ଅର୍ଣ୍ଣବ ଗୋସ୍ୱାମୀ, ବାଘ ନା ଫାଗ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ(ସମ୍ପାଦକୀୟ): କିଏ କହୁଛି ବାଘ ଘାଇଲା ହୋଇଯାଇଛି, ଆଉ କିଏ କହୁଛି ନୀଳବର୍ଣ୍ଣ ଶୃଗାଳ ନିଜ ଓକାତକୁ ଆସିଯାଇଛି । ମତ, ମତାନ୍ତର, ସମର୍ଥନ ଓ ବିରୋଧ ମଧ୍ୟରେ ଦେଶରେ କରୋନା ଓ ବିହାର ନିର୍ବାଚନ ପରେ ଯଦି କୌଣସ ପ୍ରସଙ୍ଗ ଚର୍ଚ୍ଚାରେ ଅଛି ତେବେ ତାହା ହେଉଛି ଅର୍ଣ୍ଣବ। ଅନେକ କୁହନ୍ତି, ଏବେ ଅର୍ଣ୍ଣବ ନିଜେ ଅର୍ଣ୍ଣବଙ୍କ ପାଇଁ ଲଢ଼ୁଛନ୍ତି । ଅର୍ଣ୍ଣବଙ୍କୁ ନ୍ଯାୟ ଦେବା ପାଇଁ ଅର୍ଣ୍ଣବଙ୍କ ସଂଗ୍ରାମକୁ ଭାରତର ଲଢ଼େଇ ବୋଲି ଅବିହିତ କରିଛି ରିପବ୍ଲିକ ଭାରତ ଓ ରିପବ୍ଲିକ ଟିଭି । ଦେଶ,ବିଦେଶର ରିପବ୍ଲିକର ସହଯୋଗୀ ଚ୍ଯାନେଲମାନେ ସମର୍ଥନ କରୁଛନ୍ତି ତ ତକ୍ ବାଲେ (ଆଜତକ୍) କହି ଅର୍ଣ୍ଣବ ଯାହାକୁ ଷ୍ଟୁଡିଓ ଭିତରୁ ସମାଲୋଚନା କରୁଥିଲେ ସେ ପାଲଟା ଆକ୍ରମଣ କରିଛି । ଗିରଫଦାରୀକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହ ଅର୍ଣ୍ଣବଙ୍କ ଉଦ୍ଧତ ପଣିଆକୁ ନିନ୍ଦା କରିଛି। ଏନଡିଟିଭି, ଦ ପ୍ରିଣ୍ଟ, ହିନ୍ଦୁସ୍ଥାନ ଟାଇମ୍ସ ଓଡ଼ିଶାର କନକ ନ୍ଯୁଜ୍ ଏବଂ ଓଟିଭି ଭିନ୍ନ ଭିନ୍ନ ମତ ପୋଷଣ କରି ଅର୍ଣ୍ଣବଙ୍କ ଖବର କଭର କରୁଛନ୍ତି । ୟା ଭିତରେ ଏବେ ଆମ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ ତାହା ହେଉଛି କ୍ଯା ଅର୍ଣ୍ଣବ ଜିନ୍ଦା ହୈ । ଏମିତି ପ୍ରଶ୍ନ କରିବାର କାରଣ…

୧. ଅର୍ଣ୍ଣବ ହାର୍ ମାନିବେ ନା ବେଲରେ ଆସିବା ପରେ ପୁଣି ଗର୍ଜିବେ?
୨. ଅର୍ଣ୍ଣବଙ୍କୁ ଘୃଣା ଓ ବଦଲାର ରାଜନୀତି ତଳିତଳାନ୍ତ କରିବ ନା ସେ ପୁଣି ପଡ଼ି ଉଠିବେ?
୩. ଅପରାଧ ପ୍ରମାଣିତ ହେବା ପରେ ବିଜେପି ସମର୍ଥନରେ ସତରେ ବାହାରିବ ନା ବ୍ଯକ୍ତିଗତ କହି ନିଜକୁ ମାମଲାଠାରୁ ଦୂରେଇ ରହିବ
୪. କେବେ ଘୃଣା ଓ କେବେ ପ୍ରେମ ପାଉଥିବା ଅର୍ଣ୍ଣବ ନିଜ ଭାବମୂର୍ତ୍ତି ସୁଧାରି ପାରିବେ ନା ନିଜ ହିସାବରେ ଟିଭି ଚଲାଇବେ?


ଏମିତି ଅନେକ ପ୍ରଶ୍ନ ଉଠିବ କିଛିର ଉତ୍ତର ଆସିବ ଆଉ କିଛିର ଉତ୍ତର ହୁଏତ ନ ଆସିପାରେ । କିନ୍ତୁ ଅର୍ଣ୍ଣବଙ୍କୁ ନେଇ ଗୋଟିଏ କଥା କୁହାଯାଏ । ୟୁ ହେଟ୍ ହିମ୍ ଔର ଲଭ୍ ହିମ୍ ବଟ୍ ୟୁ କାଣ୍ଟ ଇଗ୍ନୋର ହିମ୍ । ଏହାର ଅର୍ଥ ଆପଣ ଅର୍ଣ୍ଣବଙ୍କୁ ଭଲ ପାଆନ୍ତୁ ବା ଘୃଣା କରନ୍ତୁ, କିନ୍ତୁ ତାଙ୍କୁ ଅଣଦେଖା କରି ପାରିବେନି। ଷ୍ଟୁଡିଓ ଭିତରେ ସେ ପ୍ଯାନେଲିଷ୍ଟଙ୍କୁ ସମ୍ମାନ ଦେଇ ଜାଣନ୍ତିନି , ନିଜ ବ୍ଯବହାରକୁ ନେଇ ଦୁଃଖ ପ୍ରକାଶ କରନ୍ତିନି, କିନ୍ତୁ ସେ ମିଡିଆରେ ନୂଆ ଟ୍ରେଣ୍ଡ ସେଟ୍ କରିବାରେ ସିଦ୍ଧହସ୍ତ ବୋଲି ତାଙ୍କୁ ଭଲ ପାଉଥିବା ମୋଦିଙ୍କ ଅନ୍ଧଭକ୍ତ ଏବଂ କଂଗ୍ରେସ ଚାମଚାଙ୍କ ଭଳି ସମର୍ଥକ କୁହନ୍ତି ।

କଥା, ପଟ୍ଟକଥା, ଚିତ୍ରାୟନ ଓ ପ୍ରଦର୍ଶନ ବାବଦରେ ଅର୍ଣ୍ଣବଙ୍କ ରେକର୍ଡ କେତେ ଖରାପ ଓ କେତେ ଭଲ ତାହା ପୂର୍ବରୁ ଓ ପରେ ଦର୍ଶକ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଦେବେ । ତେବେ କଥା ହେଉଛି, ଅର୍ଣ୍ଣବ ଓ ତାଙ୍କ ସାମ୍ବାଦିକତାକୁ ନେଇ ସବୁବେଳେ ଉଠୁଥିବା ପ୍ରଶ୍ନକୁ ନେଇ । ଏକ ନିର୍ଦ୍ଦିଷ୍ଟ ଦଳ ସରକାରରେ ଥିଲା ବେଳେ ତାକୁ ପ୍ରଶ୍ନ କରିବା ଏବଂ ସେ ବିରୋଧୀ ଭୂମିକାକୁ ଆସିଗଲା ପରେ ମଧ୍ୟ ତାକୁ ହିଁ ପ୍ରଶ୍ନ କରିଚାଲିବା ଅର୍ଣ୍ଣବଙ୍କ ସାମ୍ବାଦିକତା କି ବୋଲି ସମସ୍ତେ କହୁଛନ୍ତି । କାହିଁକିନା କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆସିଲା ପରଠାରୁ ସେ ସରକାରଙ୍କ ଗୁଣଗାନ ହିଁ କରିଛନ୍ତି। ବିମୁଦ୍ରାକରଣ, ଜିଏସଟି, ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନର ସଂଶୋଧନ ବାବଦରେ ଚୁପ୍ ରହୁଥିବା ଅର୍ଣ୍ଣବ ବିରୋଧୀ କଂଗ୍ରେସର ନୀତି ଓ ଏହାର ନେତାଙ୍କ ବୟାନକୁ ନେଇ ଷ୍ଟୋରୀ କରିବା ଷ୍ଟୁଡିଓ ଆଲୋଚନା କରିବା ଅନେକଙ୍କ ଦେହରେ ଯାଇନି। ଏଥିପାଇଁ ବୋଧ ହୁଏ ଅର୍ଣ୍ଣବଙ୍କ ଏକ ପାଖିଆ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠେ ।

ଅର୍ଣ୍ଣବଙ୍କ ଗିରଫଦାରୀ ପରେ ବାକ୍ ସ୍ବାଧୀନତା, ଗଣମାଧ୍ୟମର ସ୍ବାଧୀନତା ଓ ଘୃଣ୍ଯ ବଦଲାର ରାଜନୀତି କଥା ସାମ୍ନାକୁ ଆସିଲା ଯାହାକୁ ନେଇ ଏବେ ବି ବିତର୍କ ହେଉଛି । ଏବେ ଆସନ୍ତା ଜାଣିବା ଅର୍ଣ୍ଣବଙ୍କ ସାମ୍ବାଦିକତା ବିଷୟରେ କିଛି ଜଣା ଅଜଣା ।

ଅର୍ଣ୍ଣବଙ୍କ ପୂରା ନାମ ଅର୍ଣ୍ଣବ ରଞ୍ଜନ ଗୋସ୍ବାମୀ । ଅର୍ଣ୍ଣବଙ୍କ ଜନ୍ମ ୭ ମାର୍ଚ୍ଚ ୧୯୭୩। ସେ ପୂର୍ବୋତ୍ତର ରାଜ୍ଯ ଆସାମରୁ ଆସନ୍ତି । ଅର୍ଣ୍ଣବଙ୍କ ବାପା ଜଣେ ଅବସରପ୍ରାପ୍ତ ସେନାଅଧିକାରୀ। ରିପବ୍ଲିକ୍ ଟିଭି ପୂର୍ବରୁ ଅର୍ଣ୍ଣବ ଗୋସ୍ବାମୀ ୨୦୦୬ରୁ ୨୦୧୬ ମସିହା ପଯର୍ୟନ୍ତ ଟାଇମ୍ସ୍ ନାଓ ଏବଂ ଇଟି ନାଓର ମୁଖ୍ଯ ସମ୍ପାଦକ ତଥା ସମ୍ବାଦ ଉପସ୍ଥାପକ ବା ଆଙ୍କର ଥିଲେ। ପୂର୍ବରୁ ସେ ନୂଆଦିଲ୍ଲୀ ଟେଲିଭିଜନ ବା ଏନଡିଟିଭି ଏବଂ ଦି ଟେଲିଗ୍ରାଫରେ ମଧ୍ୟ କାଯର୍ୟ କରିଥିଲେ । ଟାଇମ୍ସ୍ ନାଓରେ କାର୍ଯ୍ୟ କରୁଥିବାବେଳେ ପ୍ରତ୍ଯେକ ଦିନ ରାତି ୯ଟା ଆସୁଥିବା ତାଙ୍କ ବିତର୍କ କାର୍ଯ୍ୟକ୍ରମ ଦି ନ୍ଯୁଜ୍ଆଓ୍ୱାର୍ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ଫ୍ରାଙ୍କଲି ସ୍ପିକିଂ ଓ୍ୱିଥ୍ ଅର୍ଣ୍ଣବ ନାମକ ଏକ ସ୍ବତନ୍ତ୍ର ଦୂରଦର୍ଶନ କାର୍ଯ୍ୟକ୍ରମର ମଧ୍ୟ ସେ ଉପସ୍ଥାପକ ଥିଲେ ।  ନଭେମ୍ବର ୨୦୧୬ରେ, ଗୋସ୍ବାମୀ ଟାଇମ୍ସ୍ ନାଓର ମୁଖ୍ଯ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ୨୦୧୭ ମଇରୁ ତାଙ୍କର ନିଜର ନ୍ଯୁଜ୍ ଚ୍ଯାନେଲ୍ ରିପବ୍ଲିକ୍ ଟିଭି ଆରମ୍ଭ କରିଛନ୍ତି ।

ଅର୍ଣ୍ଣବ ଏବେ ଯେଇଁ ବିବାଦରେ ଫସିଛନ୍ତି ତାହା ହେଉଛି ଅନଭୟ ନାଏକ ନାମକ ଜଣେ ଇଣ୍ଟେରିୟର ଡିଜାଇନରଙ୍କ କଥିତ ଆତ୍ମହତ୍ଯା ମାମଲାକୁ ନେଇ । ୨୦୧୮ ମସିହା ଅନଭୟ ନାଏକ ଆତ୍ମହତ୍ଯା ମାମଲାରେ ଗୋସ୍ବାମୀଙ୍କୁ ୪ ନଭେମ୍ବର ୨୦୨୦ରେ ଧାରା ୩୦୬ ଏବଂ ଆଇପିସିର ଧାରା ୩୪ ଅନୁଯାୟୀ ମୁମ୍ବାଇ ପୋଲିସ ଗିରଫ କରିଛି । ନାଏକ ତାଙ୍କ ଆତ୍ମହତ୍ଯା ନୋଟ୍ ରେ ଗୋସ୍ବାମୀଙ୍କ ସମେତ ତିନିଜଣ ବ୍ଯକ୍ତିଙ୍କଠାରୁ ଦେୟ ପ୍ରଦାନ ନକରିବାରୁ ତାଙ୍କ ଜୀବନ ଶେଷ ହେବାର କାରଣ ବୋଲି ଅଭିଯୋଗ କରିଥିଲେ।  ୨୦୦୨ ମସିହାରେ ଗୋସ୍ବାମୀ ଏକ ପୁସ୍ତକ ଲେଖିଥିଲେ, ଯାହର ଶୀର୍ଷକ ଥିଲା କମାଟିଂ ଟେରରିଜିମ୍: ଦ ଲିଗାଲ୍ ଚ୍ଯାଲେଞ୍ଜ । ଏବେ କିନ୍ତି ଏହି ନ୍ଯାୟିକ ଲଢ଼େଇ ଜିତିବା ଅର୍ଣ୍ଣବଙ୍କ ପାଇଁ ସବୁଠୁ ବଡ଼ ଚ୍ଯାଲେଞ୍ଜ ଭାବେ ଉଭା ହୋଇଛି ।  ଗୋସ୍ବାମୀ ୨୦୦୮ ମସିହାରେ ଟିଭି ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ରାନନାଥ ଗୋଏଙ୍କ ପୁରସ୍କାର ପାଇଥିଲେ । ଏବେ ଦେଖିବାର କଥା ଅର୍ଣ୍ଣବ ଯେଉଁ ଅପମାନ ନେଇ ଜୀବନ ଜିଉଁଛନ୍ତି ସେଥିରୁ କେମିତି ମୁକୁଳି ନିଜ ସମ୍ମାନ ଫେରିଫାଉଛନ୍ତି । ନିଜେ ବାଘ ହୋଇ ପୁଣି ମିଡିଆ ଜଗତରେ ରାଜ୍ କରିବେ ନା କେବଳ ଅପମାନରେ ଜର୍ଜରିତ ହୋଇ କେବଳ ଏକ ମଜାକ ବା ଉପହାସର ପାତ୍ର ପାଲଟିଯିବେ । ଯଦି ଏମିତି ହୁଏ ଏହା ମିଡିଆ ଜଗତ ପାଇଁ ଜମା ଶୁଭଙ୍କର ନୁହେଁ କାହିଁକିନା ଚନ୍ଦ୍ରରେ କଳଙ୍କ ପରି ମିଡିଆ ଜଗତରେ ଅର୍ଣ୍ଣବ ଚାନ୍ଦ, ତାରା ବଦଳରେ କଳା ବାଦଲ ହୋଇଗଲେ କଥା ସରିଲା ।..

%d bloggers like this: