୭୭ ବର୍ଷ ବୟସରେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ନେଲେ ସମାଧି

୭୭ ବର୍ଷ ବୟସରେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ନେଲେ ସମାଧି

ଭୋପାଳ: ଜୈନ ସମ୍ପ୍ରଦାୟର ଏବକାର ‘ମହାବୀର’ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତ୍ରୀରେ ଛତିଶଗଡ଼ର ଡୋଙ୍ଗରାଗଡ଼ରେ ଦେହତ୍ୟାଗ କରିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ବିଦ୍ୟାସାଗର ମହାରାଜ ଅନ୍ନଜଳ ତ୍ୟାଗ କରିବା ସହିତ ମଉନବ୍ରତ ଅବଲମ୍ବନ କରି ସମାଧିରେ ବସିବାର ୩ ଦିନ ପରେ ରାତି ପ୍ରାୟ ୨.୩୫ରେ ପରଲୋକ ପ୍ରାପ୍ତ ହୋଇଛନ୍ତି। ସେତେବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

ଜୈନ ସମ୍ପ୍ରଦାୟର ରତ୍ନ ଭାବେ ସୁପରିଚିତ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ୧୯୪୬ ମସିହା ଅକ୍ଟୋବର ୧୦ ତାରିଖ ଶରଦ ପୂର୍ଣ୍ଣିମା ଦିନ କର୍ଣ୍ଣାଟକର ସଡ଼ଲଗା ଗାଁ’ରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଆଚାର୍ଯ୍ୟ ଜ୍ଞାନସାଗରଙ୍କ ଶିଷ୍ୟ। ଆଚାର୍ଯ୍ୟ ଜ୍ଞାନସାଗର ସମାଧି ନେବା ବେଳେ ଆଚାର୍ଯ୍ୟ ପଦବୀକୁ ମୁନି ବିଦ୍ୟାସାଗରଙ୍କୁ ହସ୍ତାନ୍ତର କରିଥିଲେ। ୧୯୭୨ ମସିହା ନଭେମ୍ବର ୨୨ ତାରିଖ ଦିନ ବିଦ୍ୟାସାଗର ମାତ୍ର ୨୬ ବର୍ଷ ବୟସରେ ଆଚାର୍ଯ୍ୟ ହୋଇଥିଲେ।

ସଂସ୍କୃତ ଓ ପ୍ରାକୃତ ଭଳି ଶାସ୍ତ୍ରୀୟ ଭାଷା ସମେତ ହିନ୍ଦୀ, ମରାଠୀ ଓ କନ୍ନଡ଼ ଭଳି କେତେକ ଆଧୁନିକ ଭାଷାରେ ଥିଲା ତାଙ୍କର ବିଶେଷ ଦକ୍ଷତା। ହିନ୍ଦୀ ଓ ସଂସ୍କୃତ ଭାଷାରେ ସେ ଅନେକ ଲେଖାଲେଖି କରିଛନ୍ତି। ତାଙ୍କର ଲେଖା ଉପରେ ଅନେକ ଗବେଷକ ଅଧ୍ୟୟନ କରି ସ୍ନାତକ ଓ ଡକ୍ଟରେଟ୍‌ ଡିଗ୍ରି ହାସଲ କରିଛନ୍ତି।

ତାଙ୍କ ମୃତ୍ୟୁଯୋଗୁଁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ, ଶିବରାଜ ସିଂହ ଚୌହାନ ଏବଂ ଅନେକ ବିଜେପି ନେତା ଶୋକବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ରାଜ୍ୟରେ ‘ବିଜେପି’ ପାଇଁ ନିର୍ବାଚନ ପ୍ରଚାର ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: