ଶରଦ ପାୱାରଙ୍କୁ ଭେଟିବେ ନବୀନ !

ଶରଦ ପାୱାରଙ୍କୁ ଭେଟିବେ ନବୀନ !

ପ୍ରିଜମ ନ୍ୟୁଜ ବ୍ୟୁରୋ(EXCLUSIVE) : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ଛାଡି଼ ସାରିଛନ୍ତି। ନୀତୀଶ ନିକଟରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସହମତି କ୍ରମେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ନୀତୀଶ ଓମ୍‌ ପ୍ରକାଶ ଚୌତାଲା, ଶରଦ ପାୱାର, କୁମାରସ୍ବାମୀ, ରାହୁଲ ଗାନ୍ଧି, ଅରବିନ୍ଦ କେଜ୍ରିୱାଲ ଏବଂ ସୀତାରାମ ୟେଚୁରୀ ପ୍ରମୁଖ ନେତାଙ୍କୁ ସାକ୍ଷାତ କରିଥିଲେ। ଏଯାଏଁ ଭାରତୀୟ ରାଜନୀତି ଦୃଶ୍ୟପଟରେ ତିନି ରାଜନେତା ନିଜର ୨୦୨୪ ରଣନୀତି ସ୍ପଷ୍ଟ କରିନାହାନ୍ତି। ସେମାନେ ହେଉଛନ୍ତି ବିଏସପି ମୁଖ୍ୟ ମାୟାବତୀ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏବଂ ଓଡି଼ଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ନବୀନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଗସ୍ତ ବୋଲି ଚର୍ଚ୍ଚା ହେଉଛି। ଏହି ସମୟରେ ନବୀନ ଏନସିପି ନେତା ଶରଦ ପାୱାରଙ୍କୁ ଭେଟିପାରନ୍ତି। ଆସନ୍ତା ୧୪ ତାରିଖରେ ମୁମ୍ବାଇରେ ଓଡି଼ଶା ଇନଭେଷ୍ଟର୍ସ ମିଟ୍ ଆୟୋଜନ ହେଉଛି। ୧୩ ତାରିଖ ରାତି କିମ୍ବା ୧୫ ତାରିଖ ପୂର୍ବାହ୍ନରେ ନବୀନ ଶରଦ ପାୱାରଙ୍କୁ ଭେଟିପାରନ୍ତି ।

ଯଦି ଏପରି ହୁଏ, ତେବେ ନୀତୀଶ ଓ କେସିଆରଙ୍କ ଆଗାମୀ ଓଡି଼ଶା ଗସ୍ତ ଆହୁରି ରୋଚକ ହୋଇଯିବ। ୨୦୦୯ରେ ଶରଦ ପାୱାର ୟୁପିଏର ଅଂଶ ହୋଇ ମଧ୍ୟ ଓଡି଼ଶାରେ ନବୀନଙ୍କ ସହ ମେଣ୍ଟ କରିଥିଲେ। କିଛି ମାସ ପୂର୍ବେ ନବୀନ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଂସଦ ଭବନରେ ଶରଦଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ଭେଟିଥିଲେ। ଦୁଇ ଦିନ ତଳେ ଓଡି଼ଶା ଏନସିପି ସଭାପତି ବିକ୍ରମ ସ୍ବାଇଁ ଶରଦ ପାୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଭେଟିଛନ୍ତି।

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପାଗ ଭିଡ଼ାଭିଡ଼ି ଆରମ୍ଭ ହେଲାଣି। ଏହାରି ଭିତରେ ଏନଡିଏ ସରକାର ବିରୋଧରେ ମଧ୍ୟ ବିରୋଧୀ ମେଳି କରିବା ଆରମ୍ଭ କଲେଣି । କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆଳରେ ୨୦୨୪ ପାଇଁ ସମରସଜା କରୁଛି । ଏହାରି ଭିତରେ ନୀତୀଶ କୁମାରଙ୍କ ପାନ୍ ଇଣ୍ଡିଆ ମୁଭମେଣ୍ଟ ରାଜନୈତିକ କରିଡରରେ ହଟଚମଟ ପ୍ରସଙ୍ଗ ପାଲଟିଛି। ତେବେ ୨୦୨୪ ରାଜନୀତି ଝୁଲା ସଂସଦ ଆଡ଼କୁ ଯିବାର ସମ୍ଭାବନା ଅଛି। ଏହି ପରିପ୍ରେକ୍ଷୀରେ ନବୀନ ନିଜର ଲୋକସଭା ଆସନ ବୃଦ୍ଧି କରି ବିଜେପିକୁ ହ୍ରାସ କରିବାକୁ ଚେଷ୍ଟା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: