ମାଇନିଂରେ ଭଷ୍ଟାଚାର ନୁହେଁ ଓଡ଼ିଶାର ବିଗେଷ୍ଟ ସ୍କାମ୍ ହୋଇଛି : ଅପରାଜିତା ଷଡ଼ଙ୍ଗୀ

ମାଇନିଂରେ ଭଷ୍ଟାଚାର ନୁହେଁ ଓଡ଼ିଶାର ବିଗେଷ୍ଟ ସ୍କାମ୍ ହୋଇଛି : ଅପରାଜିତା ଷଡ଼ଙ୍ଗୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ରାଜ୍ୟରେ ହେଉଥିବା ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାଇଭେଟ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ କେଉଁ ପ୍ରକାର ଅନୈତିକ ବୁଝାମଣା ହୋଇଛି ସେ ନେଇ ରାଜ୍ୟ ସରକାର ଉତ୍ତର ଦିଅନ୍ତୁ । ଶାହା କମିଶନର ସୁପାରିଶ ପରେ ବି ଚୁପ ରହିଲେ ସରକାର ବୋଲି ଭୁବନେଶ୍ଵର ସାଂସଦ କହିଛନ୍ତି ।

୨୦୨୦ ମସିହା ମାର୍ଚ୍ଚ ୩୧ରେ ରେନିଲାମ ହୋଇଥିବା ୨୦ଟି ଖଣିରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ସେ ଆଣିଛନ୍ତି । ୧୯-୨୦ରେ ଯେଉଁ ମାନର ଲୁହା ପଥର ଉତ୍ପାଦନ ହେଉଥିଲା ନିଲାମ ହେବା ପରେ ୨୦-୨୧ରେ ଜାଣିଶୁଣି ମାନ ଖସାଇ ଦିଆଗଲା । ଉଚ୍ଚ ମାନର ଲୁହା ପଥରକୁ ନିମ୍ନ ମାନର ଲୁହା ପଥରରେ ପରିଣତ କରି ରପ୍ତାନୀ କରାଗଲା । ଯାହାଦ୍ୱାରା ବ୍ୟାପକ କ୍ଷତି ହେବା ସହ ରାଜ୍ୟ ରାଜକୋଷକୁ ମଧ୍ୟ ରାଜସ୍ୱ ଆସିଲା ନାହିଁ । ୬ଟି ଖଣିରେ ଏହିଭଳି ନିମ୍ନମାନର ଲୁହାପଥର ଉତ୍ପାଦନ କରାଯାଉଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।

ଜୋରିମାନା ବାବଦରେ ୧ ଲକ୍ଷ ଟନରେ ୪୧ କୋଟି ଏବଂ ୧୦ ଲକ୍ଷ ଟନରେ ୪୧୪ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସେ ଦର୍ଶାଇଛନ୍ତି । ଲମ୍ପ୍ସ କ୍ଷେତ୍ରରେ ଲକ୍ଷ ଟନରେ ୬୨ କୋଟି ଏବଂ ୧୦ ଲକ୍ଷ ଟନରେ ୬୨୬ କୋଟି କ୍ଷତି ହୋଇଛି । ଏହ ଛଡ଼ା ଅନ୍ୟ ଦେଶକୁ ନିମ୍ନମାନର ଲୁହା ପଥର ରପ୍ତାନୀ ଯୋଗୁଁ ଏକ୍ସପର୍ଟ ଡ୍ୟୁଟି ମଧ୍ୟ କମିଗଲା । ଯାହାକି ଖଣି ମଲିକ ମାନଙ୍କୁ ସୁହାଇଲା । ଏହାସହ ଡିଏମଏଫ ଫଣ୍ଡରେ ମଧ୍ୟ ଯେତେ ଟଙ୍କା ଆଦାୟ ହୋଇଛି ତାହା ଖର୍ଚ୍ଚ ନହୋଇ ପଡ଼ି ରହିଛି । ଏଥିରେ ସ୍ୱଚ୍ଛତାକୁ ନେଇ ମଧ୍ଯ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ନିମ୍ନ ମାନର ଖଣି ଉତ୍ପାଦନ ହେବା ଦ୍ୱାରା ହାରାହାରି ବିକ୍ରୟ ମୂଲ୍ୟ କମିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ କମ ପ୍ରିମିୟମ ଦେବାକୁ ପଡ଼ିଲା । ଏବଂ ଉତ୍ପାଦିତ ହୋଇଥିବା ଲୁହା ପଥର ଉପରେ ୩୦ ପ୍ରତିଶତ ଏକ୍ସପର୍ଟ ଡ୍ୟୁଟି ଦେବା ପାଇଁ ପଡ଼ିଲା ନାହିଁ । ଡିଏମଏଫ ଫଣ୍ଡକୁ ଆସୁଥିବା ଅର୍ଥର ପରିମାଣ ମଧ୍ୟ କମିଗଲା ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: