ମୁଁ ଚିଠି ଲେଖିଛି ମୋ ନୀଳମଣିକୁ…

ପ୍ରିଜମ୍ ନ୍ୟୁଜ (ସ୍ୱତନ୍ତ୍ର): ଜଗନ୍ନାଥ, ସିଏ ଓଁକାର। ଜଗତର ନାଥ, କୋଟି ବ୍ରହ୍ମାଣ୍ଡର ସ୍ରଷ୍ଟା, ମହାପ୍ରଭୁ ଜଗନ୍ନାଥ। ଭକ୍ତର ଭାବନାକୁ ବୁଝି ପାରୁଥିବା ହଟିଆ ନାଗର। ଭୂତାଣୁ ଆଗେ ସିଏ ଆଜି ବନ୍ଧା। ନା ଭକ୍ତଙ୍କୁ ସେ ଦେଖିପାରୁଛି, ନା ଭକ୍ତ ନିଜର ପ୍ରିୟ ଭଗବାନଙ୍କୁ ମନଭରି ଦର୍ଶନ କରି ପାରୁଛି । ଭକ୍ତ ଓ ଭଗବାନଙ୍କ ମଝିରେ ଆଜି ଠିଆ ହୋଇଛି ଭୂତାଣୁ। ହେ ଈଶ୍ୱର, ତମେ କ’ଣ ସତରେ ପଥର ? ହେ ଈଶ୍ୱର, ତମେ କ’ଣ ସତରେ କେବଳ ଦାରୁ ?

ଦୀର୍ଘ ୯ ମାସ ଧରି ବନ୍ଦ ରହିଛି ଶ୍ରୀମନ୍ଦିର। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଅବଶ୍ୟ ଏବେ କୋରୋନା ସଂକ୍ରମଣ ହ୍ରାସ ହେବାପରେ ସରକାର ମନ୍ଦିର ଖୋଲିବା ନେଇ ଇସାରା ଦେଇଛନ୍ତି। ଆସନ୍ତା ସପ୍ତାହରୁ ହୁଏତ ମନ୍ଦିର ଖୋଲିପାରେ। କିନ୍ତୁ, ଏତେଦିନ ଧରି କଟକଣା ଭିତରେ ସାଧାରଣ ଦର୍ଶନ ବନ୍ଦ ରହିବା କେତେ ଯୁକ୍ତିଯୁକ୍ତ ? ମହାରାଷ୍ଟ୍ରରେ ଗତ ମାସରୁ ଧର୍ମାନୁଷ୍ଠାନ ଖୋଲି ସାରିଲାଣି। କେବଳ ମହାରାଷ୍ଟ୍ର ନୁହେଁ, ପ୍ରାୟ ସବୁ ରାଜ୍ୟରେ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲି ସାରିଛି। କିନ୍ତୁ, ଆମର ରାଜ୍ୟ ସରକାର ନା ଧର୍ମାନୁଷ୍ଠାନ ଖୋଲୁଛନ୍ତି, ନା ଶିକ୍ଷାନୁଷ୍ଠାନ ! ସେହିପରି ଓଡ଼ିଶାରୁ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ଓ ମୃତ୍ୟୁହାର ଢେର୍ ଅଧିକ। ଏହାସତ୍ତ୍ୱେ ସେଠାରେ ଯଦି ଧର୍ମାନୁଷ୍ଠାନ ଖୋଲା ଯାଇ ପାରୁଛି, ତେବେ ଓଡ଼ିଶାରେ ଖୋଲିବାରେ ଅସୁବିଧା କେଉଁଠି ? ରାଜ୍ୟ ସରକାର ଚାହିଁଲେ, କଟକଣା ଭିତରେ ପୂର୍ବରୁ ବି ମନ୍ଦିର ଖୋଲି ପାରିଥାନ୍ତେ। ମାତ୍ର, ତାହା ନୋହିଲା। ଏବେ ସବୁ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଛି। ସରକାରଙ୍କ ପାଖରେ କ୍ଷମତା ଅଛି, ସିଏ ଚାହିଁଲେ ଶ୍ରୀମନ୍ଦିରରେ ସୁରକ୍ଷା ଦ୍ୱିଗୁଣ କରିପାରିବେ। ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ଭିତରେ କୋଭିଡ୍ ନିୟମ ପାଳନ କରି ମହାପ୍ରଭୁଙ୍କ ଦର୍ଶନ କରାଇ ପାରିଥାନ୍ତେ। କିନ୍ତୁ, ତାହା କଲେ ନାହିଁ। ତେବେ, ଯେତେବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ରାଜରାସ୍ତା ପର୍ଯ୍ୟନ୍ତ ଚାଲିଗଲା, ସେତେବେଳେ ସରକାର ଭକ୍ତଙ୍କ ଭାବନା ସହ ସାଲିସ କରିବାକୁ ବାଧ୍ୟ ହେଲେ। ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ଏଇଆ ଯେ, ଆସନ୍ତା ଡିସେମ୍ବର ୨୩ ତାରିଖରୁ ଖୋଲୁଛି ଜଗାକାଳିଆର ସିଂହଦୁଆର । ତେବେ ଜାନୁଆରୀ ୩ ତାରିଖଠାରୁ ଜଗାକୁ ଦର୍ଶନ କରିପାରିବେ ପୁରୀ ଜିଲ୍ଲା ବାହାରର ଭକ୍ତ । ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିଲା । ତା’ ଛଡ଼ା ବର୍ତ୍ତମାନ ଯଦି କୋଭିଡ୍ କଟକଣା ମାନି ମନ୍ଦିର ଖୋଲିବାକୁ ସରକାର ନିଷ୍ପତ୍ତି ନେଲେ, ତେବେ କିଛି ମାସ ପୂର୍ବରୁ ବି ତ ଏ ନିଷ୍ପତ୍ତି ନେଇ ପାରିଥାନ୍ତେ । ଜଗାର ଭକ୍ତଙ୍କଠାରୁ ତା’ର ଦର୍ଶନ ସୁଯୋଗ ଛଡ଼ାଇ ନେବାକୁ ସରକାର କିଏ ? ଭଗବାନ ସବୁବେଳେ ଭକ୍ତର ଭାବରେ ବନ୍ଧା । ଜଗତର ଅକିଞ୍ଚନ ପ୍ରାଣୀଟିର କଥା ବି ବୁଝି ପାରୁଥିବାରୁ ପରା ସିଏ ଶ୍ରୀଜଗନ୍ନାଥ । ତେଣୁ ତା’ ବିନା ଭକ୍ତ ଯେ କିଭଳି ବିରହ ଯନ୍ତ୍ରଣାରେ ଛଟପଟ ହେଉଥିବ, ତାହା ସେହି ଭକ୍ତ ହିଁ ଜାଣିଛି ଆଉ ଜାଣିଛି କାଳିଆ ସାଆନ୍ତ ।

ଏଭଳି ସ୍ଥିତିରେ ଜଣେ ଭକ୍ତର ଭାବବିହ୍ୱଳ ଓ ଭକ୍ତିର ନିଚ୍ଛକ ନିଦର୍ଶନ କେମିତି ହୋଇପାରେ ? ହୁଏତ ଏଇମିତି…

ହେ ନୀଳମଣି,
ତମେ ତ ସବୁ ଜାଣିଛ, ସବୁ ଦେଖିପାରୁଛ। ତମେ ଭୂତ, ଭବିଷ୍ୟତ ସବୁକିଛି। ହେ ପ୍ରଭୁ, ମୁଁ ବି ଆଉ ତୁମ ବିନା ରହି ପାରୁନି। ଅହରହ ଆଖି ଆଗରେ ତମର ଦୁଇ ଚକାନୟନ ନାଚି ଉଠୁଛି। ହେ ମୋର ପ୍ରିୟ ଠାକୁର, ହେ ମୋର ଭାବନାର ଭାବ, ହେ ମୋର ଈଶ୍ୱର କେବେ ପୁଣି ତୁମର ଦର୍ଶନ ମିଳିବ। ଜଣେ ଭକ୍ତର ଭାବନାକୁ ପ୍ରଭୁ ତମେ ଅତି ସହଜରେ ଠଉରାଇ ନିଅ, ମୋର ଭାବନାକୁ ବି ଟିକେ ବୁଝ ମହାବାହୁ। ତୁମେ ଚାହିଁଲେ ବିଶ୍ୱ ଚାଲେ। ଭୂ-ଠାରୁ ଆକାଶ ସମସ୍ତେ ତୁମ ଇଙ୍ଗିତକୁ ମାନନ୍ତି। କିନ୍ତୁ, ଏତେଦିନ ଧରି ତୁମର ଦର୍ଶନ କରି ପାରୁନି, ମୋ ମନ କଥା ଟିକେ ବୁଝ ପ୍ରଭୁ। ମୋର କୁନି କୁନି ଆଖି ତମକୁ ଟିକେ ଦେଖିବାକୁ ବ୍ୟାକୁଳ ହେଉଛି ପ୍ରଭୁ। ତମ ସାମ୍ନାରେ ବାହୁ ମେଲାଇ ଛିଡ଼ା ହୋଇ, ତମକୁ ମନ ଭରି ଦେଖିବାକୁ ଇଚ୍ଛା ହେଉଛି ଜଗନ୍ନାଥେ। ଆଉ କେତେଦିନ, ତୁମଠାରୁ ଆମକୁ ଅଲଗା ରଖିବ। ହେ ବିଶ୍ୱ ନିୟନ୍ତା, ତୁମର ମହାପ୍ରସାଦ ଖାଇବାକୁ ଓ ତୁଳସୀ ଜଳ ଟିକେ ପିଇବାକୁ ଭାରି ଇଚ୍ଛା ହେଉଛି ପ୍ରଭୁ। ତୁମ ଇଙ୍ଗିତରେ ତ ପତ୍ର ଟିକେ ବି ହଲେନି, କିନ୍ତୁ, ଆମ ଦୁହିଁଙ୍କ ଭିତରେ କାହିଁକି ଏତେ ବଡ଼ ପାଚେରୀ ଠିଆ କରିଛ। ତମେ ତ ଜାଣିଛ, ସେହି ପାଚେରୀ ଭାଙ୍ଗିବାକୁ ମୋର ସାହସ ନାହିଁ। ସତରେ ପ୍ରଭୁ, ଭାଙ୍ଗିଦିଅ ସେହି ପାଚେରୀ। ପୁଣି ଥରେ ଭକ୍ତ ଓ ଭଗବାନଙ୍କ ସେହି ଅପୂର୍ବ ମିଳନକୁ ବିଶ୍ୱ ଦେଖିବ। ତୁମେ ବି ତ ଭକ୍ତଙ୍କ ବିନା ଅଧୁରା। ସେଥିପାଇଁ ପ୍ରଭୁ ଯେତେଶୀଘ୍ର ହେଉଛି, ଏହି ପାଚେରୀକୁ ଭାଙ୍ଗି ଦିଅ, ଆଉ ବେନି ନୟନକୁ ଦର୍ଶନ କରିବାର ଅବକାଶ ଦିଅ ।

ଇତି
ତୁମର ଭକ୍ତ