କିଏ ଧରିବେ ସିବିଆଇ ମଙ୍ଗ ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି):

ଗତ ସପ୍ତାହରେ ଶୂନ୍ୟ ହୋଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ( ସିବିଆଇ ) ନିର୍ଦ୍ଦେଶକ ପଦ। ଏହି ପଦରୁ ଅବସର ନେଇଛନ୍ତି ଋଷିକୁମାର ଶୁକ୍ଲା। ନୂଆ ନିର୍ଦ୍ଦେଶକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ତାଙ୍କୁ କାମଚଳା ଦାୟିତ୍ୱରେ ରଖାଯାଇଛି। ତେବେ ଏହି ସାମ୍ବିଧାନିକ ପଦଟି ଅଧିକ ଦିନ ସ୍ଥାୟୀ ନିର୍ଦେଶକ ଶୂନ୍ୟ ରହିପାରିବ ନାହିଁ। ତେଣୁ ଏହି ପାଦରେ କାହାକୁ ନିଯୁକ୍ତ କରାଯିବ ସେନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଲାଣି। ସମ୍ଭାବ୍ୟ କେତେଜଣଙ୍କ ନାଁ ମଧ୍ଯ ଚର୍ଚ୍ଚା ହେଲାଣି। କିନ୍ତୁ କାହାକୁ ମିଳିବ ଏହି ଗୁରୁତ୍ୱପୂର୍ଣ୍ଣ ପଦ ? ଏହା ଅବଶ୍ୟ ଚୟନ କମିଟିର ସୁପାରିସ ଉପରେ ନିର୍ଭର କରୁଛି। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଏହି ଚୟନ କମିଟି ବୈଠକରେ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଲୋଚନା ବେଳେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଜଣେ ଅଧିକାରୀ ଉପସ୍ଥିତ ରହିଥାନ୍ତି।


ବିଡ଼ମ୍ବନାର ବିଷୟ ହେଉଛି, ଏଯାଏ ଏହି କମିଟିର ବୈଠକ ବସିନାହିଁ। ଖୁବ ସମ୍ଭବତଃ ନିକଟ ଭବିଷ୍ୟତରେ କମିଟିର ବୈଠକ ବସି ସିବିଆଇ ନିର୍ଦ୍ଦେଶକଙ୍କ ନାମ ଚୂଡ଼ାନ୍ତ କରିବ। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଥିବା ନିଯୁକ୍ତି ମନ୍ତ୍ରାଳୟ ଏବଂ ଭିଜିଲାନ୍ସ କମିଶନ ଇତିମଧ୍ୟରେ ସିବିଆଇ ନିର୍ଦ୍ଦେଶକ ପଦବୀ ନିମନ୍ତେ ତିନିଗୋଟି ନାମ ପ୍ରସ୍ତାବ କରିଛି। ସେହି ନାମ ଗୁଡ଼ିକ ମଧ୍ୟରେ ରହିଛି ୧୯୮୪ ବ୍ୟାଚ ଆଇପିଏସ ଅଫିସର ରାକେଶ ଆସ୍ଥାନା, ୱାଇ ସି ମୋଦି ଏବଂ ୧୯୮୫ ବ୍ୟାଚ୍ ଆଇପିଏସ ଅଫିସର ତଥା କେରଳ ପୋଲିସ ଡିଜି ଲୋକନାଥ ବେହେରା। ଏହି ତିନି ଜଣଙ୍କର ସିବିଆଇରେ କାର୍ଯ୍ୟ କରିବାର ପୂର୍ବ ଅଭିଜ୍ଞତା ରହିଛି। କମିଟି ଏହିମାନଙ୍କ ଭିତରୁ ଜଣକୁ ବାଛିବା ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଅନୁଗତ ଭାବେ ଜଣାଶୁଣା ରାକେଶ ଆସ୍ଥାନା ଏହି ପାଦ ସକାଶେ ସର୍ବାଧିକ ପସନ୍ଦ ହୋଇ ପାରନ୍ତି ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛି। ଆସ୍ଥାନା ହୋଇପାରନ୍ତି ନୂଆ ସିବିଆଇ ନିର୍ଦ୍ଦେଶକ। ଏଭଳି ଯୁକ୍ତି ସପକ୍ଷରେ କେତେକ କାରଣ ରହିଛି। ପ୍ରଥମତଃ ସେ ହେଉଛନ୍ତି ମୋଦିଙ୍କ ପସନ୍ଦର ଗୁଜରାଟ କ୍ୟାଡର ଆଇପିଏସ ଅଫିସର। ଦ୍ୱିତୀୟତଃ ନିର୍ଦ୍ଦେଶକ କରିବା ସକାଶେ ତାଙ୍କୁ ଇତିମଧ୍ୟରେ ସମସ୍ତ ଦୁର୍ନୀତି ଅଭିଯୋଗରୁ ମୁକ୍ତ କରାଯାଇ କ୍ଲିନଚିଟ ଦିଆଯାଇଛି। ପୂର୍ବରୁ ମାଂସ ବ୍ୟବସାୟୀ ମୋଇନ କ୍ୟୁରେସିଙ୍କ ଠାରୁ ଲାଞ୍ଚ ନେଇଥିବା ମାମଲାରୁ ମୁକ୍ତ ହୋଇଥିବା ଆସ୍ଥାନା ଏବେ ଦୁର୍ନୀତିଗ୍ରସ୍ତ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଷ୍ଟାର୍ଲିଂ ବାୟୋଟେକ ଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି। ସିବିଆଇର ପୂର୍ବତନ ସ୍ପେସିଆଲ ଡିରେକ୍ଟର ଆସ୍ଥାନା ଏଵେ ବିଏସଏଫ ମହାନିର୍ଦ୍ଦେଶକ ଅଛନ୍ତି। ସେ ସିବିଆଇର ବିଶେଷ ନିର୍ଦ୍ଦେଶକ ଥିବାବେଳେ ୨୦୧୯ରେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସହ ତାଙ୍କର ବିବାଦ ଏପରି ଅବସ୍ଥାରେ ପହଁଚି ଥିଲା ଯେ ସରକାର ଉଭୟଙ୍କୁ ଛୁଟିରେ ପଠାଇ ଦେବାକୁ ବାଧ୍ୟ ହୋଇଥିଲେ। ମାଂସ ବ୍ୟବସାୟୀ କ୍ୟୁରେସିଙ୍କ ଠାରୁ ଆସ୍ଥାନା ଲାଞ୍ଚ ନେବାର ଅଭିଯୋଗ ଆଣିଥିଲେ ଆଲୋକ ବର୍ମା। ପରେ ସରକାର ଏହାର ତଦନ୍ତ ଆରମ୍ଭ କରିଥିଲେ। ଆଲୋକଙ୍କ ସ୍ଥାନରେ ସିବିଆଇ ନିର୍ଦ୍ଦେଶକ ଭାବେ ତତ୍କାଳୀନ ମଧ୍ଯ ପ୍ରଦେଶ ଡିଜି ଋଷିକୁମାର ଶୁକ୍ଲାଙ୍କୁ ନିଯୁକ୍ତ କରାଯାଇଥିଲା। ସରକାର ଅବଶ୍ୟ ଆସ୍ଥନାଙ୍କ ବିରୋଧରେ ଯାବତୀୟ ତଦନ୍ତ କରି ତାଙ୍କୁ କ୍ଲିନଚିଟ ଦେଇଛନ୍ତି। ବିଶେଷ ସିବିଆଇ ଅଦାଲତ ଏହାକୁ ଗ୍ରହଣ କରିନେଇଛି।

ସମାନ ଭାବେ ଆସ୍ଥନାଙ୍କୁ ଔଷଧ କମ୍ପାନୀ ଠାରୁ ଲାଞ୍ଚ ନେଇଥିବା ମାମଲାରେ ସିବିଆଇ ସ୍ୱତନ୍ତ୍ର ଅଦାଲତରୁ କ୍ଲିନଚିଟ ମିଳିଛି। ଗତ ସପ୍ତାହରେ ଅବସର ଗ୍ରହଣ ପୂର୍ବରୁ ସିବିଆଇ ନିର୍ଦ୍ଦେଶକ ଋଷିକୁମାର ଜାନୁୟାରୀ ମଧ୍ଯ ଭାଗରେ ଆସ୍ଥାନାଙ୍କ କ୍ଲିନଚିଟ ଫାଇଲରେ ଦସ୍ତଖତ କରିଥିଲେ। ସୁତରାଂ ସବୁ ଅଭିଯୋଗରୁ ମୁକ୍ତ ଆସ୍ଥାନାଙ୍କ ପାଇଁ ସିବିଆଇ ନିର୍ଦ୍ଦେଶକ ପଦ ସକାଶେ ରାସ୍ତା ପରିଷ୍କାର ହୋଇଛି। ସେହିଭଳି ଏହି ପଦ ଦୌଡ଼ରେ ଥିବା ୱାଇ ସି ମୋଦି ମଧ୍ଯ ସିବିଆଇରେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି। ଗୁଜରାଟ ଦଙ୍ଗାର ବିଭିନ୍ନ ସିବିଆଇ ତଦନ୍ତ ଦାୟିତ୍ୱରେ ସେ ରହିଥିଲେ। ତଦନ୍ତର ଫଳ ତତ୍କାଳୀନ ଗୁଜରାଟ ସରକାର ( ମୋଦି ସରକାର ) ସପକ୍ଷରେ ଯାଇଥିବାରୁ ସେ ମଧ୍ଯ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ଼ ବୁକରେ ଥାଇ ପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ଲୋକନାଥ ବେହେରା ସିବିଆଇରେ ଥିବା ବେଳେ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ପୁରୁଲିଆ ଅସ୍ତ୍ର ବର୍ଷଣ ମାମଲା ଭଳି ଏକାଧିକ ସଙ୍ଗିନୀ ମାମଲାର ତଦନ୍ତ କରିଥିଲେ। ଏବେ ସେ କେରଳର ପୋଲିସ ମହାନିର୍ଦ୍ଦେଶକ ଅଛନ୍ତି। ରାକେଶ ଆସ୍ଥାନା ସିବିଆଇର ବିଶେଷ ନିର୍ଦ୍ଦେଶକ ଥିବା ବେଳେ ଚିଟଫଣ୍ଡ ଦୁର୍ନୀତି ତଦନ୍ତର ବିଶେଷ ଅଗ୍ରଗତି ହୋଇଥିଲା। ଏବେ ଯଦି ସେ ତଦନ୍ତ ବ୍ୟୁରୋ ମୁଖ୍ୟ ହୋଇ ଆସନ୍ତି ତେବେ ଚିଟ ଫଣ୍ଡ ଦୁର୍ନୀତିର ପୁରୁଣା ଫାଇଲ ଖୋଲିବା ଆଶଙ୍କାକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ଅବଶ୍ୟ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଯେପରି ସରକାରଙ୍କ ମର୍ଜୀ ଉପରେ ନିର୍ଭରଶୀଳ, ଠିକ ସେମିତି ଚିଟ ଫଣ୍ଡ ଫାଇଲ ପୁନର୍ବାର ଖୋଲିବା ସରକାରଙ୍କ ଇଙ୍ଗିତ ଉପରେ ନିର୍ଭର କରିବ। କାରଣ ସିବିଆଇ ଏକ ନିରପେକ୍ଷ ସଂସ୍ଥା ହୋଇଥିଲେ ମଧ୍ଯ ତାହା କେନ୍ଦ୍ର ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରିଥାଏ ବୋଲି ଅପବାଦ ରହିଛି। ଏପରିକି ସୁପ୍ରିମ କୋର୍ଟ ମଧ୍ଯ ସିବିଆଇକୁ ପଞ୍ଜୁରୀ ଭିତରେ ପକ୍ଷୀ ବୋଲି ଟିପ୍ପଣୀ ଦେଇଥିଲେ।

%d bloggers like this: