ପ୍ରିଜମ ନ୍ୟୁଜ ବ୍ୟୁରୋ: ନିଜର ସାମାନ୍ୟ ଭୁଲ ପାଇଁ ବେଳେବେଳେ ଲୋକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥାଏ। ସେମିତି ଏକ ବେକେରୀ କମ୍ପାନୀ ସହ ଘଟିଛି। ନିଜର ସାମାନ୍ୟ ଭୁଲ ପାଇଁ ଏଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କମ୍ପାନୀ ୪୩,୮୧,୪୯୫ ଟଙ୍କା ଦେବ। କମ୍ପାନୀ ସେହି ବ୍ୟକ୍ତିଙ୍କୁ ବାରମ୍ବାର ହାତ ଧୋଇବାକୁ ବାଧ୍ୟ କରୁଥିଲା ଏବଂ ଏହି କାରଣରୁ ତାଙ୍କୁ ଚର୍ମ ସମ୍ବନ୍ଧୀୟ ରୋଗ ହୋଇଛି।
ବର୍ତ୍ତମାନ ଉକ୍ତ କର୍ମଚାରୀ ଅସୁସ୍ଥତା କାରଣରୁ କମ୍ପାନୀ ବିରୋଧରେ ମକଦ୍ଦମା ଦାୟର ମାମଲାରେ ଜିତିଛନ୍ତି। ଏହି କାରଣରୁ କର୍ମଚାରୀଙ୍କୁ ବର୍ତ୍ତମାନ ୪୩,୮୧,୪୯୫ ଟଙ୍କା କମ୍ପାନୀ ଦେବ ବୋଲି କୋର୍ଟ ରାୟ ଦେଇଛନ୍ତି। ସୂଚନା ଅନୁଯାୟୀ, ୫୯ ବର୍ଷିୟ ସୁସାନ୍ ରବିନସନ୍ ପଶ୍ଚିମ ୟର୍କଶାୟାରର ୱାକଫିଲ୍ଡର ଏକ କାରଖାନା ସ୍ପିଡବେକରେ କାମ କରୁଥିଲେ, ଯାହା ସୁପର ମାର୍କେଟ ପାଇଁ ମଫିନ୍, କପ୍ କେକ୍ ଏବଂ ଅନ୍ୟାନ୍ୟ ପ୍ୟାକିଂ ଖାଦ୍ୟ ସାମଗ୍ରୀ ତିଆରି କରିଥାଏ। କମ୍ପାନୀ ତାଙ୍କୁ କାମ କରିବା ସମୟରେ ଦିନକୁ ପ୍ରାୟ ୨୦ ଥର ହାତ ଧୋଇବାକୁ ବାଧ୍ୟ କରିଥିଲା ଏବଂ ଏହି କାରଣରୁ ତାଙ୍କ ହାତରେ ଚର୍ମ ରୋଗ ସୃଷ୍ଟି ହୋଇଥିଲା। ଯେତେବେଳେ ସେ ନିଜର ଅସୁସ୍ଥତା ବିଷୟରେ କମ୍ପାନୀରେ ଅଭିଯୋଗ କରିଥିଲେ, ସେତେବେଳେ ତାଙ୍କ ନିଯୁକ୍ତିଦାତା ରବିନସନଙ୍କ ଯୁକ୍ତିକୁ ଅଣଦେଖା କରିଥିଲେ। ଏହା ପରେ ତାଙ୍କ ହାତରେ ଫୁଲା, କୁଣ୍ଡିଆ ଓ ଜଳପଡା ଲାଗିରହିଥିଲା ଏବଂ ସେଥିରୁ ଅନେକ ସମୟରେ ରକ୍ତ ବାହାରିବାକୁ ଲାଗିଲା। ପ୍ରାୟ ଛଅ ମାସ ମଧ୍ୟରେ, ରବିନସନ୍ ଲକ୍ଷ୍ୟ କଲେ ଯେ ତାଙ୍କ ହାତ ଲାଲ ଏବଂ କୁଣ୍ଡେଇ ହେଉଛି, ଫଳସ୍ୱରୂପ ତାଙ୍କୁ ଦିନକୁ ୧୭ ଥର ହାତ ଧୋଇବାକୁ କୁହାଯାଇଥିଲା।
ଅନ୍ୟପକ୍ଷରେ, ପଣ୍ଟେଫ୍ରାକ୍ଟ ହସ୍ପିଟାଲରେ ପରୀକ୍ଷା ପରେ ଏହା ନିଶ୍ଚିତ ହୋଇଥିଲା ଯେ ତାଙ୍କ ହାତର ଚର୍ମ ସହିତ ବାରମ୍ବାର ରାସାୟନିକ ଯୋଗାଯୋଗ ହେତୁ ଏକ ପ୍ରକାର ଏକଜେମା ବିକଶିତ ହୋଇଛି। ଯେତେବେଳେ ରବିନସନ୍ ଏହା ଜାଣିଲେ, ସେ ନିଜେ କମ୍ପାନୀକୁ ହାତ ସୁରକ୍ଷା ପାଇଁ ଅନେକ ପରାମର୍ଶ ଦେଇଥିଲେ, ଯେପରିକି ବ୍ୟାରେଜ୍ କ୍ରିମ୍ ଏବଂ ପତଳା ଗ୍ଲୋଭସ୍।
ତେବେ ରନ୍ଧା ଖାଦ୍ୟ ଦୂଷିତ ହେବା ଆଶଙ୍କା ଥିବାରୁ କମ୍ପାନୀ ଏଥିରେ ସହମତ ହୋଇ ନଥିଲା। ଶେଷରେ ରବିନସନ୍ ତାଙ୍କ ୟୁନିଅନ୍ ବେକର୍ସ ଫୁଡ୍ ଆଣ୍ଡ ଆଲାଇଡ୍ ୱାର୍କର୍ସ ୟୁନିଅନ୍ (BFAWU), ଏବଂ ଥମ୍ପସନ୍ ସଲିସିଟରଙ୍କ ନିକଟକୁ ଯାଇଥିଲେ ଏବଂ ଉଭୟ ସଂଗଠନ ତାଙ୍କୁ କ୍ଷତିପୂରଣ ବାବଦରେ କମ୍ପାନୀ ବିରୁଦ୍ଧରେ ୫୦,୦୦୦ ୟୁରୋ ଅର୍ଥାତ୍ ୪୩,୮୧,୪୯୫ ଟଙ୍କା କ୍ଷତପୂରଣ ବାବଦରେ ପାଇବାକୁ ସାହାଯ୍ୟ କରିଥିଲେ। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି।
0 Comments