ଉପନିର୍ବାଚନ କସରତ; ପ.ବଙ୍ଗ ପାଇଁ ପ୍ରଧାନ ପୁଅକୁ ଭରସା କରିବେ କି ପ୍ରଧାନମନ୍ତ୍ରୀ?

ଉପନିର୍ବାଚନ କସରତ; ପ.ବଙ୍ଗ ପାଇଁ ପ୍ରଧାନ ପୁଅକୁ ଭରସା କରିବେ କି ପ୍ରଧାନମନ୍ତ୍ରୀ?

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଯେହେତୁ ରାଜନୀତି ସରିନି ଆଉ ରଣକ୍ଷେତ୍ର ଏବେ ବି ତାତି କି ଅଛି ଆଗକୁ ଲଢ଼େଇର ରୂପରେଖ ନିଶ୍ଚୟ ରକ୍ତିମ ହେବ ଏହା କହିବା ଭୁଲ୍ ହେବ ନାହିଁ । କଥା ହେଉଛି ଏବେ ବି କଢ଼େଇର ତେଲ ଟକର ମକର ହୋଇ ଫୁଟୁଛି ଆଉ ସେ ତେଲରେ ରାଜନୀତିର ରୁଟି ସେକିବା ପରିବର୍ତ୍ତେ ଛାଣିବାକୁ ଚାହିଁଲେ ନିଆଁର ଝାସ ତ ସହିବାକୁ ପଡ଼ିବ । 

ସେପଟେ ଏବେ ଚର୍ଚ୍ଚା ଉପନିର୍ବାଚନ ମଇଦାନରେ ବଙ୍ଗ ମଙ୍ଗ ଧରିବେ କି ଧର୍ମେନ୍ଦ୍ର ପ୍ରଧାନ? ଆଉ ଥରେ କେନ୍ଦ୍ରୀୟ ନେତୃତ୍ୱ ପ୍ରଧାନ ପୁଅ ଉପରେ କରିପାରିବେ ତ ଭରସା । ଅବଶ୍ଯ ଦେଶର ସବୁଠୁ ବଡ଼ ରାଜ୍ଯ ଉତ୍ତର ପ୍ରଦେଶ ବିଧାନସବା ନିର୍ବାଚନ ପାଇଁ ମଙ୍ଗ ଧରି ସାରିଛନ୍ତି ପ୍ରଧାନେ । ଆଉ ଏବେ ବଙ୍ଗ ଉପନିର୍ବାଚନରେ ଦିଦିଙ୍କ ସହ ହେବାକୁ ଥିବା ଦ୍ୱିତୀୟ ପାଳିର ଖେଳରେ ସେ ସାମିଲ ହେବେ ନା ଆଉ କାହାକୁ ଦଳ ଭରସା କରି କମାଣ ଦେଇ ବିଜୟ ଧ୍ୱଜା ଲେହରାଇବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା । ବର୍ତ୍ତମାନ ବଙ୍ଗ ରାଜନୀତି ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବଙ୍ଗ ବାଘୁଣୀଙ୍କ ପାଇଁ ଇଜତ ମହତର କଥା ।

 ଗତ ବିଧାନସଭା ନିର୍ବାଚନ ଭଳି ଏଥର ବି ରୋଚକ ହେବାକୁ ଯାଉଛି ପଶ୍ଚିମବଙ୍ଗ ଉପନିର୍ବାଚନ । ଭବାନୀପୁର ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ବିଜେପିର ପ୍ରିୟଙ୍କା ତିବ୍ରିଓ୍ବାଲ। ଭବାନୀପୁର ଆସନରୁ ତିବ୍ରିଓ୍ୱାଲ ବିଜେପି ପ୍ରାର୍ଥି ହେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ପେଷାରେ ଆଇନଜୀବୀ ଥିବା ତିବ୍ରିଓ୍ୱାଲ ପଶ୍ଚିମବଙ୍ଗ ବିଜେପିର ଯୁବ ଚେହେରା। ପୂର୍ବରୁ ସେ କେନ୍ଦ୍ରମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋଙ୍କର ଆଇନ ପରାମର୍ଶଦାତା ଭାବେ କାଯର୍ୟ କରୁଥିଲେ। ତେବେ ଭବାନୀପୁରରୁ ଦିଦି ଲଢ଼ିବାକୁ ନିଷ୍ପତ୍ତି ପରେ ବିଜେପିର ଅନେକ ନେତା ଏହି ଆସନ ଲଢିବାକୁ ପଛଘୁଞ୍ଚା ଦେଇଥିଲେ। ତେବେ ତିବ୍ରିଓ୍ୱାଲ ଏବେ ଦିଦିଙ୍କୁ ଟକ୍କର ଦେବାକୁ ମୈଦାନକୁ ଓହ୍ଲାଉଛନ୍ତି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ହାରିଥିବା ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ଯମନ୍ତ୍ରୀ ପଦ ରକ୍ଷା ଲାଗି ଏଥର ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦ୍ୱୀତା ଲାଗି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସର୍ଭେ ଭବନ ସ୍ଥିତ ନିର୍ବାଚନ କମିଶନଙ୍କ କାଯର୍ୟାଳୟରେ ନୋମିନେସନ୍ କରିଛନ୍ତି ମମତା। ତେବେ ଏଥର ଭବାନୀପୁରରୁ ତ୍ରିମୁଖୀ ଲଢ଼େଇ ହେବା ଆଶା କରାଯାଉଛି। ଲଢେଇ ମୁଖ୍ଯତଃ ମମତା-ପ୍ରିୟଙ୍କା ଓ  CPIM ପକ୍ଷରୁ ଶ୍ରୀଜିବ ବିଶ୍ୱାସଙ୍କ ମଧ୍ୟରେ ହେବାକୁ ଯାଉଛି।

 ଆସନ୍ତା ୩୦ରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବେ ଭୋଟର । ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି । ଏଠାରେ ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ରେ ଗଣତି ହେବ । ବିଧାନସଭା ନିର୍ବାଚନ ବେଳେ ମମତା ନନ୍ଦିଗ୍ରାମରେ ହାରିଯାଇଥିଲେ ।ଏହାସତ୍ତ୍ୱେ ସେ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନିୟମ ଅନୁସାରେ ତାଙ୍କୁ ଏହି ପଦ ବଜାୟ ରଖିବାକୁ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ ।ଏହି ଆସନରୁ ମମତା ଉପ ନିର୍ବାଚନ ଲଢିବେ । ସେ କ୍ରମାଗତ ଭାବେ ଏହି ଆସନରୁ ପ୍ରାର୍ଥୀ ହେଉଥିଲେ । କିନ୍ତୁ ଏପ୍ରିଲ-ମେରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହାପରେ ଭବାନୀପୁର ଆସନରେ ଜିତିଥିବା ଟିଏମସି ପ୍ରାର୍ଥୀ ବିଧାୟକ ପଦରୁ ଦିଦିଙ୍କ ପାଇଁ ଇସ୍ତଫା ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: