭାବେ ଜଣାଶୁଣା ମନୋଜ ସିହ୍ନା ଚଟାପଟ୍ ନଷ୍ପତ୍ତି ନେବାରେ ମାହିର। ଏହାସହ ଜଣେ ଦକ୍ଷ ଅଫିସର ଭାବେ ସେ ଯେତିକି ଜଣାଶୁଣା ଜନତାଙ୍କ ଆସ୍ଥା ଭାଜନ ହେବାରେ ସେତିକି ସଫଳ ରାଜନେତା। ମୋଦି ସରକାରଙ୍କ ପ୍ରଥମ ପାଳିରେ ସିହ୍ନା ଥିଲେ କେନ୍ଦ୍ର ରାଷ୍ଟ୍ର ଯୋଗାଯୋଗ ଏବଂ କେନ୍ଦ୍ର ରାଷ୍ଟ୍ର ରେଳ ମନ୍ତ୍ରୀ। ମାତ୍ର, ୨୦୧୯ ନିର୍ବାଚନରେ ସେ ନିଜର ଗାଜିପୁର ଆସନରୁ ନିର୍ବାଚନ ହାରିଥିଲେ। ତେବେ ୨୦୧୬ ମସିହା ଜୁଲାଇ ପ୍ରଥମ ସପ୍ତାହରେ ସେ ଯେତେବେଳେ ଟେଲିକମ୍ ମନ୍ତ୍ରୀ ଥିଲେ, ସେତେବେଳେ ତାଙ୍କ ନିକଟରେ ମୋଦି ସରକାର ଏକ ବଡ଼ ଟାର୍ଗେଟ୍ ଦେଇଥିଲେ। ୨୦୧୭ ଡିସେମ୍ୱର ସୁଦ୍ଧା ‘ଭାରତ ନେଟ୍’ ଅଧୀନରେ ଦେଶର ୧ ଲକ୍ଷ ଗାଁକୁ ବ୍ରୋଡବ୍ୟାଣ୍ଡ କନେକ୍ସନ ଯୋଗାଇ ଦେବାକୁ ତାଙ୍କୁ ଟାର୍ଗେଟ୍ ଦିଆଯାଇଥିଲା। ୨୦୧୪ରୁ ଅଧୁରା ରହିଥିବା ଏହି କାର୍ଯ୍ୟକୁ ସିହ୍ନା ଅତି ଚତୁରତାର ସହ ଏବଂ ଚଟାପଟ୍ ସଫଳ କରିଥିଲେ ବୋଲି ଚର୍ଚ୍ଚା ହୁଏ। ସେହିପରି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଥିବା ସମୟରେ ମନୋଜ ସିହ୍ନା ଉତ୍ତର ପ୍ରଦେଶ ଓ ବିହାର ରେଳ ପ୍ରକଳ୍ପର ଭାର ସୁଚାରୁ ରୂପେ ନିଭାଇଥିଲେ। ଛାତ୍ର ଜୀବନରୁ ବିଜେପିର ଛାତ୍ର ସଂଘ ଏବିଭିପି ସହ ସଂଶ୍ଲିଷ୍ଟ ଥିବା ମନୋଜ ସିହ୍ନା ହେଉଛନ୍ତି ବିଜେପି ଏବଂ ଆରଏସ୍ଏସର ଜଣେ ଆଗ ଧାଡ଼ିର ସଦସ୍ୟ। ତେଣୁ, ତାଙ୍କୁ ବିଜେପି ଅଣଦେଖା କରି ପାରିବ ନାହିଁ। ୨୦୧୯ ନିର୍ବାଚନ ହାରିବା ପରେ ସିହ୍ନାଙ୍କୁ କେଉଁଠି ଥଇଥାନ କରିବ ବୋଲି ବିଜେପି ଚିନ୍ତା କରୁଥିଲା। ଏବେ ମଉକା ଆସିଥିବାରୁ ଏବଂ ମୁର୍ମୁଙ୍କ ଅସଫଳ ରାଜନୀତି ଯୋଗୁ ମନୋଜ ସିହ୍ନାଙ୍କୁ ପୁଣି ଥରେ ଦଳ ବଡ଼ ଦାୟିତ୍ୱ ଦେଇଛି ବୋଲି ଚର୍ଚ୍ଚା ହେଉଛି। ତେଣୁ, ମୁର୍ମୁଙ୍କୁ ବି ମୋଦି ସରକାର ଅସନ୍ତୁଷ୍ଟ କରିବେନି କି ମନୋଜ ସିହ୍ନାଙ୍କୁ ଥଇଥାନ କରିବାର ଚିନ୍ତା ଆଉ ରହିବ ନାହିଁ। କହିବାକୁ ଗଲେ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ସରକାର ।

Leave a Reply

Your email address will not be published.