Connect with us

ସାହିତ୍ୟ ସ୍ତମ୍ଭ

ଗୋପବନ୍ଧୁଙ୍କ ରଚନାର ଦାର୍ଶନିକ ପୃଷ୍ଠଭୂମି: ସମାଲୋଚନା ଓ ବିଶ୍ଳେଷଣ

Published

on

ପ୍ରିଜମ୍ ନ୍ୟୁଜ(ପଦ୍ମଲୋଚନ ପ୍ରଧାନ):

ସାରାଂଶ
ଗୋପବନ୍ଧୁ ଦାସଙ୍କ ସମସ୍ତ ସାହିତ୍ୟ କୃତି ସମାଜ ପ୍ରଣୋଦିତ, ମାନବବାଦୀ, ସମ୍ବେଦନଶୀଳ ତଥା ଗଭୀର ଦେଶପ୍ରେମର ସ୍ୱାକ୍ଷର । ତାଙ୍କର ପ୍ରାରମ୍ଭିକ ରଚନାରୁ ଶେଷ ରଚନା ଯାଏ- ସବୁଥିରେ ଜାତୀୟତାବାଦ ଓ ମାନବବାଦ ସ୍ପଷ୍ଟ । ପ୍ରାୟ ସବୁ ରଚନାରେ ମଣିଷ ହିଁ କେନ୍ଦ୍ରବିନ୍ଦୁ । ମଣିଷର ଦୁଃଖ, କଷ୍ଟ, ଯନ୍ତ୍ରଣା ଦୂର କରିବା ମାନସରେ ଯେଉଁ ସଂଗ୍ରାମ କରିଥିଲେ, ତା’ର ଭିତ୍ତି ଉପରେ ଛିଡ଼ା ହୋଇଛି ସମସ୍ତ ରଚନା ବଳୀ ।
ଗୋପବନ୍ଧୁଙ୍କ ରଚନା କ୍ଷୁଦ୍ର, ସୀମିତ ହୋଇପାରେ । ମାତ୍ର ତାର ଦ୍ୟୁତି ଦିଗନ୍ତବ୍ୟାପୀ । ସାହିତ୍ୟର ଶ୍ରେଷ୍ଠ ବିଭବ, ସର୍ବ ଶ୍ରେଷ୍ଠ କଳା ‘ମାନବିକ ଆବେଦନ’ ସେଥିର ପ୍ରତି ଛତ୍ରେ ଛତ୍ରେ ପ୍ରକଟିତ । ଏ ଦୃଷ୍ଟିରୁ ବିଚାର କଲେ ଗୋପବନ୍ଧୁଙ୍କ ସାହିତ୍ୟ କୃତି ଓଡି଼ଆ ସାହିତ୍ୟ ଭଣ୍ଡାରରେ ଏକ ଉଜ୍ଜ୍ୱଳ ରତ୍ନ ।
ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଆଧୁନିକ ଓଡି଼ଆ ସାହିତ୍ୟକୁ ଏକ ଭିନ୍ନ ଦିଗ ଦେଇଥିଲେ ଗୋପବନ୍ଧୁ ଗୋଷ୍ଠୀ । ତାକୁ ସତ୍ୟବାଦୀ ସାହିତ୍ୟ ବୋଲି କୁହାଯାଉଛି । ଗୋପବନ୍ଧୁ ଏ ଗୋଷ୍ଠୀରେ ଥିଲେ ଅଗ୍ରସୂରୀ । ସେ ଜାତି ପାଇଁ ସଂଗ୍ରାମ, ଜନସେବା, ଶିକ୍ଷା, ସାହିତ୍ୟ ଆଦି ସବୁଥିରେ ଅନନ୍ୟ ଥିଲେ । ଓଡ଼ିଶାର ସେ ଥିଲେ ଗାନ୍ଧୀ । ଦେଖିବାକୁ ଗଲେ ଗାନ୍ଧିଜୀଙ୍କ ଦର୍ଶନ ସହ ଗୋପବନ୍ଧୁଙ୍କର ଦର୍ଶନ କିଛିି ଭିନ୍ନ ନ ଥିଲା । ଗାନ୍ଧୀଙ୍କ ପରି ଅହିଂସା, ସତ୍ୟାଗ୍ରହୀ, ସଂଗ୍ରାମୀ ଥିଲେ ଗୋପବନ୍ଧୁ ।
ଗୋପବନ୍ଧୁଙ୍କ ସାହିତ୍ୟରେ ଏ ସବୁ ଦର୍ଶନର ଦର୍ଶନ ମିଳେ । ପ୍ରକୃତି ପ୍ରୀତି, ବିଭୁ ପ୍ରେମ, ସମାଜବାଦୀ, ଜାତୀୟତାବାଦୀ, ମାନବବାଦୀ, ସାମ୍ୟବାଦୀ… ଆଦି ଅନେକ ଦର୍ଶନ ତାଙ୍କ ରଚନାରେ ଦେଖିବାକୁ ମିଳେ । ଉକ୍ତ ନିବନ୍ଧରେ ଗୋପବନ୍ଧୁଙ୍କ ରଚନାରେ ଯେଉଁ ଦର୍ଶନଗୁଡି଼କ ପ୍ରସ୍ଫୁଟିତ ହୋଇଛି, ତା’ର ଏକ ସମାଲୋଚନା ଓ ବିଶ୍ଳେଷଣ କରିବାକୁ ଚେଷ୍ଟା କରାଯାଇଛି ।
ଉପକ୍ରମ
ଗୋପବନ୍ଧୁ ଦାସ ଏକାଧାରାରରେ ସେବକ, ଶିକ୍ଷକ, ସଂସ୍କାରକ, ସଂସ୍ଥାପକ, ସଂଗଠକ, ଲେଖକ, ଦାର୍ଶନିକ, ରାଜନୀତିଜ୍ଞ ଓ ସାମ୍ବାଦିକ ଥିଲେ । ତାଙ୍କର ବ୍ୟକ୍ତିତ୍ୱର ବହୁମୁଖୀ ପ୍ରତିଭା ଆଲୋଚନା ଦୁରୂହ ବ୍ୟାପାର । ପ୍ରତ୍ୟେକ ପ୍ରତିଭାକୁ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଇପାରେ । ସେ ସେବକ ଭାବେ ଯେମିତି ଶ୍ରେଷ୍ଠ ଥିଲେ, ସେମିତି ସମାଜ ସଂସ୍କାରକ ଭାବେ, ସେମିତି ସଂଗଠକ ଭାବେ, ସାମ୍ବାଦିକ ଭାବେ ଓ ରାଜନୀତିଜ୍ଞ ଭାବେ ମଧ୍ୟ । ତାଙ୍କ ଦେହାନ୍ତ ପରେ ଆଜିଯାଏ- ପ୍ରାୟ ୯୩ ବର୍ଷ ଭିତରେ ଏ ସବୁ ବିଷୟରେ ଆଲୋଚନା ହୋଇଆସୁଛି । ଏଠାରେ ଆମେ ତାଙ୍କୁ ଲେଖକ ଦୃଷ୍ଟିକୋଣରୁ ଆଲୋଚନା କରିବା । ତାଙ୍କର ରଚନାଗୁଡି଼କର ଦାର୍ଶନିକ ପୃଷ୍ଠଭୂମିର ବିଶ୍ଳେଷଣ କରିବା ।
ଗୋପବନ୍ଧୁ ଦାସ ଜନ୍ମ ଗ୍ରହଣ କରନ୍ତି ୧୮୭୭ ଅକ୍ଟୋବର ୯ । ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ । ସେ ସମୟର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି ଉପରେ ଆଲୋଚନା କରିବା । ସେତେବେଳେ ଭାରତ ପରାଧୀନ । ଇଂରେଜ ଶାସନ ଅଧୀନରେ ଆଜିର ଓଡି଼ଶା ୩ଟି ପ୍ରଦେଶରେ ଭାଗ ହୋଇ ଥାଏ । ରାଜନୈତିକ ସ୍ତରରେ ଓଡି଼ଶାର ସ୍ୱତନ୍ତ୍ରତା ନଥାଏ । ସଂଘର୍ଷ ଆରମ୍ଭ ହୋଇଥାଏ ଓଡି଼ଆତ୍ୱ ପାଇଁ, ସ୍ୱତନ୍ତ୍ରତା ପାଇଁ, ନିଜତ୍ୱ ପାଇଁ । ଭାଷାକୁ ବଞ୍ଚେଇବା ପାଇଁ କିଛି ବର୍ଷ ପୂର୍ବରୁ ଆନ୍ଦୋଳନ ଆରମ୍ଭ ହୋଇସାରିଥାଏ । ଏସବୁକୁ ଆଗେଇ ନେଇ ସ୍ୱତନ୍ତ୍ର ଓଡି଼ଶା ପ୍ରଦେଶ ଗଠନ ସହ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଗୋପବନ୍ଧୁ ନିଜକୁ ଉତ୍ସର୍ଗ କରିଥିଲେ । କେବଳ ରାଜନୀତି କ୍ଷେତ୍ରରେ ଓଡି଼ଶାକୁ ପରିଚୟ ଦେବାରେ ନୁହଁ, ବରଂ ଓଡି଼ଶାବାସୀଙ୍କୁ ସବୁ କ୍ଷେତ୍ରରେ ଆଗେଇ ନେବାକୁ ଉଦ୍ୟମ ଆରମ୍ଭ କରିଥିଲେ ।
ମାତ୍ର ୫୧ ବର୍ଷରେ ଚାଲିଗଲେ । ୧୭ ଜୁନ ୧୯୨୮ରେ ଶରୀର ଛାଡି଼ଲେ । ରଖିଗଲେ କୀର୍ତ୍ତି । ଓଡି଼ଶାର ପ୍ରତ୍ୟେକ ମାଟି, ଗୋଡି଼କୁ ଭଲ ପାଇବାରେ, ଓଡି଼ଶାକୁ ନେତୃତ୍ୱ ଦେବାରେ ଥିଲେ ଅଗ୍ରଗଣ୍ୟ । ସେହି ମହାନ ବ୍ୟକ୍ତି ସାହିତ୍ୟରେ ମଧ୍ୟ ମୋଡ଼ ବଦଳାଇଥିଲେ । କାବ୍ୟ, କବିତା କାଳ୍ପନିକ କାହାଣୀ ଭିତରେ ବାନ୍ଧି ନ ରହି ମଣିଷର ଦୁଃଖ, ଦୁର୍ଦ୍ଦଶା କଥା କହିଲା । ଜୀବନ କଥା କହିଲା । ଜାତି କଥା କହିଲା । ତାଙ୍କ ସହ ମିଶିଲେ ବନ୍ଧୁମାନେ, ସାହିତ୍ୟରେ ଦେଶପ୍ରୀତିର ଜୁଆର ଆସିଲା । ଓଡି଼ଶା, ଓଡି଼ଆ, ଦେଶ ହିଁ ହେଲା ସାହିତ୍ୟର ବିଷୟବସ୍ତୁ । ଆରମ୍ଭ ହେଲା ନୂଆ ଏକ ସାହିତ୍ୟ- ଯାହାକୁ ସତ୍ୟବାଦୀ ସାହିତ୍ୟ କୁହାଗଲା । ଏ ସତ୍ୟବାଦୀ ଚେତନାର ଅଗ୍ରଦୂତ ଥିଲେ ଗୋପବନ୍ଧୁ ।
ଡକ୍ଟର ସୁରେନ୍ଦ୍ର କୁମାର ମହାରଣା ‘ଓଡି଼ଆ ସାହିତ୍ୟର ଇତିହାସ’ରେ ଲେଖିଛନ୍ତି, ‘ଆଧୁନିକ ଓଡି଼ଆ ସାହିତ୍ୟର ଦ୍ୱିତୀୟ ପର୍ଯ୍ୟାୟ ସତ୍ୟବାଦୀ ସାହିତ୍ୟ ବ୍ୟାପ୍ତି ୧୯୧୦ ଖ୍ରୀଷ୍ଟାବ୍ଦଠାରୁ ୧୯୨୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ପୁଣଶ୍ଳୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୯ଜଣ ଛାତ୍ରଙ୍କୁ ନେଇ ସତ୍ୟବାଦୀଠାରେ ଏକ ମଧ୍ୟ-ଇଂରାଜୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଓ ଏଥିରେ ପରବର୍ତ୍ତୀ ସମୟରେ ସହଯୋଗ କରିଥିଲେ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ କୃପାସିନ୍ଧୁ ଓ ଆଚାର୍ଯ୍ୟ ହରିହର । … ସେ ସମସ୍ତଙ୍କର ଆଦର୍ଶ ଓ ପ୍ରେରଣାର ଉତ୍ସ ଥିଲେ ପଣ୍ଡିତ ଗୋପବନ୍ଧୁ । … ସତ୍ୟବାଦୀ ସାହିତ୍ୟର ମୁଖ୍ୟ ଆଭିମୁଖ୍ୟ ଥିଲା ଜାତୀୟତା, ସମାଜ ସଂସ୍କାର ଓ ଜନସେବା ।’
କେବଳ ସେତିକିରେ ସୀମିତ ନ ଥିଲା ଗୋପବନ୍ଧୁଙ୍କ ସାହିତ୍ୟ । ଜୀବନର ଉଦ୍ଦେଶ୍ୟ, ମୃତ୍ୟୁ ପରର ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରିଛନ୍ତି ସେ । ଉପନିଷଦୀୟ ଚିନ୍ତାଧାରା, ଗୀତାର କର୍ମଯୋଗ ଆଦିର ପୁନଃ ରୂପ ଦେଇଛନ୍ତି ତାଙ୍କର କବିତାରେ । ଏ ବିଷୟରେ ବିଶଦ ଆଲୋଚନା କରାଯିବ ।
ତାଙ୍କ ସାହିତ୍ୟ ସୃଷ୍ଟି ସଂଖ୍ୟା ଓ ପରିମାଣ ଦୃଷ୍ଟିରୁ ସ୍ୱଳ୍ପ । ‘ଅବକାଶ ଚିନ୍ତା’, ‘କାରା କବିତା’, ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’, ‘ନଚିକେତା ଉପାଖ୍ୟାନ’, ‘ଗୋ-ମହାତ୍ମ୍ୟ’ ଆଦି ତାଙ୍କର କବିତା ପୁସ୍ତକ । ଏହାସହ ସେ ବହୁ ପ୍ରବନ୍ଧ ଲେଖିଛନ୍ତି, ଯାହା ଓଡି଼ଆ ସାହିତ୍ୟର ଦିଗବାରେଣୀ ଭାବେ ଗ୍ରହଣ କରାଯାଏ ।

ବିଷୟ ସମ୍ପର୍କିତ ପୂର୍ବ ଅଧ୍ୟୟନ
ଗୋପବନ୍ଧୁଙ୍କ ଜୀବନ, ଦର୍ଶନ, ରାଜନୀତି, ସାହିତ୍ୟ, ସମାଜସେବାକୁ ନେଇ ବହୁ ସମାଲୋଚନା ଆଲୋଚନା କରିଯାଇଛନ୍ତି । ସତ୍ୟବାଦୀ ସାହିତ୍ୟର ଆଲୋଚନା ବେଳେ ସମାଲୋଚକମାନେ ଏହି ଗୋଷ୍ଠୀର ଆଭିମୁଖ୍ୟ, ସାହିତ୍ୟର ପୃଷ୍ଠଭୂମି, ଆଙ୍ଗିକ ଓ ଆତ୍ମିକକୁ ସୂକ୍ଷ୍ମ ଭାବରେ ଆଲୋଚନା କରିଛନ୍ତି । ତାଙ୍କ ଜୀବନୀ ଲେଖକମାନେ ମଧ୍ୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ।
୧୯୭୬ ମସିହା ଅକ୍ଟୋବର ମାସରେ ଗୋପବନ୍ଧୁଙ୍କ ଜନ୍ମ ଶତବାର୍ଷିକୀରେ ‘ଉତ୍କଳ ପ୍ରସଙ୍ଗ’ ପକ୍ଷରୁ ଗୋପବନ୍ଧୁ ବିଶେଷାଙ୍କ ପ୍ରକାଶିତ ହୋଇଥିଲା । ଏଥିରେ ଗୋପବନ୍ଧୁଙ୍କ ଜୀବନ, ସାହିତ୍ୟ, ଧର୍ମ, ରାଜନୀତି ଆଦି ଅନେକ ଦିଗରେ ଆଲୋଚିତ ହୋଇଛି । ଶ୍ରୀ ବିଭୁଦତ୍ତ ମିଶ୍ର ଲେଖିଛନ୍ତି, ‘ଉତ୍କଳୀୟ ତଥା ଭାରତୀୟ ସଂସ୍କୃତିର ପୁନରୁଜ୍ଜୀବନ ତାଙ୍କ ଜୀବନ ଓ ସାହିତ୍ୟର ଥିଲା ଚରମ ଲକ୍ଷ୍ୟ । ଅଟଳ ଭଗବତ୍‍ ବିଶ୍ୱାସ, ସ୍ନେହ, ଦୟା, କ୍ଷମା, ଭକ୍ତି, ମୈତ୍ରୀ ଆଦି ମାନବିକ ସଦଗୁଣ ସମୂହର ବିକାଶ ଓ ପ୍ରସାର ନିମନ୍ତେ ସେ ଥିଲେ ସର୍ବଦା ଯତ୍ନଶୀଳ । ସତ୍ୟ, ଶିବ ଓ ସୌନ୍ଦର୍ଯ୍ୟର ପରିପ୍ରକାଶ ନିମନ୍ତେ ତାଙ୍କର ଜୀବନ ଓ ସାହିତ୍ୟ ଥିଲା ଅଭିପ୍ରେତ । ତେଣୁ ତହିଁରେ କୌଣସି କ୍ଷୁଦ୍ରତା, ସଂକୀର୍ଣ୍ଣତା, ସ୍ୱାର୍ଥପରତା, ନୀଚ୍ଚତାର ସ୍ଥାନ ନ ଥିଲା । ଗୋପବନ୍ଧୁଙ୍କର ଅନ୍ତର ଥିଲା ଉଦାର, ଗମ୍ଭୀର, ସାର୍ବଜନୀନ, ବିଶ୍ୱଜନୀନ ମହାଭାବରେ ଉଦ୍‍ବୁଦ୍ଧ ।’(ଉତ୍କଳ ପ୍ରସଙ୍ଗ, ଗୋପବନ୍ଧୁ ବିଶେଷାଙ୍ଗ, ଅକ୍କୋବର ୧୯୭୬, ପୃଷ୍ଠା ୮୦)
ମହାପାତ୍ର ନୀଳମଣି ସାହୁ ଲେଖିଛନ୍ତି, ‘ଗାନ୍ଧିଜୀ ଓ ଗୋପବନ୍ଧୁ ଉଭୟେ ଥିଲେ ଭଗବତ୍‍ ବିଧୁର ବୈଷ୍ଣବ ଏବଂ ଉଭୟେ ଦେଶ ଓ ରାଜ୍ୟର ରାଜନୈତିକ ନେତୃତ୍ୱ ମଧ୍ୟ ନିଜ ମୁଣ୍ଡ ଉପରକୁ ଟେକି ନେଇଥିଲେ । ଉଭୟେ ଦେଶବାସୀଙ୍କ ସେବା କରୁ କରୁ ଦେଶବାସୀଙ୍କର ପୂଜ୍ୟଭାଜନ ହୋଇ ଉଠିଥିଲେ । ସେବା ଭିତରୁ ଉଭୟେ ଦେଶବାସୀଙ୍କ ହୃଦୟରେ ନେତାର ଆସନ ପାଇଥିଲେ ଏବଂ ଉଭୟେ ଥିଲେ ଅଧ୍ୟାତ୍ମିକ ଚେତନା ଓ ଶକ୍ତିରେ ବଳୀୟାନ । ଅହିଂସା, ଆସ୍ତେୟ, ଅପରିଗ୍ରହ ଓ ସତ୍ୟାଗ୍ରହାଦି ସାଧନ କ୍ଷେତ୍ରରେ ଉଭୟେ ଥିଲେ ସିଦ୍ଧ ଓ ସାଧକ ।’ (ଉତ୍କଳ ପ୍ରସଙ୍ଗ, ଗୋପବନ୍ଧୁ ବିଶେଷାଙ୍କ, ଅକ୍କୋବର ୧୯୭୬, ପୃଷ୍ଠା ୩)
ଜୀବନୀ ଲେଖକ ସତ୍ୟନାରାୟଣ ମହାପାତ୍ର ‘ଉତ୍କଳମଣି ଗୋପବନ୍ଧୁ’ ଶୀର୍ଷକରେ ଗୋପବନ୍ଧୁଙ୍କ ସାହିତ୍ୟକୁ ଭିତ୍ତିକରି ତାଙ୍କର ଜୀବନ ଉପରେ ଆଲୋକପାତ କରିଛନ୍ତି । ତାଙ୍କର ଅନ୍ତରର ସ୍ୱର କିଭଳି ଥିଲା, ଜୀବନର ଦର୍ଶନ କ’ଣ ଥିଲା, ଏସବୁକୁ ଅତି ନିଖୁଣ ଭାବେ ଆଲୋଚନା କରିଛନ୍ତି । ୧୧ଟି ଅଧ୍ୟାୟରେ ଗୋପବନ୍ଧୁଙ୍କ ସାହିତ୍ୟର ଗୋଟିଏ ଗୋଟିଏ ପକ୍ତିଂକୁ ନେଇ ସମଗ୍ର ଜୀବନ ଦର୍ଶନକୁ ପାଠକଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି ।
ଲୋକବନ୍ଧୁ ଗୋପବନ୍ଧୁ’ ଶୀର୍ଷକରେ ଶ୍ରୀ ନରସିଂହ ମିଶ୍ର ଗୋପବନ୍ଧୁଙ୍କ ଜୀବନୀ ଲେଖିଛନ୍ତି । ଜନ୍ମରୁ ମୃତ୍ୟୁ ଓ ତା’ ଭିତରେ ଘଟିଥିବା ସମସ୍ତ ଘଟଣାବଳୀକୁ ଉଲ୍ଲେଖ କରିଛନ୍ତି । ସତ୍ୟବାଦୀ ବନବିଦ୍ୟାଳୟଠାରୁ ରାଜନୀତି, ସାହିତ୍ୟ ଯାଏ ସବୁ ବିଷୟରେ ନିଜର ଗବେଷଣା ଲବ୍ଧ ତଥ୍ୟକୁ ଆଲୋଚନା କରିଛନ୍ତି ।
ସାହିତ୍ୟର ଇତିହାସକାର ନଟବର ସାମନ୍ତରାୟ ‘ଓଡି଼ଆ ସାହିତ୍ୟର ଇତିହାସ(୧୮୦୩-୧୯୨୦)ରେ ଲେଖିଛନ୍ତି, ‘ଗଣବନ୍ଧୁ ଗୋପବନ୍ଧୁ ଦାସଙ୍କ ସାହିତ୍ୟ ତାଙ୍କର ଜନ-ସେବା ଓ ଈଶ୍ୱରପ୍ରାଣତାର ସୃଷ୍ଟିଗତ ଅଭିବ୍ୟକ୍ତି ମାତ୍ର । ବିରାଟ ମାନବିକତା ଓ ଗଭୀର ସହୃଦୟତା ଏ ସାହିତ୍ୟର ଅଭିବ୍ୟକ୍ତି ମାତ୍ର । ବିରାଟ ମାନବିକତା ଓ ଗଭୀର ସହୃଦୟତା ଏ ସାହିତ୍ୟର ମୂଳ ଉତ୍ସ । ଜନସେବାର ଆନ୍ତରିକତା, ଧର୍ମବିଶ୍ୱାସର ନିଷ୍ଠାପରତା, ଦେଶପ୍ରୀତିର ଐକାନ୍ତିକତା- ଏ ସମସ୍ତଙ୍କ ଅପୂର୍ବ ସମବାୟରେ ଗଢ଼ିଉଠିଛି ତାଙ୍କର ସାହିତ୍ୟ-ସୌଧ ।’
ପ୍ରଫେସର ନିତ୍ୟାନନ୍ଦ ଶତପଥୀ ‘ହେ ସାଥି! ହେ ସାରଥି!’ରେ ଗୋପବନ୍ଧୁଙ୍କ ଏନ୍ତୁଡି଼ରୁ ଶ୍ମଶାନ ଯାଏ ଆଲୋଚନା କରିଛନ୍ତି । ଗୋପବନ୍ଧୁଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ଏଠାରେ ଉପଲବ୍ଧ । ଗୋପବନ୍ଧୁଙ୍କ ଜୀବନରେ ଶତ ଝଡ଼ଝଞ୍ଜା ସତ୍ତ୍ୱେ ସେ ଏ ଜାତିର ସାରଥି ହୋଇପାରିଛନ୍ତି- ତାହା ଏଠାରେ ବର୍ଣ୍ଣିତ ।
ଗୋପବନ୍ଧୁ ରଚନାବଳୀର ସଂକଳକ ରାଧାମୋହନ ଗଡ଼ନାୟକ ସଂକଳନର ମୁଖବନ୍ଧରେ ଦୀର୍ଘ ଆଲୋଚନା କରିଛନ୍ତି । ଗୋପବନ୍ଧୁଙ୍କୁ ନେତା ଓ କବି ଭାବରେ ଆଲୋଚନ ଆରମ୍ଭ କରି ତାଙ୍କର ପ୍ରତ୍ୟେକ ସୃଷ୍ଟି ପଛର ଦର୍ଶନକୁ ଆଲୋଚନା କରିଛନ୍ତି । ଅତି ଗଭୀର ଦୃଷ୍ଟିରେ ସାବଲୀଳ ଭାବେ ଆଲୋଚନା କରିଯାଇଛନ୍ତି ।

ବିଷୟ ଆଲୋଚନା
ଗୋପବନ୍ଧୁଙ୍କ ଜୀବନ ଦର୍ଶନ ଓ ସାହିତ୍ୟ ରଚନାର ପୃଷ୍ଠଭୂମି ସମାନ । ତାଙ୍କ ଜୀବନ ଯେମିତି ଥିଲା, ତାଙ୍କ ରଚନାରେ ତାହା ପରିପୁଷ୍ଟ । ଆଚରଣ, ଉଚ୍ଚାରଣ, ଲିଖନ- ସବୁ ଗୋଟିଏ ଥିଲା । କେହି କାହାରିଠାରୁ ଅଲଗା ନୁହଁ । ତାଙ୍କୁ ସାଧାରଣ ଭାବେ ବୁଝିବାକୁ ଲୋକାଦୃତ ପକ୍ତିଂ ହିଁ ଉଦ୍ଧାର କରାଯାଇପାରେ ।

ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।
-ବନ୍ଦୀର ଆତ୍ମକଥା

ଦେଶ, ଦେଶବାସୀ ହିଁ ଗୋପବନ୍ଧୁଙ୍କ ଜୀବନ ଓ ରଚନାର ଭିତ୍ତି । ସର୍ବୋପରି ପୂରା ବିଶ୍ୱର ମାନବ ସଭ୍ୟତା ନିଜର ମାନସ ପଟ୍ଟରେ ରଖି ସେ ଜିଉଁଥିଲେ, କାର୍ଯ୍ୟ କରୁଥିଲେ, ଲେଖୁଥିଲେ । ଗୋଟିଏ ପକ୍ତିଂରୁ ଏହା ସୁସ୍ପଷ୍ଟ ।

‘ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ,
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ’
ଓଡି଼ଶା ତାଙ୍କ ହୃଦୟରେ ଥିଲା, ଦେଶ ତାଙ୍କ ମସ୍ତିଷ୍କରେ ଥିଲା, ଆଉ ବିଶ୍ୱ ଥିଲା ତାଙ୍କ ପ୍ରତି ରକ୍ତବିନ୍ଦୁରେ । ତାଙ୍କର ଏ ମାନବବାଦ, ଜାତୀୟବାଦ ପ୍ରତ୍ୟେକଟି ସୃଷ୍ଟିରେ ଆମେ ଦେଖିବାକୁ ପାଇବା ।
କ୍ରମାନ୍ୱୟରେ ତାଙ୍କର ପ୍ରତ୍ୟେକ ରଚନାର ଦର୍ଶନ ଉପରେ ଆଲୋକପାତ କରାଯାଉ ।

ପ୍ରାରମ୍ଭିକ ରଚନା
ପୁରୀ ଜିଲ୍ଲା ସ୍କୁଲରେ ପଢି଼ବା ସମୟରୁ ଗୋପବନ୍ଧୁ ଲେଖିବା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ସେ ନେତା ଥିବା ସ୍ପଷ୍ଟ ନ ଥିଲା, ମାତ୍ର କବି ହେବାର ମହକ ଥିଲା । କବିତା ଗୁଡି଼କ ତତ୍କାଳୀନ ପତ୍ରିକାଗୁଡି଼କରେ ପ୍ରକାଶିତ ହେଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ହେଲେ କେତେକ ଆଦ୍ୟ ରଚନା ତାଙ୍କର ହଜିଯିବାରୁ ପ୍ରକାଶ ପାଇପାରିନାହିଁ ।
ବଡ଼ ହେବା ସଙ୍ଗେ ସଙ୍ଗେ ଜୀବନର ଦୁଃଖ ତାଙ୍କୁ ମାଡି଼ ବସିଛି । ପରିବାରର ପ୍ରିୟଜନଙ୍କ ବିୟୋଗ ସହ ଦେଶର ଦୁର୍ଗତି ତାଙ୍କୁ ସାରସ୍ୱତ ରାଜ୍ୟରୁ ନିଷ୍ଠୁର ବାସ୍ତବତା ପାଖକୁ ନେଇଯାଇଛି । ଜାତିର, ଦେଶର ମୁକ୍ତି ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି । ପରବର୍ତ୍ତୀ ସମୟରେ ଆନ୍ଦୋଳନ, ଜେଲ୍‍, ଦୁଃଖି ରଙ୍କିଙ୍କର ସେବାରେ ନିମଗ୍ନ ରହିଛନ୍ତି । ତା’ ସହ ତାଙ୍କର ପ୍ରାଣର ସ୍ପନ୍ଦନ ଭାବେ କେତୋଟି ସୃଷ୍ଟି ଆପେ ଆପେ ରୂପ ନେଇଛି, ଯାହା ଆଜି ଆମର ଅମୂଲ୍ୟ ସମ୍ପଦ ।
ଗୋପବନ୍ଧୁଙ୍କର କାବ୍ୟ କବିତା ୬ଟି ପୁସ୍ତକରେ ପ୍ରକାଶିତ ହୋଇଛି । ‘ଅବକାଶ ଚିନ୍ତା’, ‘କାରା କବିତା’, ‘ବନ୍ଦୀର ଆତ୍ମକଥା’, ‘ଧର୍ମପଦ’, ‘ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ’, ‘ଗୋ-ମହାତ୍ମ୍ୟ’ ।

ଅବକାଶ ଚିନ୍ତା
ଗୋପବନ୍ଧୁଙ୍କ ପ୍ରାରମ୍ଭିକ ରଚନାଗୁଡ଼ିକ ଏଥିରେ ସଙ୍କଳିତ ହୋଇଛି । ଏଥିରେ ଥିବା ୩୯ଟି କବିତାର ସ୍ୱର ବିଶେଷ ଭାବେ ପ୍ରକୃତି, ଇତିହାସର ମହାନ ଚରିତ୍ର, ଓଡି଼ଶାର ଐତିହ୍ୟ, ସାହିତ୍ୟ, ସଂସ୍କୃତି ।
ବହୁ ପ୍ରସିଦ୍ଧ କବିତା ‘ରେଳ ଉପରେ ଚିଲିକା-ଦର୍ଶନ’ ଏଥିରେ ସ୍ଥାନିତ ପାଇଛି । ଚିଲିକାର ମାୟାରେ କବି ବିଭୋର ହୋଇଛନ୍ତି । ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନାର ଚାତୁର୍ଯ୍ୟ ମଧ୍ୟ ଏଠାରେ ଦେଖାଯାଏ । ସେ ପ୍ରକୃତି ପ୍ରତି କିପରି ଉନ୍ମୁଖ ଥିଲେ, ତାହା ଅନୁମେୟ ।

ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ୱପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।
କାହିଁ ଦିଶେ ନୀଳ, କାହିଁ ସୁଶ୍ୟାମଳ,
କାହିଁ ବା ଧୂସର, କାହିଁ ବା ଧବଳ ।
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,
ପ୍ରକାଶି ଚିଲିକା ! କରୁ କେତେ ମାୟା ।

ଏହି କବିତାରେ କେବଳ ଚିଲିକାର ସୌନ୍ଦର୍ଯ୍ୟ ପ୍ରକାଶ ପାଇନି, ଶେଷ ଆଡ଼କୁ କବି ଓଡି଼ଶାର ପୂର୍ବ ଗୌରବକୁ ସ୍ମରଣ କରି ତତ୍କାଳୀନ ସମୟକୁ ତୁଳନା କରିଛନ୍ତି ।

ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ
ହରାଇଛି ସବୁ କର୍ମ-ଧର୍ମ-ବଳ ।
ନାହିଁ ମୁଖେ ତେଣୁ ପୂର୍ବ ପୁଣ୍ୟକାନ୍ତି,
ହୃଦୟେ ସ୍ୱର୍ଗୀୟ ଧର୍ମଜାତ ଶାନ୍ତି,
ଜୀବନେ ପବିତ୍ର ଉତ୍ସାହ ଶକତି,
ଉତ୍କଳର ଆହା କି ଘୋର ଦୁର୍ଗତି !
କାହିଁ ଗଲା ପୂର୍ବ ଓଡି଼ଆ ବୋଇତ?
ଜଳପଥେ କାହିଁ ବିଦେଶ ଗମନ?
କାହିଁ ସେ ନାବିକ ଉଦ୍ଦାମ ସଙ୍ଗୀତ?
ଜଳପଥେ କାହିଁ ବିଦେଶ ଗମନ?
କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ?

କବିତା ଲେଖିବା ଆରମ୍ଭ ସମୟରୁ ଓଡି଼ଶାର ଗୌରବର ଜୟଗାନ ନୁହଁ, ବରଂ ହୃତ ଗୌରବକୁ ଖୋଜିବାରେ ଲାଗିଥିଲେ । ତାକୁ ଫେରାଇ ଆଣିବାକୁ ବ୍ୟଗ୍ର ଥିଲେ ସେ ।
ପୁରୁଷୋତ୍ତମ ଦେବ, ସାରଳା ଦାସ, ବଳରାମ ଦାସ, ଉପେନ୍ଦ୍ର ଭଞ୍ଜ, ସାମନ୍ତ ଚନ୍ଦ୍ରଶେଖର, କାଠଯୋଡ଼ୀ ତୀରେ ସାୟଂକାଳ-୧, ୨, ଖଣ୍ଡଗିରି ଶିଖରେ, କଟକର ଶିଳା ସେତୁ, ବାଲିଯାତ୍ରା ସନ୍ଧ୍ୟାରେ ମହାନଦୀ ତୀରେ… ଆଦି କବିତାଗୁଡି଼କରେ ଓଡି଼ଶା ରହିଛି, ଓଡି଼ଶାବାସୀ ରହିଛନ୍ତି, ଓଡି଼ଶାର ସାହିତ୍ୟ, ସଂସ୍କୃତିର ଜୟଗାନ ରହିଛି ।
ଆରମ୍ଭ ସମୟରୁ ବି ସେ ଥିଲେ ଈଶ୍ୱର ବିଶ୍ୱାସୀ । ସର୍ବମୟ ସତ୍ତାଙ୍କର ସୃଷ୍ଟିକୁ ବୁଝିବାକୁ ମଣିଷ ଅକ୍ଷମ । ସୃଷ୍ଟିର ପ୍ରତ୍ୟେକେ ଈଶ୍ୱରଙ୍କ ପରିପ୍ରକାଶ । ତାଙ୍କର ‘ଚନ୍ଦ୍ର’ କବିତାରୁ ଏହା ବୁଝିହୁଏ ।

ଚିତ୍ତେ ହୁଏ ଅନୁମିତ, ଗାଉ ତୁ ବିଭୁ-ସଙ୍ଗୀତ;
ପ୍ରକାଶିବା ପାଇଁ ଏ ଜଗତେ
କର୍ତ୍ତାଙ୍କର ଅବସ୍ଥିତି କଲେ ଯେ ତୋର ଉତ୍ପତ୍ତି,
ନିର୍ଜୀବ ବୋଲିଣ ତୋତେ ବୋଲିବି କେମନ୍ତେ?
ରହୁ ଏ ମୋ ମୂଢ଼ ମନ ତୋ ବିଭୁ-ସଙ୍ଗୀତେ ।

ସେହିପରି ‘ବ୍ରାହ୍ମଣ ସମିତି ଛାତ୍ରାବାସରେ ସମବେତ ଛାତ୍ରମାନଙ୍କ ପ୍ରତି’ ଉଦ୍‍ବୋଧନ କବିତା ତାଙ୍କ ମନୋରାଜ୍ୟର ପରିଧି କେତେ ବ୍ୟାପକ, ପୁଣି ଈଶ୍ୱରଙ୍କ ପ୍ରତି କିଭଳି ଉତ୍ସର୍ଗ, ତାହା ସ୍ପଷ୍ଟ ହୋଇଉଠେ ।

ନିଜ ସୁଖ ଲାଗି ଜାତ ନୁହେ ହିନ୍ଦୁ
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ
ଦିଅ ଏହି ମନ୍ତ୍ର ସର୍ବ ମନ୍ତ୍ର କାନେ ।
ଆମ୍ଭେ ସର୍ବେ ଏକ ଈଶ୍ୱର ସନ୍ତାନ
ସାଧ ବିଶ୍ୱହିତ ଜେତି ଅଭିମାନ ।’

ଗୋପବନ୍ଧୁ ସର୍ବ ଧର୍ମ ସମନ୍ୱୟ କଥା କହୁଥିଲେ । ତାଙ୍କ ଚିନ୍ତା, ଚେତନା, ଆଚରଣ, ଉଚ୍ଚାରଣ ମଧ୍ୟ ସେମିତି ଥିଲା । ସମସ୍ତେ ଏକ । ସମସ୍ତେ ଗୋଟିଏ ମାତାର ସନ୍ତାନ ।

ହିନ୍ଦୁ ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ବେ ସମାନ,
ଭାତୃପ୍ରେମ ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତବ ଛାମୁରେ କାନ୍ଦି,
ଅରକ୍ଷିତ ଶିଶୁକୁଳ,
ଜନନୀ ବିଷାଦେ ଭସାଇ ନ ଦିଅ
କେବେ ପ୍ରଭୁ ଆଦି ମୂଳ

ଶ୍ରୀ ନରସିଂହ ମିଶ୍ର ‘ଲୋକବନ୍ଧୁ ଗୋପବନ୍ଧୁ’ରେ ‘ଅବକାଶ ଚିନ୍ତା’ ପୁସ୍ତକ ଉପରେ ଲେଖିଛନ୍ତି, ‘ଅବକାଶ ଚିନ୍ତାରେ ପ୍ରେମ, ଭକ୍ତି, ଜାତୀୟତାବୋଧ ଓ ମାନବିକତାର ପୂଜା ବିଷୟରେ ବର୍ଣ୍ଣନା କରିଛନ୍ତି । ସଂସାରର ଅଗଣିତ ଦୀନହୀନ ସର୍ବହରା ପାଇଁ ତାଙ୍କ ପ୍ରାଣ ବ୍ୟାକୁଳ ହୋଇଛି । ସେ ମଣିଷକୁ ବାହ୍ୟ ଧର୍ମାଚରଣ ପରିବର୍ତ୍ତେ ଅନ୍ତଦର୍ଶନ ପାଇଁ ବୁଝାଇ କହିଛନ୍ତି- ପ୍ରକୃତରେ ମଣିଷର ହୃଦ କପିଳାସରେ ପ୍ରେମର ଝର ନିର୍ଗତ ହେଉଛି । ସେଠାରେ ଶଙ୍କର ସ୍ୱୟଂ ବିଦ୍ୟମାନ ।’
ବାସ୍ତବିକ, ସେ ମଣିଷମାନଙ୍କ ଭିତରେ ଈଶ୍ୱରଙ୍କୁ ଦର୍ଶନ କରୁଥିଲେ । ଈଶ୍ୱର ମଣି ସେମାନଙ୍କ ସେବା କରୁଥିଲେ । ଯାହା ତାଙ୍କର ପରବର୍ତ୍ତୀ କବିତାଗୁଡି଼କରେ ସ୍ପଷ୍ଟ ହୋଇଉଠିଛି ।

କାରା କବିତା
ରାଧାମୋହନ ଗଡ଼ନାୟକ ଲେଖିଛନ୍ତି, ‘କାରା କବିତା’ରେ ବିଭିନ୍ନ କବିତାର ସମାବେଶ ଘଟିଛି- ତେଣୁ ତହିଁରେ ସୂର୍ଯ୍ୟର ଆଲୋକ ଅଛି, ବର୍ଷାର ଅସାର ଅଛି, ତେଣୁ ତହିଁରେ ଫୁଟି ଉଠିଛି ସାତ ରଙ୍ଗର ଇନ୍ଦ୍ରଧନୁ ।’(ଗୋପବନ୍ଧୁ ରଚନାବଳୀ, ପୃଷ୍ଠା ୩୩)
ଶ୍ରୀ ନରସିଂହ ମିଶ୍ର ଲେଖିଛନ୍ତି, ‘କାରା କବିତାରେ ସେ ତାଙ୍କ ବିଷାଦମଥିତ ଜୀବନର ଉଚ୍ଛ୍ୱାସ ପ୍ରକଟିତ କରିଛନ୍ତି । ଆତ୍ମସମୀକ୍ଷା ତା’ରି ଭିତରେ ଫୁଟି ଉଠିଛି, ତଥାପି ସେଇ ବେଦନାତୁର ଅଭିବ୍ୟକ୍ତି ଭିତରେ ନୈରାଶ୍ୟର କୃଷ୍ଣରେଖା ନାହିଁ ।’
ସତରେ, କାରା କବିତାରେ ଇନ୍ଦ୍ରଧନୁ ଉଇଁଛି । ସେଠି ବିଷାଦ ଅଛି, ହେଲେ ନୈରାଶ୍ୟ ନାହିଁ ।
କାରା କବିତାରେ ଥିବା କବିତାଗୁଡି଼କ କବି କଟକ ଓ ହଜାରିବାଗ୍‍ ଜେଲ୍‍ରେ ରହଣି କାଳରେ ରଚନା କରିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ଇଂରେଜ ସରକାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଜେଲ୍‍ ଦଣ୍ଡ ହୋଇଥିଲା । ବନ୍ଦୀ ଗୃହରେ ଶରୀର ଥିଲା, ହେଲେ ତାଙ୍କ ଆତ୍ମା ସ୍ୱାଧୀନ, ମୁକ୍ତ ଥିଲା । ଏମିତି କି ସେ କାରାଗାରକୁ ପୁଣ୍ୟ ତପୋବନ ବୋଲି ବିଚାର କରୁଥିଲେ ।

ସୁଖ ଦୁଃଖ ତେଣୁ ମୋର ସମ ସହଚର
ଜନମେ ମରଣେ ନାହିଁ ହରଷ ବିଷାଦ ।
ଆହ୍ଲାଦେ ଆପଦେ ମୋର ସମାନ ଆଦର
ସବୁ ଶୁଭ ବିଧାତାଙ୍କ ଶୁଭ ଆଶୀର୍ବାଦ
ଏ ବିଶ୍ୱାସେ କାରା ମୋର ପୁଣ୍ୟ ତପୋବନ ।

କାରାଗାରର କଷଣ ତାଙ୍କର ଭାବନାରାଜ୍ୟକୁ ଅବଦମିତ କରିପାରିନଥିଲା । ରଚନା କରିଯାଇଥିରେ ଅନେକ କବିତା । ତାଙ୍କର ଏ କବିତା ପୁସ୍ତକ ସମ୍ପର୍କରେ ‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’ର ପ୍ରକାଶକ ‘କାରାକବିତା’ ସଙ୍କଳନର ପୃଷ୍ଠଭୂମିରେ ଲେଖିଛନ୍ତି, ‘ତ୍ୟାଗୀ, ଯୋଗୀ, ସାଧକ, କର୍ମୀ, ଚାଳକ, ଭାବୁକ, ସାହିତ୍ୟିକ, ସଂସ୍କାରକ, ପ୍ରେମିକ, ଭକ୍ତ, କବି ଗୋପବନ୍ଧୁଙ୍କ ସୁଲଳିତ କବିତାଧାରାରେ ତାଙ୍କ ହୃଦୟକନ୍ଦର-ନିହିତ ଅପୂର୍ବ ଭାବରାଶି ଏସବୁ କବିତାରେ ଯେପରି ବିକଶିତ ହୋଇଛି- ତାହା ବାସ୍ତବିକ ଗୋଟିଏ ପବିତ୍ର ମନୋହର ମାଳାରୂପେ ଜୀବନର ସନ୍ଧ୍ୟାରେ ସେ ଦେଶବାସୀଙ୍କୁ ଅର୍ପି ଦେଇଯାଇଛନ୍ତି ।’
ଏଥିରେ ୧୨ଟି କବିତା ପ୍ରକାଶ ପାଇଛି । ପିତୃପକ୍ଷ ତର୍ପଣ, ବନ୍ଦୀର ବିରହବ୍ୟଥା, ବନ୍ଦୀର ସାନ୍ଧ୍ୟଭକ୍ତି, ବନ୍ଦୀର ସ୍ୱଦେଶଚିନ୍ତା, ବନ୍ଦୀର ସନ୍ଧ୍ୟା-ଭାବନା, ପ୍ରେମର କି ଏହି ପରିଣାମ?, ବିଶ୍ୱର ମିଳନଚିତ୍ର- ଏପରି ବିବିଧ କବିତା ।
ସତ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ଅମାପ । ପ୍ରଥମ କବିତା ‘ନିତ୍ୟଧାମ ନୀଳାଚଳ’ରେ ଏହା ପ୍ରକାଶିତ ।

ସେହି, କରେ ଯେହୁ ସତ୍ୟ ଆଚରଣ,
ସତ୍ୟ ଆରାଧନା, ସତ୍ୟ ସମ୍ଭାଷଣ,
ଭିତର ବାହାର
ଯାର ସତ୍ୟ ସାର,
ସୁଖେ ଦୁଃଖେ ସଦା ସତ୍ୟ ଯା ଶରଣ ।

ପୁଣି ପ୍ରେମ ପ୍ରତି ଗୋପବନ୍ଧୁଙ୍କ ଧାରଣା ଦେଖାଯାଉ । ସେ କହନ୍ତି, ପ୍ରେମ ଅକ୍ଷୟ । ଦୂରରେ ରହିଲେ ମଧ୍ୟ ପ୍ରେମ କାହା ପ୍ରତି କମି ଯାଏନାହିଁ ।

ଫୁଲ ପରି ପ୍ରେମ ଝାଉଁଳେ କି ବନେ
ପ୍ରେମ ଯେ ଅନନ୍ତ ଅକ୍ଷୟ ଧାରା,
ଦୂର କଲେ ମତେ ହେବି କି ଅନ୍ତର
ତୁମେ ଯେ ମୋ ପ୍ରାଣ-ପ୍ରଣୟ-କାରା ।

ସବୁ କାମ ଭିତରେ ସେ ଈଶ୍ୱରଙ୍କୁ ଖୋଜୁଥିଲେ । ତାଙ୍କର ଦର୍ଶନର ଲାଳାୟତ ଥିଲେ । ନିଖିଳ ବିଶ୍ୱର ସମସ୍ତ ସୃଷ୍ଟିରେ ଈଶ୍ୱରଙ୍କ ପ୍ରକାଶକୁ ଦର୍ଶନ କରୁଥିଲେ । ହେଲେ ତାଙ୍କର ଉପସ୍ଥିତ କେଉଁଠି? ମଣିଷର ଭିତରେ ନା ବାହାରେ? ସେ ଅରୂପ କି ରୂପ ରେଖରେ ପ୍ରକଟିତ? ଏ ଭଳି ପ୍ରଶ୍ନ ତାଙ୍କୁ ଆନ୍ଦୋଳିତ କରୁଥିଲା ।

ସାରା ବିଶ୍ୱ ଭରି ପ୍ରକାଶିଛ ହରି !
ବେଦ ବଦେ ସଙ୍ଗୀତରେ ହେ,
ରୂପ ରେଖ କାହିଁ ଏବେ ଦିଶୁନାହିଁ
ବାହାରେ କିବା ଭିତରେ ହେ ।

‘ପିତୃପକ୍ଷ ତର୍ପଣ’ରେ ତାଙ୍କର ଅନ୍ତର କିଭଳି ବ୍ୟଥିତ ଥିଲା ତାହା ପ୍ରକାଶିତ । ପରାଧୀନ ହୋଇ ରହିବା ତାଙ୍କର ଜୀବନର ବ୍ୟଥାର କାରଣ ଥିଲା । ସେ ସ୍ୱାଧୀନ । ତାଙ୍କ ଜାତି ସ୍ୱାଧୀନ । ତାଙ୍କର ପୂର୍ବ ପୁରୁଷ ସ୍ୱାଧୀନ – ଏହି ଦିନ ଦେଖିବା ପାଇଁ ସବୁବେଳେ ବ୍ୟାକୁଳ ହେଉଥିଲା । ନିଜର ସ୍ୱାଧୀନତାକୁ ବଜାୟ ରଖିବା ହିଁ ମଣିଷର ଆଦ୍ୟ ଲକ୍ଷ୍ୟ । ସେଥିପାଇଁ ସେ କର୍ତ୍ତବ୍ୟରତ ଥିଲେ ଏବଂ ଅନ୍ୟମାନଙ୍କୁ ଏହି ଆହ୍ୱାନ ମଧ୍ୟ ଦେଉଥିଲେ ।

ପିତୃରାଜ୍ୟେ ନାହିଁ ଯାର ପୂର୍ଣ୍ଣ ଅଧିକାର,
ସେ ଅଧମ ସୁତ ଶିରେ ସହସ୍ର ଧିକ୍କାର ।
ସର୍ବସ୍ୱାନ୍ତ ପରାଧୀନ ହୋଇ ପିତୃଗଣ,
ଅକିଞ୍ଚନ ଭାବେ ଯେବେ ତେଜନ୍ତି ଜୀବନ ।
ସେହି ଏକା ସୁସନ୍ତାନ କୁଳର ଗୌରବ,
ଆଣେ ଯେ ଫେରାଇ ପୁଣି ଅତୀତ ବିଭବ ।

ଗୋପବନ୍ଧୁ ଥିଲେ ଅହିଂସାର ପୂଜାରୀ । ଗାନ୍ଧୀଙ୍କ ନୀତିର ସେ ଦୃଢ଼ ପ୍ରଚାରକ ଥିଲେ । ଅହିଂସା ମାଧ୍ୟମରେ ହିଁ ସ୍ୱାଧୀନତା ମିଳିପାରିବ- ଏହାର ତାଙ୍କର ବିଶ୍ୱାସ ଥିଲା । ଯଦିଓ ସ୍ୱାଧୀନତା ଦେଖିବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା, ମାତ୍ର ସେ ଓଡି଼ଶାରେ ଅହିଂସା ବାର୍ତ୍ତାର ମଞ୍ଜି ବିପନ କରିଥିଲେ । କେବଳ ସ୍ୱାଧୀନତା ନୁହଁ, ବରଂ ବିଶ୍ୱରେ ଅହିଂସା ନୀତି ବ୍ୟାପୁ ବୋଲି ସେ ଚାହୁଁଥିଲେ । ଅହିଂସା ହିଁ ଏ ସମଗ୍ର ମାନବ ସମାଜ ପାଇଁ ହିତକର, ଶ୍ରେୟସ୍କର । ଏଥିପାଇଁ ସେ ଲେଖଥିଲେ,

ଅହିଂସାର ଆଦି ସ୍ଥାନ ଏ ଋଷି ଆଶ୍ରମ,
ଶିଖାଉ ଜଗତେ ପୁଣି ଅହିଂସା ନିୟମ ।
ଏଥିଲାଗି ଗାନ୍ଧି କଲେ ଅହିଂସା ପ୍ରଚାର,
ଚଉଦିଗେ ବ୍ୟାପିଲା ସେ ଶୁଭ ସମାଚାର ।

ଅହିଂସା ମାଧ୍ୟମରେ ଆନନ୍ଦ ହିଁ ବିରାଜିବ । ଆନନ୍ଦ ହିଁ ମଧୁମୟ । ମଧୁମୟ ହିଁ ସକଳ ସୃଷ୍ଟିକୁ ରସାପ୍ଳୁତ କରିବ । ତାଙ୍କର ରଚନାରେ ବିଶ୍ୱକୁ ସୁନ୍ଦର କରିବାର ଅଭିଳାଷା ଥିଲା । ଗୋପବନ୍ଧୁ ଜଣେ ଜାତୀୟବାଦୀ କବି ଭାବେ ପ୍ରସିଦ୍ଧ, ମାତ୍ର ସେ ଭୌଗଳିକ ଜାତି ଭିତରେ ନିବନ୍ଧ ହୋଇ ନ ଥିଲେ । ତାଙ୍କ ପାଇଁ ଜାତି ଅର୍ଥ ବିଶ୍ୱର ସମଗ୍ର ମାନବ ଜାତି । ସେ ସମଗ୍ର ମାନବ ଜାତି ଭିତରେ ମଧୁ ସଂଚାର ପାଇଁ ସ୍ୱପ୍ନ ଦେଖୁଥିଲେ । ବାସ୍ତବରେ ସେ ଥିଲେ ବିଶ୍ୱ କବି ।

ମଧୁମୟ ରସେ ପୁଷ୍ଟ ହେଉ ବନସ୍ପତି,
ମଧୁମୟ ରଜେ ଶୋଭୁ ସର୍ବ ବସୁମତୀ ।
ହେଉ ମଧୁମୟ ଉଷା ପ୍ରଦୋଷ ରଜନୀ,
ନଭୋଦେଶେ ମଧୁମୟ ରବି ଦିନମଣି ।
ମଧୁମୟ ଋତେ ହେଉ ବିଶ୍ୱ ନିନାଦିତ,
ଉଠୁ ବିଶ୍ୱପ୍ରାଣେ ମଧୁ ଅମୃତ-ସଙ୍ଗୀତ ।

ଏମିତି କାରାକବିତା ହେଉଛି ତାଙ୍କ ଅନ୍ତରାତ୍ମାର ଅନନ୍ୟ ଗାଥା । ଏହି ଗାଥା ଓଡି଼ଆ ବାସୀଙ୍କ ଅମୂଲ୍ୟ ଗୀତି । ଗୋପବନ୍ଧୁ ଜେଲ୍‍ ଜୀବନର ଅନ୍ଧକାର ଭିତରୁ ଓଡି଼ଆ ସାହିତ୍ୟକୁ ଦେଇଛନ୍ତି ଅମୂଲ୍ୟ ସାରସ୍ୱତ ଦାନ ।
କାରା କବିତାରେ ଆଉ ଗୋଟିଏ ଦିଗ ଲକ୍ଷ୍ୟ କରାଯାଇପାରେ । ଗୀତା, ଭାଗବତର ମର୍ମ ଲକ୍ଷ୍ୟ ହୁଏ । ଅନେକ ପକ୍ତିଂରେ ସେ କର୍ମଯୋଗ, ଭକ୍ତିଯୋଗ କଥା ପରୋକ୍ଷ ଭାବରେ ଉଲ୍ଲେଖ କରିଛନ୍ତି । ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସବୁ କିଛି ସମର୍ପି ଭକ୍ତି କରିବା ସହ ନିଷ୍କାର୍ମ କର୍ମ ପ୍ରତି ନିର୍ଦ୍ଦେଶ କରିଛନ୍ତି । ସୁଖ, ଦୁଃଖରେ ସ୍ଥିର ରହିବା ପାଇଁ ଗୀତାରେ ଶ୍ରୀକୃଷ୍ଣ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ତାଙ୍କ କବିତାରେ ମଧ୍ୟ ପ୍ରକାଶ ପାଇଛି ।

ସୁଖେ ଦୁଃଖେ ମୋର ସମାନ ଆଦର
ବାଅ ବେଳ ଯାଏ ବିତି ।

ଏମିତି ‘କାରାକବିତା’ ସଙ୍କଳନରେ ୪ଟି ବିଭବ ଦେଖିବାକୁ ମିଳେ- ସ୍ୱଦେଶ ପ୍ରୀତି, ବିଶ୍ୱ ପ୍ରୀତି, ବିଭୁ ପ୍ରୀତି ଓ ବନ୍ଧୁ ପ୍ରୀତି ।

ବନ୍ଦୀର ଆତ୍ମକଥା
‘ବନ୍ଦୀର ଆତ୍ମକଥା’ ଆମର ସ୍ୱରାଜ୍ୟ ଗୀତା ଓ ଜାତୀୟ ଜୀବନର ମହାକାବ୍ୟ ।’- ଏହା ଲେଖିଛନ୍ତି ରାଧାମୋହନ ଗଡ଼ନାୟକ । ବାସ୍ତବରେ ଜଣେ ବନ୍ଦୀ ଜୀବନରେ ଲେଖିଯାଇଥିବା କଥା ଏତେ ପ୍ରାଚୁର୍ଯ୍ୟମୟ ହୋଇପାରେ, ଏହା କଳ୍ପନାତୀତ । ସ୍ୱାଧୀନ ଭାରତରେ ବନ୍ଦୀର ଆତ୍ମକଥାକୁ ଅନୁଭବ କରିବା ଭଳି ଶକ୍ତି ବୋଧହୁଏ କ୍ଷୀଣ । ସେଦିନକୁ ଫେରିଯାଇ, ସେଦିନର ପରିସ୍ଥିତି ହୃଦୟଙ୍ଗମ କରିବା ଅସାଧ୍ୟ ।
‘ବନ୍ଦୀର ଆତ୍ମକଥା’ରେ ତାଙ୍କର ପ୍ରାଣର ସ୍ପନ୍ଦନ ପ୍ରକାଶ ପାଇଛି । ସବୁ ବାଧା ସତ୍ତ୍ୱେ ଅହିଂସାକୁ ପାଥେୟ କରିଛନ୍ତି । ଯାହାର ମୂଳ ଥିଲା ଆଧ୍ୟାତ୍ମିକତା । ଏହା ମାଧ୍ୟମରେ ଦେଶରେ ଶାନ୍ତି ଫେରିବ । ସମୃଦ୍ଧି ପଥରେ ଜାତି ଆଗେଇବ । ଦେଶବାସୀଙ୍କୁ ଉଦ୍‍ବୋଧିତ କରିବା ଉଦ୍ଦେଶ୍ୟରେ ଲେଖିଛନ୍ତି…

ଜାଣିଛି, ଲାଗିଛି ଏ ଶାନ୍ତି ସମର,
ନାହିଁ ଏଥି ତୋପ, ହାତ ହତିଆର ।
ବଳ ବା ବିଭବ ନାହିଁ ଏଥି ଲୋଡ଼ା,
ନାହିଁ ଲୋଡ଼ା ଯାନ, ରଥ, ହାତୀ, ଘୋଡ଼ା ।
ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ,
ଭାଙ୍ଗିବାକୁ ପଶୁ ବଳର ବଡ଼ାଇ ।

ମାନବ ଜୀବନର ପ୍ରକୃତ ଲକ୍ଷ୍ୟ କ’ଣ? ଅନେକ ସମୟରେ ଏ ପ୍ରଶ୍ନ ଉଠେ । ଗୋପବନ୍ଧୁଙ୍କ ମନରେ ମଧ୍ୟ ଉଠିଥିଲା । ବନ୍ଦୀ ଜୀବନ କାଟୁଥିବା ବେଳେ ବି ସେ ଏହି ଲକ୍ଷ୍ୟର ଅନୁଗାମୀ ଥିଲେ । ମାନବ ଜୀବନର ସଫଳତା ଜାତିର ଗୌରବ ଗାନରେ ହିଁ ନିହିତ ବୋଲି କହିଥିଲେ ।

ପୂର୍ବ ପୁରୁଷର ପବିତ୍ର ଶ୍ମଶାନ,
ଦେଶର, ଜାତିର ଗଉରବ ଗାନ ।
ପୁଣ୍ୟ ଜନ୍ମ ମାଟି ପୁଣ୍ୟ ଦେବାଳୟ,
ଉଦ୍ଧରିବା ପାଇଁ କଲେ ତନୁ କ୍ଷୟ ।
ମାନବ ଜୀବନ ହୁଅଇ ସଫଳ ।

ସେ ଦୃଢ଼ ଆଶାବାଦୀ ଥିଲେ । ତାଙ୍କର ଦେହାନ୍ତ ପରେ ଅର୍ଥାତ ପ୍ରାୟ ୨୦ ବର୍ଷ ପରେ ଭାରତ ସ୍ୱାଧୀନ ହେଲା । ମାତ୍ର ଦେଶର ସ୍ୱାଧୀନତା ଅନିବାର୍ଯ୍ୟ । ଏହାକୁ କେହି ରୋକିପାରିବେ ନାହିଁ । ନିଶ୍ଚୟ ଦେଶ ସ୍ୱାଧୀନ ହେବ । ଲୋକେ ନିଜେ ନିଜକୁ ଶାସନ କରିବେ । ଏ ଦୃଢ଼ତା ଥିଲା ଗୋପବନ୍ଧୁଙ୍କର ।

ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ।
ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ ଶତ ନଦୀଧାରା,
ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।
ଭାରତର ରାଜଧର୍ମ ସନାତନ- ପରଜା ରକ୍ଷଣ ପାଳନ ରଞ୍ଜନ ।
ସ୍ୱରାଜ୍ୟେ ଏ ନୀତି ହୋଇବ ପ୍ରଚାର, ନ ରହିବ ଆଉ ଦୁଃଖ ଦୁରାଚାର ।
ନ ସହିବ କଷ୍ଟ କେହି ଅନାହାରେ, ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।
ଡରାଇ ଶାସିବା ନୀତି ଭାଙ୍ଗିଯିବ, ପ୍ରଜାଙ୍କ ମତରେ ଶାସନ ଚାଲିବ ।

ଆଉ ଏକ ପକ୍ତିଂରେ ବି ତାଙ୍କର ଆଶାବାଦ ଓ ନିର୍ଭୟତା ସ୍ପଷ୍ଟ ହୋଇଛି ।

ଉତ୍କଳନିବାସୀ ସର୍ବ ନରନାରୀ, ଘେନ ହେ ଏ ବନ୍ଦୀଭାଇର ଗୁହାରି
ଦଗ୍ଧ ହେଉ ଦେହ, ଭସ୍ମ ହେଉ ଘର, ସ୍ୱରାଜ୍ୟ-ସାଧନେ କେବେହେଁ ନ ଡର ।
ନ ଛାଡ଼ ସାହସ, ନ ହୁଅ ନିରାଶ, ହେଲେ ହେଉ ପଛେ କାରାଗାରେ ବାସ ।
ନ ହୁଡ଼ ସ୍ୱରାଜ୍ୟ ଶାନ୍ତି-ସତ୍ୟ-ପଥ ଲାଗୁ ସିଂହଦ୍ୱାରେ ନନ୍ଦିଘୋଷ ରଥ ।

ବନ୍ଦୀର ଆତ୍ମକଥାରେ ପ୍ରତ୍ୟେକ ପକ୍ତିଂରେ ବହୁ ଦର୍ଶନ ଲୁଚି ରହିଛି । କେଉଁଠି ସତ୍ୟ ପ୍ରତି ଆଗ୍ରହ ତ, କେଉଁଠି କର୍ମ ପ୍ରତି ତତ୍ପର । ପୁଣି କେଉଁଠି ଜୀବନର ସରଳ ଦର୍ଶନ ତ, କେଉଁଠି ଜାତିର ଐତିହ୍ୟ ଗାଥା । କେହି ବି ଏହାକୁ ପଢ଼ିଲେ ସ୍ତବ୍ଧ ହେବା ଥୟ । ଆଖିରୁ ଲୋତକ ଆସିବା ସ୍ୱାଭାବିକ । ନୀତି, ଆଦର୍ଶ ସହ କର୍ମ, ମହତାଦର୍ଶ ଆଦି ସବୁ କିଛି ସଂଶ୍ଲିଷ୍ଟ ଏଥିରେ ।
ଗ୍ରାମେ ଗ୍ରାମେ ତତ୍କାଳୀନ ସମୟରେ ଯେଉଁ କଳହ ଲାଗିଥିଲା, ତା’ର ସମାଧାନ କରିବାକୁ ବି ସେ ବ୍ୟାକୁଳ ଥିଲେ । ତା’ର ସମାଧାନ କରି ଶାନ୍ତି ଫେରାଇ ଆଣିବାକୁ ଜେଲ୍‍ରେ ଥାଇ ଚିନ୍ତା କରୁଥିଲେ । ସମସ୍ତଙ୍କୁ ଗୋଟିଏ ମାଆର ସନ୍ତାନ ଭାବେ ସମ୍ବୋଧନ କରିଛନ୍ତି ।

ଗ୍ରାମେ ପଞ୍ଚ ପରା ପରମ ଈଶ୍ୱର, କର ପୁଣି ଗ୍ରାମେ ସ୍ଥାପନା ତାଙ୍କର ।
ସର୍ବେ ବାନ୍ଧି ମେଳ ତାଙ୍କୁ ମାନି ଚଳ, ପ୍ରକାଶିବ ଗ୍ରାମେ ପୁଣି ନବ ବଳ ।
ନ ଲାଗିବ ମିଥ୍ୟା ଜାଲ ପ୍ରବଚନ, ନ ଖାଇବେ ଭୂତ ତୁମ ଗ୍ରାମଧନ ।

ଗ୍ରାମ ବିଚାରରେ ସକଳେ ସମାନ, ଛାଡି଼ ମନୁ ବଡ଼ ସାନ ଅଭିମାନ ।
ସ୍ୱରାଜ୍ୟ-ଧରମେ ନାହିଁ ଭେଦ ଜ୍ଞାନ, ସମସ୍ତେ ଯେ ଏକ ମାତାର ସନ୍ତାନ ।

ଗୋପବନ୍ଧୁ ଅନେକ ସ୍ଥାନରେ ସର୍ବଧର୍ମ ସମନ୍ୱୟ କଥା କହିଯାଇଛନ୍ତି । ହିନ୍ଦୁ-ମୁସଲମାନ ଦୁହେଁ ଭାଇ ଭାଇ । ଭଦ୍ରକରେ ତତ୍କାଳୀନ ସମୟରେ ହିନ୍ଦୁ-ମୁସଲମାନମାନେ ମିଳିମିଶି ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ତାହାକୁ ଉପଲକ୍ଷ୍ୟ କରି ଲେଖିଥିଲେ …

ଭଦରଖ ଭାଇ ହିନ୍ଦୁ ମୁସଲମାନ
ଜାଣେ ମୁଁ ଧରିଛ ହୃଦେ ବଡ଼ ଟାଣ
କେତେ ପ୍ରଲୋଭନ, କେତେ ପ୍ରରୋଚନା
କେତେ ବାଧାବିଘ୍ନ କେତେ ଭୟମନା,
ଏଡ଼ି ଅଛ ସବୁ ନିର୍ଭୀକ ଅନ୍ତରେ
ଚାଲିଅଛ ଦମ୍ଭେ ସ୍ୱରାଜ୍ୟ ପଥରେ ।

ମଣିଷର ପରାଧୀନତା ତାଙ୍କ ପାଇଁ ଅସହ୍ୟ ଥିଲା । ପ୍ରତ୍ୟେକ ଜୀବର ସ୍ୱଭାବ ହେଲା ସେ ସ୍ୱାଧୀନ । ସେ ପରର ଅଧୀନ ସ୍ୱୀକାର କରେନାହିଁ । ପରାଧୀନ ହିଁ ମଣିଷର ସବୁଠୁ ଘୋର ଅପମାନ ।

ଭାରତେ କେବଳ ନର ତହୁଁ ହୀନ
ନୁହେଁ ସେ ସ୍ୱଚ୍ଛନ୍ଦ, ନୁହେଁ ସେ ସ୍ୱାଧୀନ ।
ନାହିଁ ରବିତଳେ କାହିଁ ତାର ସ୍ଥାନ
ସର୍ବତ୍ର ତାଡ଼ନା ଘୋର ଅପମାନ ।
ନିଜ ବାସେ ତାର ନାହିଁ ହେଲେ ଶାନ୍ତି
ଭୋଗଇ ଗଞ୍ଜଣା କାହିଁ କେତେ ଘାନ୍ତି ।

ଏ ପରାଧୀନତାରୁ ମୁକ୍ତି ହିଁ ସେ ଚାହିଁଥିଲେ । ତାଙ୍କର ମନ, ପ୍ରାଣ, ଜୀବନ ଦାନ କରିଦେବାକୁ ପଛାଇ ନ ଥିଲେ । ସେଥିପାଇଁ ସେ କୋଟି ଜନତାର ମଉଡ଼ମଣି । ଉତ୍କଳର ମଣି । ଉତ୍କଳର ରତ୍ନ । ତାଙ୍କର ଜୀବନ, ରଚନା ସଦା ଓଡି଼ଶାକୁ ଉନ୍ନତିର ପଥରେ ଆଗେଇ ନେବାକୁ ପ୍ରେରଣା ଯୋଗାଇବ । କୋଟି କୋଟି ଜନତା, ଛାତ୍ର, ଯୁବକଙ୍କୁ ପ୍ରେରଣା ଦେବ । ‘ବନ୍ଦୀର ଆତ୍ମକଥା’ର ଆଦର୍ଶ ଓଡି଼ଶାବାସୀ ସବୁବେଳେ ମାର୍ଗ ଦେଖାଇବ ।

ଧର୍ମପଦ
ଧର୍ମପଦକୁ ଓଡି଼ଶାରେ କିଏ ବା ନ ଚିହ୍ନେ । ସେହି ୧୨ବର୍ଷର ବାଳକ ଜାତି ପାଇଁ ପ୍ରାଣବଳି ଦେବାର ପ୍ରସଙ୍ଗ ଶତାବ୍ଦୀ ଶତାବ୍ଦୀ ଧରି ଓଡି଼ଆ ଜନମାନସକୁ ଉଦ୍‍ବୁଦ୍ଧ କରିଆସିଛି । ଗୋପବନ୍ଧୁ ମଧ୍ୟ ଏହି କିମ୍ବଦନ୍ତୀକୁ ଆୟୁଧ କରି ଓଡ଼ିଶାବାସୀଙ୍କୁ ଜାତି ପ୍ରତି ଉତ୍ସର୍ଗୀକୃତ ହେବାକୁ ପ୍ରେରିତ କରିଛନ୍ତି ।
‘ଧର୍ମପଦ’ କବିତାରେ ଜାତି ପ୍ରୀତି ପରିସ୍ଫୁଟିତ ହୋଇଛି । ଏହାସହ ଛୋଟ ବାଳକ ମୁହଁରେ ମାୟାବାଦର କଥା କୁହାଇଛନ୍ତି ।

ବାରଶ ବଢ଼େଇ ରହନ୍ତୁ ଜୀବନେ
ଛାଡ଼ ଏବେ ମୋର ଆଶା ।
ଏ ଜଗତେ କାହା ପୁଅ ବା କାହାର
ସମସ୍ତ ମାୟା ଭିଆଣ,
ସାର୍ଥକ ଜନମ ତାର ଏକା ସିନା
ପରହିତେ ଯାର ପ୍ରାଣ

ନିରବଚ୍ଛିନ୍ନ କର୍ମସୂତ୍ରରେ ଜୀବନ ଗୁନ୍ଥା । କର୍ମଧାରାରେ ଜୀବନର ବିକାଶ ସାଧିତ ହୋଇଥାଏ । କର୍ମ ଜୀବନକୁ ସତ୍ୟ, ସୁନ୍ଦର ଓ ପବିତ୍ର କରିଥାଏ । ଜୀବନ କେବଳ କର୍ମମୟ । ତେଣୁ ଗୋପବନ୍ଧୁ କହିଛନ୍ତି…

ମାନବ ଜୀବନ ନୁହଇ କେବଳ
ବର୍ଷ, ମାସ, ଦିନ, ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତାର
ଜୀବନର ମାନଦଣ୍ଡ ।

ଧର୍ମପଦର ବାଲ୍ୟଜୀବନ, ଜାତିର ସମ୍ମାନ ରକ୍ଷା ପାଇଁ ତାର ଜୀବନୋତ୍ସର୍ଗ ହିଁ ଏହାର ବିଷୟବସ୍ତୁ । ଏହି ପୁସ୍ତକ ଅଧ୍ୟୟନ କଲାବେଳେ ଗୋପବନ୍ଧୁଙ୍କ ଜୀବନାଦର୍ଶ ଅନୁଭୂତ ହୋଇଥାଏ ।

ବ୍ରହ୍ମତତ୍ୱ ବା ନଚିକେତା ଉପାଖ୍ୟାନ
ବ୍ରହ୍ମତତ୍ୱ ବା ନଚିକେତା ଉପାଖ୍ୟାନ କଠ ଉପନିଷଦର ବିଷୟ । ଏହା ଗୋପବନ୍ଧୁଙ୍କର ଏକ ଅନୁବାଦ ରଚନା । ଏଥିରେ ନଚିକେତାର ନିଷ୍ଠା, ଈଶ୍ୱର ଭକ୍ତି ଏବଂ ମୃତ୍ୟୁ ପରର ଜୀବନ ରହସ୍ୟ ଉନ୍ମୋଚିତ ହୋଇଛି । ଯାହାକୁ ଅତି ସରଳ, ମନୋଜ୍ଞ ଭାବେ ଗୋପବନ୍ଧୁ ରଚନା କରିଛନ୍ତି ।
ମୃତ୍ୟୁ ପରର ରହସ୍ୟକୁ ଯମ ନଚିକେତାକୁ କହିଛନ୍ତି । ଯାହା ଗୋପବନ୍ଧୁଙ୍କ ରଚନାରେ ସାବଳୀଳ ଭାବେ ଫୁଟି ଉଠିଛି ।

ଆତ୍ମଜ୍ଞାନଲାଭେ ଯେବେ ବିଶ୍ୱ ବ୍ରହ୍ମମୟ
ନାହିଁ ଜନ୍ମ, ନାହିଁ ମୃତ୍ୟୁ, ନାହିଁ ବୁଦ୍ଧିକ୍ଷୟ
ନାହିଁ ଅନ ହେତୁ ଯେହୁଁ ଆତ୍ମାର ସମ୍ଭବ
ନୁହଇ ଆତ୍ମାରୁ ଅନ୍ୟ ବସ୍ତୁ ସମୁଦ୍ଭବ ।
ଜନ୍ମ ବିରହିତ ଆତ୍ମା ନିତ୍ୟ ସନାତନ ।
ବିଶ୍ୱବସ୍ତୁ ରନ୍ଧ୍ରେ ରନ୍ଧ୍ରେ ଆତ୍ମା ସୁପ୍ରକାଶ
ଶରୀର ବିନାଶେ ଆତ୍ମା ଯାଏ ନାହିଁ ନାଶ ।

ନଚିକେତା ଉପାଖ୍ୟାନକୁ ରଚନା କରିବାର ପୃଷ୍ଠଭୂମି କ’ଣ? ଗୋପବନ୍ଧୁଙ୍କ ଆତ୍ମା ବି ମୃତ୍ୟୁ ରହସ୍ୟ ଭେଦିବାକୁ ଚେଷ୍ଟା କରିନାହାନ୍ତି କି? ବାସ୍ତବରେ ଗୋପବନ୍ଧୁ ବି ନଚିକେତା ପରି ମଣିଷ ମନର ଅନେକ ପ୍ରଶ୍ନକୁ ଉପସ୍ଥାପିତ କରିଛନ୍ତି ନିଜ ମାଧ୍ୟମରେ । ସେ କେବଳ ଜାତୀୟବାଦୀ କବି କି ସ୍ୱାଧୀନତା ସଂଗ୍ରାମୀ ନ ଥିଲେ । ଏସବୁ ସହିତ ଥିଲେ ବ୍ରହ୍ମଜ୍ଞ । ଯାହା ତାଙ୍କ ନଚିକେତା ଉପାଖ୍ୟାନରୁ ସ୍ପଷ୍ଟ ହୁଏ ।

ସହାୟକ ଗ୍ରନ୍ଥ ସୂଚୀ
୧- ମିଶ୍ର, ଶ୍ରୀ ନରସିଂହ(୧୯୮୬), ଲୋକବନ୍ଧୁ ଗୋପବନ୍ଧୁ, ପୁଷ୍ପିତା ପ୍ରେସ୍‍, କଟକ
୨- ସାମନ୍ତରାୟ, ଡକ୍ଟର ନଟବର(୨୦୧୯), ଓଡି଼ଆ ସାହିତ୍ୟର ଇତିହାସ(୧୮୦୩-୧୯୨୦), ଶ୍ରୀମତୀ ଗଙ୍ଗାବାଈ ସାମନ୍ତରାୟ, ଭୁବନେଶ୍ୱର
୩- ଗଡ଼ନାୟକ, ରାଧାମୋହନ, ଗୋପବନ୍ଧୁ ରଚନାବଳୀ
୪- ଉତ୍କଳ ପ୍ରସଙ୍ଗ ଗୋପବନ୍ଧୁ ବିଶେଷାଙ୍କ (୧୯୭୬ ଅକ୍ଟୋବର ସଂଖ୍ୟା)
୫- ମହାପାତ୍ର, ସତ୍ୟନାରାୟଣ(୧୯୯୩), ଉତ୍କଳମଣି ଗୋପବନ୍ଧୁ, ବିଜୟ ବୁକ୍‍ ଷ୍ଟୋର୍‍, ବ୍ରହ୍ମପୁର
୬- ଶତପଥୀ, ଡକ୍ଟର ନିତ୍ୟାନନ୍ଦ (୧୯୮୯), ହେ ସାଥି! ହେ ସାରଥି!, ଗ୍ରନ୍ଥମନ୍ଦିର, କଟକ

(ଲେଖକ ପରିଚୟ: ପଦ୍ମଲୋଚନ କିଛି ବର୍ଷ ସାମ୍ବାଦିକତା କରିବା ପରେ ଏବେ ଆଇଆଇଏମସିରେ ଗଣମାଧ୍ୟମ ଶିକ୍ଷକ ଭାବେ କାର୍ଯ୍ୟରତ । ଓଡ଼ିଆ ସାହିତ୍ୟ ଏବଂ ସାହିତ୍ୟ ଗବେଷଣାରେ ତାଙ୍କର ରୁଚି ରହିଛି )

Advertisement
Click to comment

Leave a Reply

Your email address will not be published. Required fields are marked *

Advertisement
Advertisement

Trending