ଭୋଟ ତାରିଖ : କମିଶନଙ୍କ ସମ୍ମୁଖରେ ନାନା ପ୍ରତିବନ୍ଧକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ (କମଳାକାନ୍ତ ପତି); ଆସନ୍ତା ଏପ୍ରିଲ-ମେରେ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ l ଏହି ରାଜ୍ୟ ଗୁଡିକ ସକାଶେ ଭୋଟ ତାରିଖ ଘୋଷଣା ପାଇଁ ନିର୍ବାଚନ କମିଶନଙ୍କୁ ଏବେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡୁଛି l ପ୍ରଥମତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ସବୁ ରାଜ୍ୟ ସକାଶେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ବିଷୟଟିକୁ ନଜର ରଖାଯାଉଛି, ଦ୍ୱିତୀୟରେ ପରୀକ୍ଷା ଓ ତୃତୀୟରେ ସମ୍ପୃକ୍ତ ରାଜ୍ୟ ଗୁଡିକର ଗଣ ପର୍ବପର୍ବାଣି l ଏତେ ସବୁ ଦିଗକୁ ବିଚାରକୁ ନେଇ କମିଶନଙ୍କୁ ଭୋଟ ତାରିଖ ନିର୍ଧାରଣ କରିବାକୁ ପଡିବ l ଯାହାକି କମିଶନରଙ୍କ ପାଇଁ ଚିନ୍ତାର କାରଣ ହୋଇଛି l ପୁଣି କେଉଁ ରାଜ୍ୟରେ କେତେ ପର୍ଯ୍ୟାୟରେ ଭୋଟ ହେବ ତାହା ସ୍ଥିର କରିବାକୁ ପଡିବ l କରୋନା ଭୟ ମଧ୍ୟ ସମ୍ପୂର୍ଣ ଦୂର ହୋଇ ନାହିଁ l କେରଳରେ ଦ୍ୱିତୀୟ ଥର ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାରୁ, ରାଜ୍ୟ ସରକାର କେତେକ ଅଞ୍ଚଳରେ ଲକ ଡାଉନ ଘୋଷଣା କରିଛନ୍ତି l ଆଗାମୀ ଦିନରେ ଏହି ସଂକ୍ରମଣ କେଉଁ ରୂପ ନେବ ତାହା କହିବା କଷ୍ଟକର l ସୁତରାଂ ସବୁଦିଗରୁ ଭାରସାମ୍ୟ ରକ୍ଷାକରି କମିଶନଙ୍କୁ ଏହି ପାଞ୍ଚ ରାଜ୍ୟର ଭୋଟ ନିର୍ଘଣ୍ଟ ସ୍ଥିର କରିବାକୁ ପଡିବ l

ଚିନ୍ତା କରାଯାଉଥିଲା ଯେ କମିଶନ ଆସନ୍ତା ସପ୍ତାହରେ (ଫେବୃୟାରୀ 22-28 ) ଭୋଟ ତାରିଖ ଘୋଷଣା କରିଦେବେ l କିନ୍ତୁ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଭୋଟ ତାରିଖ ଘୋଷଣାର କୌଣସି ନିଶ୍ଚିତତା ନାହିଁ l କାରଣ ପ୍ରଧାନମନ୍ତ୍ରୀ ମୋଦି ଏହି ଭୋଟମୁଖୀ ରାଜ୍ୟ ଗୁଡିକରେ ମାର୍ଚ୍ଚ 1 ଏବଂ 2 ତାରିଖରେ ଏକାଧିକ ସରକାରୀ ପ୍ରକଳ୍ପର ଘୋଷଣା, ଶିଳାନ୍ୟାସ ଵା ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି l ସୁତରାଂ କମିଶନ ମାର୍ଚ୍ଚ 3 କିମ୍ବା 4ରେ ଭୋଟ ନିର୍ଘଣ୍ଟ ଘୋଷଣା କରିପାରନ୍ତି l ଫେବୃୟାରୀ ଶେଷ ସପ୍ତାହରେ ଭୋଟ ତାରିଖ ଘୋଷଣା ପାଇଁ କମିଶନ ଏକପ୍ରକାର ନିଷ୍ପତ୍ତି ନେଇସାରିଥିଲେ l ମାତ୍ର ସରକାରୀ ଚାପରୁ ତାହା ଅଟକିଗଲା ବୋଲି କୁହାଯାଉଛି l ଭୋଟ ତାରିଖ ଘୋଷଣା ହୋଇଗଲେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ l ଏହି ପତିସ୍ଥିତିରେ ଭୋଟ ହେବାକୁ ଯାଉଥିବା ରାଜ୍ୟ ଗୁଡିକ ସକାଶେ ଆଉ ସରକାରୀ ପ୍ରକଳ୍ପ ଘୋଷଣା, ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମ ହୋଇପାରିବ ନାହିଁ l ତେଣୁ କମିଶନଙ୍କୁ ବାଧ୍ୟ ହୋଇ ଭୋଟ ତାରିଖ ଘୋଷଣା ଘୁଞ୍ଚାଇବାକୁ ପଡିଲା l

ଅତୀତରେ ଦେଖାଯାଇଛି ଯେ ଭୋଟ ଆସିଲେ ସରକାରୀ ଦଳକୁ ବିଭନ୍ନ ପ୍ରକଳ୍ପ କଥା ମନେପଡେ l ଭୋଟରଙ୍କୁ ପ୍ରଲୋଭିତ କରିବା ସକାଶେ ପ୍ରକଳ୍ପ ଥୋପ ପକାଯାଇଥାଏ l ଏଥର ସେହି ପରମ୍ପରାରୁ ସରକାର ଦୁରେଇଯିବେ କିପରି lସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଫେବୃୟାରୀ 28 ରୁ ମାର୍ଚ୍ଚ 2 ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସରକାରୀ କାର୍ଯ୍ୟସୂଚୀ ରହିଛି l ତାପୂର୍ବରୁ ଅବଶ୍ୟ ପ୍ରଧାନମନ୍ତ୍ରୀ ଚଳିତ ମାସ 23 ତାରିଖରେ ଆଇଆଇଟି ଖଡ଼ଗପୁରର ସମାବର୍ତ୍ତନ ଉତ୍ସବରେ ଭିଡିଓ କନ୍ଫରେନ୍ସିଂ ଯୋଗେ ଉଦବୋଧନ ଦେବେ l ଏତଦବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ମଧ୍ଯ ଏହି ସମୟ ମଧ୍ୟରେ କେତେକ ସରକାରୀ ପ୍ରକଳ୍ପର ଘୋଷଣା, ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି l ସୂଚନାଯୋଗ୍ୟ ଯେ ମେ 4 ତାରଖରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯିବ l ପରୀକ୍ଷା ଆରମ୍ଭର ଅନ୍ତତଃ 48 ଘଣ୍ଟା ପୂର୍ବରୁ କେନ୍ଦ୍ରୀୟ ବାହିନୀକୁ ସ୍କୁଲ ପରିସର ଛାଡିଦେବାକୁ ପଡିବ l ସେହି ହିସାବରେ କମିଶନ ଯଦି ମାର୍ଚ୍ଚ 3 କିମ୍ବା 4 ରେ ଭୋଟ ତାରିଖ ଘୋଷଣା କରନ୍ତି ତେବେ ହାତରେ ଦୁଇ ମାସରୁ କମ ସମୟ ରହିବ l

ପୁଡୁଚେରୀ ଓ ତାମିଲନାଡୁରେ ଗୋଟିଏ ଦଫାରେ, କେରଳ ଓ ଆସାମରେ ଦୁଇଟି ପର୍ଯ୍ୟାୟରେ ଭୋଟ କରାଗଲେ ମଧ୍ୟ ପଶ୍ଚିମବଙ୍ଗ ଅନ୍ତତଃ 5ରୁ 7 ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ କମିଶନଙ୍କର ଯୋଜନା ରହିଛି l କମିଶନ ଯଦି 3 ମାର୍ଚ୍ଚରେ ଭୋଟ ତାରିଖ ଘୋଷଣା କରନ୍ତି ତେବେ ବିଜ୍ଞପ୍ତି ଜାରି ହେବା ବେଳକୁ ମାର୍ଚ୍ଚ 5 ପାରକରିଯାଇପାରେ l ବିଜ୍ଞପ୍ତି ଜାରିର 21 ଦିନ ପରେ ପ୍ରଥମ ପର୍ଯ୍ୟାୟ ଭୋଟ କରିବା ସମ୍ଭବ l ଏହା ମଧ୍ୟରେ 28-29 ମାର୍ଚ୍ଚ ଦୋଳ ଓ ହୋଲି ପର୍ବ ରହିଛି l ଏହି ପର୍ବ ପୂର୍ବରୁ ପଶ୍ଚିମବଙ୍ଗରେ ଅନ୍ତତଃ ଗୋଟିଏ ପର୍ଯ୍ୟାୟ ଭୋଟ ହୋଇଯାଇପାରେ l ଏପ୍ରିଲ 2 ତାରିଖରେ ପଡୁଛି ଗୁଡ଼ ଫ୍ରାଇଡେ l ଏହି ସପ୍ତାହରେ ଭୋଟ ଗ୍ରହଣ ନରଖିବା ପାଇଁ କେରଳ ଏବଂ ପୁଡୁଚେରୀରୁ ଅନୁରୋଧ କରାଯାଇଛି l

ଛୋଟ ରାଜ୍ୟ ବୋଲି ଅନ୍ୟ ରାଜ୍ୟ ଗୁଡିକ ଆଗରୁ ଭୋଟ ନକରିବାକୁ ମଧ୍ଯ ଅନୁରୋଧ କରାଯାଇଛି l କାରଣ ଏପରି କରାଗଲେ ଗଣତି ପାଇଁ ଏକ ମାସ ଅପେକ୍ଷା କରିବାକୁ ପଡିବ lଏପ୍ରିଲ 14 ରେ ପଶ୍ଚିମବଙ୍ଗରେ ବଙ୍ଗଳା ନବବର୍ଷ ଏବଂ ଆସାମରେ ବିହୁ ଉତ୍ସବ l ଏହି ସମୟରେ ଉକ୍ତ ଦୁଇ ରାଜ୍ୟରେ ଭୋଟ ଗ୍ରହଣ ପାଇଁ ସମସ୍ୟା ରହିଛି l ଏପ୍ରିଲ 21 ରାମନବମୀ, 25 ଏପ୍ରିଲ ମହାବୀର ଜୟନ୍ତୀ l ସୁତରାଂ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ, ଉତ୍ସବ ଏବଂ ପରୀକ୍ଷା – ଏହି ତିନୋଟି ବିଷୟକୁ ନଜରରେ ରଖି କମିଶନଙ୍କୁ ଭୋଟ କାର୍ଯ୍ୟସୂଚୀ ଚୂଡାନ୍ତ କରିବାକୁ ପଡିବ l ଯାହାକି କମିଶନଙ୍କୁ ଚିନ୍ତାରେ ପକାଇଛି l

%d bloggers like this: