ଗୁଲାମନବୀଙ୍କ ପାଇଁ ମୋଦିଙ୍କ ଭାବପ୍ରବଣ ଅଶ୍ରୁ କାହିଁକି ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତି ପତି): ରାଜ୍ୟସଭାରେ ବିରୋଧୀ କଂଗ୍ରେସ ଦଳର ନେତା ଗୁଲାମନବୀ ଆଜାଦ। ଆସନ୍ତା ୧୫ ତାରିଖରେ ସେ ସଂସଦର ଉଚ୍ଚ ସଦନରୁ ଅବସର ନେବେ। ଏଥିପାଇଁ ମଙ୍ଗଳବାର ତାଙ୍କୁ ରାଜ୍ୟସଭାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଂଗ୍ରେସ ନେତାଙ୍କ ସହ ତାଙ୍କର ଅତୀତ ସମ୍ପର୍କର ସ୍ମୃତି ଚାରଣ କରିବାକୁ ଯାଇ ଭାବପ୍ରବଣ ହୋଇ ଯାଇଥିଲେ। ବାଷ୍ପରୁଦ୍ଧ କଣ୍ଠରେ ସେହି କଥା କହୁଥିବା ବେଳେ ତାଙ୍କ ଆଖି ଓଦା ହୋଇଯାଇଥିଲା। ବାରମ୍ବାର ପାଣି ପିଇ ମୋଦି ଗୁଲାମନବୀଙ୍କ ସହ ବିଗତ ଦିନର ଏକ ଘଟଣା ବର୍ଣ୍ଣନା କରୁଥିବା ବେଳେ ସେ ବେଶ କିଛିସମୟ ବିରାମ ନେଉଥିବା ଦେଖିବାକୁ ମିଳିଥିଲା। କଂଗ୍ରେସର ଏହି ରାଜ୍ୟସଭା ସଦସ୍ୟଙ୍କ ବିଦାୟ ବେଳାରେ ପ୍ରଧାନମନ୍ତ୍ରୀଙ୍କର ଏଭଳି ଭାବାବେଗ ଓ ଆଖିରେ ଅଶ୍ରୁ ଦେଖି ନୂଆ କଳ୍ପନା ଜଳ୍ପନାର ସୁତ୍ରପାତ ହେଲାଣି। ନୂଆ ରାଜନୈତିକ ସମୀକରଣର ସନ୍ଦେହ କରାଗଲାଣି। ଅନ୍ୟପଟେ ବିରୋଧୀ ମଧ୍ଯ ମୋଦିଙ୍କର ଏହି ପ୍ରବଣତାକୁ ନେଇ କଟାକ୍ଷ କଲେଣି। ପ୍ରଧାନମନ୍ତ୍ରୀ କଂଗ୍ରେସ ନେତାଙ୍କ ପାଇଁ ଯେଉଁଭଳି ଆଖିରୁ ପାଣି ବୁହାଇଲେ, ଦିଲ୍ଲୀ ସୀମାରେ ଦୀର୍ଘ ୭୫ ଦିନ ଧରି ଶୀତ କାକରରେ ବସିରହିଥିବା ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଦୁଇବୁନ୍ଦା ବୁହାଇଥାନ୍ତେ ହେଲା।

ଗୁଲାମନବୀଙ୍କ ସଦସ୍ୟ ପଦ ମିଆଦ ଚଳିତ ମାସ ୧୫ ତାରିଖରେ ଶେଷ ହେଉଥିଲେ ମଧ୍ଯ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ କରି ଆଣିବାର ଯୋଜନା ଅପାତତଃ କଂଗ୍ରେସର ନାହିଁ। କାରଣ କଂଗ୍ରେସର କାର୍ଯ୍ୟଶୈଳୀକୁ ନେଇ ସୋନିଆ ଗାନ୍ଧୀଙ୍କୁ ପାତ୍ର ଲେଖି ଏବଂ ଏହାକୁ ଗଣମାଧ୍ୟମରେ ପ୍ରକାଶ କରି ଗୁଲାମନବୀଙ୍କ ସମେତ ୨୩ ଜଣ ବରିଷ୍ଠ ନେତା ବିବାଦୀୟ ହୋଇପଡ଼ିଛନ୍ତି। ଯଦିଓ ସେମାନେ କଂଗ୍ରେସରେ ଅଛନ୍ତି ଓ ସେମାନଙ୍କ ଉପରେ କୌଣସି ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ତଥାପି ସେମାନେ ଆଉ ଗୁଡ୍ ବୁକରେ ନାହାନ୍ତି। ସୁତରାଂ ଗୁଲାମନବୀ ପୁନର୍ବାର କଂଗ୍ରେସ ସଦସ୍ୟ ହୋଇ ସଂସଦର ଉଚ୍ଚ ସଦନକୁ ଆସିବାର ସମ୍ଭାବନା କ୍ଷୀଣ। ଏହି ପରିପ୍ରେକ୍ଷୀରେ ଗୁଲାମନବୀଙ୍କ ବିଦାୟ ବେଳାରେ ମୋଦିଙ୍କ ଆଖିରେ ଲୁହ ଏବଂ ପରେ ସହାସ୍ୟ ବଦନରେ, ‘ଆପଣଙ୍କୁ ଆମେ ଅବସର ନେବାକୁ ଦେବୁ ନାହିଁ’ ମନ୍ତବ୍ୟ, ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି। ତେବେ କ’ଣ ଏକ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ପ୍ରଶ୍ନ ତଥ୍ୟାଭିଜ୍ଞ ମହଲକୁ ଆଚ୍ଛନ୍ନ କରୁଛି। କଂଗ୍ରେସର ଓ ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ନେତା ଭାବେ ପରିଚିତ ଏହି କାଶ୍ମୀର ନେତା ଗୁଲାମ ନବୀ ଆଜାଦ। ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି, ସଞ୍ଜୟ, ରାଜୀବ ଓ ସୋନିଆଙ୍କ ପର୍ଯ୍ୟନ୍ତ ସେ ସମସ୍ତ ଗାନ୍ଧୀ ପରିବାର ସଦସ୍ୟଙ୍କ ସହ ଅତ୍ୟନ୍ତ ଘନିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି। ଗତ ଅଗଷ୍ଟ ମାସରେ ଦଳୀୟ କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇ ସୋନିଆଙ୍କୁ ଚିଠି ଲେଖିବା ତାଙ୍କ ପାଇଁ ମହଙ୍ଗା ହୋଇଛି। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଏହି ବରିଷ୍ଠ ନେତାମାନେ ଚିଠି ଲେଖିଥିବା କାରଣରୁ ଗୁଲାମନବୀଙ୍କ ଉପରେ ସୋନିଆ କ୍ଷୁବ୍ଧ। ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗ ରାଜ୍ୟସଭାରେ ସୋମବାର ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ମଧ୍ଯ ମଙ୍ଗଳବାର ଭାଷଣ ପ୍ରସଙ୍ଗରେ ଗୁଲାମ ନବୀଙ୍କୁ ବିପୁଳ ପ୍ରଶଂସା କରିବା ଓ ଅତୀତ ବଖାଣି ତାଙ୍କୁ ‘ପ୍ରକୃତ ବନ୍ଧୁ’ ବୋଲି କହିବା ଘଟଣା ରାଜନୈତିକ ମହଲକୁ ନୂଆ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ‘ମୁଁ ଆପଣଙ୍କୁ ଅବସର ନେବାକୁ ଦେବି ନାହିଁ’ ବୋଲି ମୋଦିଙ୍କ ବକ୍ତବ୍ୟ ଏକ ନୂଆ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ପ୍ରଶ୍ନ ଉଠୁଛି, ମୋଦି କ’ଣ ଏହାକୁ ଏକ ସୁଯୋଗ ବୋଲି ଚିନ୍ତା କରୁଛନ୍ତି ? ଗୁଲାମନବୀଙ୍କୁ କୌଣସି ଏକ ସରକାରୀ ପଦବୀରେ ବସାଇ ଆସ୍ଥା ଭାଜନ ହେବେ ମୋଦି ? ଦେଖିବାକୁ ଗଲେ ସରକାରଙ୍କ ନିକଟରେ ଅନେକ ବିକଳ୍ପ ରହିଛି। ତାହାକୁ କାର୍ଯ୍ୟରେ ଲଗାଇ ଗୁଲାମନବୀଙ୍କୁ ଥଇଥାନ କରାଯିବା କୌଣସି ବଡ଼ କଥା ନୁହେଁ। ପ୍ରକାଶ ଯେ ଗତ ଅଗଷ୍ଟ ମାସରେ ଗୁଲାମ ନବୀ, କପିଲ ସିବଲ, ଆନନ୍ଦ ଶର୍ମାଙ୍କ ସମେତ ୨୩ ବରିଷ୍ଠ କଂଗ୍ରେସ ନେତା କଂଗ୍ରେସ ସଭାନେତ୍ରୀ ସୋନିଆଙ୍କୁ ପତ୍ର ଲେଖିବା ପରେ ରାହୁଲ ଶିବିର ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲା। ସେତେବେଳେ ଏହି ଶିବିରରୁ କୁହାଯାଇଥିଲା ଯେ, ଏହି ବରିଷ୍ଠ ନେତାମାନଙ୍କ ମଧ୍ୟରୁ କେତେକଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେଉଥିବାରୁ ସେମାନେ ବିକ୍ଷୁବ୍ଧ ହୋଇ ପଡୁଛନ୍ତି। ସେମାନେ ବିଜେପି ଆଡକୁ ଢଲୁଛନ୍ତି ବୋଲି ମଧ୍ଯ ଅଭିଯୋଗ ଉଠିଥିଲା। ସେମାନେ ସେଥିପାଇଁ ବିଜେପି ସ୍ୱରରେ କଥା କହୁଛନ୍ତି।

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର ପରେ ରାଜ୍ୟର ଅନେକ ବିରୋଧୀ ନେତାଙ୍କୁ କେନ୍ଦ୍ର ସରକାର ଗୃହ ବନ୍ଦୀ କରିଥିଲେ। ଗୁଲାମ ନବୀ କାହିଁକି ଗୃହ ବନ୍ଦୀ ହୋଇ ନଥିଲେ ବୋଲି ସେତେବେଳେ ରାହୁଲ ଶିବିରରୁ ମଧ୍ଯ ପ୍ରଶ୍ନ ଉଠିଥିଲା। ମଙ୍ଗଳବାର ଗୁଲାମ ନବୀଙ୍କ ସମେତ ଚାରି ଜଣ କାଶ୍ମୀର ସଦସ୍ୟ ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି। ଗୁଲାମ ନବୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଯାହା କହିଲେ, ଗୁଲାମ ନବୀ ମଧ୍ଯ ତାଙ୍କ ବିଦାୟୀ ଭାଷଣରେ ମୋଦିଙ୍କୁ ଯେଉଁଭଳି ପ୍ରଶଂସା କଲେ, ତାହା କଂଗ୍ରେସ ଶିବିରରେ ଗୁଞ୍ଜରଣ ସୃଷ୍ଟି କରିଛି। ସେମାନଙ୍କ କଟାକ୍ଷ ଗତ ଅଗଷ୍ଟ ମାସରେ ରାହୁଲ ଶିବିରରୁ ଯେଉଁ ଅଭିଯୋଗ ଉଠିଥିଲା ତାହା ଏଵେ ସତ୍ୟରେ ପରିଣତ ହୋଇଛି। ତେବେ କ’ଣ ଗୁଲାମ ନବୀ ଏହି ପରିଣତ ବୟସରେ ପଦ୍ମ ପୋଖରୀକୁ ପଶିବାର ଯୋଜନା କରୁଛନ୍ତି ? ନା ତାଙ୍କୁ ଗୈରିକ କରିବା ସକାଶେ ପ୍ରଧାନମନ୍ତ୍ରୀ ତାଙ୍କ ଆବେଗପୂର୍ଣ୍ଣ ଭାଷଣ ଜରିଆରେ ଜାଲ ଫିଙ୍ଗିଲେ ? କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେଙ୍କ ମନ୍ତବ୍ୟକୁ ତର୍ଜମା କଲେ ସେହିଭଳି ବାସ୍ନା ଆସୁଛି। ଏନ୍ଡ଼ିଏର ଏକ ସହଯୋଗୀ ଦଳ ନେତା ଆଠୱାଲେ ଆଉ ଗୋଟିଏ ପାଦ ଆଗେଇଯାଇ କହିଛନ୍ତି ଯେ, ‘ରାଜ୍ୟ ସଭାରେ ଗୁଲାମ ନବୀ ଆଜାଦଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି। କଂଗ୍ରେସ ଯଦି ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ନ ଆଣେ ତେବେ ଆମେ ତାଙ୍କୁ ଜିତାଇ ଆଣିବୁ।

%d bloggers like this: