
ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରଦ୍ଧାଳୁମାନେ ମାଆ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଆଜି ଅନେକ ଲୋକ ବିବାହ, ବ୍ରତ, ନୂତନ କାର୍ଯ୍ୟ ଆଦି ଆରମ୍ଭ କରୁଥିବା ବେଳେ ଅନେକ ସୁନା ମଧ୍ୟ କିଣିଥାନ୍ତି । ଏଥିସହ ଆଜିର ଦିନରେ କିଛି ବିଶେଷ ଜିନିଷ ଦାନ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ କରାଯାଏ । କିନ୍ତୁ କରୋନା ଭାଇରସ୍ ଦ୍ବିତୀୟ ଲହର ଯୋଗୁଁ ଲାଗୁ ହୋଇଛି ଲକଡାଉନ୍ । ତେଣୁ ବାହାରକୁ ଯିବା ନିରାପଦ ନୁହେଁ। ଏଭଳି ପରିସ୍ଥିତିରେ ଘରେ ରହି ସମସ୍ତ ନିୟମ ପାଳନ କରି ଅକ୍ଷୟ ତୃତୀୟା ପୂଜା କରନ୍ତୁ । ଆସନ୍ତୁ ଜାଣିବା ଏହି ଦିନରେ କେଉଁ କାମ କଲେ ଯଶ, ଧନ, ସମୃଦ୍ଧି ପ୍ରାପ୍ତ ହୁଏ ଏବଂ କେଉଁ ଜିନିଷ ଦାନ କଲେ ଅଧିକ ଲାଭ ମିଳିଥାଏ।
ଅକ୍ଷୟ ତୃତୀୟା ଦିନ ଏହି ସବୁ କାର୍ଯ୍ୟ କରିବା ଜରୁରୀ: ଧାର୍ମିକ ଶାସ୍ତ୍ରରେ ଅକ୍ଷୟ ତୃତୀୟା ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୁଏ ବୋଲି କୁହାଯାଏ। ଆଜିର ଦିନରେ ଗହମ, ଚଣା, ଦହି, ଚାଉଳ, ଫଳ ଏବଂ ଶସ୍ୟ ଦାନ କରିବା ଉଚିତ୍ । ପିତୃପୁରୁଷଙ୍କ କୃପା ଓ ଆଶୀର୍ବାଦ ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ |
ଜଳ ଦାନ: ଅକ୍ଷୟ ତୃତୀୟା ଦିନ ଜଳ ଦାନ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ସ୍କନ୍ଦ ପୁରାଣ ଅନୁସାରେ ଆଜିର ଦିନରେ ଜଳ ଦାନ କଲେ ମହାପୁଣ୍ୟ ମିଳିଥାଏ । ତେଣୁ ସୁବିଧା ଅନୁସାରେ ଜଳ ଛତ୍ର ଖୋଲନ୍ତୁ ବା ବୁଲା ଜୀବ ଜନ୍ତୁଙ୍କୁ ଜଳ ଦାନ କରନ୍ତୁ।
ପାଦୁକାଙ୍କ ଦାନ: ବୈଶାଖ ମାସରେ ଅକ୍ଷୟ ତୃତୀୟା ପଡୁଥିବାରୁ ପ୍ରଚଣ୍ଡ ଖରା ହେଉଥାଏ । ତେଣୁ ଏହି ଦିନ ଲୋକଙ୍କୁ ସୂର୍ଯ୍ୟଙ୍କ ଦାଉରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରିବା, ଛତା, ପଙ୍ଖା କିମ୍ବା ଚରଣ ପାଦୁକା ମାନେ ଚପଲ ଦାନ କଲେ ଉତ୍ତମ ଫଳ ମିଳିଥାଏ । ଲକଡାଉନ୍ ଚାଲିଥିବାରୁ ଆପଣ ଯଦି ବାହାରକୁ ଯାଇପାରୁନାହାନ୍ତି , ତାହାଲେ ଅନଲାଇନରେ ମଧ୍ୟ ଦାନଧର୍ମ କରିପାରିବେ ।