କଳାକାର କେବେ ମରେନା, ସେ ଚିରକାଳ ପାଇଁ ‘ବିଜୟ’

କଳାକାର କେବେ ମରେନା, ସେ ଚିରକାଳ ପାଇଁ ‘ବିଜୟ’

ପ୍ରିଜମ୍ ନ୍ୟୁଜ୍( ସମ୍ପାଦକୀୟ): ଅଭିଶପ୍ତ ୨୦୨୦ । କୋରୋନା ମହାମାରୀ ଯୋଗୁ ସାରା ବିଶ୍ବ ନିରାଶ ହୋଇପଡ଼ିଥିବାବେଳେ ଗୋଟାକ ପରେ ଗୋଟାଏ ଅଭିନେତା ପରପାରିକୁ ଚାଲିଯାଉଛନ୍ତି। ଓଲିଉଡ ଜଗତକୁ ନିଜ ଜୀବନକୁ ଉତ୍ସର୍ଗ କରି ଶେଷରେ ସବୁ ଲକ୍ଷ୍ମଣରେଖା ଡେଇଁ ଚିଲିକା ତୀରେ ରୁପା ଶଗଡ଼ିରେ ଆରପାରିକୁ ଚାଲି ଯାଇଛନ୍ତି ବାର୍ଷିୟାନ୍ ଅଭିନେତା ବିଜୟ ମହାନ୍ତି। ‘ସମୟ ବଡ଼ ବଳବାନ’ , ‘ଜଗା ହାତରେ ପଘା’, ‘ନାଗଫାଶ’, ‘ଜନନୀ’, ‘କାବେରୀ’, ‘ପର ଝିଅ ଘର ଭାଙ୍ଗେନା’, ‘ଶଙ୍ଖା ସିନ୍ଦୁର’, ‘ମମତା ମାଗେ ମୂଲ’ ଠାରୁ ‘ହାତ ଧରି ଚାଲୁଥା’, ‘ସେଲ୍ଫିସ୍ ଦିଲ’ ପର୍ଯ୍ୟନ୍ତ ଏକ ଲମ୍ବା ସଫର ବିଜୟଙ୍କ ଥିଲା । ବାଘ ଗୁମ୍ଫାରେ ଏ ଛେଳି ଛୁଆଟା କିଏ… ଡାଇଲଗ ଶୁଣି କେତେ ଦର୍ଶକଙ୍କ ଲୋମ ଟାଙ୍କୁରି ଯାଇଛି। ଖଳନାୟକ ଭାବେ ବିଜୟ ମହାନ୍ତି ଓଡ଼ିଆ ସିନେମା ଜଗତରେ ଯେତେ ପ୍ରସିଦ୍ଧ, ନାୟକ ହିସାବରେ ମଧ୍ୟ ସେତିକି ପରିଚିତ । ରବି କିନ୍ନାଗୀଙ୍କ ‘ଭାଇ ହେଲା ଭଗାରୀ’ ଚଳଚ୍ଚିତ୍ରର ବଡ଼ପୁ ତଥା ବଡ଼ଭାଇ ବିଜୁ ହୁଅନ୍ତୁ କି ‘ହାକିମ ବାବୁ’ର ବନୁ ଚରିତ୍ର, ସବୁଥିରେ ତାଙ୍କର ଅଭିନୟର ପରାକାଷ୍ଠା ସ୍ପଷ୍ଟ ବାରି ହୋଇପଡ଼େ । ‘ଲକ୍ଷ୍ମଣରେଖା’ ସିନେମାର ପାଣିଢାଳି ଶୁଦ୍ଧି ହେବା ଦୃଶ୍ୟ ଆଜିବି ପ୍ରତିଟି ଓଡ଼ିଆ ଘରେ ଅହରହ ସ୍ପନ୍ଦିତ ହେଉଥାଏ। ‘ଚିଲିକା ତୀରେ’ ଆଉ ‘ହାକିମ ବାବୁ’ ସିନେମା ପାଇଁ ବିଜୟଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି।

୧୯୭୭ମସିହା ଜାନୁଆରୀ ୧୪ ତାରିଖରେ ‘ଚିଲିକା ତୀରେ’ ଥିଲା ବିଜୟଙ୍କ ପ୍ରଥମ ସିନେମା। ସେହିପରି ତାଙ୍କର ପ୍ରଥମ ରିଲିଜ ସିନେମା ଥିଲା ‘ନାଗଫାଶ’। ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟ ପାଠ ପଢ଼ି ନୂଆକରି ଅଭିନୟରେ ପାଦ ଥାପିଥିବା ବିଜୟ ମହାନ୍ତିଙ୍କ ଜୀବନର ଶେଷାର୍ଦ୍ଧ ପର୍ଯ୍ୟନ୍ତ ଧମନୀରେ ପ୍ରବାହିତ ହେଉଥିଲା ଅଭିନୟ। ‘ହାକିମ ବାବୁ’ର ନିରିହ, ସରଳ ଆଦିବାସୀ, ଗାଉଁଲି ‘ବନୁ’ ଚରିତ୍ର ଦେଖିଲେ ବିଜୟଙ୍କ ଅଭିନୟର ବଳିଷ୍ଠତାକୁ ପରଖି ହୁଏ।

ଜୀବନର ବାସ୍ତବତା ସହିତ ଚରିତ୍ରର ବ୍ୟକ୍ତିତ୍ବକୁ ଏକାକାର କରିବାରେ ବିଜୟଙ୍କ ତୁଳନା ନାହିଁ। ଓଡ଼ିଆ ସିନେମାର ଅନ୍ୟତମ ମହାନାୟକ ଭାବରେ ତାଙ୍କର କୌଣସି ବିକଳ୍ପ ନାହିଁ। ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟର ନାଟ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ ଶହ ଶହ ଅଭିନେତା ଓ ଅଭିନେତ୍ରୀ ତିଆରି କରିବାରେ ବିଜୟଙ୍କ ଥିଲା ଅନେକ ଅବଦାନ। କଳାକାର କେବେ ମରେନି। ନିଜର କଳା ପାଇଁ ସେ ସବୁଦିନ ବଞ୍ଚିରହେ। ଚିରକାଳ ମନେରହେ। ବିଜୟ ମହାନ୍ତି ମରିନାହାନ୍ତି, ସେ ତ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରହିଛନ୍ତି । ପ୍ରତିଟି ଲୋକର ଶିରା ପ୍ରଶିରାରେ ପ୍ରବାହିତ ହେଉଛନ୍ତି । ସେ ବଞ୍ଚିଛନ୍ତି ଚିରକାଳ ‘ବିଜୟ’ ହେଇ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: