ଏକାଥରକେ ୭ ସନ୍ତାନ ଜନ୍ମ ଦେଲେ ପାକିସ୍ତାନୀ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପାକିସ୍ତାନ ଜଣେ ମହିଳା ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ଏକ ଚାମତ୍କାର ବୋଲି କୁହାଯାଉଛି। ତେବେ ମହିଳା ଓ ୭ ଶିଶୁ ସୁସ୍ଥ ଥିବା ଜଣାପଡିଛି। ୭ ଶିଶୁଙ୍କ ମଧ୍ୟରୁ ୪ ଜଣ ପୁଅ ଓ ୩ ଜଣ କନ୍ୟା ସନ୍ତାନ ରହିଛନ୍ତି। ତେବେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଶିଶୁଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଘଟଣାଟି ପଦାକୁ ଆସିଛି। ଘଟଣାଟି ପାକିସ୍ତାନ ଖେବର ପଖ୍ତୁନଖ୍ୱା ସ୍ଥିତ ଏବଟାବାଦ ସହରର ବୋଲି ଜଣାପଡିଛି। ପାକିସ୍ତାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେଠାକାର ଜିନ୍ନା ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଉକ୍ତ ମହିଳାଙ୍କ ଚିକିତ୍ସା ଚାଲିଥିଲା। ମହିଳାଙ୍କ ସ୍ୱାମୀଙ୍କ ନାମ ୟାର ମହମ୍ମଦ। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଗର୍ଭବତୀ ଥିବା ସମୟରେ ପରୀକ୍ଷାରୁ ଜଣାପଡିଥିଲା ଯେ ଏକାଧିକ ଶିଶୁ ତାଙ୍କ ଗର୍ଭରେ ଅଛନ୍ତି ବୋଲି, କିନ୍ତୁ ୭ଟି ଶିଶୁ ଅଛନ୍ତି ବୋଲି ଆମେ ଜାଣିନଥିଲୁ। ତେବେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଟିମ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡିଥିଲା ଯେ ମହିଳାଙ୍କ ଗର୍ଭରେ ୫ଟି ଶିଶୁ ଅଛନ୍ତି। ତାପରେ ମହିଳାଙ୍କ ଅପରେସନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳାଙ୍କ ଅପରେସନ କରାଯାଇ ଗୋଟିଏ ପରେ ଗୋଟିଏ ୭ଟି ଶିଶୁକୁ ସେ ଜନ୍ମ ଦେଇଥିଲେ। ମହିଳା ଓ ଶିଶୁଙ୍କ ଅବସ୍ଥା ଭଲ ଅଛି। ପ୍ରାୟ ଘଣ୍ଟାଏ ଯାଏଁ ମହିଳାଙ୍କ ଅପରେସନ ହୋଇଥିବା ଜଣା ପଡିଛି। ଡାକ୍ତର ବହୁତ ସତର୍କତା ସହ ମହିଳାଙ୍କ ଡେଲିଭରି କରିଥିଲେ। ତାଙ୍କ ସିକିତ୍ସା କରିଥିଆଁ ଜଣେ ଡାକ୍ତର କହିଛନ୍ତି ଯେ, ଗର୍ଭନିରୋଧକ ଔଷଧର ବହୁଳ ବ୍ୟବହାର ଯୋଗୁଁ ଶରୀରରେ ଏକାଧିକ ଅଣ୍ଡା ମେଚ୍ୟୁର ହୋଇଯାଆନ୍ତି। ଉକ୍ତ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହା ହିଁ ଘଟିଛି। ତେବେ ବର୍ତ୍ତମାନ ମହିଳା ଓ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି। ତାଙ୍କର ପୂର୍ବରୁ ମଧ୍ୟ ଦୁଇଟି ଝିଅ ଅଛନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜଣେ ମହିଳା ୯ ଟି ସନ୍ତାନ ଜନ୍ମ ଦେଇଥିଲେ।

Leave a Reply

Your email address will not be published. Required fields are marked *