ଭୋଟ୍ ଦେଉଛି ବିହାର; ଅବ୍ କି ବାର୍ କିସକି ସରକାର?

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିହାରରେ ନୀତିଶଙ୍କ ନେତୃତ୍ୱରେ ପଦ୍ମଫୁଟିବ ନା ହାତର ସାଥ ପାଇଁ ଲଣ୍ଠନ ରାଜ୍ୟରେ ଆଲୋକ ଦେଖାଇବାରେ ସକ୍ଷମ ହେବ । ଏସବୁ ପ୍ରଶ୍ନର ଉତ୍ତର ଆସନ୍ତା 10 ତାରିଖରେ ମିଳିଯିବ । ଏବେ କିନ୍ତୁ ଫଳାଫଳ କଣ ହେବ ତାହା ନିର୍ଧାରଣ କରୁଛନ୍ତି ଭୋଟର । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନରେ ଆଜି ବ୍ୟସ୍ତ ଅଛନ୍ତି ଭୋଟର ଓ ନିର୍ବାଚନ ଅଧିକାରୀ । ନେତାଙ୍କ ମନ ମାନୁନି କାଳେ ଭୋଟ ଏପଟ ସେପଟ ହୋଇଯିବ ସମସ୍ତେ ତପ୍ତର ଆଉ ଭୋଟ ବାଡ଼ି ସମ୍ଭାଳିବାକୁ ଲାଗିପଡ଼ିଛନ୍ତି । ଆଜି ଅନ୍ତିମ ପର୍ଯ୍ୟାୟରେ ୧୬ଟି ଜିଲ୍ଳାର ୭୮ଟି ବିଧାନସଭା ଆସନ ଲାଗି ମତଦାନ ହେଉଛି ।

ଏହି ଶେଷ ପର୍ଯ୍ୟାୟ ଭୋଟିଂରେ ୧୨ ଶହ ୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିହାରର ୨ କୋଟି ୩୫ ଲକ୍ଷ ଭୋଟର। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷିତ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି ।  

ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାମାଜିକ ଦୂରତା ପାଳନ ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଅନ୍ତିମ ପର୍ଯ୍ୟାୟରେ ମୋଟ ଭୋଟରଙ୍କ ମଧ୍ୟରେ କୋଟିଏ ୨୩ ଲକ୍ଷ ମହିଳା ମତଦାତା ଓ ୮୯୪ ତୃତୀୟ ଲିଙ୍ଗୀ ଅଛନ୍ତି। ଗୟାଘାଟ ବିଧାନସଭା ଆସନରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଢାକା, ତ୍ରିବେଣୀଗଞ୍ଜ, ଜୋକିହାଟ ଏବଂ ବାହାଦୁରଗଞ୍ଜ ଆଦି ବିଧାନସଭା ଆସନରେ ମୋଟ ୯ ଜଣ ଲେଖାଏଁ ନିର୍ବାଚନ ଲଢୁଛନ୍ତି। ଏଥର ଆରଜେଡି ସର୍ବାଧିକ ୪୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେହିପରି ଏଲଜେପିରୁ ୪୨, ଜେଡିୟୁ ୩୭ ଓ ବିଜେପିରୁ ୩୫ ପ୍ରାର୍ଥୀ ସାମିଲ ଅଛନ୍ତି।

ବିହାରର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୩୩ ହଜାର ୭୮୨ ଇଭିଏମ୍ ଓ ଭିଭିପାଟ ବ୍ୟବହାର କରାଯାଉଛି। ମୋଟ ୪୫ ହଜାର ୯୫୩ଟି ବ୍ୟାଲେଟ ୟୁନିଟର ବ୍ୟବହାର କରାଯାଉଛି। କ୍ଷେତ୍ର ଅନୁଯାୟୀ ସର୍ବ ବୃହତ ବିଧାନସଭା ଆସନ ହେଉଛି ବାଲ୍ମିକୀନଗର ଓ ଏହାର ସହରସା ହେଉଛି ତୃତୀୟ ପର୍ଯ୍ୟାୟର ସର୍ବ ବୃହତ ବିଧାନସଭା ଆସନ। ଭୋଟରଙ୍କ ଅନୁଯାୟୀ ଗୟାହାଟ ହେଉଛି ସବୁଠାରୁ କ୍ଷୁଦ୍ର ବିଧାନସଭା ଆସନ।

ବିହାର ବିଧାନସଭା ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ, ଭୟମୁକ୍ତ ରଖିବା ପାଇଁ  ପ୍ରତ୍ୟେକ ବୁଥରେ ଅର୍ଦ୍ଧ ସାମରିକ ବଳ  ନିୟୋଜିତ ହୋଇଛନ୍ତି। ଏଥର ୫ଟି କୋଭିଡ୍ ପ୍ରଭାବିତ ଜିଲ୍ଲାରେ ଭୋଟ ପଡୁଛି। ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ ବିପୁଳ ପଦକ୍ଷେପ ନିଆଯାଇଛି। ଅକ୍ଟୋବର ୨୮ରେ ପ୍ରଥମ ଓ ନଭେମ୍ୱର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିଥିଲା। ଆଜି ଶେଷ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ବାହାରିବ।

%d bloggers like this: