ଓଡ଼ିଶା ସରକାରଙ୍କ ଜିନ୍ଦଲ କମ୍ପାନୀ ପ୍ରୀତି ଢିଙ୍କିଆରେ ପୋଲିସ ଆତଙ୍କରାଜକୁ ପ୍ରୋତ୍ସାହିତ କରୁଛି

ଓଡ଼ିଶା ସରକାରଙ୍କ ଜିନ୍ଦଲ କମ୍ପାନୀ ପ୍ରୀତି ଢିଙ୍କିଆରେ ପୋଲିସ ଆତଙ୍କରାଜକୁ ପ୍ରୋତ୍ସାହିତ କରୁଛି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଧାନ-ପାନ-ମୀନର ଭୁଇଁ ଢିଙ୍କିଆ ଚାରିଦେଶରେ କର୍ପୋରେଟ ତଥା ଜିନ୍ଦଲ ଷ୍ଟିଲ କମ୍ପାନୀ ସ୍ଵାର୍ଥରେ ପୋଲିସ ଆତଙ୍କରାଜ ଜରିଆରେ ସରକାର ସାଧାରଣ ଲୋକଙ୍କ ଜୀବନ-ଜୀବିକା ତଥା ଭାତ ହାଣ୍ଡିକୁ ଧ୍ଵଂସ କରିବାର ସମସ୍ତ ପ୍ରକ୍ରିୟା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ସମସ୍ତ ନୀତି-ନିୟମକୁ ଉଲଂଘନ କରାଯାଇ ଜେ.ଏସ.ଡବ୍ଲ୍ୟୁ ପାଇଁ ପରିବେଶ ମଞ୍ଜୁର କରିବା ସହିତ ଢିଙ୍କିଆରେ ପୋଲିସ ଆତଙ୍କରାଜ ଓ ଗିରଫଦାରୀ ବଢିଚାଲିଛି ବୋଲି ଭୁବନେଶ୍ଵରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।


ଅଦ୍ୟାବଧି ଢିଙ୍କିଆରେ ଜିନ୍ଦଲ ବିରୋଧୀ ଜନ ଆନ୍ଦୋଳନର ପ୍ରମୁଖ ନେତା ଦେବେନ୍ଦ୍ର ସ୍ଵାଇଁଙ୍କୁ ୨୬ରୁ ଊର୍ଦ୍ଧ୍ଵ ମିଛ ମକଦ୍ଦମାରେ ସଂଶ୍ଳିଷ୍ଟ କରାଯାଇ ଜେଲ ହାଜତରେ ରଖାଯାଇଥିବା ବେଳେ ତାଙ୍କୁ ଗତ ମାର୍ଚ୍ଚ ୩ ତାରିଖରୁ ଫୋନ ଯୋଗେ ନିଜ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିବା ଓ ସାକ୍ଷାତରୁ ବଞ୍ଚିତ କରାଯାଇ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଏପରିସ୍ଥଳେ ଦେବେନ୍ଦ୍ର ସ୍ଵାଇଁଙ୍କ ନାମରେ ଜେଲ ଭିତରୁ ସରକାରୀ ଓକିଲଙ୍କୁ ଧମକ ଭଳି ମିଛ ଓ ସଙ୍ଗିନ ମାମଲା ଲଗାଇ ତାଙ୍କ ଜାମିନ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଜିଲ୍ଲା ଏସ.ପି ଙ୍କ ନିର୍ଦ୍ଦେଶରେ ଷଢଯନ୍ତ୍ର ଚାଲିଛି ବୋଲି ନେତୃବୃନ୍ଦ ଆରୋପ କରିଛନ୍ତି । ସମ୍ବଲପୁର ହାଜତ ମୃତ୍ୟୁ, ପୁରୀ ବାସେଳିସାହି ହାଜତମୃତ୍ୟୁ ଘଟଣାଭଳି କଳା କାରାନାମାର ପୃଷ୍ଠଭୂମିରେ ଥିବା ଏସ.ପି ଅଖିଳେଶ୍ଵର ସିଂହ ଜିନ୍ଦଲ କମ୍ପାନୀର ଏଜେଣ୍ଟ ସାଜିଥିବା ବେଳେ ବାସେଳିସାହି ହାଜତମୃତ୍ୟୁ ଘଟଣାର ଅନ୍ୟତମ ଖଳନାୟକ ଆଇ.ଆଇ.ସି ଜୀବନାନନ୍ଦ ଜେନା ଜିନ୍ଦଲ କମ୍ପାନୀର ସରକାରୀ ଗୁଣ୍ଡା ସାଜି ଢିଙ୍କିଆ ଚାରିଦେଶରେ ଆତଙ୍କ ଚଳାଇଛନ୍ତି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଗତ ଜାନୁୟାରୀ ୧୪ ତାରିଖରେ ଢିଙ୍କିଆର ଶାନ୍ତିପୂର୍ଣ ଶୋଭାଯାତ୍ରା ଉପରେ ଅମାନବିକ ଭାବରେ ନିର୍ମମ ଲାଠିଚାଳନାକୁ ଦେଶବ୍ୟାପୀ ନିନ୍ଦା କରାଯିବା ପରେ ମଧ୍ୟ ଦିନକୁ ଦିନ ସେ ଅଞ୍ଚଳରେ ପୋଲିସ ନିର୍ଯ୍ୟାତନା ଓ ମିଥ୍ୟା ଗିରଫଦାରୀ ବଢିଚାଲିଛି ।


ଆଜି ଭୁବନେଶ୍ଵର ଲୋହିଆ ଏକାଡେମୀ ସଭାଗୃହରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶିଷ୍ଠ ପରିବେଶବିତ-ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା, ଜିନ୍ଦଲ ବିରୋଧୀ ଜନ ଆନ୍ଦୋଳନର ମୁଖପାତ୍ର ପ୍ରଶାନ୍ତ ପାଇକରାୟ ଓ ଇନସାଫ ତଥା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଢିଙ୍କିଆରେ ପୋଲିସ ଆତଙ୍କରାଜ ଓ ଗିରଫଦାରୀ ବଢିଚାଲିଛି ବୋଲି ଭୁବନେଶ୍ଵରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି


ଗତ ୨୦ ଡିସେମ୍ବରରେ ପକ୍ଷଘାତ ରୋଗରେ ପୀଡିତ ଦେବେନ୍ଦ୍ରଙ୍କ ଦାଦା ଅଯୋଧ୍ୟା ସ୍ଵାଇଁ ଓ ତାଙ୍କ ଝିଅ ଝିଲିରାଣୀ ସ୍ଵାଇଁଙ୍କୁ ଗିରଫ ପରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରିୟା ଦେଖି ସେମାନଙ୍କୁ ରାତିରେ ଛାଡି ଦିଆ ଯାଇଥିଲା, କିନ୍ତୁ ପୁଣି ଗତ ୧୪ ଅପ୍ରେଲରେ ତାଙ୍କୁ ପୋଲିସ ଘରୁ ଉଠାଇ ନେଇଛି । କେବଳ ଅଯୋଧ୍ୟା ସ୍ଵାଇଁ ନୁହଁନ୍ତି, ପୋଲିସ ନିର୍ଯାତନା ଓ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ପ୍ରତି ପରିବାର ଓ ବ୍ୟକ୍ତି ଆଜି ପୋଲିସ ଆତଙ୍କ,ନିର୍ଯ୍ୟାତନା ଓ ଗିରଫଦାରୀର ଶିକାର ହୋଇଛନ୍ତି । ଆନ୍ଦୋଳନର ଯୁବ ସଂଗଠକ ମାନସ ବର୍ଦ୍ଧନ,ନାରୀ ନେତ୍ରୀ ଶାନ୍ତି ଦାସଙ୍କ ପୁଅ ନୂତନ ଦାସଙ୍କ ସମେତ ଅନେକଙ୍କୁ ଇତି ମଧ୍ୟରେ ଗିରଫ କରାଯାଇଛି । ବିଶେଷ କରି ଗତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ତଥା ଜିନ୍ଦଲ କମ୍ପାନୀର ସମର୍ଥିତ ପ୍ରାର୍ଥୀ ମାନଙ୍କ ଶୋଚନୀୟ ପରାଜୟ ପରେ ପୋଲିସ-ପ୍ରଶାସନ ଧମକ-ଚମକ ଓ ଗିରଫଦାରୀ ରାସ୍ତାକୁ ଆପଣେଇଛନ୍ତି ।


ଏହି ପରିପ୍ରେକ୍ଷୀରେ ଅବିଳମ୍ବେ ଦେବେନ୍ଦ୍ର ସ୍ଵାଇଁଙ୍କ ସମେତ ଗିରଫ ହୋଇ ଜେଲରେ ଥିବା ସମସ୍ତ ଗ୍ରାମବାସୀଙ୍କୁ ଅବିଳମ୍ବେ ନିଃସର୍ତ୍ତରେ ଖଲାସ କରିବା, ନିଜ ଜୀବନ-ଜୀବିକା ତଥା ପରିବେଶର ସୁରକ୍ଷା ପାଇଁ ଲଢୁଥିବା ଆନ୍ଦୋଳନକାରୀ ମାନଙ୍କ ଉପରୁ ସମସ୍ତ ମିଛ ମକଦ୍ଦମା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି । ସେହିପରି ଢିଙ୍କିଆ ଅଞ୍ଚଳରୁ ପୋଲିସ କ୍ୟାମ୍ପ ହଟାଇବା ସହ ସେଠାରେ ଗଣତାନ୍ତ୍ରିକ ପରିବେଶ ଓ ଶାନ୍ତି ପ୍ରତିଷ୍ଠା ପାଇଁ ବିକାଶ ନାମରେ ବିନାଶକାରୀ ତଥା ଜୀବନ-ଜୀବିକା ଓ ପରିବେଶ ଧ୍ଵଂସକାରୀ ଜିନ୍ଦଲ ଷ୍ଟିଲ ପ୍ରକଳ୍ପର ପରିବେଶ ମଞ୍ଜୁର ତଥା ପ୍ରକଳ୍ପ ବାତିଲ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: