କୁରାଢ଼ିରେ ହାଣି ନିଜ ବାପକୁ ମାରିଦେଲେ ଦୁଇ ନାବାଳିକା ଝିଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମା’ ଉପରେ ସ୍ୱାମୀର ଅତ୍ୟାଚାର ଦେଖି ଜନ୍ମକଲା ବାପାକୁ ହତ୍ୟା କରିଦେଲେ ଦୁଇ ନାବାଳିକା ଝିଅ। ଛତିଶଗଡର ରାଜନନ୍ଦଗାଓଁରୁ ଏଭଳି ହୃଦୟ ବିଦାରକ ଘଟଣା ସମ୍ନାକୁ ଆସିଛି। ପ୍ରତିଦିନ ମଦ୍ୟପାନ କରିବା ପରେ ବାପା ଘରକୁ ଆସି ତାଙ୍କ ପତ୍ନୀ ଅର୍ଥାତ୍ ଝିଅମାନଙ୍କ ମା’କୁ ମାଡ ମାରୁଥିବାରୁ ସେମାନେ ତାଙ୍କ ପିତାଙ୍କୁ ହତ୍ୟା କରିଥିବାର କହିଛନ୍ତି। ମା’ ଉପରେ ନିୟମିତ ହେଉଥିବା ଅତ୍ୟାଚାର ଅସହ୍ୟ ହେବାରୁ ସେମାନେ ରାଗିଯାଇ ପିତାଙ୍କୁ ହତ୍ୟା କରିଥିବାର ପୋଲିସ ସୂଚନା ଦେଇ କହିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛତିଶଗଡର ରାଜାନନ୍ଦଗାଓଁ ଜିଲ୍ଲା ଅମ୍ବାଗଡ ପୋଲିସ ଷ୍ଟେସନ ଅଧୀନରେ ଥିବା ବେଲାଗୋଡି ଭଗବାନ୍ ଟୋଲା ଗାଁର ଦୁଇ ନାବାଳିକାଙ୍କ ଏହି ହତ୍ୟା ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ନାବାଳିକା ଭଉଣୀ ନିଜ ବାପାକୁ କୁରାଢ଼ିରେ ହାଣି ହତ୍ୟା କରିଥିବା ଜଣା ପଡ଼ିଛି।
ମୃତକଙ୍କ ନାମ ସାହଦେବ ନେତାମ ହୋଇଥିବା ବେଳେ ତାଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ପୋଲିସ କହିଛି ଯେ ତାଙ୍କ ଦୁଇ ନାବାଳିକା ଝିଅ ମିଳିତ ଭାବେ ତାଙ୍କୁ ହତ୍ୟା କରିଛନ୍ତି। ସାହଦେବ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସୁଥିଲେ ଏବଂ ପିଲା, ପତ୍ନୀଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରୁଥିଲେ।
ତେବେ ଜୁନ ୩୦ ତାରିଖ ଦିନ ଏହି ମାମଲା ଏତେ ବଢିଯାଇଥିଲା ଯେ ଉଭୟ ନାବାଳିକା ଭଉଣୀ ନିଜ ବାପାଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲେ। ପୋଲିସ କହିଛି ଯେ ଘଟଣା ସମୟରେ ସାହଦେବ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପାଇଁ କୁରାଢି ଉଠାଇଥିଲା ଏହି ସମୟରେ ଉଭୟ ଝିଅ ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ହସ୍ତକ୍ଷେପ କରିଥିଲେ, ଏବଂ ବାପାର ବ୍ୟବହାର ଅତ୍ୟନ୍ତ ଖରାପ ହେବାରୁ ସେମାନେ ରାଗିଯାଇ ତାଙ୍କୁ ସେଇ କୁରାଢିରେ ହତ୍ୟା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଅମ୍ବାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ସେଠାରୁ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉଭୟ ନାବାଳିକା ଭଉଣୀଙ୍କୁ ସାଙ୍ଗରେ ନେଇଥିଲା। ପଚରା ଉଚରା ବେଳେ ନାବାଳିକା ଭଉଣୀମାନେ କହିଥିଲେ ଯେ ସେମାନେ ଦୀର୍ଘ ଦିନ ଧରି ପିତାଙ୍କ ମଦ୍ୟପାନ ଦ୍ୱାରା କଷ୍ଟ ସହୁଥିଲେ। ମଦ୍ୟପାନ କରିବା ପରେ ତାଙ୍କ ପିତା ଅନିୟନ୍ତ୍ରିତ ହୋଇପଡିଥିଲେ ଏବଂ ମାଆଙ୍କ ସହ ସେମାନଙ୍କୁ ପିଟା ପିଟି କରୁଥିଲେ। ବୁଧବାର ଦିନ ମାମଲା ଆହୁରି ବଢ଼ିଯାଇଥିଲା ଏବଂ ସେ ତାଙ୍କ ମା’ଙ୍କୁ ହତ୍ୟା କରିବା ପାଇଁ କୁରାଢି ଚଳାଇବା ଆରମ୍ଭ କରିଥିଲେ। ସେମାନେ ନିଜ ମା’କୁ ବଞ୍ଚାଇବା ସମୟରେ ଏହି ଘଟଣା ଘଟିଥିଲା। ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *